ଅନ୍ୟକୁ ଶାରୀରିକ ଆଘାତ ନ ଦେଇ କିମ୍ବା କାହାର କୌଣସି କ୍ଷତି ନ ଘଟାଇ ନିଜକୁ ଦଣ୍ଡିତ କରି ପ୍ରତିବାଦ କରିବାର ଏକ ମାଧ୍ୟମ ହେଉଛି ‘ଆତ୍ମଦାହ’। ତେବେ ଏହା ପ୍ରତିବାଦ ନା ଅସହାୟତା, ନା ଅବ୍ୟବସ୍ଥା ବିରୋଧରେ ଅଭିମାନ! ମନ ଓ ସମାଜ ଭିତରେ ଦୃଶ୍ୟମାନ ଓ ଅଦୃଶ୍ୟ ଲଢ଼େଇରେ ଯେତେବେଳେ ମନ ହାରିଯାଏ ସେତେବେଳେ ଏଭଳି ଅଘଟଣ କେତେକ କ୍ଷେତ୍ରରେ ଘଟିଥାଏ। ଅାନୁଷ୍ଠାନିକ ଅବ୍ୟବସ୍ଥା କେତେକ କ୍ଷେତ୍ରରେ ଆତ୍ମଦାହର ପରିଣତିକୁ ଡାକି ଆଣିଥାଏ। ତେବେ ଏହା ପଛରେ ଆଉ କ’ଣ ସବୁ କାରଣ ରହିଛି? କ’ଣ କହନ୍ତି ମନସ୍ତତ୍ତ୍ବବିତ୍, ଶିକ୍ଷାବିତ୍? ଆତ୍ମଦାହର ଅନେକ ଦିଗକୁ ନେଇ ଏଥରର ପ୍ରମୁଖ ପ୍ରସଙ୍ଗ...
ସମ୍ପ୍ରତି ଆତ୍ମଦାହ ବା ଆତ୍ମାହୁତି ଭଳି ଚରମ ପଦକ୍ଷେପକୁ ପ୍ରତିବାଦର ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ କେହି କେହି ବିବେଚନା କରୁଛନ୍ତି। ବର୍ତ୍ତମାନ ସମୟର ଘଟଣାବଳୀକୁ ଅନୁଶୀଳନ କଲେ ଏହା ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, କୌଣସି ମାମଲାରେ ନ୍ୟାୟ ପ୍ରାପ୍ତି ଲାଗି ସମସ୍ତ ପ୍ରକାରର ଉଦ୍ୟମ କରି ବିଫଳ ହେବା ପରେ ଜଣେ ଶେଷ ପଦକ୍ଷେପ ଭାବେ ଆତ୍ମଦାହ ଭଳି ପନ୍ଥାକୁ ବାଛି ନେଉଛି । ଆଶାହରା ହୋଇ ଭଗ୍ନ ମନୋରଥରେ ମଣିଷ ଆତ୍ମଦାହ ଭଳି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥାଏ। ବିଭିନ୍ନ ସମୟରେ ନାଯ୍ୟ ଦାବି ପୂରଣ ନ ହେବା, ନ୍ୟାୟ ପାଇବାରେ ଅକାରଣ ବିଳମ୍ବ ହେବା, ସାମାଜିକ ଅତ୍ୟାଚାରର ଶିକାର ହେବା ଆଦି କାରଣରୁ ହତାଶ ହୋଇ ଜଣେ ଏଭଳି ରାସ୍ତା ଆପଣାଇବାର ବହୁ ଉଦାହରଣ ରହିଛି। ତେବେ ଗାଣତାନ୍ତ୍ରିକ ରାଷ୍ଟ୍ରରେ ବ୍ୟବସ୍ଥା ବିରୋଧରେ ସ୍ବର ଉଠାଇବା ଲାଗି ଆତ୍ମଦାହ ପ୍ରତିବାଦର ଏକ ଅସ୍ତ୍ର ଭାବେ ବ୍ୟବହାର ହେଉଥିବା ଦୃଷ୍ଟିଗୋଚର ହୁଏ।
ଅନ୍ୟକୁ ଶାରୀରିକ ଆଘାତ ନ ଦେଇ କିମ୍ବା କାହାର କୌଣସି କ୍ଷତି ନ ଘଟାଇ ନିଜକୁ ଦଣ୍ଡିତ କରି ପ୍ରତିବାଦ ଜାହିର କରିବାର ଏକ ମାଧ୍ୟମ ହେଉଛି ଆତ୍ମଦାହ। ଇତିହାସ ପୃଷ୍ଠା ଲେଉଟାଇଲେ ଆମେ ଦେଖିବା, ୧୫୩୪ ଖ୍ରୀଷ୍ଟାବ୍ଦରେ ପ୍ରଥମ ଆତ୍ମଦାହ ଘଟଣା ଘଟିଥିଲା। ସେହିପରି ରୋମାନ୍ ସମାଜରେ ଆତ୍ମଦାହ ହେଉଥିବା ପ୍ରମାଣ ବି ରହିଛି। ରୁଷୀୟ ଗୀର୍ଜାରେ ମହାନ୍ ବିଭେଦ ବା ‘ଗ୍ରେଟ୍ ସ୍କିଜିମ୍’ ସମୟରେ ପ୍ରାଚୀନ ‘ଫାୟାର୍ ବାପ୍ଟିଜିମ୍’ ଧର୍ମବିଶ୍ବାସୀମାନେ ସମୂହ ଆତ୍ମଦାହ କରିଥିବା ମଧ୍ୟ ଇତିହାସରେ ଉଲ୍ଲିଖିତ। ଏକଦା ବୌଦ୍ଧ ପରମ୍ପରାରେ ସ୍ବେଚ୍ଛାକୃତ ଭାବେ ନିଜ ଶରୀରକୁ ଦାହ କରି ଜୀବନ ହରାଇବା ସ୍ବୀକୃତ ଥିଲା। କିନ୍ତୁ, ଭାରତରେ ବୌଦ୍ଧଧର୍ମର ଆଦ୍ୟାବସ୍ଥାରେ ସର୍ବତ୍ର ଆତ୍ମଦାହ ଯଥାର୍ଥ ନ ଥିଲା କିମ୍ବା ଗ୍ରହଣଯୋଗ୍ୟ ହୋଇ ନ ଥିଲା। ସମାଲୋଚକମାନେ କହନ୍ତି, ଆତ୍ମଦାହ ବୁଦ୍ଧଙ୍କ ମୂଳଶିକ୍ଷା ସହିତ ମେଳ ଖାଉନାହିଁ। ପୁଣି ଏହା କୌଣସି ବୀରତ୍ବ କିମ୍ବା ମହାନ୍ ଧାର୍ମିକ କାର୍ଯ୍ୟ ଭାବେ ସ୍ବୀକୃତ ନୁହେଁ। ମଧ୍ୟଯୁଗୀୟ ଭାରତରେ ଆକ୍ରମଣକାରୀଙ୍କ ବଳାତ୍କାରର ଶରବ୍ୟ ନ ହେବାକୁ ମେୱାର୍ ଅଞ୍ଚଳରେ ରାଜପୁତ ମହିଳାମାନେ ଜୌହର୍ ପ୍ରଥା ଅନୁଯାୟୀ ଅଗ୍ନିରେ ଝାସ ଦେଇ ଆତ୍ମଦାହ କରୁଥିଲେ। ଆତ୍ମଦାହକୁ ବହୁ ସାମାଜବିଜ୍ଞାନୀ ଓ ମନସ୍ତତ୍ତ୍ବବିତ୍ ବିଶ୍ଲେଷଣ କରିଛନ୍ତି। ଦାହ ହେବାର ଅକଥନୀୟ ଯନ୍ତ୍ରଣାକୁ ଖାତିର ନକରି ଶରୀରରେ ଅଗ୍ନି ସଂଯୋଗ କରିବା ଭଳି ପଦକ୍ଷେପ ନେବା ସମୟରେ ମଣିଷର ମନୋଭାବ କିଭଳି ଥାଏ, ତାହା ସେମାନେ ଜାଣିବାକୁ ଚାହିଛନ୍ତି। ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ଆତ୍ମଦାହ ଭଳି ଚରମ ନିଷ୍ପତ୍ତି ମାନବିକ ଚେତନାର ଏକ ବିଶୃଙ୍ଖଳିତ ଅବସ୍ଥାରେ ସଂଘଟିତ ହେବାର ସର୍ବାଧିକ ଆଶଙ୍କା ଥାଏ।
ଓଡ଼ିଶାରେ ଆତ୍ମଦାହ
ଆଇନ ଅନୁଯାୟୀ, ଆତ୍ମହତ୍ୟା ଏକ ଅପରାଧ। ଏହା ଜାଣି ମଧ୍ୟ ଆତ୍ମଦାହ ଭଳି ଯନ୍ତ୍ରଣାଦାୟକ ପନ୍ଥା ଆପଣାଇ ପ୍ରତିବାଦ ବ୍ୟକ୍ତ କରିବାକୁ ଅନେକ ପଛଘୁଞ୍ଚା ଦିଅନ୍ତି ନାହିଁ। ନ୍ୟାୟ ଭିକ୍ଷାରେ ବିଫଳ ହୋଇ ଚରମ ନିଷ୍ପତ୍ତି ଭାବେ ବାଲେଶ୍ବରର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମଦାହ ବର୍ତ୍ତମାନ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। କେଉଁ ପରିସ୍ଥିତିରେ ସେ ଚରମ ନିଷ୍ପତ୍ତି ନେଲେ ତାହାର ସତ୍ୟାସତ୍ୟ ଖୋଜି ବାହାର କରିବାକୁ ତଦନ୍ତ ଆରମ୍ଭ ହୋଇଛି। ସରକାରଙ୍କ ଅପାରଗତା ହେତୁ ଏପରି ଘଟିଲା ବୋଲି ଦର୍ଶାଇ ରାଜ୍ୟବ୍ୟାପି ପ୍ରତିବାଦ ଚାଲିଛି। ଏହା ପ୍ରଥମ ଘଟଣା ନୁହେଁ, ଆମ ରାଜ୍ୟରେ ପୂର୍ବରୁ ମଧ୍ୟ ଏଭଳି ଦୁଃଖଦାୟକ ଘଟଣା ଘଟିଛି। ୨୦୨୧ରେ ସମ୍ବଲପୁରରେ ଘଟିଥିବା ଘଟଣା ଏ ପ୍ରସଙ୍ଗରେ ଉଲ୍ଲେଖ ଦାବି କରେ। କର୍ମକ୍ଷେତ୍ରରେ ଅପମାନ ଓ ନିର୍ଯାତନା ସହ୍ୟ କରି ନ ପାରି ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ୨୦୨୧ ଏପ୍ରିଲ୍ ୨୦ରେ ତତ୍କାଳୀନ କୁଳପତି ସଞ୍ଜୟ ମିତଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ ପେଟ୍ରୋଲ୍ ଢାଳି ଆତ୍ମଦାହ କରିଥିଲେ।
ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଥିଲା। ଦୀନବନ୍ଧୁଙ୍କ ଆତ୍ମଦାହକୁ ନେଇ ପୁଅ ଅଭିଷେକ ମିଶ୍ର ନ୍ୟାୟ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ୍ଙ୍କୁ ସାକ୍ଷାତ କରିଥିଲେ ମଧ୍ୟ ନ୍ୟାୟ ମିଳି ନ ଥିଲା। ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏଯାବତ୍ ହୋଇନାହିଁ। ଆଜି ବି ନ୍ୟାୟ ପାଇଁ ଅଭିଷେକ ଅପେକ୍ଷା କରିଛନ୍ତି। ଏହି ଘଟଣାର ପ୍ରାୟ ବର୍ଷକ ପୂର୍ବରୁ ୨୦୨୦ ନଭେମ୍ବର ୨୪ରେ ଓଡ଼ିଶା ବିଧାନସଭା ନିକଟରେ ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗନିବାସୀ ସୁଲୋଚନା ଓ ତାଙ୍କ ପୁଅ ସୁବ୍ରତ ଦାସ ଦେହରେ ନିଅଁା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୁଲୋଚନାଙ୍କ ପୁଅ ତଥା ସୁବ୍ରତଙ୍କ ଭାଇକୁ ହତ୍ୟା କରାଯାଇଥିଲା, କିନ୍ତୁ ପୁଲିସ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇ ଦୀର୍ଘବର୍ଷ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ନେବା ଫଳରେ ମାଆ ଓ ପୁଅ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏଭଳି ପ୍ରତିବାଦ କରିଥିଲେ।
ସେହିପରି ୨୦୨୩ ଏପ୍ରିଲ୍ ୯ରେ ସୁନ୍ଦରଗଡ଼ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ହଷ୍ଟେଲ୍ର ଗାଧୁଆଘରେ ଜଣେ ଯୁବତୀ ଆତ୍ମଦାହ ଉଦ୍ୟମ କରିଥିଲେ। ତାଙ୍କ ଚିତ୍କାର ଶୁଣି ହଷ୍ଟେଲ୍ର କେତେକ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବୁର୍ଲା ଭିଏସ୍ଏସ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ନେଇଥିଲେ। ଯୁବତୀଙ୍କ ଅଣ୍ଟାରୁ ବେକ ପର୍ଯ୍ୟନ୍ତ ପୋଡ଼ି ଯାଇଥିଲା। ସେହିବର୍ଷ ଅଗଷ୍ଟ ୨୪ରେ ନ୍ୟାୟ ପାଇଁ ଭୁବନେଶ୍ବରସ୍ଥିତ ନବୀନ ନିବାସ ସମ୍ମୁଖରେ ଗୋଟିଏ ପରିବାରର ୬ଜଣ ସଦସ୍ୟ ଆତ୍ମଦାହ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ୍ ସେମାନଙ୍କୁ ବିରତ କରିଥିଲା। ଏକ ହତ୍ୟା ମାମଲାରେ ପୁଲିସର ନିଷ୍କ୍ରିୟତା ଏବଂ ସରକାରଙ୍କୁ ବାରମ୍ବାର ଜଣାଇବା ସତ୍ତ୍ବେ ନ୍ୟାୟ ନ ମିଳିବାରୁ ମୃତବ୍ୟକ୍ତିଙ୍କ ପରିବାରର ସଦସ୍ୟମାନେ ନ୍ୟାୟ ଦାବିକରି ସୁରକ୍ଷା କର୍ମଚାରୀଙ୍କ ଉପସ୍ଥିତିରେ ଆତ୍ମଦାହ ଉଦ୍ୟମ କରିଥିଲେ। ଉଲ୍ଲେଖଯୋଗ୍ୟ କି, ୨୦୧୩ ମସିହାରେ ରାୟଗଡ଼ା ଜିଲ୍ଲାର ଟିକିରିରେ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ମୃତ୍ୟୁକୁ ପ୍ରାଥମିକ ଭାବେ ଆତ୍ମଦାହ ବୋଲି ବିବେଚନା କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ତାହା ସୁଚିନ୍ତିତ ଷଡ୍ଯନ୍ତ୍ର ଜରିଆରେ ନିଆଁରେ ଜଳାଇ ହତ୍ୟା ବୋଲି ପ୍ରମାଣିତ ହୋଇଥିଲା।
ଦେଶରେ ଆତ୍ମଦାହ
୧୯୯୦ ମସିହାରେ ମଣ୍ଡଳ କମିସନ୍ ବିରୋଧୀ ଆନ୍ଦୋଳନରେ ଚରମ ପ୍ରତିବାଦ ସ୍ବରୂପ ରାଜୀବ ଗୋସ୍ବାମୀଙ୍କ ଆତ୍ମଦାହ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା। ଏହାପରେ ଆଉ କେତୋଟି ଦୁଃଖଦାୟକ ଆତ୍ମଦାହ ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା। ୨୦୧୩ ଜାନୁଆରି ପହିଲାରେ ମହାରାଷ୍ଟ୍ରର ଓସ୍ମାନ୍ବାଦ୍ ଜିଲ୍ଲାର ୱାସି ତହସିଲସ୍ଥିତ ରୁଇ ଗଁା’ର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀକୁ ଜଣେ ୧୬ ବର୍ଷୀୟ ନାବାଳକ ନବବର୍ଷ ଶୁଭେଚ୍ଛା ଜଣାଇବାକୁ ଗ୍ରିଟ୍ଙ୍ଗସ୍ କାର୍ଡ ଦେଇଥିଲା। ଏହାଦ୍ବାରା ପରିବାରର ମାନମହତ ଚାଲିଯିବ ଭାବି ଭୟରେ ନାବାଳିକାଜଣକ ଘରେ ନିଜ ଦେହରେ କିରାସିନି ଢାଳି ନିଅଁା ଲଗାଇ ଦେଇଥିଲା। ଔରଙ୍ଗବାଦ୍ ଜିଲ୍ଲା ଚିକିତ୍ସାଳୟରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ନିରୀହ ଝିଅଟି ମୃତ୍ୟୁବରଣ କରିଥିଲା। ସେଇଭଳି ଆଉ ଏକ ଦୁଃଖଦାୟକ ଘଟଣା ୨୦୨୦ରେ ଘଟିଥିଲା। ଯୌନ ଶୋଷଣର ଶିକାର ହୋଇ ତିରୁଅନନ୍ତପୁରମ୍ ମେଡିକାଲ୍ରେ ଜଣେ ୧୭ ବର୍ଷୀୟ ଝିଅ ଅକ୍ଟୋବର୍ ୩୧ରେ ଆତ୍ମଦାହ କରିଥିଲେ। ଡାକ୍ତରଖାନାରେ ମୃତ୍ୟୁ ସହ ୭ ଦିନ ସଂଘର୍ଷ କରି ସେ ଝିଅର ମୃତ୍ୟୁ ହୋଇଥିଲା। ଅକ୍ଟୋବର୍ ୨୪ରେ ଉକ୍ତ ଦଳିତ ଝିଅକୁ ପ୍ରେମିକ ଯୌନ ଶୋଷଣକରି ନିର୍ଯାତନା ଦେଇଥିଲା। ନ୍ୟାୟ ପାଇବାରେ ବିଫଳ ହୋଇ ଦେହରେ କିରାସିନି ଢାଳି ଝିଅଟି ନିଅଁା ଲଗାଇ ଦେଇଥିଲା। ୨୦୨୨ ଏପ୍ରିଲ୍ ୨୫ରେ ଚେନ୍ନାଇର ବିରୁଧୁନଗର ଜିଲ୍ଲା କାର୍ଯ୍ୟାଳୟ ବାହାରେ ଜଣେ ୧୬ ବର୍ଷୀୟ ଝିଅକୁ ପଞ୍ଚାୟତ ସଭାପତିଙ୍କ ପୁଅ େଯୗନ ଶୋଷଣ ଓ ନିର୍ଯାତନା ଦେଇଥିଲେ। ଏହାର ପ୍ରତିବାଦ କରିବାରୁ ଝିଅର ବାପକୁ ନିସ୍ତୁକ ମାଡ଼ମାରି ରକ୍ତାକ୍ତ କରି ଦିଆଯାଇଥିଲା। ଏହି ମାମଲାରେ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ରାଜନୈତିକସ୍ତରରେ ନ୍ୟାୟ ନ ମିଳିବାରୁ ଝିଅର ମା’ ଆତ୍ମଦାହ କରିବାକୁ ଉଦ୍ୟମ କରିଥିଲେ। ଇଏ କେବଳ ଭାତହାଣ୍ଡିରୁ ଗୋଟିଏ ଗୋଟିଏ। ବିଭିନ୍ନ ସମୟରେ ଏମିତି ଅନେକ ଘଟଣା ଘଟିଛି, କିନ୍ତୁ ତାହା ଲୋକଲୋଚନକୁ ଆସିପାରି ନାହିଁ।
କ’ଣ କହେ ମନସ୍ତାତ୍ତ୍ବିକ ଅଧ୍ୟୟନ?
ବିଭିନ୍ନ ସମୟରେ ଆତ୍ମଦାହକୁ ନେଇ ଦେଶବିଦେଶରେ ଅଧ୍ୟୟନ ହୋଇଛି। ୧୯୯୦ରୁ ୧୯୯୫ ମସିହା ମଧ୍ୟରେ ଡୋନାଲ୍ଡ୍ ଓ କ୍ୟାମେରନ୍ ପୋଡ଼ିହୋଇ ଚିକିତ୍ସିତ ହେଉଥିବା ୧୦୭୨ଜଣଙ୍କର ମନସ୍ତାତ୍ତ୍ବିକ ବିଶ୍ଳେଷଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୦ଜଣ ଆତ୍ମଦାହ ଉଦ୍ୟମ କରିଥିଲେ। ଆତ୍ମଦାହ ଉଦ୍ୟମ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୭୧%ଙ୍କ ଠାରେ ମାନସିକ ବିକାର ଓ ଅବସାଦ ଥିବା ଜଣାପଡ଼ିଥିଲା। ସେହିପରି ଆମେରିକାରେ ଗୁଡ୍ୱିନ୍ ଓ ମାର୍ଜିକ୍ କରିଥିବା ଅଧ୍ୟୟନରେ ମାନସିକ ବିକାର ଓ ଆତ୍ମହତ୍ୟା ଉଦ୍ୟମ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ସଂପର୍କ ରହିଥିବା କଥା ଦର୍ଶାଇଥିଲେ। ଆତ୍ମହତ୍ୟା ପ୍ରୟାସ ସହିତ ଜଡ଼ିତ ବ୍ୟାବହାରିକ ବୈଶିଷ୍ଟ୍ୟ ସଂପର୍କିତ ଏକ ଅଧ୍ୟୟନରେ, ଲୋପେଜ୍ ଏବଂ କୋଷ୍ଟ୍ ରୋମାନ୍ ଓ ଅନ୍ୟମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ଆତ୍ମହତ୍ୟା ପ୍ରୟାସର ପ୍ରଧାନ କାରଣ ହେଉଛି ମନୋଭାବ ବିକାର, ଆଶଙ୍କା ବିକାର ଓ ନିଶାଜନିତ ବିକାର। ଫ୍ରିଡ୍ମ୍ୟାନ୍ ଓ ଆସ୍ମିଟ୍ଙ୍କ ଅନୁଯାୟୀ, ଆତ୍ମହତ୍ୟା କରୁଥିବା ଲୋକମାନଙ୍କ ମଧ୍ୟରୁ ୧୭% ଆତଙ୍କିତ ହୋଇପଡ଼ିବା ବ୍ୟାଧିରେ, ୩୩% ମାନସିକ ବିକାରରେ ଏବଂ ୪୦% ବିଷାଦରେ ପୀଡ଼ିତ। ଭେରୋନାରେ ଆତ୍ମଦାହ କରିଥିବା ୩୧ ଜଣ ବ୍ୟକ୍ତିଙ୍କ ଉପରେ କାଷ୍ଟେଲିନ୍ ଓ ବେଘିନିଙ୍କ ଦ୍ବାରା ୧୦ବର୍ଷ ଧରି କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ଅଧିକାଂଶ ବ୍ୟକ୍ତିଙ୍କର ମାନସିକ ସମସ୍ୟା ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/20/rety-2025-07-20-13-19-04.jpg)