ସାମୁଦ୍ରିକ ଜୀବ ଅକ୍ଟୋପସ୍ କାଳେ କାଳେ ବୈଜ୍ଞାନିକ ଓ ଅନୁସନ୍ଧାନକାରୀଙ୍କ ପାଇଁ ଅନ୍ୟତମ ଆକର୍ଷଣର ବିନ୍ଦୁ ହୋଇ ରହି ଆସିଛି। ନୀଳ ରକ୍ତ ଓ ତିନିଟି ହୃତ୍ପିଣ୍ଡ ପରି ଅସାଧାରଣ ବୈଶିଷ୍ଟ୍ୟ ବହନ କରୁଥିବା ଏହି ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ନିଜର ଉଲ୍ଲେଖନୀୟ କ୍ଷମତା ଓ ରହସ୍ୟମୟ ଆକର୍ଷଣ ଦ୍ବାରା ବିଶ୍ବକୁ ଚକିତ କରି ଆସିଛି। ତେବେ ସେମାନେ ନିଜର ଅସାଧାରଣ ପରିସରକୁ ଆହୁରି ଗଭୀରକୁ ନେଇଯାଇ ପାଣି ତଳେ ନିଜର ସହର ନିର୍ମାଣ କରିଥା’ନ୍ତି ବୋଲି ସଦ୍ୟ ଏକ ଅନୁଧ୍ୟାନରୁ ଜଣାଯାଇଛି।
ପୂର୍ବ ଅଷ୍ଟ୍ରେଲିଆର ଜର୍ଭିସ ଉପସାଗରରେ ଏପରି ଦୁଇଟି ଅକ୍ଟୋପସ୍ଙ୍କ ‘ଜଳ ସହର’ ନିର୍ମିତ ହୋଇଥିବା ଗବେଷକମାନେ ଜାଣିପାରିଛନ୍ତି। ୧୬ଟି ଅକ୍ଟୋପସ୍ ଏକ ବିଶାଳ ଅଳିଆ ଗଦା ତଳେ ରହୁଥିବା କଥା ୨୦୧୨ରେ ବୈଜ୍ଞାନିକମାନେ ଜାଣି ପାରିଥିଲେ। ଅକ୍ଟୋପଲିସ କୁହାଯାଉଥିବା ଏହି ଅଜବ ସମାବେଶ କେବଳ ସଙ୍ଗମ ନୁହେଁ, ବରଂ ଦିନ ସମୟରେ ଆଞ୍ଚଳିକ ସଂଘର୍ଷର ସାକ୍ଷୀ ଥିଲା। ଅକ୍ଟୋପସ୍ମାନଙ୍କର ଏଭଳି ଜଟିଳ ସାମାଜିକ ଢାଞ୍ଚା ଓ ପାରସ୍ପରିକ କ୍ରିୟା ଦେଖି ବୈଜ୍ଞାନିକମାନେ ଚକିତ ହୋଇଯାଇଥିଲେ। ତେବେ ଏବେ ଅକ୍ଟଲାଣ୍ଟିସ ନାମକ ଦ୍ବିତୀୟ ସହର ଆବିଷ୍କାର କରାଯାଇଛି। ଏହି ଜଳମଗ୍ନ ସହର ବାବଦରେ ଅଧିକ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି, ସେଥିରେ କୌଣସି ମାନବୀୟ ଅବଦାନ ନାହିଁ, ବରଂ ଅକ୍ଟୋପସ୍ମାନେ ନିଜେ ହିଁ ଏପରି ସହର ଗଢ଼ିଛନ୍ତି। ଗେଣ୍ଡା, ସାମୁକାର ଖୋଳ ସମ୍ବଳିତ ସେମାନଙ୍କ ଖାଦ୍ୟର ଅବଶିଷ୍ଟାଂଶକୁ ବ୍ୟବହାର କରି ବିସ୍ତୃତ ପ୍ରାଚୀର ନିର୍ମାଣ କରିଛନ୍ତି। ତେବେ ଏହି ସହର ଭିତରେ ସେମାନେ ଶାନ୍ତ ଭାବେ ରହିନଥା’ନ୍ତି। କାରଣ ଅକ୍ଟୋପସ୍ମାନେ ଆଧିପତ୍ୟ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ଏବଂ ନିଜ ନିଜର ଗୁମ୍ଫା ଦାବି କରୁଥିବାରୁ ଆକ୍ରମଣାତ୍ମକତା ଓ ଆଞ୍ଚଳିକତା ସେଠି ସ୍ବାଭାବିକ ଘଟଣା ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/3213h21fh32fhfhhf.jpg)