ଅଷ୍ଟାଦଶ ଶତାବ୍ଦୀର ଭକ୍ତକବି ଆର୍ତ୍ତ ଦାସଙ୍କର ଗୋଟିଏ ପ୍ରସିଦ୍ଧ ଭଜନର ପ୍ରଥମ ପଦ ହେଉଛି- “ପ୍ରଭୁ କି ସୁନ୍ଦର ଦିଶ ବସି ରତ୍ନସିଂହାସନ, / ପାପୀମାନେ ତରିଗଲେ ପାଇ ତୁମ୍ଭ ଦରଶନ।”
ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥାଦି ସପ୍ତଧା ବିଗ୍ରହ ଯେଉଁ ସିଂହାସନ ଉପରେ ବିରାଜିତ, ତାହା ‘ରତ୍ନସିଂହାସନ’ ନାମରେ ପ୍ରସିଦ୍ଧ। କିନ୍ତୁ ଏହା କଳା ମୁଗୁନି ପ୍ରସ୍ତରରେ ନିର୍ମିତ। ଏହାର ଦୈର୍ଘ୍ୟ ୧୬ ଫୁଟ, ପ୍ରସ୍ଥ ୧୩ ଫୁଟ ଓ ଉଚ୍ଚତା ୪ ଫୁଟ। ଏହାର ଅନ୍ୟ ନାମ ‘ରତ୍ନବେଦୀ’ ଓ ‘ଅନ୍ତର୍ବେଦୀ’। ‘ନୀଳାଦ୍ରି ମହୋଦୟ’ ଅନୁସାରେ, ପୂର୍ବକାଳରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମଧାରୀ ଚତୁର୍ଭୁଜ ଶ୍ରୀନୀଳମାଧବ ଯେଉଁଠାରେ ବିରାଜିତ ଥିଲେ, ତାହା ‘ରତ୍ନସିଂହାସନ’ ଥିଲା। ପରବର୍ତ୍ତୀ କାଳରେ ସେ ଦାରୁ ରୂପେ ନୀଳାଦ୍ରିରେ ଯେଉଁଠାରେ ବିରାଜିତ ହେଲେ, ତାହା ମଧ୍ୟ ‘ରତ୍ନସିଂହାସନ’।

Advertisment

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥାଦି ସପ୍ତଧା ବିଗ୍ରହ ଯେଉଁ ସିଂହାସନ ଉପରେ ବିରାଜିତ, ତାହା ‘ରତ୍ନସିଂହାସନ’ ନାମରେ ପ୍ରସିଦ୍ଧ।

ଶିଳ୍ପଶାସ୍ତ୍ରମାନଙ୍କରେ ଦେବତାଙ୍କର ବିଗ୍ରହ ପ୍ରତିଷ୍ଠା ପାଇଁ ପୀଠ ବା ସିଂହାସନ ନିର୍ମାଣର ନିର୍ଦ୍ଦିଷ୍ଟ ବିଧି ଅଛି। ତାହା ଅନୁସାରେ, ସିଂହାସନ ବା ପୀଠ ତଳେ ମୂଲ୍ୟବାନ ଧାତୁ ଓ ରତ୍ନପଥର ଆଦି ପ୍ରୋତ୍‌ଥିତ କରି ତାହା ଉପରେ ପୀଠ ସ୍ଥାପନ କରାଯାଏ। ସେଥିରେ ମଣି, ମାଣିକ୍ୟ, ହୀରକ, ବୈଦୁର୍ଯ୍ୟ ଓ ବ୍ରହ୍ମଶିଳା (ଶାଳଗ୍ରାମ) ଆଦି ପ୍ରୋତ୍‌ଥିତ ହୋଇଥିବାରୁ ତାହାକୁ ‘ରତ୍ନସିଂହାସନ’ କୁହାଯାଏ। ଶ୍ରୀମନ୍ଦିରର ରତ୍ନସିଂହାସନରେ ସେହିପରି ମୂଲ୍ୟବାନ ଧାତୁ ଓ ପ୍ରସ୍ତର ସହିତ ଲକ୍ଷେ ଜୀବନ୍ତ ଶାଳଗ୍ରାମ ପ୍ରୋତ୍‌ଥିତ ହୋଇଛି ବୋଲି କଥିତ ହୁଏ। ତେବେ ନୀଳାଚଳ ତତ୍ତ୍ୱ ସନ୍ଧାନ ପରିଷଦର ପତ୍ରିକା ‘ତତ୍ତ୍ୱଦର୍ଶୀ’ (୨୦୦୦)ରେ ପ୍ରକାଶିତ ଏକ ପ୍ରବନ୍ଧ ଅନୁସାରେ, ଶ୍ରୀମନ୍ଦିରର ରତ୍ନସିଂହାସନର ଅଷ୍ଟଦିଗରେ ବିଭିନ୍ନ ରତ୍ନ ପ୍ରୋତ୍‌ଥିତ ହୋଇଛି। ସେଥିମଧ୍ୟରୁ, ପୂର୍ବରେ ‘ହୀରକ’ (ବଜ୍ର) ପଶ୍ଚିମରେ ‘ବୈଦୁର୍ଯ୍ୟ’, ଉତ୍ତରରେ ‘ବିଦ୍ରୁମ’, ଦକ୍ଷିଣରେ ‘ମୁକ୍ତା’, ଐଶାନ୍ୟରେ ‘ଇନ୍ଦ୍ରନୀଳ’, ଅଗ୍ନିରେ ‘ସ୍ଫଟିକ’, ନୈଋତରେ ‘ପୁଷ୍ପରାଗ’, ବାୟୁରେ ‘ଚନ୍ଦ୍ରକାନ୍ତ’ ଏବଂ ମଧ୍ୟଭାଗରେ ‘ବ୍ରହ୍ମରାଗ’ (ବ୍ରହ୍ମଜ୍ୟୋତି ହୀରା) ପ୍ରୋତ୍‌ଥିତ ହୋଇଛି। ସେଥିପାଇଁ ଏହାର ନାମ ‘ରତ୍ନସିଂହାସନ’। ତେବେ ଅନ୍ୟମତ ଅନୁସାରେ, ଆଜିର ତ୍ରିମୂର୍ତ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ହେଉଛନ୍ତି ‘ତ୍ରିରତ୍ନ’। ଏହି ତ୍ରିମୂର୍ତ୍ତି ଜୈନ ‘ତ୍ରିରତ୍ନ’ ଓ ବୌଦ୍ଧ ‘ତ୍ରିରତ୍ନ’ଙ୍କର ପରିବର୍ତ୍ତିତ ରୂପ। ଏଣୁ ଏହି ତ୍ରିରତ୍ନ ବିରାଜିତ ସିଂହାସନ ହେଉଛି ‘ରତ୍ନସିଂହାସନ’।
-ଅସିତ ମହାନ୍ତି