ବରଣମାଳା ବେଳେ ବରକୁ ଦେଖି ବାହାଘର ଭାଙ୍ଗିଦେଲେ କନ୍ୟା, ବରଯାତ୍ରୀ ନେଇ ଶିଶୁପାଳ ହୋଇ ଫେରିଲେ ବର

ଲକ୍ଷ୍ନୌ: ଉତ୍ତରପ୍ରଦେଶର କସୌମ୍ବି ଜିଲ୍ଳାରେ ଦେଖିବାକୁ ମିଳିଛି ଚକିତ କରିବା ପରି ଏକ ଘଟଣା। ଜଣେ ବରର ଶରୀରର ରଂଗ ମଳିନ ହୋଇଥିବାରୁ କନ୍ୟା ଜଣକ ବାହାଘର ଭାଙ୍ଗି ବରଯାତ୍ରୀଙ୍କୁ ଫେରାଇ ଦେଇଥିବା ଜ‌ାଣିବାକୁ ମିଳିଛି। କନ୍ୟା ଜଣକ ବରଣମାଳା ବଦଳ ପାଇଁ ମଞ୍ଚ ଉପରେ ପହଞ୍ଚି ସାରିଥିଲେ। ସେଠାରେ ଯେତେବେଳେ ସେ ବରଙ୍କୁ ଦେଖିଲେ ତ ତାଙ୍କ ମନ ବଦଳିଗଲା। ସେ ବରଙ୍କ ବେକରେ ବରଣମାଳା ପିନ୍ଧାଇବାକୁ ମନା କରି ମଞ୍ଚ ତଳକୁ ପଳାଇ ଆସିଥିଲେ।

କନ୍ୟାଙ୍କର ଏହି ନିଷ୍ପତ୍ତି ପରେ ବରପକ୍ଷ ଲୋକ ବିବ୍ରତ ହୋଇପଡ଼ିଲେ। ତେବେ ସେ କାହିଁକି ବିବାହ କରିବାକୁ ଚାହାନ୍ତିନି ବୋଲି ପଚାରିବାରୁ କନ୍ୟା ଜଣକ କହିଥ‌ିଲେ କି ବର ଶ୍ୟାମଳ ରଂଗର ଯେହେତୁ ‌ସେ ତାଙ୍କୁ ବିବାହ କରିବେ ନାହିଁ।‌ ସେ ଗୋରା ରଂଗର ପୁଅକୁ ବିବାହ କରିବାକୁ ଚାହୁଁଥିଲେ।

କନ୍ୟାଙ୍କର ଏହି ନିଷ୍ପତ୍ତିକୁ ନେଇ ଉଭୟ ବର ଓ କନ୍ୟା ପକ୍ଷ‌ ମଧ୍ୟରେ ଖୁବ୍‌ ଜୋର୍‌ରେ ପାଟି ତୁଣ୍ଡ ହେଲା। ତା’ପରେ ବି ଶେଷ ପର୍ଯ୍ୟନ୍ତ କନ୍ୟା ତାଙ୍କ ନିଷ୍ପତ୍ତି ବଦଳାଇଲେ ନାହିଁ। ଶେଷରେ ବରଙ୍କୁ ବରଯାତ୍ରୀ ନେଇ ବିନା କନ୍ୟାରେ ନିଜ ଘରକୁ ଫେରିବାକୁ ପଡ଼ିଲା।

ଏହି ଘଟଣାଟି ହେଉଛି ମେ ୨୯ ତାରିଖର। ପିପରି ଥାନାର ସେରପୁରର ବାସିନ୍ଦା ଜଣେ ଯୁବକଙ୍କ ବିବାହ ଚରୱା ଥାନାସ୍ଥିତ ଏକ ଗାଁରେ ରହୁଥିବା ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା। ୨୯ ତାରିଖରେ ବରଯାତ୍ରୀ ଯାଇ କନ୍ୟାଙ୍କ ଘରେ ପହଞ୍ଚିଥିଲେ। ସମସ୍ତ ରୀତି ଠିକ୍‌ଠାକ୍‌ ଚାଲିଥିବା ବେଳେ ବରଣମାଳା ବଦଳ ବେଳେ ଏପରି ମହାକାଣ୍ଡ ଘଟିଥିଲା।

ସମ୍ବନ୍ଧିତ ଖବର