ନାଗା ଏବଂ ଅଘୋରୀମାନେ ପ୍ରାର୍ଥନା କରୁଥିବା ଗୋପନ ମନ୍ଦିର

ହିନ୍ଦୁମାନର ଅଘୋରୀମାନଙ୍କ ପ୍ରତି କାହିଁରେ କ’ଣ ସମ୍ମାନ। ସେମାନେ ବେତାଳ ଓ ତନ୍ତ୍ର ସାଧନା କରି ଅଦ୍ଭୁତ ଶକ୍ତିର ଅଧିକାରୀ ବୋଲି ଲୋକ ବିଶ୍ୱାସ ଚଳେ।

ସେମାନେ ଶିବଙ୍କ ପରି ଚିତା ଭସ୍ମ ବୋଳି ହୁଅନ୍ତି। କୁଚ୍ଛ ସାଧନାରେ ବସି ସେମାନେ ଅଧିକାଂଶ ସମୟ କଟାନ୍ତି। ଆପଣାକୁ କାଳୀଙ୍କର ସେବକ ଘୋଷଣା କରି ସେମାନେ ମଣିଷ ଶବରୁ ଅସ୍ଥି ସଂଗ୍ରହ ସେଥିରେ କପାଳ ଖୋଦେଇ କରିଥାଆନ୍ତି। ସେମାନେ ନିତ୍ୟ ବିଶ୍ୱାସୀ ଏବଂ ପୁନର୍ଜନ୍ମ ଚକ୍ରରୁ ମୋକ୍ଷ ଚାହାଁନ୍ତି। ମହାଶିବରାତ୍ରି ଏବଂ କୁମ୍ଭ ଆଦି ଉତ୍ସବ ବ୍ୟତୀତ ଦିନରେ ସେମାନେ କ୍ୱଚିତ୍‌ ବାହାରନ୍ତି। ଶିବଙ୍କ ଛଡ଼ା ସେମାନେ ଅନ୍ୟ କୌଣସି ଦିଅଁଦେବତା କରନ୍ତି ନାହିଁ। ଅଘୋରୀମାନେ ମୃତ୍ୟୁ କିଂବା ମୃତବ୍ୟକ୍ତିଙ୍କୁ ଭୟ କରନ୍ତି ନାହିଁ। ସେମାନେ ଶବ ପାଖରେ ଖାଆନ୍ତି, ଶୁଅନ୍ତି ଓ ଶବ ସହ ମୈଥୁନ କରନ୍ତି।

ସର୍ବପ୍ରଥମେ ଅଘୋର ସୃଷ୍ଟି ହୋଇଥିଲା କାଶୀରୁ ଏବଂ ସେଠାରୁ କ୍ରମେ ବିଭିନ୍ନ ଅଞ୍ଚଳକୁ ବ୍ୟାପୀଥିଲା। ସେମାନେ ଶାନ୍ତି ଲାଭ କରୁଥିବା ମନ୍ଦିର ସବୁ ହେଲା:


ନେପାଳର ଅଘୋର କୁଟି: କାଠମାଣ୍ଡୁ ଅବସ୍ଥିତ ଏହି କୁଟି ସର୍ବପୁରାତନ। ଏହା ରାମଭକ୍ତ ବାବା ସିଂହ ଶଓ୍ଵାକଙ୍କ ଦ୍ୱାରା ନିର୍ମିତ ବୋଲି କୁହାଯାଏ। ନିର୍ମାଣ ପର ଠାରୁ ଏହା ସାମାଜିକ ସେବା ପାଇଁ ବିଖ୍ୟାତ।

ବିନ୍ଧ୍ୟାଞ୍ଚଳ: ମହିଷାସୁର ସଂହାର ପରେ ଦୁର୍ଗାରୂପୀ ପାର୍ବତୀ ଏଠାରେ ବସବାସ କରିଥିଲେ ବୋଲି ବିଶ୍ୱାସ କରାଯାଏ। ଏଠାରେ ସେ ତ୍ରିପଣ୍ଡକଳା ପଡ଼ିଯାଇ ଥିଲେ। ସେବେଠାରୁ ଏହା ଦେବୀ ବିନ୍ଧ୍ୟବାସିନୀଙ୍କ ଆବାସ ଭାବେ ପରିଚିତ। ଏହି ମନ୍ଦିର ଚାରିପଟେ ଥିବା ଅନେକ ଗୁମ୍ଫାରେ ଅଘୋରୀ ସାଧୁମାନେ ତପାଚାର କରନ୍ତି।

କାଳୀମଠ: ଏହା ଶକ୍ତିପୀମାନଙ୍କ ମଧ୍ୟରୁ ଅନ୍ୟତମ। କେଦାରନାଥ, ଉତ୍ତରାଖଣ୍ଡ ଶୃଙ୍ଗ ବେଷ୍ଟିତ ଗୁପ୍ତକାଶୀ ନିକଟରେ ଏହା ନିର୍ମିତ। ସମଗ୍ର ଦେଶ ଭ୍ରମଣ ସାରି ଅଘୋରୀମାନେ ଶେଷକୁ ଆସି ଏଠାରେ ରହନ୍ତି।

ତାରାପୀଠ: ପଶ୍ଚିମବଙ୍ଗ ଅନ୍ତର୍ଗତ ରାମପୁରହାଟରେ ଶ୍ମଶାନକୁ ଲାଗି ନିର୍ମିତ ତାରାପୀଠ ଛୋଟକାଟିଆ ମନ୍ଦିରଟିଏ। ଏହା ତାନ୍ତ୍ରିକ ମନ୍ଦିର ଭାବେ ବିଶେଷ ଜଣାଶୁଣା। ତାରାଦେବୀ ଭାବେ ଦେବୀ ସତୀ ଏଠରେ ପୂଜା ପାଆନ୍ତି। ମନ୍ଦିରକୁ ଲାଗିଥିବା ଶ୍ମଶାନରେ ଅନେକ ଅଘୋରୀ ରହି ତନ୍ତ୍ରମନ୍ତ୍ର କରନ୍ତି। ଏଠାରେ ବିଖ୍ୟାତ ତାନ୍ତ୍ରିକ ବାମଖେପ ପୂଜାର୍ଚ୍ଚନା କରୁଥିଲେ।

ମଦୁରାଇର କପାଳେଶ୍ୱର: ଏହା ଅଘୋରୀମାନଙ୍କ ମନ୍ଦିର ଭାବେ ପ୍ରସିଦ୍ଧ। ମନ୍ଦିର ନିକଟରେ ରହିଛି ଏକ ଆଶ୍ରମ ଏବଂ ଅସୁମାରି ସମାଧି। ଏଠାରେ ଅଘୋରୀମାନେ ସେମାନଙ୍କର ରୀତିନୀତି କରନ୍ତି।

ଚିତ୍ରକୂଟ: ଏଠାରେ ପ୍ରଭୁ ଦତ୍ତାତ୍ରେୟ ଜନ୍ମିଥିଲେ ବୋଲି ବିଶ୍ୱାସ କରାଯାଏ। କୈଶୋରାବସ୍ଥାରୁ ସେ ଗୃହତ୍ୟାଗପୂର୍ବକ ଦିଗମ୍ବର ହୋଇ ନିଜର ବାସ୍ତବ ଅସ୍ତିତ୍ୱ ଅନେ୍ଵଷଣରେ ବାହାରି ଅଘୋରୀ ପାଲଟି ଯାଇଛନ୍ତି। ତାଙ୍କୁ ପୂଜା କରିବାକୁ ଅନେକ ଅଘୋରୀ ଏଠାକୁ ଆସନ୍ତି।

କୋଲକାତାର କାଳୀ ମନ୍ଦିର: କାଳୀଘାଟରେ ଅବସ୍ଥିତ ପ୍ରସିଦ୍ଧ ଦକ୍ଷିଣେଶ୍ୱର କାଳୀମନ୍ଦିରେ ପୂଜା ପାଆନ୍ତି ଭବତାରିଣୀ। ତନ୍ତ୍ର ସାଧନା ଏବଂ ମୋକ୍ଷ ପାଇଁ ଅନେକ ଅଘୋରୀ ଏଠାକୁ ଆସନ୍ତି।

ଆଫଗାନୀସ୍ଥାନର ଲାଲ୍‌ଜୀ ପିୟର: କାବୁଲରେ ଶାହା ଜହୀର ଶାହାଙ୍କ ପୂର୍ବଜମାନେ ସନ୍ଥମାନଙ୍କୁ କିଛି ଜମି ଦେଇଥିଲେ। ଔଘଦ ରତନଲାଲଜି ପ୍ରଥମ ଅଘୋର ଗୁରୁ ଭାବେ ସେଠାରେ ବସବାସ କରୁଥିଲେ। ସେବେଠାରୁ ଅନେକ ଅଘୋରି ସେଠାକୁ ଯାଉଛନ୍ତି।

ବାଲୋଚିସ୍ଥାନର ହିଙ୍ଗଲାଜ ଧାମ: ଅଘୋରର ପ୍ରତିଷ୍ଠାତା ଜନକ ବାବା କୀନାରାମ ସାକ୍ଷାତ୍‌ ଶିବଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ। ଅଘୋରମାନଙ୍କର ଦେବୀ ହିଙ୍ଗଲାଜ ମାତାଙ୍କ ଆଶୀର୍ବାଦ ଲାଭ କରି ବାବା କୀନାରାମ ଅଘୋର ଭାବେ ପରିବ୍ରାଜକ ସାଜି ବାରାଣସୀରେ ରହିଥିଲେ। ସେବେଠାରୁ ଅଘୋରମାନେ ଅନ୍ୟୂନ ଥରଟିଏ ହିଙ୍ଗ୍‌ଲାଜ୍‌ ମାତା ମନ୍ଦିର ଦର୍ଶନରେ ଯାଆନ୍ତି।

ସମ୍ବନ୍ଧିତ ଖବର