ଦଶନ୍ଧି ଦଶନ୍ଧି ଧରି ବିଶ୍ବ ତାପମାତ୍ରାରେ ନିରନ୍ତର ବୃଦ୍ଧି ଘଟିଚାଲିଛି। ତେବେ ଏଥିରେ ଅତର୍କିତ ଅସାଧାରଣ ବୃଦ୍ଧି ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇଛି। କାହିଁକି ଏଭଳି ଘଟୁଛି ବୋଲି ଗବେଷକମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ବିଗତ ଦୁଇବର୍ଷ ହେଲା ବିଶ୍ବ ତାପମାତ୍ରାରେ ରେକର୍ଡ ବୃଦ୍ଧି ଘଟିଛି, ଯାହା ଉପଲବ୍‌ଧ ଥିବା ପାଣିପାଗ ପରିବର୍ତ୍ତନ ଜନିତ ଶ୍ରେଷ୍ଠ ବୈଜ୍ଞାନିକ ଅନୁମାନକୁ ବିଗାଡ଼ିଦେଇଛି। ବୈଜ୍ଞାନିକମାନେ ସହମତ ଯେ, ଦୀର୍ଘକାଳୀନ ବିଶ୍ବ ଉତ୍ତପ୍ତୀକରଣ ପାଇଁ ଜୀବାଶ୍ମ ତୈଳର ଦହନ ହିଁ ମୁଖ୍ୟ କାରଣ। ତଦନୁସାରେ ବର୍ଷକୁ ବର୍ଷ ବିଶ୍ବ ତାପମାତ୍ରା ସ୍ବାଭାବିକ ଭାବେ କେଉଁ ହାରରେ ବୃଦ୍ଧି ପାଇବ, ତାହା ଅନୁମାନ କରାଯାଇଥାଏ। ମାତ୍ର ସମ୍ପ୍ରତି ଦେଖାଦେଇଥିବା ତାପମାତ୍ରାର ଅକଳ୍ପନୀୟ ବୃଦ୍ଧିର କାରଣ ଜଣା ପଡ଼ିନାହିଁ, ଯାହା ବୈଜ୍ଞାନିକ ସମୂହକୁ ବିବ୍ରତ କରିଛି। ଯଦିଓ ମେଘମାଳାର ଢାଞ୍ଚାରେ ପରିବର୍ତ୍ତନ, ବାୟୁମଣ୍ଡଳ ପ୍ରଦୂଷଣ ଓ ଅଙ୍ଗାରକାମ୍ଳକୁ ଶୋଷିବାରେ ପୃଥିବୀର ଦକ୍ଷତା ଆଦିକୁ ଏହି ଅହେତୁକ ତାପମାତ୍ରା ବୃଦ୍ଧିର ସମ୍ଭାବ୍ୟ କାରକ ଭାବେ ବିଚାର କରାଯାଉଛି, ତେବେ ଏ ବାବଦରେ ନିଶ୍ଚିତ ହେବା ପାଇଁ ବିଶେଷଜ୍ଞମାନଙ୍କୁ ଆହୁରି ବର୍ଷେ କି ଦୁଇ ବର୍ଷ ଲାଗିଯିବ ବୋଲି କୁହାଯାଉଛି। 

Advertisment

ବିଶ୍ବ ଉତ୍ତପ୍ତୀକରଣ ପାଇଁ ଜୀବାଶ୍ମ ତୈଳର ଦହନ ମୁଖ୍ୟ କାରଣ। ତାହାର ପରିମାଣ ଭିତ୍ତିରେ ତାପମାତ୍ରା ବୃଦ୍ଧି ହାର ଆକଳନ କରାଯାଇଥାଏ। ତେବେ ୨୦୨୩ ଓ ୨୦୨୪ର ତାପମାତ୍ରା ବୃଦ୍ଧି ଧାରାରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଦେଖାଯାଇଛି 

ଅନ୍ୟ ବର୍ଷମାନଙ୍କ ତୁଳନାରେ, ବିଶେଷ କରି ୨୦୨୩ ମସିହାର ତାପମାତ୍ରା ବୃଦ୍ଧି ସମସ୍ତ ସୀମାକୁ ଅତିକ୍ରମ କରିଯାଇଛି ଏବଂ ୨୦୨୪ରେ ମଧ୍ୟ ଅନୁରୂପ ସ୍ଥିତି ଦେଖାଯାଇଛି। ଉଲ୍ଲେଖନୀୟ, କଳକାରଖାନା ଓ ଗାଡ଼ିମୋଟରରେ ଜୀବାଶ୍ମ ତୈଳର ଦହନ ଯୋଗୁଁ ସାଧାରଣତଃ ଅଙ୍ଗାରକାମ୍ଳ ପରି ସବୁଜଗୃହ ବାଷ୍ପର ନିର୍ଗମନ ଫଳରେ ତାହା ଭୂପୃଷ୍ଠ ଉପରେ ଏକ ଚାଦର ସଦୃଶ ଘୋଡ଼ାଇ ରହୁଛି। ୨୦୨୩ ମସିହାରେ ଏହି ନିର୍ଗମନ ରେକର୍ଡ ସ୍ତରରେ ପହଞ୍ଚିଥିଲେ ହେଁ ହାରାହାରି ସମୁଦ୍ର ପତ୍ତନ ଓ ବାୟୁମଣ୍ଡଳ ତାପମାତ୍ରା ଏକ ନିର୍ଦ୍ଦିଷ୍ଟ ହାରରେ ବୃଦ୍ଧି ପାଇଥିଲା, ଯାହା ଦଶନ୍ଧି ଦଶନ୍ଧିର ଉତ୍ତପ୍ତୀକରଣ ଢାଞ୍ଚାକୁ ଅନୁକରଣ କରିବା କଥା। ମାତ୍ର ୨୦୨୩ ଜୁନ୍‌ ଓ ୨୦୨୪ ସେପ୍ଟେମ୍ବର ମଧ୍ୟରେ ଏହି ଧାରାରେ ଅହେତୁକ ଅକଳ୍ପନୀୟ ପରିବର୍ତ୍ତନ ଦେଖାଯାଇଥିଲା। ତେବେ ମୁଖ୍ୟତଃ ଅଙ୍ଗାରକାମ୍ଳ ବାଷ୍ପକୁ ଶୋଷି ନେଉଥିବା ଜଙ୍ଗଲର ସବୁଜିମା ଓ ସମୁଦ୍ରର ଦୁର୍ବଳତା ଯୋଗୁଁ ଏପରି ଉତ୍ତପ୍ତୀକରଣ ଘଟିଥିବା ଅନୁମାନ କରାଯାଉଥିଲେ ହେଁ ବୈଜ୍ଞାନିକମାନେ ଠୋସ୍‌ କାରଣ ଖୋଜିବାରେ ଲାଗିଛନ୍ତି।