ଆଶାର ଆଲୋକ: ଦୂଷିତ ନଦୀଜଳକୁ ଘଣ୍ଟାକରେ ବ୍ୟବହାର ଉପଯୋଗୀ କରିବ ହାଇଡ୍ରୋଜେଲ୍ ଟାବଲେଟ୍

ନୂଆଦିଲ୍ଲୀ: ନଦୀଗୁଡ଼ିକର ଦୂଷିତ ଜଳକୁ ସଫା କରିବା ପାଇଁ ବୈଜ୍ଞାନିକମାନେ ଏକ ହାଇଡ୍ରୋଜେଲ ଟାବଲେଟ୍ ପ୍ରସ୍ତୁତ କରିଛନ୍ତି। ଏହି ଟାବଲେଟ୍ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏକ ଲିଟର ପାଣିକୁ ସଫା କରିପାରିବ । ଆକଳନ କରାଯାଇଛି ଯେ ବିଶ୍ବର ପ୍ରାୟ ଏକ ତୃତୀୟାଂଶ ଲୋକଙ୍କ ପାଖରେ ପାନୀୟ ଜଳ ନାହିଁ, ୨୦୨୫ ସୁଦ୍ଧା ବିଶ୍ବର ପ୍ରାୟ ଅଧା ଲୋକ ଏମିତି ଅଞ୍ଚଳରେ ରହୁଥିବେ ଯେଉଁଠାରେ ଜଳ ଅଭାବ ରହିଥିବ। ଏଭଳି ପରିସ୍ଥିତିରେ ଦୂଷିତ ଜଳକୁ କିପରି ସଫା କରି ଏହି ସମସ୍ୟାର ସମାଧାନ କରାଯାଇପାରିବ ଏବଂ ଲୋକଙ୍କ ଜୀବନରେ ଉନ୍ନତି ଅଣାଯାଇ ପାରିବ ସେ ନେଇ ବିଶ୍ବବ୍ୟାପି ଗବେଷଣା ଚାଲିଛି।

ଏହି ସମସ୍ୟାକୁ ଧ୍ୟାନରେ ରଖି ଟେକ୍ସାସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏକ ହାଇଡ୍ରୋଜେଲ ଟାବଲେଟ୍ ତିଆରି କରିଛନ୍ତି, ଯାହା ଦୂଷିତ ଜଳକୁ ଶୀଘ୍ର ସଫା କରିପାରିବ । ବୈଜ୍ଞାନିକମାନଙ୍କ କହିବାନୁସାରେ, ଗୋଟିଏ ହାଇଡ୍ରୋଜେଲ ଟ୍ୟାବଲେଟ୍ ଏକ ଲିଟର ଜଳକୁ ଜୀବାଣୁ ଶୂନ୍ୟ କରି ପାରିବ। ପାଣିକୁ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ପିଇବା ଉପଯୋଗୀ କରି ପାରିବ।

ଟେକ୍ସାସ୍  ମ୍ୟାଟେରିୟଲ ଇନଷ୍ଟିଚ୍ୟୁଟ ଓ ଏହି ଅନୁସନ୍ଧାନ ସହିତ ଜଡିତ ଜଣେ ଗବେଷକ ଗୁଇହୁଆ ୟୁ କହିଛନ୍ତି ଯେ ଆମର ଏହି ବହୁମୁଖୀ ବ୍ୟବହାର ହୋଇପାରୁଥିବା ହାଇଡ୍ରୋଜେଲ୍ ବିଶ୍ୱସ୍ତରରେ ଜଳ ଅଭାବକୁ ହ୍ରାସ କରିବାରେ ସହାୟକ ହୋଇପାରିବ। ଏହା ଭଲ ଏବଂ ବ୍ୟବହାର କରିବା ଅତି ସହଜ ଅଟେ। ଏହା ସହ ଜଡିତ ଅନୁସନ୍ଧାନ ଆଡଭାନ୍ସଡ ମ୍ୟାଟେରିୟଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି।

ଦୂଷିତ ଜଳକୁ ସ୍ବଚ୍ଛ କରିବାରେ କିପରି କାମ କରେ ହାଇଡ୍ରୋଜେଲ୍ ଟାବଲେଟ୍

ଯଦି ଆମେ ଜଳକୁ ବିଶୁଦ୍ଧ କରିବାର ସବୁଠାରୁ ପ୍ରାଥମିକ ପଦ୍ଧତି ବିଷୟରେ ଆଲୋଚନା କରିବା, ତେବେ ପାଣିକୁ ଉଚ୍ଚ ତାପମାତ୍ରରେ ଫୁଟାଇବା କିମ୍ବା ପାଶ୍ଚରାଇଜ କରିବା ପ୍ରମୁଖ । କିନ୍ତୁ ଏଥିରେ ଅଧିକ ଶକ୍ତି ଖର୍ଚ୍ଚ ହେବା ସହିତ ଅନେକ ସମୟ ଏବଂ ପରିଶ୍ରମ ମଧ୍ୟ ଆବଶ୍ୟକ ହୋଇଥାଏ।

ଏଥି ସହିତ, ବିଶ୍ବର କେତେକ ସ୍ଥାନରେ ସମ୍ବଳ ଅଭାବରୁ ଲୋକଙ୍କ ପାଇଁ ଏହା ସମ୍ଭବ ହୋଇ ନଥାଏ। ଅନ୍ୟ ପଟେ, ଯଦି ଆମେ ସ୍ୱତନ୍ତ୍ର ହାଇଡ୍ରୋଜେଲ ବିଷୟରେ କଥା ହେବା, ତେବେ ଦେଖିବା ଏହା ହାଇଡ୍ରୋଜେନ୍ ପେରକ୍ସାଇଡ୍ ଉତ୍ପନ୍ନ କରିଥାଏ। ଏହା ୯୯.୯୯୯ ପ୍ରତିଶତରୁ ଅଧିକ ଦକ୍ଷତାରେ ଜଳରୁ ଜୀବାଣୁକୁ ନାଶ କରିପାରେ । ହାଇଡ୍ରୋଜେନ୍ ପେରକ୍ସାଇଡ୍ ଆକ୍ଟିଭେ‌ଟେଡ କାର୍ବନ ସହିତ ମିଶି ବ୍ୟାକ୍ଟେରିଆର ଅତ୍ୟାବଶ୍ୟକ କୋଷ ଉପରେ ଆକ୍ରମଣ କରିଥାଏ ଏବଂ ସେମାନଙ୍କର ମେଟାବୋଲିଜିମକୁ ବ୍ୟାହତ କରି ଦେଇଥାଏ।

କେବଳ ଏତିକି ନୁହେଁ, ଏହି ପ୍ରକ୍ରିୟା ପାଇଁ ଶକ୍ତି ଆଦୌ ଆବଶ୍ୟକ ହୋଇ ନଥାଏ।  ଏହା ଦ୍ବାରା କୌଣସି କ୍ଷତିକାରକ ଉପ-ଉତ୍ପାଦ ଉତ୍ପାଦନ ହୁଏନାହିଁ ।  ହାଇଡ୍ରୋଜେଲକୁ ସହଜରେ ହଟା ଯାଇ ପାରିବ, ଆଉ ଏହା  ବିଶୋଧନ ପ୍ରକ୍ରିୟା ପରେ କୌଣସି ଅବଶେଷ ବି ଛାଡି ନଥାଏ।

ଗବେଷକଙ୍କ ଅନୁଯାୟୀ, ଜଳକୁ ନିଜେ ବିଶୋଧନ କରିବା ବ୍ୟତୀତ ହାଇଡ୍ରୋଜେଲ ହଜାର ବର୍ଷ ଧରି ଚାଲିଆସୁଥିବା ସୂର୍ଯ୍ୟଙ୍କ କିରଣ ସାହାଯ୍ୟରେ ଜଳ ସଫା କରିବାର ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିପାରେ।  ହାଇଡ୍ରୋଜେଲରପ୍ରସ୍ତୁତି  ସହଜ ହେବା ସହିତ ଏହାକୁ ତିଆରି କରିବା ସାମଗ୍ରୀ ଶସ୍ତା ଅଟେ ।  ସଂ‌‌ଶ୍ଳେଷଣ ପ୍ରକ୍ରିୟା ସରଳ ରହିଛି।

ସମ୍ପ୍ରତି, ଗବେଷକମାନେ ଏହି ହାଇଡ୍ରୋଜେଲର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି । ଯାହା ଦ୍ବାରା ସେମାନେ ପାଣିରେ ଥିବା ବିଭିନ୍ନ ପ୍ରକାରର ମାଇକ୍ରୋବସ୍ ଏବଂ ଜୀବାଣୁ ଉପରେ କାମ କରିପାରିବେ।

(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)

ସମ୍ବନ୍ଧିତ ଖବର