ବର୍ଷାଦିନରେ ଶିଶୁମାନେ ବିଭିନ୍ନ ସଂକ୍ରମଣର ଶିକାର ହୋଇଥାଆନ୍ତି। କିନ୍ତୁ ଏହି ସମୟରେ ନବଜାତ ଶିଶୁଙ୍କ ଯତ୍ନ ଅଧିକ ଜରୁରି ହୋଇଥାଏ। ବର୍ଷାଦିନେ ଶିଶୁଙ୍କ ଯତ୍ନ ସଂପର୍କରେ ଶିଶୁରୋଗ ବିଶେଷଜ୍ଞଙ୍କ ସହ ସଂକ୍ଷିପ୍ତ ପ୍ରଶ୍ନୋତ୍ତରୀ।
ବର୍ଷା ଋତୁରେ ଛୋଟ ପିଲାଙ୍କୁ କେଉଁ ରୋଗ ଅଧିକ ହୋଇଥାଏ?
ବର୍ଷାଦିନେ ମଶାମାଛିଙ୍କ ବଂଶବୃଦ୍ଧି ଘଟିଥାଏ। ଫଳରେ ବିଭିନ୍ନ ଭାଇରସ୍ ଦ୍ବାରା ପିଲାଙ୍କଠାରେ ସିଜନାଲ୍ ଫ୍ଲୁ, ଜଣ୍ଡିସ୍, ନିମୋନିଆ, ଡାଇରିଆ, ଡିସେଣ୍ଟ୍ରି, ଟାଇଫଏଡ୍, ଡେଙ୍ଗୁ ଓ ମ୍ୟାଲେରିଆ ଆଦି ରୋଗ ହୋଇଥାଏ। ଜ୍ବର, ଛିଙ୍କ, ଥଣ୍ଡା, ମୁଣ୍ଡବିନ୍ଧା, ଗୋଡ଼ହାତ ବିନ୍ଧା ଓ ହାଲିଆ ଲାଗିବା ହେଉଛି ସିଜିନାଲ୍ ଫ୍ଲୁର ଲକ୍ଷଣ। କମନ୍ କୋଲ୍ଡ ସାଧାରଣତଃ ୩ରୁ ୫ ଦିନ ମଧ୍ୟରେ ଭଲ ହୋଇଯାଏ। ଓଆରଏସ୍ ପାଣି, ପାରାସିଟାମଲ୍ ଓ ସାଧାରଣ ଥଣ୍ଡା ଔଷଧରେ ଏହି ରୋଗ ଭଲ ହୋଇଥାଏ। ସିଜନାଲ୍ ଫ୍ଲୁ କିନ୍ତୁ ପୁଷ୍ଟିହୀନ ଓ ରୋଗପ୍ରତିରୋଧକ ଶକ୍ତି କମ୍ ଥିବା ପିଲାଙ୍କ ପାଇଁ ମାରାତ୍ମକ ହୋଇପାରେ। ଏପରି ସ୍ଥଳେ ତୁରନ୍ତ ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ।
ନବଜାତ ଶିଶୁଙ୍କୁ ଜଣ୍ଡିସ୍ ହେବାର କାରଣ କ’ଣ?
ସାଧାରଣତଃ ହେପାଟାଇଟିସ୍ ‘ଏ’ ବା ‘ଇ’ ଦ୍ବାରା ଏହା ହୋଇଥାଏ। ମା’ଙ୍କ ବ୍ଲଡ୍ଗ୍ରୁପ୍ ଯଦି ‘ଓ’ ଓ ପିଲାର ‘ଏ’ କିମ୍ବା ‘ବି’ ଅଥବା ମା’ର ନେଗେଟିଭ୍ ଓ ପିଲାର ପଜିଟିଭ୍ ବା ମା’ର ଥାଇରଏଡ୍ କି ଅନ୍ୟ ଜନ୍ମଗତ ରୋଗ ଥିବ କିମ୍ବା ଶିଶୁର ଅପରିପକ୍ବ ଜନ୍ମ ହୋଇଥିବ ତେବେ ଜଣ୍ଡିସ୍ ହେବାର ଆଶଙ୍କା ଅଧିକ। ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ଏଥିରେ ପିଲାକୁ ହସ୍ପିଟାଲରେ ରଖି ଚିକିତ୍ସା କରିବା ଉଚିତ।
ବର୍ଷାଦିନରେ ପିଲାଙ୍କ ସ୍ବାସ୍ଥ୍ୟର ଯତ୍ନ କିପରି ନେବା?
ବର୍ଷାଦିନରେ ପିଲାଙ୍କ ହାତକୁ ବାରମ୍ବାର ଧୋଇ ସଫା କରିବା ସହ ସେମାନଙ୍କୁ ଫୁଟାପାଣି ପିଆଇବା, ଗରମ ଘରରନ୍ଧା ଖାଦ୍ୟ ଖୁଆଇବା, ଘର ଓ ଘରର ଚାରିପଟକୁ ପରିଚ୍ଛନ୍ନ ରଖିବା, ମଶାରି ଲଗାଇ ଶୁଆଇବା, ଫୁଲ୍ ସାର୍ଟ ବା ଫୁଲ୍ ପ୍ୟାଣ୍ଟ ପିନ୍ଧାଇବା ଦରକାର। ବର୍ଷାଋତୁ ଆରମ୍ଭରେ ଫ୍ଲୁ ଟିକା ଏବଂ ଡାକ୍ତରଙ୍କ ପରାମର୍ଶରେ ହେପାଟାଇଟିସ୍ ଏ ଓ ଟାଇଫଏଡ ଟିକା ନେବା ଉଚିତ।
ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି କିପରି ବଢ଼ିବ?
ପିଲାଙ୍କୁ ନିୟମିତ ସବୁଜ ପନିପରିବା ଓ ଫଳ ଦେବା ଉଚିତ। ଏଥିସହ ଜଙ୍କ୍ ଫୁଡ୍ରୁ ଦୂରେଇ ରଖିବା ବିଧେୟ। ସେମାନଙ୍କୁ ଖେଳକୁଦ କରାଇବା ଦ୍ବାରା ଖାଦ୍ୟ ହଜମ ହେବା ସହିତ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ।
ଘରୋଇ ଉପଚାର କେତେ ଗୁରୁତ୍ବପୂର୍ଣ୍ଣ?
ଘରୋଇ ଉପଚାର ସବୁଠାରୁ ଭଲ। ବର୍ଷାଦିନରେ ଚର୍ମ ରୋଗ ଅଧିକ ଦେଖାଯାଏ। ସେଥିପାଇଁ ଘରେ ନଡ଼ିଆ ତେଲ ଲଗାଇପାରିବେ। ହଳଦୀ ଲଗାଇବା ସହିତ ସକାଳେ କଞ୍ଚା ହଳଦୀ ଖାଇବା ଦ୍ବାରା ଶରୀରରୁ କୃମି ନାଶ ହୋଇଥାଏ। କିନ୍ତୁ ସବୁବେଳେ ଘରୋଇ ଉପଚାରକୁ ପ୍ରାଧାନ୍ୟ ନଦେଇ ଦେହ ଅଧିକ ଖରାପ ହେଲେ ଡାକ୍ତରଙ୍କ ପରାମର୍ଶ େନବା ଜରୁରି।
ଡାକ୍ତର ବିଭୁଦତ୍ତ ମିଶ୍ର
ଶିଶୁରୋଗ ବିଶେଷଜ୍ଞ, ଜଗନ୍ନାଥ ହସ୍ପିଟାଲ୍, ଭୁବନେଶ୍ବର