ବିରଞ୍ଚି ନାରାୟଣ ସାହୁ

Advertisment

ହିଂସ୍ର ଜନ୍ତୁ ଓ ସରୀସୃପଙ୍କ ଆବାସ ସ୍ଥଳୀରେ ସାତ ଦିନର ରହଣି! ନା ସେଠି ଅଛି ଘରଦ୍ବାର ନା ବିଜୁଳିବତି, ବସବାସ କରିବାର ଆଉ କିଛି ସାଧନ ବି ନାହିଁ। ପିଲାରୁ ବୁଢ଼ା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବୟସର ୧୦ ହଜାରରୁ ଅଧିକ ଲୋକ ଏଭଳି ସ୍ଥାନରେ ସପ୍ତା‌େହ କଟାଇବା କଥା ଅବିଶ୍ୱସନୀୟ ଲାଗୁଥିଲେ ହେଁ ସତ! ଶିମିଳିପାଳର ନିକାଞ୍ଚନ ବନ ପ୍ରଦେଶରେ ଶହ ଶହ ବର୍ଷର ପରମ୍ପରାକୁ ଉଜ୍ଜୀବିତ କରି ଆଜି ବି ଦଣ୍ଡାୟମାନ ହୋଇଛି ଅଠରଟି ଦେଉଳର ମୁଖ୍ୟ ଅଂଶବିଶେଷ ‘ମାନବଦେଉଳ’ ପୀଠ। ପ୍ରତିବର୍ଷ ଚୈତ୍ର ମାସ ଦ୍ବିତୀୟ ସପ୍ତାହରେ ଏଠାରେ ଅନୁଷ୍ଠିତ ବଡ଼ାମ ପୂଜାକୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଥାଆନ୍ତି।

ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଠାରୁ ୫୬ କିଲୋମିଟର ଦୂରରେ ଶିମିଳିପାଳ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ରହିଛି ମାନବ ଦେଉଳ ପୀଠ। ଭଞ୍ଜମାଟି ସମେତ ପଡ଼ୋଶୀ କେନ୍ଦୁଝର, ବାଲେଶ୍ବର, ଯାଜପୁର ଓ ଅନ୍ୟ ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟର ବାସିନ୍ଦା ବାଥୁଡ଼ି ଜନଜାତିଙ୍କ ସାଂସ୍କୃତିକ ଜୀବନଧାରାକୁ ନିୟନ୍ତ୍ରଣ କରି ଆସୁଛି ଏହି ଅଠର ଦେଉଳ ପୀଠ। ବାଥୁଡ଼ିଙ୍କ ସୁସମୃଦ୍ଧ ସଂସ୍କୃତିର ପ୍ରାଣକେନ୍ଦ୍ର ଏହି ପୀଠରେ ଇଷ୍ଟଦେବ ମହାପ୍ରଭୁ ବଡ଼ାମ ଓ ମାତା ବଡ଼ାମଣି ପୂଜିତ ହୁଅନ୍ତି। ପୂଜାତିଥିର ବହୁ ପୂର୍ବରୁ ଅଠର ଦେଉଳ ପୂଜକ (ମହାପାତ୍ର) ପ୍ରତି ବାଥୁଡ଼ି ଗ୍ରାମକୁ ନିମନ୍ତ୍ରଣ ପଠାଇଥାନ୍ତି। ଦଶ/ବାର ଦିନର ଖାଦ୍ୟ ସାମଗ୍ରୀ, ଆସବାବପତ୍ର, ଚାଙ୍ଗୁ ବାଦ୍ୟ, ଧଳା ପୋଷାକ ଧରି ଲୋକେ ଅଠରଦେଉଳ ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତି। ଅଧିକାଂଶ ଭକ୍ତ ନିଜ ଗାଁରୁ ଖାଲି ପାଦରେ ଚାଲି ଚାଲି ପୀଠକୁ ଆସିବା ବିଧି ବଞ୍ଚାଇ ରଖିଛନ୍ତି।
ଶିମିଳିପାଳ ଭୂଖଣ୍ଡ ଥିଲା ବାଥୁଡ଼ିମାନଙ୍କ ମୂଳ ଗଡ଼।

ଶୃଙ୍ଖଳା ଶିଖାଏ ବଡ଼ାମ ପୂଜା
ଅଠର ଦେଉଳ ପୂଜା ବିଧି କେବଳ ଏକ ଧାର୍ମିକ ସମାବେଶ ନୁହେଁ। ଇଷ୍ଟ ଦେବଦେବୀଙ୍କୁ ପୂଜିବା ଉଦ୍ଦେଶ୍ୟରେ ଏକ ସପ୍ତାହ ନିଘଞ୍ଚ ଜଙ୍ଗଲରେ ପତ୍ରକୁଡ଼ିଆ କରି ରହିବା, ପ୍ରକୃତିକୁ ଉପାସନା କରିବା, ପ୍ରକୃତିର ନିୟମ ମାନି ପ୍ରାକୃତିକ ପରିବେଶରେ ନିଜକୁ ଖାପ ଖୁଆଇ ବଞ୍ଚି ଶିଖିବା, ସ୍ୱଳ୍ପ ସମ୍ବଳ ମଧ୍ୟରେ ପରସ୍ପରକୁ ସହଯୋଗ କରି ଚଳିବା ଆଦି ବିଧି ବ୍ୟବସ୍ଥା ଏକ ଶୃଙ୍ଖଳିତ ଜୀବନ ଜିଇଁବାର ଆଧ୍ୟାତ୍ମିକ ଜ୍ଞାନ ମଧ୍ୟ ପ୍ରଦାନ କରିଥାଏ। ଅଠର ଦେଉଳରୁ ଫେରି ବାଥୁଡ଼ି ସମ୍ପ୍ରଦାୟ ଲୋକେ ସେଠାରେ ପାଳନ କରି ଥିବା ନୀତିନିୟମକୁ ନିଜ ଗ୍ରାମରେ ମଧ୍ୟ ଅନୁସରଣ କରିଥାନ୍ତି, ଯାହା କି ଶୃଙ୍ଖଳିତ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।
- କୈବଲ୍ୟ ନାଏକ, ଅଠର ଦେଉଳର ବରିଷ୍ଠ ଦେହୁରୀ

ସଂସ୍କୃତି ବିଭାଗର ଦୃଷ୍ଟି ପଡୁ
ଶିମିଳିପାଳର ନିଷିଦ୍ଧାଞ୍ଚଳରେ ଥିବା ଏହି ମାନବ ଦେଉଳ ବାଥୁଡ଼ିମାନଙ୍କର ଐତିହ୍ୟ ତଥା ଗୌରବମୟ ଇତିହାସର ମୂକସାକ୍ଷୀ। ଏହି ମନ୍ଦିର ଓଡ଼ିଶାର ଅନ୍ୟତମ ପ୍ରାଚୀନ ମନ୍ଦିର ହୋଇଥିବାରୁ ପ୍ରତ୍ନତାତ୍ତ୍ବିକ ଦୃଷ୍ଟିକୋଣରୁ ମଧ୍ୟ ଅନେକ ଗୁରୁତ୍ୱ ବହନକରେ। ସମୟ ସ୍ରୋତରେ ଏହା ଏବେ ଭଗ୍ନାଭିମୁଖୀ। ସରକାରଙ୍କର ସଂସ୍କୃତି ବିଭାଗ ଏହାର ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ କରି ସଂରକ୍ଷଣ ବ୍ୟବସ୍ଥା କଲେ ଆଗାମୀ ପିଢ଼ି ପାଇଁ ଏହା ସୁରକ୍ଷିତ ହୋଇ ରହନ୍ତା।
- ଆଦିତ୍ୟ କୁମାର ନାଏକ, ଲେଖକ ଓ ସମାଜିକ କର୍ମୀ

ଶହ ଶହ ବର୍ଷ ଧରି ଏହି ସମ୍ପ୍ରଦାୟର ମହାପାତ୍ର ସଂଜ୍ଞାଧାରୀ ରାଜାମାନେ ଶାସନ କରି ଆସୁଥିଲେ। ଗବେଷକଙ୍କ ମତ ଅନୁସାରେ, ଷଷ୍ଠ ଓ ସପ୍ତମ ଶତାବ୍ଦୀ ବେଳକୁ ଆର୍ଯ୍ୟମାନେ ଓଡ଼ିଶାରେ ପ୍ରବେଶ କରିବା ପୂର୍ବରୁ ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଆଦି ଜିଲ୍ଲା ପ୍ରଭୁ ବଡ଼ାମଙ୍କ କ୍ଷେତ୍ର ଥିଲା। ଏହି ଅଞ୍ଚଳର ମୂଳ ଆଦିବାସୀ ଗୋଷ୍ଠୀ ବାଥୁଡ଼ି, ଭୂୟାଁ, ସାଉଁତି, ଗଣ୍ଡ, ଶବର ଆଦି ଜନଜାତି ବଡ଼ାମଙ୍କୁ ଉପାସନା କରି ଆସୁଥିଲେ। ଘଞ୍ଚ ବନାଞ୍ଚଳରେ ରହିବା ବେଳେ ଦେବଦେବୀଙ୍କୁ ପଥର ଗୁହା ଓ ଗୁମ୍ଫାରେ ରଖି ପୂଜା କରାଯାଉଥିଲା।

ଅଠର ଦେଉଳ ପ୍ରାକୃତିକ ହୋଇଥିବା ବେଳେ କେବଳ ମାନବ ଦେଉଳ ମନୁଷ୍ୟକୃତ। ଏହି ରହସ୍ୟମୟ ଛୋଟ ମନ୍ଦିରଟି ଏବେ ଭଗ୍ନପ୍ରାୟ। ଏହା ସମ୍ପୂର୍ଣ୍ଣ ମାଙ୍କଡ଼ା ପଥରରେ ନିର୍ମିତ। ଏହାର ନିର୍ମାଣ ଶୈଳୀ ହିଁ ଏହାର ପ୍ରାଚୀନତାକୁ ଦର୍ଶାଇ ଥାଏ। ମିଳିଥିବା ତଥ୍ୟ ଅନୁଯାୟୀ, ମନ୍ଦିରଟିକୁ ଶିମିଳିପାଳଗଡ଼ର ବାଥୁଡ଼ି ରାଜା ବେଣୁ ମହାପାତ୍ର ଯଶିପୁର ଗଡ଼ ଅକ୍ତିଆର କରିବା ସ୍ମୃତିରେ ଖ୍ରୀ. ପୂ. ୪୫୪ରେ ନିର୍ମାଣ କରିଥିଲେ। ଅଠର ଦେଉଳ ପୂଜା ଉତ୍ସବ ସହିତ ବାଥୁଡ଼ି ସଂସ୍କୃତିରେ ଦେବବାଦ୍ୟ ଚାଙ୍ଗୁର ଭୂମିକା ଅନସ୍ୱୀକାର୍ଯ୍ୟ। ରାତି ତମାମ ପୁରୁଷ ମହିଳା ଚାଙ୍ଗୁ ବାଦ୍ୟର ତାଳେ ତାଳେ ନୃତ୍ୟ ପରିବେଷଣ କରିଥାନ୍ତି। ପ୍ରକୃତିର ନିୟମକୁ ସମ୍ମାନ କରିବା ଏବଂ ଗଛ, ପାହାଡ଼, ନଦୀ, ଝରଣା ଆଦିକୁ ଉପାସନା କରିବାର ପ୍ରେରଣା ସେଇଠି ମିଳିଥାଏ।