ମିଲା ମ୍ୟାଗି ନାମକ ଜଣେ ସୁନ୍ଦରୀ ତରୁଣୀ, ଯିଏକି ପୂର୍ବରୁ ‘ମିସ୍ ଇଂଲଣ୍ଡ’ ମୁକୁଟ ବିଜୟିନୀ ହୋଇଥିଲେ, ସମ୍ପ୍ରତି ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ମୁହଁରେ ଲାତ ମାରି ଫେରିଯାଇଛନ୍ତି। ଏହି ପ୍ରସଙ୍ଗରେ ମନେପଡ଼େ, ୧୯୯୬ ମସିହାରେ ଭାରତ ଯେତେବେଳେ ପ୍ରଥମଥର ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ହୋଷ୍ଟ୍ କରିଥିଲା, ସେ ସମୟର କଥା। ବାଙ୍ଗାଲୋରର ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଘଟଣାଟି ଘଟିଥିଲା। ସେତେବେଳେ ସଦ୍ୟ ମୁକ୍ତ ଅର୍ଥନୀତିର ବତାସ ପ୍ରବାହିତ ହେଉଛି। ସୁସ୍ମିତା ସେନ୍ ଓ ଐଶ୍ୱର୍ଯ୍ୟା ରାୟ ସଦ୍ୟ ବିଶ୍ବସୁନ୍ଦରୀ ହୋଇଛନ୍ତି। ସେହିବର୍ଷ ଏହି ପ୍ରତିଯୋଗିତାର ଆୟୋଜନ ଭାରତରେ କରାଯିବାକୁ ବିରୋଧ କରି ନାନା ଗୋଷ୍ଠୀ ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ। ଦକ୍ଷିଣପନ୍ଥୀ, ବାମପନ୍ଥୀ, ନାରୀବାଦୀ ସମସ୍ତେ ପ୍ରତିବାଦ ଆରମ୍ଭ କରି ଦେଇଥିଲେ। ଟିଭି ପର୍ଦ୍ଦାରେ ଗୋଟିଏ ଦୃଶ୍ୟ ଭୀଷଣ ପ୍ରଭାବିତ କରିଥିଲା। ଦୃଶ୍ୟଟି ଥିଲା ଏହିପରି, ତରୁଣୀମାନେ ‘ମିସ୍ ୱାର୍ଲ୍ଡ’ ଲେଖାଥିବା ବ୍ୟାନର୍ ବଦଳରେ ‘ମିସ୍ ରେପ୍ଡ’, ‘ମିସ୍ ବର୍ଣ୍ଣଟ୍ ଏଲାଇଭ୍’ ଓ ‘ମିସ୍ ମାଲ୍ନିୟୁଟ୍ରାଣ୍ଟ’ ଇତ୍ୟାଦି ଲେଖା ବ୍ୟାନର୍ ପିନ୍ଧି ରାଜରାସ୍ତାକୁ ଓହ୍ଲାଇଥିଲେ। ୨୦୨୩ ମସିହାରେ ପୁଣି ଯେତେବେଳେ ଭାରତ ସେହି ପ୍ରତିଯୋଗିତା ହୋଷ୍ଟ କରିଥିଲା, ଆଶ୍ଚର୍ଯ୍ୟଜନକ ଭାବେ କେହି ଆଉ କୌଣସି ପ୍ରତିବାଦ କରିନଥିଲେ। ବୋଧହୁଏ ସମସ୍ତଙ୍କର ସମ୍ମତି କିଣି ନେଇଥିଲା ପୁଞ୍ଜି। ସତରେ କ’ଣ ଏହା ନାରୀର ଇଚ୍ଛା? ନାରୀର ଏଜେନ୍ସି? ଏହା ବଜାରର ଇଚ୍ଛା ନୁହେଁ ତ?
୨୦୨୫ ମସିହାରେ ଭାରତ ପୁଣି ଆୟୋଜନ କରିଛି ଏହି ପ୍ରତିଯୋଗିତା। ତେଣୁ ପ୍ରଶ୍ନ ହେଉଛି, ଏଥିରେ ଭାରତର ଲାଭ କ’ଣ? ଯାହା ହେଉନା କାହିଁକି ଏଥରର ପ୍ରତିଯୋଗିତା କାଳରେ ଘଟିଛି ଏକ ଅଦ୍ଭୁତ ଘଟଣା। ଏଥର ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଜଣେ ପ୍ରତିଯୋଗୀ ମିଲା ମ୍ୟାଗି ଗୋଟିଏ ପ୍ରଶ୍ନ ଉତ୍ଥାପନ କରିଛନ୍ତି। ତାଙ୍କ ମତରେ, ଏଭଳି ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଯୁଗ ସହିତ ତାଳ ଦେଇ ‘ବିଉଟି ଉଇଥ୍ ଏ ପର୍ପସ୍’ ନାମ ରଖାଯାଇଛି; କିନ୍ତୁ ନାରୀର ଭୂମିକା ସମ୍ପର୍କରେ ଧାରଣା ସେହି ଆଦିକାଳର। ସେ କହିଛନ୍ତି, ମିସ୍ ଇଂଲଣ୍ଡ ପ୍ରତିଯୋଗିତାରେ ବିଜୟିନୀ ହୋଇ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଆସିବା ପରେ ପରିସ୍ଥିତି ତାଙ୍କୁ ବାଧ୍ୟ କରିଛି ପ୍ରତିଯୋଗିତାରୁ ଓହରି ଯିବାପାଇଁ। ପ୍ରତିଯୋଗିତାର ପ୍ରତିଟି ପାବଚ୍ଛ ଅଂଶଗ୍ରହଣକାରୀମାନଙ୍କ ପାଇଁ ଭୀଷଣ ଅପମାନଜନକ। ୨୪ ଘଣ୍ଟା ମେକ୍ଅପ୍ ନେଇ ନିଜକୁ ପ୍ରସ୍ତୁତ କରିବା ଅପମାନଜନକ। ଧନୀ ପୁରୁଷମାନଙ୍କ ଆଗରେ ସେମାନଙ୍କୁ ଚାଲିବାକୁ ହୁଏ ସେମାନଙ୍କର ମନୋରଞ୍ଜନ ପାଇଁ, ତାହା ମଧ୍ୟ ଅପମାନଜନକ। ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଟେବୁଲ୍ରେ ପୁରୁଷମାନଙ୍କୁ ସଙ୍ଗ ଦେବାକୁ ପଡ଼ିଥାଏ। ପ୍ରତି ଟେବୁଲ୍ରେ ୬ଜଣ ସ୍ପନ୍ସର୍ ପୁରୁଷଙ୍କ ସହିତ ଦୁଇଜଣ ପ୍ରତିଯୋଗୀଙ୍କୁ ବସିବାକୁ ପଡ଼ିଥାଏ। ସେହି ଟେବୁଲ୍ରେ ବସିଥିବା ପୁରୁଷମାନଙ୍କ ଭିତରୁ କାହାରି
‘ବିୟୁଟି ଉଇଥ୍ ଏ ପର୍ପସ୍’ର ଅର୍ଥ ବୁଝିବାର ଆଗ୍ରହ ମଧ୍ୟ ନଥାଏ। ସମସ୍ତେ କେବଳ ଶରୀର ମାପ କରୁଥାନ୍ତି। ସେତେବେଳେ ନିଜକୁ ଜଣେ ଯୌନକର୍ମୀ ବୋଲି ମନେ ହେଉଥାଏ। ‘ସନ୍’ ପତ୍ରିକାକୁ ଦେଇଥିବା ସାକ୍ଷାତ୍କାରରେ ଏସବୁ ସେ କହିଛନ୍ତି। ତାଙ୍କର ପ୍ରତିଟି କଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତକୁ ନେଇ ତାଙ୍କର କୌଣସି ବିଶେଷ କ୍ଷୋଭନାହିଁ। କ୍ଷୋଭ ସୌନ୍ଦର୍ଯ୍ୟ ପ୍ରତିଯୋଗିତା କରାଯାଉଥିବା ପଦ୍ଧତି ଓ ପ୍ରତିଯୋଗୀଙ୍କ ପ୍ରତି କରାଯାଉଥିବା ବ୍ୟବହାରକୁ ନେଇ। ‘ଏଜେନ୍ସି’ ଗୋଟିଏ ଦାମୀ କଥା, ମୂଲ୍ୟବାନ ଶବ୍ଦ। ନିଜର ଇଚ୍ଛା ବୋଲି ଯାହାକୁ ଆମେ ଗ୍ରହଣ କରୁ, ତାହା ବଜାରର ଇଚ୍ଛା ନୁହେଁ ତ? ଧର୍ମଗୁରୁଙ୍କର ଇଚ୍ଛା ନୁହେଁ ତ? ପରିବାରର ଇଚ୍ଛା ନୁହେଁ ତ? ସମାଜର? ରାଜନୈତିକ ଦଳର? ମୋ’ର ହିଁ ଇଚ୍ଛା ତ? ଏସବୁ ନିଜକୁ ପଚାରି ଦେଖିବା ଆବଶ୍ୟକ। ମିଲା ମ୍ୟାଗି ପ୍ରତିଯୋଗିତାରୁ ଓହରି ଯାଇ ପୁଣି ଏସବୁ ପ୍ରଶ୍ନକୁ ପୁନର୍ଜନ୍ମ ଦେଇଛନ୍ତି। ନାରୀ ଜଗତକୁ ମିଲା ଏହି ସନ୍ଦେଶ ଦେବାକୁ ଚାହିଛନ୍ତି ଯେ ଆଧୁନିକା ହେବା ନାମରେ ନାରୀ ନିଜର ଆତ୍ମମର୍ଯ୍ୟାଦାକୁ ନିଲାମ କରିବା ଆଦୋୖ ଉଚିତ ନୁହେଁ। ନିଜର ଆତ୍ମମର୍ଯ୍ୟାଦା ରକ୍ଷା କରିବା ପାଇଁ ନାରୀ ନିଜେ ଯେକୌଣସି ଚରମ ପଦକ୍ଷେପ ନେବାପାଇଁ ସଦାସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ।
ଉପସ୍ଥାପନା- ପ୍ରଦୀପ କୁମାର ରାୟ