ନୂଆଦିଲ୍ଲୀ: ୟୁପିର ବରେଲି ଏସଡିଏମ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ଛାଡପତ୍ର ବିବାଦ ବର୍ତ୍ତମାନ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଜ୍ୟୋତି ଏବଂ ଆଲୋକ ପରସ୍ପର ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ଜ୍ୟୋତିଙ୍କ ସ୍ୱାମୀ ଆଲୋକ ଜଣେ ସଫେଇ କର୍ମଚାରୀ ହୋଇଥିବା ବେଳେ ସେ ଅଭିଯୋଗ କରିଛନ୍ତି ଯେ ସେ ଜ୍ୟୋତିଙ୍କୁ ପିସିଏସ ହେବାରେ ସମର୍ଥନ କରିଥିଲେ ଏବଂ ତାଙ୍କ ପ୍ରସ୍ତୁତି ଓ ଅଧ୍ୟୟନକୁ ମଧ୍ୟ ସମର୍ଥନ କରିଥିଲେ। କିନ୍ତୁ ଏସଡିଏମ ହେବା ପରେ ଜ୍ୟୋତି ଅନ୍ୟ ଜଣେ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରି ତାଙ୍କୁ ଧୋକା ଦେଇଥିଲେ। ଏହି ଧୋକା ଦେବାର କାହାଣୀ ମଧ୍ୟରେ ଆଦିତ୍ୟ ଓ ବର୍ଷାଙ୍କ କାହାଣୀ ଲୋକଙ୍କ ମନ କିଣିଛି।
ଜ୍ୟୋତିଙ୍କ ଭଳି ସ୍ବାମୀଙ୍କୁ ନଛାଡ଼ି ଶଯ୍ୟାଶାୟୀ ଥିବା ସ୍ବାମୀ ଆଦିତ୍ୟ ବଶିଷ୍ଟଙ୍କୁ ପୁଣି ଚାଲିବା ଶିଖାଇଥିଲେ ବର୍ଷା ଶୁକ୍ଲା। ସୂଚନା ମୁତାବକ, ସ୍ନାତକତ୍ତୋର ଶେଷ କରିବା ପରେ ଆଦିତ୍ୟ ୨୪ବର୍ଷ ବୟସରେ ବିବାହ କରିଥିଲେ। ହେଲେ ବିବାହ ପରେ ନଭେମ୍ବର ୨୦୧୮ରେ ସେ ହଠାତ ବହୁତ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଭୀଷଣ ଜ୍ୱର ଏବଂ ଫ୍ଲୁ ହୋଇଥିଲା। ପରୀକ୍ଷା ପରେ ରିପୋର୍ଟରେ ସବୁକିଛି ଠିକ ଥିବା କହିଥିଲେ ଡାକ୍ତର। ଏହାର ୧୦ ଦିନ ପରେ ସେ ତଳେ ପଡ଼ିଯିବା ସହ ଆଉ ଉଠି ପାରିନଥିଲେ। ରୋଗ କ’ଣ ବୋଲି କେହି ବୁଝିପାରିଲେ ନାହିଁ। ଏହା ପରେ ଧୀରେ ଧୀରେ ତାଙ୍କ ଶରୀରର ବାମ ପାର୍ଶ୍ବ ଅଚଳ ହୋଇଗଲା।
ବିଭିନ୍ନ ପରୀକ୍ଷା ପରେ ସେ ଗୁଇଲେନ୍-ବାରେ ସିଣ୍ଡ୍ରୋନର ଶିକାର ହୋଇଥିବା କହିଥିଲେ ଡାକ୍ତର। ଏହି ରୋଗରୁ ମୁକ୍ତି ପାଇବା କଷ୍ଟ ବୋଲି ଡାକ୍ତରମାନେ କହିବାରୁ ମୋତେ ଛାଡ଼ି ଚାଲିଯାଅ ବୋଲି ବର୍ଷାଙ୍କୁ କହିଥିଲେ ଆଦିତ୍ୟ। ହେଲେ ବର୍ଷା ଏଭଳି କରିବାକୁ ମନା କରି ୯ମାସ ପର୍ଯ୍ୟନ୍ତ ଲଗାତାର ଶର୍ଯ୍ୟାଶାୟୀ ଆଦିତ୍ୟଙ୍କ ସେବା କରିଥିଲେ। ୯ମାସ ପରେ ଆଦିତ୍ୟ ପୁଣି ଥରେ ଚାଲିବା ଆରମ୍ଭ କରିବା ଦେଖି ତାଙ୍କ ପରିବାରର ଖୁସିର ଠିକଣା ନଥିଲା। ସୁସ୍ଥ ହେବା ପରେ ଆଦିତ୍ୟ ଏବେ ଫିଟନେସ ଟ୍ରେନର ଭାବେ କାମ କରୁଛନ୍ତି। ତେବେ ପତ୍ନୀ ବର୍ଷାଙ୍କ ସମର୍ଥନ ବିନା ଏହା ସମ୍ଭବ ନଥିଲା ବୋଲି ଅନେକ ଥର କହିଛନ୍ତି ଆଦିତ୍ୟ।