ସୁଆଦିଆ ଖାଦ୍ୟ ଦରକାର ନାହିଁ, ପେଟ ପୂରିଗଲେ ହେଲା; ସିକ୍ୟୁରିଟି ଗାର୍ଡଙ୍କ ପିଆଜ, ରସୁଣ ଓ ଭାତ ଖାଇବାର ଫଟୋ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏମିତି କିଛି ଘଟଣାର ଦୃଶ୍ୟ ସାମ୍ନାକୁ ଆସିଥାଏ, ଯାହାକୁ ଦେଖିଲେ ହୃଦୟ ତରଳି ଯାଇଥାଏ। ମହାମାରୀ କରୋନା ସଙ୍କଟ ସମୟରେ ଦେଶରେ ଲୋକମାନଙ୍କୁ ନିଜ ପରିବାର ପୋଷିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏମିତି କି ଅନେକ ଲୋକଙ୍କର ଏଭଳି ସ୍ଥିତିରେ ଚାକିରି ଚାଲି ଯାଇଛି। ଏହି ଲୋକମାନଙ୍କୁ ନିଜର ପରିବାର ସଦସ୍ୟଙ୍କ ପେଟକୁ ଦୁଇମୁଠା ଦାନା ଦେବାକୁ ବି କଷ୍ଟ‌ ହୋଇପଡ଼ିଛି। ତେଣୁ ଲୋକେ ଛୋଟ କାମ ହେଲେ ବି ତାହାକୁ କରି ପରିବାର ପୋଷୁଛନ୍ତି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ହୃଦୟ ତରଳି ଯାଉଛି। ମୁଖରୁ ବାହାରି ପଡ଼ୁଛି.. ଆ ହା ରେ।

ଇଣ୍ଟରନେଟରେ ଭାଇରାଲ ହୋଇଥିବା ଫଟୋଟି ଜଣେ ସିକ୍ୟୁରିଟି ଗାର୍ଡଙ୍କର, ଯିଏକି ଚାଉଳ, କଞ୍ଚା ପିଆଜ ଓ ରସୁଣ ଖାଉଥିବା ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ଦେଖି ଆଖିରେ ଲୁହ ଜକେଇ ଆସୁଛି।

ସିକ୍ୟୁରିଟି ଗାର୍ଡଙ୍କ ଏହି ଫଟୋ ମାଲେସିଆରୁ ଆସିଛି, ଯାହାକୁ ସୋସିଆଲ ମିଡିଆରେ ଏପିଟ ଲିଡ ନାମକ ଜଣେ ବ୍ୟକ୍ତି ସେୟାର କରିଛନ୍ତି। ପୋଷ୍ଟରେ ଦୁଇଟି ଫଟୋ ନଜରକୁ ଆସିଛି। ଗୋଟିଏରେ ସିକ୍ୟୁରିଟି ଗାର୍ଡ ଖାଉଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟଟି ‌ସେ ଧରିଥିବା ଟିଫିନ ବକ୍ସର ରହିଛି।

ଏଥିରୁ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଛି କି ସିକ୍ୟୁରିଟି ଗାର୍ଡଙ୍କ ମୁଣ୍ଡ ଉପରେ ପରିବାର ବୋଝ ରହିଛି। ତେଣୁ ସୁଆଦିଆ ଖାଦ୍ୟ ଖାଇ ଅଯଥା ଟଙ୍କା ଖର୍ଚ୍ଚ ନ କରି ପିଆଜ, ରସୁଣ ଓ ଭାତ ଖାଇ ପେଟ ଭରି ଦେଉଛନ୍ତି। ଟଙ୍କା ଥିଲେ ହୁଏତ ପରିବାର ସଦସ୍ୟଙ୍କ ଆବଶ୍ୟକ ଥିବା ସାମଗ୍ରୀ କିଣି ପାରିବେ।

ସମ୍ବନ୍ଧିତ ଖବର