ନିକଟରେ ଜାତୀୟ ଗଣମାଧ୍ୟମ ‘ଫ୍ରି ପ୍ରେସ୍‌ ଜର୍ନାଲ୍‌’ରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୫୦ ମସିହା ବେଳକୁ ପୃଥିବୀପୃଷ୍ଠରୁ ୭ଟି ପ୍ରଜାତିର ପକ୍ଷୀ ଲୋପ ପାଇଯିବେ। ଗୁଆମ ଦେଶର ମାରିଆନା ଫଳ ଖାଉଥିବା ଏକ କପୋତ ପକ୍ଷୀ ପ୍ରଜାତିର ବାସସ୍ଥଳୀ ଧ୍ବଂସ ହୋଇଚାଲିଛି। ଅଣ-ସ୍ଥାନୀୟ ପ୍ରାଣୀମାନଙ୍କ ଦ୍ୱାରା ଏହି କପୋତ ପକ୍ଷୀର ଶିକାର ବୃଦ୍ଧି ପାଇବା କାରଣରୁ ଏହାର ସଂଖ୍ୟା ଆଶାତୀତ ଭାବରେ ହ୍ରାସ ପାଉଛି ଏବଂ କେତେକ ଅଞ୍ଚଳରେ ଆଉ ଦେଖିବାକୁ ମିଳୁନାହାନ୍ତି।

Advertisment

କାନାଡା ପ୍ରେଇରି ତୃଣଭୂମିରେ ମୁଖ୍ୟତଃ ଏକ କ୍ଷୁଦ୍ର ବାରଵିଂ ପ୍ରଜାତିର ପେଚା ବସବାସ କରିଆସୁଥିଲେ। ତୃଣଭୂମିରେ ପଶୁପାଳନ ଓ ବାସସ୍ଥାନ ନିର୍ମାଣ ଭଳି ମାନବୀୟ କାର୍ଯ୍ୟକଳାପ ଦ୍ୱାରା ଆଜି ଏହି ପ୍ରଜାତିର ପେଚାଙ୍କ ସଂଖ୍ୟା ୧,୦୦୦ ଯୋଡ଼ାରୁ କମ୍‌କୁ ହ୍ରାସ ପାଇଛି। ପୃଥିବୀର ବିପଦସଙ୍କୁଳ ପକ୍ଷୀ ‘ହ୍ବାଇଟ୍‌ ବେଲ୍‌ଡ ହର୍ନ’ ୨୦୧୪ରେ ଅରୁଣାଚଳ ପ୍ରଦେଶର ନାମଦାଫା ବ୍ୟାଘ୍ର ଅଭୟାରଣ୍ୟରେ ଭାରତରେ ବସା ବାନ୍ଧିଥିବା ଦେଖିବାକୁ ମିଳିଥିଲା। ଏହା ପରଠାରୁ ଏହି ପକ୍ଷୀ ଆଉ ବିଶେଷ ଦେଖିବାକୁ ମିଳୁନାହାନ୍ତି। ଆମ ଗ୍ରହର ସବୁଠାରୁ ବଡ଼ ଉଡ଼ନ୍ତା ନୀଳ ରଙ୍ଗ ଶୁଆ ‘ହାୟାସିନ୍ଥ ମାକାଓ’ ଆମାଜନ୍‌ ଜଙ୍ଗଲରେ ବିରଳ ହୋଇଗଲେଣି। ଏହି ପ୍ରଜାତିର ପ୍ରାଥମିକ ବିପଦ ହେଉଛି ଆମାଜନ୍‌ ଜଙ୍ଗଲର ନିଆଁ ଏବଂ ଜଙ୍ଗଲ କ୍ଷୟ। ଏହା ସାଙ୍ଗକୁ ଶିକାରୀମାନେ ବହୁଳ ଭାବେ ସକ୍ରିୟ ହୋଇ ଏହି ପ୍ରଜାତିର ଶୁଆଙ୍କୁ ଧରି ବିଭିନ୍ନ ଦେଶକୁ ଚୋରା ଚାଲାଣ କରୁଛନ୍ତି। ଭାରତର ଏକ ସଙ୍କଟାପନ୍ନ ବିଲୁପ୍ତପ୍ରାୟ ପ୍ରଜାତି ହେଉଛି ଧଳା ପେଚା। କେନ୍ଦ୍ରୀୟ ଭାରତୀୟ ଜଙ୍ଗଲର ମୂଳବାସିନ୍ଦା ଏହି ପକ୍ଷୀ ବର୍ତ୍ତମାନ ବିଲୁପ୍ତ ହେବାକୁ ଯାଉଛି। ୧୯୬୦ ଦଶକରୁ ପ୍ରାୟତଃ ଅଦୃଶ୍ୟ ହୋଇଯାଇଥିବା ‘ଗୁଆମ୍ ରିଡ୍-ବାର୍ବଲ’ର ପକ୍ଷୀ ହୁଏତ ଆଗାମୀ ଦଶନ୍ଧି ମଧ୍ୟରେ ଲୋପ ପାଇଯିବ ଏବଂ ୨୦୫୦ ମସିହା ବେଳକୁ ତା’ର ପରିଚୟ ହଜିଯାଇଥିବ। ୨୦୦୦ ମସିହା ପ୍ରାରମ୍ଭରୁ, ଛାତି ଓ ପେଟରେ ହଳଦିଆ ରଙ୍ଗଥିବା ବଣ୍ଟିଂ ପକ୍ଷୀଙ୍କ ସଂଖ୍ୟା ଦ୍ରୁତ ଭାବେ ହ୍ରାସ ପାଉଛି। ଏହି ପ୍ରଜାତିର ପକ୍ଷୀ ବିପନ୍ନ ତାଲିକାରେ ସାମିଲ ହେଲାଣି। ଯଦି ଏହି ଧାରା ଲାଗିରହେ ତେବେ ୨୦୫୦ ମସିହାର ବହୁ ପୂର୍ବରୁ ଏହି ପକ୍ଷୀଟି ଆମମାନଙ୍କ ଗହଣରୁ ଲୋପ ପାଇଯିବ।