ରାଇପୁର: ସେ ପାହାଡ଼ ଦିନେ ଥିଲା ଲାଲଗଡ଼ । ସେ ଜଙ୍ଗଲ ଦିନେ ଥିଲା ନକ୍ସଲଙ୍କର... ଘଞ୍ଚ ଜଙ୍ଗଲରେ ଚାଲୁଥିଲା ଲାଲ୍ ବାହିନୀଙ୍କ ହୁକୁମ୍... ପହାଡ ଉପରେ ପ୍ରସ୍ତୁତ ହେଉଥିଲା ରଣନୀତି । ଗୁମ୍ଫାରେ ଚାଲୁଥିଲା ଅସ୍ତ୍ର ଶସ୍ତ୍ର ତିଆରି... ଗୋଟିଏ କି ଦୁଇଟି ନୁହେଁ ଅନେକ ମାଓସଙ୍ଗଠନର ହେଡକ୍ବାଟର ଥିଲା ଏହି କରେଗୁଟ୍ଟାଲୁ ପାହାଡ ।
ହେଲେ ଆଜି ବଦଳିଛି ସ୍ଥିତି, ବଦଳି ଯାଇଛି ଚିତ୍ର । ଆଜି ନକ୍ସଲ ନେତାଙ୍କ ହୁକୁମ୍ ଚାଲୁନି କି ମାଓବାଦୀଙ୍କ ମେଳି ଜମୁନି କି ପାହାଡର ଛାତି ଉପରେ ଲାଲ୍ ପତାକା ଉଡୁନି । ଅପରେସନ୍ ବ୍ଲାକ୍ ଫରେଷ୍ଟ ଧ୍ବଂସ କରିଛି ନକ୍ସଲଙ୍କ ଆଡ୍ଡା । ଯବାନଙ୍କ ଗୁଳିର ଗର୍ଜନ ଉଡାଇ ଦେଇଛି ନକ୍ସଲଙ୍କ ନିଦ । ଜୀବନ ବିକଳରେ ତ୍ରାହି ତ୍ରାହି ଡାକି ଲୁଚି ଯାଇଛନ୍ତି କିଛି ଆଉ କିଛି ନିପାତ ହୋଇଛନ୍ତି । ୨୧ ଦିନର ଅପରେସନରେ ୩୧ ଜଣ ମାଓବାଦୀଙ୍କ ସଫା କରାଯାଇଥିବା ବେଳେ ଆଜି ବି ପାହାଡର ଆଖପାଖରେ ସର୍ଚ୍ଚ ଅପରେସନ ଚାଲିଛି କାରଣ କାଳେ ଯଦି କେଉଁଠି ଜଣେ ଲୁଚି ଯାଇଥିବ । କାରଣ ଭାରତକୁ ମାଓମୁକ୍ତ କରିବାକୁ ଡେଡ୍ ଲାଇନ୍ ଦିଆସରିଛି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବାକୁ ଅଭିଯାନ ଚାଲୁଥିବା ବେଳେ ଅନେକ ନକ୍ସଲ ମଧ୍ୟ ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କରୁଛନ୍ତି ।
ତେବେ କରେଗୁଟ୍ଟାଲୁ ପାହାଡରେ ଅପରେସନ୍ ବ୍ଲାକ୍ ଫରେଷ୍ଟ ସଫଳ ହେବା ପରେ ସୁରକ୍ଷା ବଳଙ୍କୁ ଭୁରି ପ୍ରଶଂସା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ପୋଷ୍ଟ କରିଛନ୍ତି । ଶାହା ଲେଖିଛନ୍ତି- ନକ୍ସଲ ମୁକ୍ତ ଭାରତ ଗଠନ ପାଇଁ ଐତିହାସିକ ସଫଳତା ମିଳିଛି । ସୁରକ୍ଷା ବାହିନୀ ନକ୍ସଲବାଦ ବିରୋଧରେ ସବୁଠାରୁ ବଡ଼ ଅଭିଯାନରେ ଛତିଶଗଡ଼-ତେଲେଙ୍ଗାନା ସୀମାର କରେଗୁଟ୍ଟାଲୁ ପାହାଡ଼ ହୋଇଛି । ଯେଉଁଥିରେ ୩୧ ଜଣ କୁଖ୍ୟାତ ନକ୍ସଲଙ୍କୁ ନିପାତ କରାଯାଇଛି । ଯେଉଁ ପାହାଡରେ ଲାଲ ବାହିନୀ ରାଜ କରୁଥିଲେ, ଆଜି ସେଠାରେ ତ୍ରିରଙ୍ଗା ଗର୍ବର ସହିତ ଉଡୁଛି । କରେଗୁଟ୍ଟାଲୁ ପାହାଡ ନକ୍ସଲ ସଂଗଠନର ମୁଖ୍ୟାଳୟ ଥିଲା, ଯେଉଁଠାରେ ନକ୍ସଲ ତାଲିମ ସହିତ ରଣନୀତି ଏବଂ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରୁଥିଲେ। ମୁଁ ଅତ୍ୟନ୍ତ ଖୁସି ଯେ ଏହି ଅଭିଯାନରେ ସୁରକ୍ଷା ବାହିନୀର କୌଣସି କ୍ଷତି ହୋଇନାହିଁ। ଖରାପ ପାଗ ଏବଂ ଦୁର୍ଗମ ପାହାଡ଼ି ଅଞ୍ଚଳରେ ମଧ୍ୟ ସାହସ ସହିତ ନକ୍ସଲଙ୍କ ମୁକାବିଲା କରିଥିବା ଆମର ସୈନିକମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ସାରା ଦେଶ ଆଜି ଆପଣମାନଙ୍କ ପାଇଁ ଗର୍ବିତ।
ତେବେ ଗୋଟେ ପଟେ ଅପରେସନ ସିନ୍ଦୂରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏପଟେ ମାଓମୁକ୍ତ ଭାରତ ପାଇଁ ତେଲେଙ୍ଗାନା-ଛତିଗଡ଼ ସୀମାର କାରେଗୁଟ୍ଟାଲୁ ଜଙ୍ଗଲରେ ଚାଲିଥିଲା ଅପରେସନ୍ ବ୍ଲାକ୍ ଫରେଷ୍ଟ । ୬୦ କିଲୋମିଟର ଲମ୍ବ ଏହି ଘଞ୍ଚ ଜଙ୍ଗଲକୁ ମାଓବାଦୀମାନେ ନିଜର ସୁରକ୍ଷା କବଚ ଭାବିଥିଲେ । ୧ କିଲୋମିଟର ଉଚ୍ଚ ଏହି ପାହାଡକୁ ଚଢିବା ଏତେ ସହଜ ନୁହେଁ କିମ୍ବା ସେଠାରେ ପୋଲିସ-ଯବାନ ପହଞ୍ଚିବା ସହଜ ନଥିଲା ତେଣୁ ସେଠାରେ ବିଭିନ୍ନ ମାଓ ସଙ୍ଗଠନର ଆଡ୍ଡାସ୍ଥଳୀ ଥିଲା । ଯେଉଁଠି ଅସ୍ତ୍ର ଶସ୍ତ୍ର ତିଆରି ସହ ନକ୍ସଲଙ୍କୁ ଟ୍ରେନିଂ ଦିଆଯାଉଥିଲା । ଆଉ ଏହି ବିରାଟ ଆଡ୍ଡାସ୍ଥଳୀ ଧ୍ବଂସ ପାଇଁ ଆରମ୍ଭ ହୋଇଥିଲା ଅପରେସନ୍ ବ୍ଲାକ୍ ଫରେଷ୍ଟ ।
#WATCH | Chhattisgarh: Security forces carried out a 21-day-long anti-naxalite operation called Operation Black Forest, near Karreguttalu Hill (KGH) at the Chhattisgarh-Telangana border. pic.twitter.com/SqvofiO0DY
— ANI (@ANI) May 15, 2025
କରେଗୁଟ୍ଟାଲୁ ପାହାଡର ବ୍ଲାକ୍ ଫରେଷ୍ଟରେ ୨୧ ଦିନର ୨୧ଟି ଏନକାଉଣ୍ଟରରେ ୩୧ ମାଓବାଦୀଙ୍କୁ ନିପାତ୍ କରାଯାଇଛି । ୨୦୦ରୁ ଅଧିକ ବଙ୍କର ଓ ୪ଟି ମାଓବାଦୀଙ୍କ ଅସ୍ତ୍ର ତିଆରି କାରଖାନା ଠାବ ହୋଇଛି । ୪୫ ଡିଗ୍ରି ତାପମାତ୍ରାରେ ୬୦ କିମି ଲମ୍ବ ଓ ୧ କିମି ଉଚ୍ଚ ପାହାଡ ଉପରେ ଅପରେଶନ କରାଯାଇଥିଲା । ବିଏସଏଫର ହେଲିକପ୍ଟର ସାଙ୍ଗକୁ ସିଆରପିଏଫ୍ ଯବାନ, କୋବ୍ରା, ଡିଆରଜି ଓ ଏସଟିଏଫର ଯବାନ ମାଓବାଦୀଙ୍କ ନିଦ ହଜାଇ ଦେଇଥିଲେ ।
କରେଗଟ୍ଟାଲୁ ଜଂଲରେ ହୋଇଥିବା ଅପରେସନରେ ପୁଲିସକୁ ବଡ ସଫଳତା ମିଳିଥିବାରୁ ଯବାନଙ୍କୁ ପ୍ରଶଂସା କରାଯାଇଛି। ଦିନରାତି ଏକ କରି ଯବାନ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବିଏସଏଫ ହେଲିକେପ୍ଟର ଏମାନଙ୍କ ଉପରେ ନଜର ରଖିବା ସହ ସହଯୋଗ କରୁଥିଲା। ଯବାନଙ୍କୁ ଡ୍ରୋନ ବହୁତ ସାହାଯ୍ୟ କରିଥିଲା। ଡ୍ରୋନ ସାହାଯ୍ୟରେ ନକ୍ସଲଙ୍କର ଗତିବିଧି ଜାଣି ସେମାନଙ୍କୁ ସହଜରେ ଟାର୍ଗେଟ କରାଯାଇପାରୁଥିଲା। ନକ୍ସଲମାନେ ଆତ୍ମସମର୍ପଣ ନକରିବା ଯାଏଁ ଅପରେସନ ପୁଣି ଆରମ୍ଭ ହେବ ବୋଲି କୁହାଯାଇଛି।