କରୋନାଭାଇରସ୍‌କୁ ପ୍ରଲୋଭିତ କରି ମାରିବାକୁ ବୈଜ୍ଞାନିକମାନେ ବିକଶିତ କରିଛନ୍ତି କୃତ୍ରିମ ଜୀବକୋଷ

ନୂଆଦିଲ୍ଲୀ: କୋଭିଡ୍-୧୯ ସୃଷ୍ଟିକାରୀ କରୋନାଭାଇରସ୍‌ର ଧ୍ୟାନଚ୍ୟୁତ କରି ତାକୁ ମାରିବା ନିମନ୍ତେ ବୈଜ୍ଞାନିକମାନେ ଏକ ପ୍ରକାର ଜୈବ-କଣିକା ବିକଶିତ କରିଥିବା କଥା ‘ନାନୋ ଲେଟର୍ସ’ ନାମକ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହୋଇଛି।

ବୈଜ୍ଞାନିକମାନେ ଏକ ଲ୍ୟାବ୍ରଟରି ସେଟିଙ୍ଗ୍‌ରେ ଏହାକୁ ଆବିଷ୍କାର କରିଛନ୍ତି। ବିପଦମୁକ୍ତ ଏହି କୃତ୍ରିମ ପଲିମର୍ କଣିକାଗୁଡ଼ିକ କରୋନାଭାଇରସ୍‌କୁ ପ୍ରଲୋଭିତ କରି କାବୁ କରିପାରୁଛନ୍ତି କି, ନାହିଁ ଗବେଷକମାନେ ପରୀକ୍ଷା ଚଳାଇ ଦେଖିଥିଲେ। ଏହି ପଦ୍ଧତି ଫଳପ୍ରଦ ହୋଇଥିବା କଥା ସେମାନେ ଜାଣିପାରିଛନ୍ତି।

ଇଂରାଜୀରେ ଏହି ଉପାୟକୁ ‘ଡିକୟ’ କହନ୍ତି। ‘ଡିକୟ’ ଅର୍ଥ ସମଜାତୀୟ ପଶୁପକ୍ଷୀଙ୍କ ପ୍ରତିକୃତି ଦ୍ବାରା ଜୀବଜନ୍ତୁଙ୍କୁ ପ୍ରଲୋଭିତ କରି ଶିକାର କରିବା। ବିଶେଷକରି, ବତକ ଶିକାର ପାଇଁ ଏହା ବ୍ୟବହାର କରାଯାଏ। ଆମ ରାଜ୍ୟରେ ଯେମିତି ଗୋଟାଏ ‘ଡାହୁକ’ ପକ୍ଷୀକୁ ପିଞ୍ଜରାରେ ପୂରାଇ ଜଳାଶୟରେ ରଖିଦେଲେ ତା’ ରାବ ଶୁଣି ଅନ୍ୟ ଡାହୁକମାନେ ଘେରି ଆସନ୍ତି ଓ ଫାଶ ଟାଣି ଶିକାରୀ ସେମାନଙ୍କୁ ଅକ୍ଳେଶରେ ଧରି ପକାଏ, ଏହା ଠିକ୍ ସେହି ପ୍ରକାର ବ୍ୟବସ୍ଥା।

Image Courtesy of Phys org

ବୈଜ୍ଞାନିକମାନେ ସୂକ୍ଷ୍ମ ଜୈବ-ଅନୁକୂଳ ପଲିମର୍ କଣିକା ତିଆରି କରି ଏଭଳି ଉପାୟ କରିଛନ୍ତି। ଏହି ସୂକ୍ଷ୍ମ କଣିକା ଉପରେ ଜୀବନ୍ତ ଫୁସ୍‌ଫୁସ୍ ଟିସ୍ୟୁର ଆସ୍ତରଣ ଦିଆଯାଇଛି। ବାହାରୁ ଏହି ସୂକ୍ଷ୍ମ ପଲିମର୍ କଣିକା ଅବିକଳ ଜୀବନ୍ତ ଜୀବକୋଷ ପରି ଦିଶେ। ଏହାକୁ ପ୍ରକୃତ ମାନବ ଫୁସ୍‌ଫୁସ୍‌ କୋଷ ମନେକରି କରୋନାଭାଇରସ୍ ନିଜର ସଂଖ୍ୟା ବୃଦ୍ଧି ପାଇଁ ଆକ୍ରମଣ କରି ଧରାପଡ଼ିଯାଏ। ଏହା ପ୍ରକୃତ ଜୀବକୋଷ ହୋଇ ନ ଥିବାରୁ ଏଥିରେ କରୋନାଭାଇରସ୍ ନିଜେ ଖାଇବା ଓ ନିଜର ସଂଖ୍ୟା ବୃଦ୍ଧି କରିବାକୁ କିଛି ପାଏନାହିଁ।

କରୋନଭାଇରସ୍ ବ୍ୟତୀତ ଏହି ଉପାୟରେ ଅନ୍ୟାନ୍ୟ ଭୂତାଣୁ ସଂକ୍ରମଣ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ବୈଜ୍ଞାନିକମାନେ ଆଶା କରୁଛନ୍ତି।

ଏବେ ଏହି ପଦ୍ଧତିକୁ ପ୍ରାଣୀ ଶରୀରରେ ପ୍ରୟୋଗ କରିବାକୁ ସମ୍ପୃକ୍ତ ବୈଜ୍ଞାନିକମାନେ ବ୍ୟବସ୍ଥା କରୁଛନ୍ତି। ପ୍ରାଣୀଙ୍କ ଠାରେ ଏହା ସଫଳ ହେଲେ ମାନବ ଶରୀରରେ ପ୍ରୟୋଗ କରାଯିବ।

 

ସମ୍ବନ୍ଧିତ ଖବର