ପଦାର୍ଥ ବିଜ୍ଞାନ ପରି ଜଟିଳ ପାଠର ଏକ ସନ୍ଦର୍ଭର ସହ-ଗବେଷକ ଜଣେ ବିରାଡ଼ି ହୋଇଥିବା କଥାଟି ଅଡୁଆ ଲାଗିଲେ ବି ତାହାର ଲିଖିତ ପ୍ରମାଣ ରହିଛି। ୧୯୭୫ ମସିହା ବେଳକୁ ଆମେରିକାର ମିଚିଗାନ୍ ବିଶ୍ବବିଦ୍ୟାଳୟର ଜେ. ଏଚ୍. ହେଦରିଂଟନ୍ ଥିଲେ ଜଣେ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ। ନିମ୍ନ ତାପମାତ୍ରାରେ ପଦାର୍ଥର ବ୍ୟବହାର ସଂକ୍ରାନ୍ତ ତାଙ୍କର ଏକ ଗବେଷଣାତ୍ମକ ସନ୍ଦର୍ଭକୁ ପ୍ରକାଶନ ପାଇଁ ସେ ‘ଫିଜିକାଲ ରିଭ୍ୟୁ ଲେଟର୍ସ’ ନାମକ ଅଗ୍ରଣୀ ପତ୍ରିକାକୁ ପଠାଇଥିଲେ। ତେବେ ଉକ୍ତ ସନ୍ଦର୍ଭ ସାରା ‘ମୁଁ’ ବଦଳରେ ‘ଆମେ’ ବୋଲି ଉଲ୍ଲେଖ ରହିଥିବା ଜଣାପଡ଼ିଥିଲା। ସେତେବେଳକୁ କମ୍ପ୍ୟୁଟରର ବ୍ୟବହାର ନଥିଲା ଏବଂ ତମାମ ସନ୍ଦର୍ଭଟି ଯାନ୍ତ୍ରିକ ଟାଇପ୍ରାଇଟର ଦ୍ବାରା ପ୍ରସ୍ତୁତ କରାଯାଇଥିଲା। ତେଣୁ ‘ଆମେ’କୁ ‘ମୁଁ’ରେ ସଂଶୋଧନ କରିବା ସହଜସାଧ୍ୟ ନଥିଲା। ସୁତରାଂ ହେଦରିଂଟନ୍ଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା- ସେ ସନ୍ଦର୍ଭକୁ ଆଉ ଥରେ ଲେଖିବେ କିମ୍ବା ତାଙ୍କ ନାମ ସହିତ ଆଉ ଜଣେ ଗବେଷକଙ୍କ ନାଁ ଯୋଡ଼ିବେ। ପ୍ରଥମ ବିକଳ୍ପଟି ସମୟ ସାପେକ୍ଷ ଏବଂ କଷ୍ଟସାଧ୍ୟ। ତେଣୁ ଦ୍ବିତୀୟ ବିକଳ୍ପକୁ ଗ୍ରହଣ କରି ସେଥିରେ ଆଉ କାହା ନାଁ ଯୋଡ଼ିବା କଥା ସେ ଭାବିଲେ। ମାତ୍ର ସେଥିରେ ମଧ୍ୟ ସମସ୍ୟା ଥିଲା। କାରଣ ସନ୍ଦର୍ଭଟି ଏପରି ଭାଗୀଦାରିରେ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଲେ, ତାଙ୍କର ଖ୍ୟାତିରେ ଅନ୍ୟ ଜଣେ ଭାଗ ବସାଇବ ଏବଂ ତାଙ୍କୁ ମିଳୁଥିବା ପାରିଶ୍ରମିକ ମଧ୍ୟ ଅଧା ହୋଇଯିବ। ସନ୍ଦର୍ଭଟିର ପ୍ରକାଶନ ପାଇଁ ହାତରେ ଖୁବ୍ ସମୟ ଥିଲା। ତେଣୁ ତାଙ୍କ ମୁଣ୍ଡକୁ ଏକ ବିଚିତ୍ର ବିଚାର ଜୁଟିଲା।
ସନ୍ଦର୍ଭଟିର ସହଲେଖକ ଭାବରେ ସେ ତାଙ୍କର ପୋଷା ବିରାଡ଼ି ‘ଚେଷ୍ଟର’ର ନାଁକୁ ସାମାନ୍ୟ ବଦଳାଇ ସେଥିରେ ଲେଖିଦେଲେ। ସହଲେଖକଙ୍କ ନାମ ହେଲା ‘ଏଫ୍.ଡି.ସି. ଵିଲାର୍ଡ’, ଅର୍ଥାତ୍ ଫେଲିକ୍ସ ଡୋମେଷ୍ଟିଅସ୍ ଚେଷ୍ଟର ଵିଲାର୍ଡ। ଏଫ୍.ଡି.ସି. ଵିଲାର୍ଡ ତାଙ୍କର ଜଣେ ବିଶ୍ବବିଦ୍ୟାଳୟ ସହଯୋଗୀ ବୋଲି ଦର୍ଶାଇ ସେ ସନ୍ଦର୍ଭଟିକୁ ପୁଣିଥରେ ପଠାଇଦେଲେ ଏବଂ ତାହା ଗୃହୀତ ହୋଇଥିଲା। ହିଦରିଂଟନ୍ଙ୍କ ସନ୍ଦର୍ଭଟି ଗୁରୁତ୍ବପୂର୍ଣ୍ଣ ଏବଂ ପଠନଯୋଗ୍ୟ ଥିବାରୁ ତାହା ଲୋକପ୍ରିୟ ହୋଇଥିଲା। ତେବେ ତାହାର ପରବର୍ତ୍ତୀ ସଂସ୍କରଣମାନଙ୍କରେ ହିଦରିଂଟନ୍ ନିଜ ନାଁ ଉପରେ ଦସ୍ତଖତ କରିବା ସହ ଏଫ୍.ଡି.ସି. ନାମ ଉପରେ ଏକ ବିରାଡ଼ି ପଞ୍ଝାର ଛାପ ଦେବାକୁ ଭୁଲିନଥିଲେ। ଆଜି ଦିନରେ ବିରାଡ଼ିଟିଏ ସହଗବେଷକ ହେବାର ସୌଭାଗ୍ୟ ହାସଲ କରିବା ହୁଏତ ଆଉ ସମ୍ଭବ ନୁହେଁ।