ସନ୍ଧ୍ୟା ସ୍ନାନଂ ଜପଶ୍ଚୈବ ଦେବତାନାଂ ଚ ପୂଜନମ୍।
ବୈଶ୍ୱଦେବଂ ତଥାଽଽତିଥ୍ୟଂ ଷଟ୍ କର୍ମାଣି ଦିନେ ଦିନେ।ା
-ବୃହତ୍ ପରାଶର ସ୍ମୃତି, ୧/୩୯
ପରାଶର ଜଣେ ବିଶିଷ୍ଟ ବୈଦିକ ଋଷି। ସେ ମଧ୍ୟ ଋକ୍ବେଦର କେତେକ ମନ୍ତ୍ରର ଦ୍ରଷ୍ଟା ବା ସ୍ରଷ୍ଟା। ସେ ଋକ୍ବେଦର ସଂକଳନ ମଧ୍ୟ କରିଥିଲେ। ତାଙ୍କର ପୁତ୍ର ବ୍ୟାସଦେବ ପରବର୍ତ୍ତୀ କାଳରେ ବେଦର ବିଭାଗୀକରଣ କରି ବେଦବ୍ୟାସ ରୂପେ ପ୍ରସିଦ୍ଧ ହୋଇଥିଲେ।
ପରାଶରଙ୍କ ରଚିତ ସ୍ମୃତିଶାସ୍ତ୍ର ‘ବୃହତ୍ ପରାଶର ସ୍ମୃତି’ ଭାବରେ ଲୋକପ୍ରିୟ ଏବଂ ବହୁଳ ବ୍ୟବହୃତ। ତାହାର ପ୍ରଥମ ଅଧ୍ୟାୟରେ ଅଛି ଗୃହସ୍ଥଙ୍କର ନିତ୍ୟକର୍ମ ବିଷୟରେ ନିର୍ଦ୍ଦେଶ। ଉପରୋକ୍ତ ସୁଭାଷିତ ତାହାର ଅନ୍ତର୍ଭୁକ୍ତ।
ସେଥିରେ କୁହାଯାଇଛି- ମନୁଷ୍ୟ ପ୍ରତିଦିନ ଛଅଟି କର୍ମ କରିବା ବିଧେୟ। ଏହି ଷଟ୍କର୍ମ ହେଉଛି- ସ୍ନାନ, ସନ୍ଧ୍ୟା, ଜପ, ଦେବପୂଜନ, ବଳିବିଶ୍ୱଦେବ ଓ ଅତିଥି ସତ୍କାର।
ସ୍ନାନ ମନୁଷ୍ୟର ପ୍ରତିଦିନର ପ୍ରଥମ ନିତ୍ୟକର୍ମ। ଏପରିକି, ଶ୍ରୀଜଗନ୍ନାଥ ସ୍ୱୟଂ ଦାରୁବ୍ରହ୍ମ ହୋଇ ମଧ୍ୟ, ‘ମାନୁଷଲୀଳା’ରେ ପ୍ରତ୍ୟହ ସ୍ନାନାଦି କର୍ମ କରିଥାଆନ୍ତି। ସେହିପରି, ଗୃହସ୍ଥର ଅନ୍ୟ ଏକ ନିତ୍ୟକର୍ମ ହେଉଛି ସନ୍ଧ୍ୟା। ସନ୍ଧ୍ୟା ହେଉଛି- ସମୟର ସାକାର ରୂପ। ଏହା ସନ୍ଧି ସମୟକୁ ବୁଝାଏ। ଦିନ ଓ ରାତି ମଧ୍ୟରେ ରହିଛି ତିନିଟି ସନ୍ଧି ସମୟ। ଏହା ‘ପ୍ରାତଃ ସନ୍ଧ୍ୟା, ମଧ୍ୟାହ୍ନ ସନ୍ଧ୍ୟା ଓ ସାୟଂ ସନ୍ଧ୍ୟା’ ନାମରେ ତ୍ରିସନ୍ଧ୍ୟା। ଏହି ତ୍ରିସନ୍ଧ୍ୟା ସମୟରେ ଈଶ୍ୱରଙ୍କୁ ସ୍ମରଣ କରାଯାଏ। ଗୃହସ୍ଥର ତୃତୀୟ ନିତ୍ୟକର୍ମ ହେଉଛି- ଜପ। ତ୍ରିସନ୍ଧ୍ୟାରେ ଈଶ୍ୱରଙ୍କୁ ଜପ କରିବା ଗୃହସ୍ଥର ବା ମନୁଷ୍ୟର କର୍ତ୍ତବ୍ୟ। ଦେବତାପୂଜା, ଅତିଥି ସତ୍କାର ଓ ବଳି ବିଶ୍ୱଦେବ- ଅନ୍ୟ ତିନିଟି ନିତ୍ୟକର୍ମ।
ବଳି ବିଶ୍ୱଦେବ ହେଉଛି- ଅନ୍ନ (ପକ୍ୱଅନ୍ନ) ଭୋଜନ ପୂର୍ବରୁ ଦେବତା, ଋଷି ଓ ପିତୃପୁରୁଷଙ୍କୁ ତାହାକୁ ବଳିଦେବା ବା ଉତ୍ସର୍ଗ କରିବା।
ଏହି ଛଅଟି କର୍ମ ପ୍ରତି ଗୃହସ୍ଥ ବା ପ୍ରତି ମନୁଷ୍ୟର ଶାସ୍ତ୍ର ନିର୍ଦ୍ଦେଶିତ ନିତ୍ୟକର୍ମ।
ଶାସ୍ତ୍ର ନିର୍ଦ୍ଦେଶ: ପ୍ରତିଦିନ ଛଅଟି କର୍ମ କର
ସୁଭାଷିତ
/sambad/media/post_attachments/wp-content/uploads/2023/06/Untitled-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)