କୋଚି: ସିପ୍ଲେନ୍ ବା ଜଳବିମାନ ଶବ୍ଦଟି ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ମନରେ ପ୍ରଶ୍ନ ଆସୁଥିବା ଏହା ଏକ ଉଭୟଚର ଯାନ କି? ବାୟୁ ଏବଂ ଜଳ ମାର୍ଗରେ ଚାଲିପାରିବାକୁ ଏହି ଯାନ ସକ୍ଷମ କି? ମାତ୍ର ଏହା ସେଭଳି ଯାନ ନୁହେଁ। ଏହା ହେଉଛି ସ୍ଥିର ଜଳରେ କ୍ଷୀପ୍ର ବେଗରେ ଗତି କରିପାରୁଥିବା ଜଳଯାନ। ଭାରତରେ ପ୍ରଥମ ଥର ଲାଗି ଏହା ପ୍ରସ୍ତୁତ କରାଯାଇଛି। ଏଭଳି ଏକ ଯାନକୁ ପ୍ରସ୍ତୁତ କରିଛନ୍ତି ସାବେଲ ଏବଂ ଗଡ୍ସନ ଡିସୁଜା। ଏମାନେ ସଂପର୍କରେ ପିତା-ପୁତ୍ର। ନିକଟରେ କୋଚିରେ ଏହାର ପରୀକ୍ଷଣ କରାଯାଇଛି। କୋଚିର ଏକ ବଡ଼ ହ୍ରଦ ଛାତିରେ ଏହା ସଫଳତାର ସହ ଗତି କରିଛି । ଏହି ସିପ୍ଲେନ୍ରେ ୬ ଜଣ ବସିପାରିବେ ।
ସେହି ଜଳବିମାନକୁ ପ୍ରସ୍ତୁତ କରିବାକୁ ତାଙ୍କୁ ୨୦ ଦିନ ସମୟ ଲାଗିଥିଲା । ସାବେଲ୍ କହିଛନ୍ତି ଯେ ସିପ୍ଲେନ୍ର ୩୦ ପ୍ରତିଶତ ପାଣିକୁ ଛୁଉଁଥିବା ବେଳେ ଏବଂ ବାକି ୭୦ ପ୍ରତିଶତ ପାଣି ଉପରେ ରହୁଛି । ଏହି ସିପ୍ଲେନ୍ଟିରେ ଏକ ମାରୁତି ଓମନି କାର୍ର ଇଂଜିନ୍ ଖଞ୍ଜା ହୋଇଛି ଏବଂ ଏହାର ବେଗ ହେଉଛି ଘଣ୍ଟା ପ୍ରତି ୧୦୦ କିଲୋମିଟର । ସାଧାରଣ ଡଙ୍ଗା ଏତିକି ବେଗରେ ଗତି କରିପାରିବ ନାହିଁ । ଗଡସନ୍ କହିଛନ୍ତି ଯେ ଏହାକୁ ପ୍ରସ୍ତୁତ କରିବା ପୂର୍ବରୁ ବହୁ ଭାବେ ପରୀକ୍ଷା କରିଛି। ସିପ୍ଲେନ୍ ସଂପୂର୍ଣ୍ଣ ଶୀତତାପନିୟନ୍ତ୍ରିତ ହୋଇଥିବା ବେଳେ ଏହା ୪ଟି ଗିୟର ଦ୍ୱାରା ପରିଚାଳିତ। ସେ ପୁଣି କହନ୍ତି, ମୁଁ ପ୍ରଥମେ ଏକ ପ୍ରୋଟଟାଇପ ଭେସେଲ୍ ତିଆରି କରିଥିଲି ଏବଂ ଏହାକୁ ମଧ୍ୟ ଚଳାଇଥିଲି। ଦେଖିଲି ତାହା ପାଣିରେ ବୁଡୁନାହିଁ । ପୂରା ଓଜନବିହୀନ ଭାବେ ଚାଲୁଛି । ଏହା ଆମକୁ ସିପ୍ଲେନ୍ କରିବାକୁ ସାହସ ଦେଲା ।
ଗଡସନଙ୍କ ବନ୍ଧୁ ନେଇଲ୍ ଆଲେକ୍ସ ଜଣେ ନାଭାଲ୍ ଆର୍କିଟେକ୍ଟ । ସେ ମଧ୍ୟ ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି । ସେ ମଧ୍ୟ ଏହାର ପୂରା ସଫଳତାକୁ ଅପେକ୍ଷା କରିଛନ୍ତି । ଗଡସନ୍ କୋଚିନ୍ ପୋର୍ଟ ଟ୍ରଷ୍ଟ ଏବଂ ପୋର୍ଟସ ବିଭାଗକୁ ସିପ୍ଲେନ୍କୁ ବିଧିବଦ୍ଧ ଭାବେ ଚଳେଇବା ପାଇଁ ଅନୁମତି ମାଗିଛନ୍ତି । ଗଡସନ୍ ତାଙ୍କ ନିଜର ବ୍ୟବହାର ପାଇଁ ଏହା ନିର୍ମାଣ କରିଛନ୍ତି। ବର୍ତ୍ତମାନ ଟୁରିଷ୍ଟମାନେ ଏହାକୁ ବ୍ୟବହାର କରିପାରିବେ ନାହିଁ । କିନ୍ତୁ ସାବେଲ୍ କହିଛନ୍ତି ସେମାନେ ଏଥି ଲାଗି ଚେଷ୍ଟା ଚଳେଇଛନ୍ତି ।