ଜାମୁକାଶ୍ମୀରର ଅନନ୍ତନାଗ ଜିଲାେର ସମୁଦ୍ରପତ୍ତନଠାରୁ ପ୍ରାୟ ୩୫୭୪ ମିଟର ଉଚ୍ଚରେ ଏକ ପ୍ରାକୃତିକ ସରୋବର ଅବସ୍ଥିତ, ଯାହାର ଗଭୀରତା ପ୍ରାୟ ୨୫୦ ମିଟର। ଗବେଷକମାନଙ୍କ ମତରେ ପ୍ରାଚୀନ କାଳରେ କୌଣସି ଏକ ସମୟରେ ଭାରିବର୍ଷା ହେତୁ ପର୍ବତରୁ ପଥର ଖସି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏବଂ ପରବର୍ତ୍ତୀକାଳରେ ଶୃଙ୍ଗମାନଙ୍କରୁ ବରଫ ତରଳି ଝରଣା ରୂପରେ ସେହି ଗର୍ତ୍ତକୁ ଜଳପୂର୍ଣ୍ଣ କରିଦେଲା। ଫଳରେ ତାହା ଏକ ହ୍ରଦ ବା ସରୋବର ଆକାର ଧାରଣ କଲା। ହିମାଳୟ ପାଦଦେଶରେ ଥିବା ଏହିପରି ଅନେକ ପ୍ରାକୃତିକ ସରୋବର ମଧ୍ୟରୁ ଏହି ଶେଷନାଗ ସରୋବର ଅନ୍ୟତମ। ଏହାକୁ ଶେଷନାଗ ସରୋବର କହିବା ପଛର କାହାଣୀ ଅତ୍ୟନ୍ତ ଚିତ୍ତାକର୍ଷକ।
ପ୍ରଥମ କାରଣ ହେଉଛି, ଏହି ସରୋବରର ଗଭୀରତା। ପୁରାଣର ବର୍ଣ୍ଣନା ଅନୁଯାୟୀ ଶେଷନାଗ ବା ଅନନ୍ତନାଗ ହେଉଛନ୍ତି ଭଗବାନ ଶ୍ରୀବିଷ୍ଣୁଙ୍କର ତମୋମୟ ମୂର୍ତ୍ତି। ସେ ପାତାଳଲୋକରେ ବାସ କରନ୍ତି। ପାତାଳଲୋକ ପୃଥିବୀର ଅଭ୍ୟନ୍ତରରେ ବିଦ୍ୟମାନ। କାଶ୍ୟପ ଓ କଦ୍ରୁଙ୍କର ଏକ ହଜାର ନାଗପୁତ୍ରମାନଙ୍କ ମଧ୍ୟରେ ଶେଷନାଗ ଥିଲେ ଜ୍ୟେଷ୍ଠ। ଅନ୍ୟାୟ ଉପାୟରେ ନାଗପୁତ୍ରମାନଙ୍କ ସହାୟତାରେ କଦ୍ରୁ କାଶ୍ୟପଙ୍କର ଅନ୍ୟ ପତ୍ନୀ ବନିତାଙ୍କୁ ଦାସୀ କରିବାରୁ ଶେଷନାଗ ଏଥିରେ ଦୁଃଖିତ ହୋଇ ମାତା ଓ ଭ୍ରାତାମାନଙ୍କୁ ପରିତ୍ୟାଗ କରି, ଗନ୍ଧମାର୍ଦ୍ଦନ, ଗୋକର୍ଣ୍ଣ, ପୁଷ୍କର, ହିମାଳୟର ବିଭିନ୍ନ ସ୍ଥାନ ତଥା ବଦ୍ରିକା ଯାଇ ପାୟୋପବାସ କରି କଠୋର ତପସ୍ୟାରେ ଶରୀର କ୍ଷୀଣ କରିବାକୁ ଲାଗିଲେ। ଏହା ଦେଖି ପ୍ରଜାପିତା ବ୍ରହ୍ମା ତାଙ୍କ ନିକଟକୁ ଯାଇ ପୃଥିବୀ ଧାରଣ ପରି ମହାନ କାର୍ଯ୍ୟ କରିବାକୁ ତାଙ୍କୁ ପ୍ରେରିତ କଲେ। ସ୍ବୟଂ ବିଷ୍ଣୁ ମଧ୍ୟ ତାଙ୍କୁ ନିଜର ଆଶୟ ଭାବରେ ଗ୍ରହଣ କଲେ। ଏବଂ ସେ ମଧ୍ୟ ବିଷ୍ଣୁଙ୍କର ତମୋମୟ ଶରୀର।
ସେ ଅନନ୍ତ, ଅର୍ଥାତ୍ ଯାହାଙ୍କର କୌଣସି ଶେଷ ନାହିଁ। ବ୍ରହ୍ମାଣ୍ଡପତି ଶ୍ରୀବିଷ୍ଣୁ ଯେଉଁ ଚତୁର୍ବ୍ୟୂହ ଦ୍ବାରା ସୃଷ୍ଟିର ପରିପାଳନ କରନ୍ତି, ସେ ମଧ୍ୟରୁ ଶେଷନାଗ ସ୍ବୟଂ ଶଙ୍କର୍ଷଣ। କଳ୍ପାନ୍ତରେ ପ୍ରଳୟ କାଳରେ ଏହି ଶଙ୍କର୍ଷଣଙ୍କ ମୁଖରୁ ବିଷାଗ୍ନିର ଶିଖା ସ୍ବରୂପ ରୁଦ୍ର ଆବିର୍ଭୂତ ହୋଇ ସମସ୍ତ ତିନି ଲୋକକୁ ଗ୍ରାସ କରିଥାନ୍ତି। ସମସ୍ତ ଦେବଗଣଙ୍କ ଦ୍ବାରା ବନ୍ଦିତ ହୋଇ ଅଶେଷ ଭୂମଣ୍ଡଳକୁ ସେ ଧାରଣ କରନ୍ତି। ମହାପ୍ରଭୁ ଯେତେବେଳେ ଯୋଗନିଦ୍ରାରେ ଅଭିଭୂତ ହୁଅନ୍ତି ସେତେବେଳେ ସେ ଏହି ଅନନ୍ତଙ୍କ କୋଳରେ ହିଁ ନିଦ୍ରାମଗ୍ନ ହୁଅନ୍ତି। ସେତେବେଳେ ଅନନ୍ତ ନିଜର ଚକ୍ଷୁ ଉନ୍ମୀଳନ କରି ବ୍ରହ୍ମାଣ୍ଡ ପରିଦର୍ଶନ କରିବା ସହିତ ପ୍ରାଣୀମାନଙ୍କର ପାପପୁଣ୍ୟର ସାକ୍ଷୀ ହୋଇଥାନ୍ତି। ଶେଷନାଗ ସରୋବର ଶେଷନାଗଙ୍କର ଆଦି ତପସ୍ୟା ସ୍ଥଳ। ଏଠାରେ ହିଁ ପାତାଳଲୋକରୁ ଆସି ଅନନ୍ତଙ୍କ କୋଳରେ ଶ୍ରୀବିଷ୍ଣୁ ଶୟନ କରିଥାନ୍ତି। ଯେଉଁ ତୀର୍ଥଯାତ୍ରୀମାନେ ଅମରନାଥ ଯାତ୍ରା କରିଥାନ୍ତି ସେମାନେ ପଥ ମଧ୍ୟରେ ଏଠାରେ ଅନନ୍ତଙ୍କୁ ଦର୍ଶନ କରନ୍ତି। କିଂବଦନ୍ତି ଅନୁଯାୟୀ ଏକଦା ଭସ୍ମାସୁରକୁ ବର ଦେଇ ଶିବ ହଟହଟା ହୋଇଗଲେ। ‘ଯାହା ମୁଣ୍ଡରେ ହାତ ଦେବୁ ସେ ଭସ୍ମ ହୋଇଯିବ’- ଏହି ବର ପାଇବା ପରେ, ଏହାର ସତ୍ୟତା ପରୀକ୍ଷା କରିବାପାଇଁ ଭସ୍ମାସୁର ଶିବଙ୍କ ମୁଣ୍ଡରେ ହାତ ଦେବାକୁ ଚାହିଁଲା। ଶିବ ନିଜକୁ ରକ୍ଷା କରିବା ପାଇଁ ଦୌଡ଼ିଲେ। ତାଙ୍କର ମନେ ପଡ଼ିଲା ବିଷ୍ଣୁ ଶେଷନାଗ ସରୋବରରେ ଶୟନ କରିଛନ୍ତି। ସେ ବିଷ୍ଣୁଙ୍କୁ ସବୁକଥା ଜଣାଇବା ପରେ ବିଷ୍ଣୁ ତାଙ୍କୁ ସରୋବରରେ ଲୁଚି ରହିବା ପାଇଁ କହିଲେ। ବିଷ୍ଣୁ ଭସ୍ମାସୁରକୁ ଦେଖାକରି ଚତୁରତା ପୂର୍ବକ କହିଲେ, ବରର ସତ୍ୟତା ପରୀକ୍ଷା କରିବାପାଇଁ ତୁ ଶିବଙ୍କ ପଛରେ କାହିଁକି ଧାଇଁଛୁ, ତୋ ନିଜ ମୁଣ୍ଡ ତ ତୋ ହାତ ପାଖରେ ଅଛି। ପ୍ରଥମେ ନିଜ ମୁଣ୍ଡରେ ହାତ ରଖି ପରୀକ୍ଷା କର। ବିଷ୍ଣୁଙ୍କର ରହସ୍ୟ ବୁଝି ନ ପାରି ଅସୁର ନିଜ ମୁଣ୍ଡରେ ହାତ ରଖିବା ଫଳରେ ଜଳିପୋଡ଼ି ଭସ୍ମ ହୋଇଗଲା। ଉଭୟ ବିଷ୍ଣୁ ଓ ଶିବଙ୍କର ବାସସ୍ଥାନ ହେତୁ ଏହି ସୁନ୍ଦର ଓ ପବିତ୍ର ସରୋବର ପରିବ୍ରାଜକ ଓ ତୀର୍ଥଯାତ୍ରୀଙ୍କର ପବିତ୍ର ସ୍ଥାନ।