ବିଶ୍ୱପ୍ୟାପୀ ଅନୁଭୂତ ହୋଇଥିବା ସବୁଠୁ ଉତ୍ତପ୍ତ ଚାରିଟି ସେପ୍ଟେମ୍ବର ମାସ ମଧ୍ୟରୁ ୨୦୨୧ ବର୍ଷର ସେପ୍ଟେମ୍ବର ମାସ ଅନ୍ୟତମ। କିନ୍ତୁ, ଏଥରର ସେପ୍ଟେମ୍ବର ମାସରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପାରସ୍ପାରିକ ବିରୋଧାଭାସ ଥିବା ତାପମାତ୍ରାଗତ ତାରତମ୍ୟ ମଧ୍ୟ ପରିଲକ୍ଷିତ ହୋଇଥିବା କଥା ‘କୋପର୍‌ନିକସ୍‌’ କରିଥିବା ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ‘କୋପର୍‌ନିକସ୍‌’ ହେଉଛି ‘ଦି ୟୁରୋପିୟାନ୍‌ ୟୁନିୟନ୍‌’ର ପୃଥିବୀ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ।

Advertisment

‘କୋପର୍‌ନିକସ୍‌’ ୱେବ୍‌ସାଇଟ୍‌ ସୂଚନା ଅନୁସାରେ, ଇଉରୋପର ସ୍ଥାନେ ସ୍ଥାନେ ରେକର୍ଡ ସୃଷ୍ଟି କରିବା ଭଳି ମାତ୍ରାର ଉତ୍ତାପ ଅନୁଭୂତ ହୋଇଥିଲେ ବି ପ୍ରାଚ୍ୟ ଅଞ୍ଚଳର ହାରାହାରି ଉତ୍ତାପ ଠାରୁ ଶୀତଳ ଏବଂ ବିଶ୍ୱର ସାମଗ୍ରିକ ଉତ୍ତାପର ନିକଟତର ଥିଲା। କେନ୍ଦ୍ରୀୟ ଦକ୍ଷିଣ ଆମେରିକା, ଉତ୍ତର-ପଶ୍ଚିମାଞ୍ଚଳ ଆଫ୍ରିକା ଏବଂ ଦକ୍ଷିଣାଞ୍ଚଳ ଏବଂ ପୂର୍ବାଞ୍ଚଳ ଚୀନ୍‌ ଭଳି ଅନ୍ୟାନ୍ୟ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ଥିଲା।

ପଶ୍ଚିମ ଇଉରୋପ୍‌ରେ ଇଂଲଣ୍ଡ୍‌ ହିଁ ଏଥରର ସେପ୍ଟେମ୍ବର ମାସକୁ ସବୁଠୁ ଅଧିକ ଦ୍ୱିତୀୟ ଉତ୍ତପ୍ତ ସେପ୍ଟେମ୍ବର ମାସ ଭାବେ ରେକର୍ଡ କରିଛି। ମାସ ସାରା ସମଗ୍ର ଇଂଲଣ୍ଡରେ ଅନୁଭୂତ ହାରାହାରି ତାପମାତ୍ରାକୁ ଭିତ୍ତିକରି ଏହାକୁ ସେଠାରେ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସେପ୍ଟେମ୍ବର ମାସ ବୋଲି ବିବେଚନା କରାଯାଇଛି। ଏଥର ସେପ୍ଟେମ୍ବର ମାସରେ ସମଗ୍ର ଦେଶରେ ଦୈନନ୍ଦିନ ତାପମାତ୍ରା ସର୍ବାଧିକ ରହିଥିବା କଥା ଇଂଲଣ୍ଡ୍‌ର ପଡ଼ୋଶୀ ଦେଶ ଫ୍ରାନ୍‌ସ୍‌ ମଧ୍ୟ ରିପୋର୍ଟ କରିଛି।

publive-image

୧୯୯୧-୨୦୨୦ ମଧ୍ୟରେ ପଶ୍ଚିମାଞ୍ଚଳ ଇଉରୋପର ଅଧିକାଂଶ ଅଞ୍ଚଳରେ ଅନୁଭୂତ ହାରାହାରି ଉତ୍ତାପ ଠାରୁ ୨୦୨୧ ସେପ୍ଟେମ୍ବର ଥିଲା ଅଧିକ ଉତ୍ତପ୍ତ। ଏହା ତୁଳନାରେ ୧୯୯୧-୨୦୨୦ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ଇଉରୋପ୍‌ ଅପେକ୍ଷାକୃତ ଶୀତଳ ଥିଲା। କିନ୍ତୁ, ଏହି ଶୀତଳତା ରେକର୍ଡ ଭାଙ୍ଗିବା ଭଳି ଶୀତଳତା ନ ଥିଲା।

୧୯୯୭ ରୁ ୨୦୨୦ ମଧ୍ୟସ୍ଥ ସେପ୍ଟେମ୍ବର ମାସଗୁଡ଼ିକ ତୁଳନାରେ ଫିନ୍‌ଲାଣ୍ଡ୍‌ର ରାଜଧାନୀ ହେଲ୍‌ସିଙ୍କିରେ ୨୦୨୧ ସେପ୍ଟେମ୍ବର ଥିଲା ଅପେକ୍ଷାକୃତ ଶୀତଳ। କିନ୍ତୁ, ବିଗତ ୧୦୬୧ ରୁ ୧୯୯୬ ପର୍ଯ୍ୟନ୍ତ ସେଠାକାର ୧୧ଟି ସେପ୍ଟେମ୍ବର ମାସ ଥିଲା ଅଧିକ ଶୀତଳ।

ପୂର୍ବାଞ୍ଚଳ ଇଉରୋପ୍‌ରୁ ରୁଷ୍‌ର ସୁଦୂର ପୂର୍ବରେ ଥିବା ବୈକାଲ୍‌ ହ୍ରଦ ପର୍ଯ୍ୟନ୍ତ ବ୍ୟାପ୍ତ ଇଲାକାର ତାପମାତ୍ରା ଥିଲା ସ୍ୱାଭାବିକ ଠାରୁ କମ୍‌। ଅଗଷ୍ଟ ମାସରେ ସବୁଠୁ ଅଧିକ ଉତ୍ତାପ ଅନୁଭୂତ ହୋଇଥିବା ଗ୍ରିନ୍‌ଲାଣ୍ଡ୍‌ରେ କିନ୍ତୁ, ଏହାର ସୁଦୂର ଉତ୍ତର-ପୂର୍ବାଞ୍ଚଳକୁ ବାଦ ଦେଲେ ଏଥର ସେପ୍ଟେମ୍ବର ମାସରେ ସ୍ୱାଭାବିକ ତାପମାତ୍ରାରୁ ବହୁ କମ୍‌ ଉତ୍ତାପ ଅନୁଭୂତ ହୋଇଥିଲା।

ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାର କେନ୍ଦ୍ରୀୟ ଅଞ୍ଚଳ, ଉତ୍ତର-ପଶ୍ଚିମାଞ୍ଚଳ ଆଫ୍ରିକା, ଇରାନ୍‌ରୁ ଆରମ୍ଭ କରି କେନ୍ଦ୍ରୀୟ ଏସୀୟ ଦେଶ ଓ ଦକ୍ଷିଣାଞ୍ଚଳ ଚୀନ୍‌ ପର୍ଯ୍ୟନ୍ତ ଧନୁ ଆକୃତିର ଅଞ୍ଚଳ, ସାଇବେରିଆର କେତେକ ଅଞ୍ଚଳ, ମରୁଡ଼ି ପ୍ରପୀଡ଼ିତ କେନ୍ଦ୍ରୀୟ ଦକ୍ଷିଣ ଆମେରିକା ଏବଂ ଆଣ୍ଟାର୍କଟିକ୍‌ର ବହୁଳାଂଶରେ ଏଥର ସେପ୍ଟେମ୍ବର ମାସରେ ଥିଲା ଅପେକ୍ଷାକୃତ ଉଷ୍ମ।

(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)