ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ର ବିଜ୍ଞାନ କି ନୁହେଁ, ତା’ ଉପରେ ବାଦବିବାଦ ଚାଲିଛି। ଅନେକ ବିଜ୍ଞାନ ପଢ଼ୁଆ ଆଧୁନିକ ଶିକ୍ଷିତ ଲୋକ, ହେତୁବାଦୀ ଓ ବାମପନ୍ଥୀ ଜ୍ୟୋତିଷକୁ ବିଜ୍ଞାନ ବୋଲି ମାନନ୍ତି ନାହିଁ। ଏ ସମ୍ପର୍କରେ ଭୁବନେଶ୍ବର ୪ ନମ୍ବରର ଏକ ଚା ଖଟିରେ ଜୋରଦାର ବିତର୍କ ଚାଲିଥିଲା। ଯୋଗକୁ ସେହି ଖଟିରେ ଜ୍ୟୋତିର୍ବିଦ୍ ମାଗୁଣି ପଣ୍ଡିତ ଓ ହେତୁବାଦୀ ରଥ ମହାଶୟ ଉପସ୍ଥିତ ଥିଲେ। ମାଗୁଣି ପଣ୍ଡିତେ ଜଣେ ଜିଜ୍ଞାସୁଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ। ରଥେ ଆପଣେ ତା’ ଭିତରେ ଅନଧିକାର ଧସେଇ ପଶି କହିଉଠିଲେ, କିହୋ ପଣ୍ଡିତେ ! ତୁମ ଜ୍ୟୋତିଷ ଶାସ୍ତ୍ର ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ନବଗ୍ରହ ତାଲିକାରେ କାହିଁକି ରଖିଛି, ଯେତେବେଳେ କି ସୂର୍ଯ୍ୟ ଏକ ନକ୍ଷତ୍ର ଓ ଚନ୍ଦ୍ର ଏକ ଉପଗ୍ରହ ?

Advertisment

ମାଗୁଣି ପଣ୍ଡିତେ- ତୁମ ବିଜ୍ଞାନ ତ ପ୍ଲୁଟୋକୁ ପ୍ଲାନେଟ୍ ତାଲିକାରେ ରଖିଥିଲା, ତାକୁ ପୁଣି ବାହାର କରିଦେଲା କାହିଁକି?

ରଥେ- ପ୍ଲୁଟୋ ପ୍ଲାନେଟ୍‌ର ଆଧୁନିକ ସଂଜ୍ଞା ପରିସରରେ ଆସିଲା ନାହିଁ। ସେଥିପାଇଁ ତାକୁ ପ୍ଲାନେଟ୍ ବଦଳରେ ପ୍ଲୋନେଟଏଡ୍‌ ବୋଲି କୁହାଗଲା। 

ପଣ୍ଡିତେ- ଠିକ୍ କଥା, କେଉଁଟା ଗ୍ରହ ଓ କେଉଁଟା ନୁହେଁ, ତାହା ଗ୍ରହର ସଂଜ୍ଞା ଜାଣିଲେ ସିନା ବୁଝିବ। ତୁମର ପ୍ଲାନେଟ୍‌ ଓ ଆମ ଗ୍ରହର ସଂଜ୍ଞା ଏକା ନୁହେଁ। ହଜାର ହଜାର ବର୍ଷ ତଳୁ ପ୍ରଚଳିତ ଗ୍ରହର ସଂଜ୍ଞା ଅନୁସାରେ ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହ, କିନ୍ତୁ ପୃଥିବୀ ଏକ ଗ୍ରହ ନୁହେଁ। ସେହିପରି ପ୍ଲାନେଟ୍‌ର ସଂଜ୍ଞା ଅନୁସାରେ ସୂର୍ଯ୍ୟ ଓ ଚନ୍ଦ୍ର ପ୍ଲାନେଟ୍‌ ନୁହନ୍ତି। ଜୋରଜବରଦସ୍ତ ପ୍ଲାନେଟ୍‌କୁ ଗ୍ରହ କହିବା କି ଦରକାର? ସେହିପରି ଧର୍ମ ଓ ରିଲିଜନ ଏକା ନୁହେଁ। ଧର୍ମର ସମାର୍ଥକ ଶବ୍ଦ ଇଂରାଜୀ ଭାଷାରେ ନ ଥିବାରୁ ଇଂରାଜୀ ଅଭିଧାନରେ ଧର୍ମ ଶବ୍ଦକୁ ଅବିକଳ ଗ୍ରହଣ କରାଯାଇଛି। ବଞ୍ଚିବା-ବଢ଼ିବାର ମର୍ମକୁ ଧର୍ମ କୁହାଯାଏ। ଧ୍ରିୟତେ ଧର୍ମ ଇତ୍ୟାହୁଃ- ଯାହା ଆମର ବଞ୍ଚିବା-ବଢ଼ିବାକୁ ଧାରଣ କରିଛି ତାହା ଧର୍ମ। ଆଉ ରିଲିଜନର ଆକ୍ଷରିକ ଓଡ଼ିଆ ଅନୁବାଦ ହେବ ‘ଦ୍ବିଜାଧିକରଣ’। ଖ୍ରୀଷ୍ଟଧର୍ମରେ ଜଳଦୀକ୍ଷା ମାଧ୍ୟମରେ ଖ୍ରୀଷ୍ଟଙ୍କ ସହ ଯୁକ୍ତ ହେବାକୁ ରିଲିଜନ (ରି-ଲିଗେୟାର ୱାନ୍‌ସେଲ୍‌ଫ ୱିଥ୍‌) କୁହାଯାଏ। ରି ମାନେ ପୁଣିଥରେ ଓ ଲିଗେୟାର ମାନେ ଯୁକ୍ତ ହେବା। ଆମର ଯେମିତି ଅଛି ଗାୟତ୍ରୀ ମନ୍ତ୍ର ବା ଗୁରୁମନ୍ତ୍ରରେ ଦୀକ୍ଷାଗ୍ରହଣ। ଧର୍ମ ଓ ରିଲିଜନ ଯେପରି ଏକା ନୁହେଁ ସେହିପରି ପ୍ଲାନେଟ୍‌ ଓ ଗ୍ରହ ଏକା କଥା ନୁହେଁ। 

ରଥେ- ତା’ହେଲେ ଆପଣଙ୍କ ‘ଗ୍ରହ’ର ସଂଜ୍ଞା କ’ଣ କୁହନ୍ତୁ ତ।

ପଣ୍ଡିତେ- ଗ୍ରହ ଶବ୍ଦ ଗ୍ରହ୍ ଧାତୁ ଆସିଛି, ଯାହାର ଅର୍ଥ ଗ୍ରହଣ କରିବା। ଏମାନେ ନିଜ ନିଜର ଆକର୍ଷଣଶକ୍ତି ଦ୍ବାରା ପରସ୍ପରକୁ ଗ୍ରହଣ କରିଛନ୍ତି ବା ଧରି ରଖିଛନ୍ତି। ଆମେ ସେମାନଙ୍କ ରଶ୍ମି ଓ ଆକର୍ଷଣ ଶକ୍ତିକୁ ଗ୍ରହଣ କରି ତା’ଦ୍ବାରା ପ୍ରଭାବିତ ହେଉଛୁ। 

ରଥେ- ଗ୍ରହମାନଙ୍କର କ’ଣ ଆମ ଉପରେ ପ୍ରଭାବ ଅଛି?

ପଣ୍ଡିତେ- ଆପଣ ସୂର୍ଯ୍ୟଙ୍କ ଦ୍ବାରା ପ୍ରଭାବିତ ହେଉନାହାନ୍ତି? ତା’ହେଲେ ଖରାଦିନେ ପଙ୍ଖା ଓ ଏସି ଏବଂ ଶୀତଦିନେ କମ୍ବଳ କାହିଁକି ଦରକାର ପଡ଼ୁଛି? ସୂର୍ଯ୍ୟଙ୍କ ତେଜ ସବୁଠାରୁ ପ୍ରଖର ହୋଇଥିବାରୁ ପ୍ରଭାବଟା ବାରି ହୋଇପଡ଼ୁଛି। ଅନ୍ୟ ଗ୍ରହଙ୍କ ପ୍ରଭାବ ସେହି ତୁଳନାରେ କମ୍। କିନ୍ତୁ ସମସ୍ତଙ୍କର ପ୍ରଭାବ ଅଛି।

ରଥେ- ତା’ହେଲେ ରାହୁ ଓ କେତୁଙ୍କୁ ଆପଣ ଗ୍ରହ କାହିଁକି କହୁଛନ୍ତି? ଏମାନଙ୍କର ତ ରଶ୍ମି ନାହିଁ। ରାହୁ-କେତୁଙ୍କୁ ଆପଣ ରାକ୍ଷସଙ୍କ ମୁଣ୍ଡ-ଗଣ୍ଡି ବୋଲି କାହିଁକି କହୁଛନ୍ତି? ଏମାନଙ୍କର କିଛି ଅସ୍ତିତ୍ବ ଅଛି କି?

ପଣ୍ଡିତେ- ଭଲ ପ୍ରଶ୍ନଟିଏ ପଚାରିଛନ୍ତି। ଆପଣଙ୍କ ପରି ହେତୁବାଦୀମାନେ ଏହା ବୁଝିବା ଦରକାର। ରାହୁ-କେତୁଙ୍କ ଅବସ୍ଥିତି ଅଛି, ନ ଥିଲେ ନାସାର ବୈଜ୍ଞାନିକମାନେ ଏଫିମେରିଜ୍‌ରେ ସେମାନଙ୍କ ଅବସ୍ଥିତି ଦର୍ଶାଇ ନ ଥାନ୍ତେ। ଚନ୍ଦ୍ରଙ୍କ କକ୍ଷପଥ ଯେଉଁ ଦୁଇଟି ବିନ୍ଦୁରେ କ୍ରାନ୍ତିବୃତ୍ତ (ecliptic)କୁ ଛେଦ କରେ ତାହାକୁ ଯଥାକ୍ରମେ ରାହୁ (ନର୍ଥ ନୋଡ୍‌ ବା ଆସେଣ୍ଡିଂ ନୋଡ୍‌ ବା ଡ୍ରାଗନ୍ସ ହେଡ୍‌) ଓ କେତୁ (ସାଉଥ୍‌ ନୋଡ୍‌ ବା ଡିସେଣ୍ଡିଂ ନୋଡ୍‌ ବା ଡ୍ରାଗନ୍ସ ଟେଲ୍‌) କୁହାଯାଏ। ଏମାନେ ମହାକାଶରେ ଦୁଇଟି ବୃତ୍ତର ଛେଦବିନ୍ଦୁ ମାତ୍ର। ବାସ୍ତବ ଅବସ୍ଥିତି ନ ଥିବାରୁ ଜ୍ୟୋତିଷଶାସ୍ତ୍ରରେ ଏମାନଙ୍କୁ ଛାୟାଗ୍ରହ ବୋଲି କୁହାଯାଏ। ରାହୁଙ୍କୁ ଛାୟାପୁତ୍ର ବୋଲି କୁହାଯାଏ। ଏମାନଙ୍କୁ ରାକ୍ଷସ ବୋଲି ଯାହା ବର୍ଣ୍ଣନା କରାଯାଇଛି, ତାହା ଫଳିତ ଜ୍ୟୋତିଷ ଅନୁସାରେ ଫଳ ବିଚାରକୁ ସୁଗମ କରିବା ପାଇଁ ଉଦ୍ଦିଷ୍ଟ। ଫଳ ବିଚାରରେ ଏମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ଏମାନଙ୍କୁ ଗ୍ରହ ଆଖ୍ୟା ଦିଆଯାଇଛି। ମାନେ ଏମାନଙ୍କ ଭଲ ଓ ମନ୍ଦ ଫଳ ଆମେ ଗ୍ରହଣ କରୁଛୁ ବା ଭୋଗ କରୁଛୁ। ତେବେ ଏମାନଙ୍କର ନିଜସ୍ବ ଫଳ ନ ଥିବାରୁ ଏମାନେ ଯାହାଙ୍କ ଘରେ ରହନ୍ତି, ଯାହାଙ୍କ ନକ୍ଷତ୍ରରେ ରହନ୍ତି ଓ ଯାହାଙ୍କ ସାଙ୍ଗରେ ରହନ୍ତି ତାଙ୍କ ଫଳ ଦିଅନ୍ତି। 

ଏହାପରେ ରଥେ ଆପଣେଙ୍କର ଗୋଟିଏ ଫୋନ୍ ଆସିଲା। ସେ କହିଲେ, ମୋର ଟିକେ ଜରୁରୀ କାମ ଅଛି, ଆସୁଛି। ମୋର ଆଉ କିଛି ପ୍ରଶ୍ନ ରହିଲା, ଆଉ ଦିନେ ଭେଟ ହେଲେ ପଚାରିବି। 

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨