ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ଆମେ ପୃଥିବୀ ସୀମା ବାହାରେ ଗ୍ରହନକ୍ଷତ୍ର ଆଡ଼କୁ ପାଦ ବଢ଼ାଇ ଚାଲିଥିବା ବେଳେ ଆମ ଭବିଷ୍ୟତକୁ ନେଇ ମଧ୍ୟ ନୂଆ ନୂଆ ପ୍ରଶ୍ନ ଉଠିବାରେ ଲାଗିଛି। ତେବେ ଅଦ୍ୟାବଧି ଗୋଟିଏ କଥା ଯାହା ପରୀକ୍ଷିତ ହେବାକୁ ବାକି ଅଛି, ତାହା ହେଲା ପୃଥିବୀ ବାହାରେ ମାନବ ପ୍ରଜାତିର ପ୍ରସାର। ପୃଥିବୀ ବାୟୁମଣ୍ଡଳ ବାହାରେ ଅଣୁମାଧ୍ୟାକର୍ଷଣ (ମାଇକୋଗ୍ରାଭିଟି) ଓ ବିକିରଣ ପରିବେଶରେ ଆମେ ପ୍ରଜନନ ଜାରି ରଖିବାକୁ ସକ୍ଷମ କି ନୁହେଁ, ତାହା ଏକ ବଡ଼ ପ୍ରଶ୍ନ ପାଲଟିଛି। ତେବେ ତାହାର ଏକ କ୍ଷୀଣ ଉତ୍ତର ନିକଟରେ ମିଳିଛି। ପ୍ରଥମ ଥର ପାଇଁ ମହାଶୂନ୍ୟରେ ମୂଷା ପରି ଏକ ସ୍ତନ୍ୟପାୟୀର ଭ୍ରୂଣ ସୃଷ୍ଟି ହୋଇପାରିଛି।
ଭୂପୃଷ୍ଠରୁ ୪୦୦ କି.ମି. ଊର୍ଦ୍ଧ୍ବରେ ସ୍ଥାପିତ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଏହି ଭ୍ରୂଣ ସୃଷ୍ଟି କରି ତାହାକୁ ବଢ଼ାଯାଇପାରିଛି। ଜାପାନର ୟାମାନାସି ବିଶ୍ବବିଦ୍ୟାଳୟର ଅଣୁ ଜୈବବିତ୍ ତେରୁହିକୋ ଵାକାୟାମାଙ୍କ ନେତୃତ୍ବରେ ଏ ପରୀକ୍ଷଣ ବାସ୍ତବ ରୂପ ନେଇଛି। ୨୦୦୯ ମସିହାରେ ଵାକାୟାମାଙ୍କ ନେତୃତ୍ବାଧୀନ ଦଳ ଜାଣିବାକୁ ପାଇଥିଲେ ଯେ ଭ୍ରୂଣର ବିକାଶରେ ମାଇକ୍ରୋଗ୍ରାଭିଟିର ନକାରାତ୍ମକ ପ୍ରଭାବ ରହିଛି। ତେବେ ନାନା ପରୀକ୍ଷାନିରୀକ୍ଷା ପରେ ସେହି ଅସୁବିଧାକୁ ଦୂର କରାଯାଇପାରିଛି। ତଥାପି ମହାକାଶରେ ଗର୍ଭଧାରଣ ନିରାପଦ କି ନୁହେଁ, ସେ ବାବଦରେ ଆହୁରି ପରୀକ୍ଷାନିରୀକ୍ଷା ବାକି ରହିଛି ବୋଲି ସେ କହିଛନ୍ତି। କାରଣ ଵାକାୟାମାଙ୍କ ଗବେଷଣାରେ ବିକିରଣର ପ୍ରଭାବକୁ ସାମିଲ କରାଯାଇନଥିଲା। ସେହିପରି ମହାକାଶରେ ଗର୍ଭାଶୟ ଭିତରେ ଭ୍ରୂଣର ବିକାଶ ଆକାଂକ୍ଷିତ ଫଳାଫଳ ଆଣିବ କି ନାହିଁ, ତାହା ମଧ୍ୟ ନିଶ୍ଚିତ ହୋଇନାହିଁ।