ଶିଶୁ କଳାକାର ଭାବେ ଓଡ଼ିଆ ସିନେମାରେ ଅଭିନୟ ଯାତ୍ରା ଆରମ୍ଭ କରି ଏଯାବତ୍‌ ସକ୍ରିୟ ଅଛନ୍ତି ନାୟିକା ଭୂମିକା ଦାଶ। ଓଲିଉଡ୍‌ର ଜଣେ ଆଗଧାଡ଼ିର ନାୟିକାର ପରିଚୟ ସୃଷ୍ଟି କରିଥିବା ବେଳେ ଅଭିନୟ ଦକ୍ଷତା ଲାଗି ଅନେକ ପୁରସ୍କାର ମଧ୍ୟ ଜିତି ସାରିଛନ୍ତି ସେ। ଏ ସପ୍ତାହରେ ଭୂମିକାଙ୍କ ସହ ଅଳ୍ପ ଆଳାପ।

Advertisment

ଚଳିତବର୍ଷ ରିଲିଜ୍‌ ହୋଇଯାଇଛି ଆପଣଙ୍କ ଅଭିନୀତ ସିନେମା ‘ଅପରେସନ୍ ୧୨/୧୭’। ସିନେମାକୁ ନେଇ ଆପଣଙ୍କର ଯେତିକି ଆଶା ଥିଲା, ସେତିକି ସଫଳତା ମିଳିଛି ବୋଲି ଭାବୁଛନ୍ତି କି?
ନିଶ୍ଚିତ ଭା‌ବେ। ଯେତିକି ଭାବିଥିଲୁ ତା’ଠାରୁ ଅଧିକ ସଫଳତା ମିଳିଛି। ଆମେ କେବେ ଭାବି ନଥିଲୁ କି ଏହା ସିନେମା ହଲ୍‌ରେ ୫୦ ଦିନ ପୂରା କରିବ। ସେଥିପାଇଁ ବହୁତ ଖୁସି ଲାଗୁଛି।

‘ରୁମ୍‌କୁ ଝୁମାନା’ ଫିଲ୍ମ ଜରିଆରେ ଶିଶୁ କଳାକାର ଭାବେ ସିନେମା ଜଗତରେ ପାଦ ଦେଇଥିଲେ। ପରେ ନାୟିକ‌ା ଭାବେ ଅନେକ ସିନେମାରେ ନଜର ଆସିଛନ୍ତି। ଜ‌ଣେ ଶିଶୁ କଳାକାର ଓ ନାୟିକା ମଧ୍ୟରେ ପ୍ରମୁଖ ଭିନ୍ନତା କ’ଣ?
ଜଣେ ଶିଶୁ କଳାକାର ହିସାବରେ ଅଭିନୟ କରିବା ଭିନ୍ନ ଥିଲା। ସେତେବେଳେ ମୁଁ ମୋ ମଜା ପାଇଁ ଯାଉଥିଲି, କିଛି ଦାୟିତ୍ବ ନଥିଲା। ଯିଏ ଯାହା କହୁଥିଲା କରିଦେଉଥିଲି। ମାତ୍ର ନାୟିକା ହେବା ପରେ ବହୁତ ଦାୟିତ୍ବ ଆସିଯାଏ। ବିଶେଷ କରି ଯେତେବେଳେ ନାରୀକୈନ୍ଦ୍ରିକ ବିଷୟବସ୍ତୁ ହୁଏ ତ ପୂରା ସିନେମାର ଭାର ଆପଣଙ୍କ କାନ୍ଧ ଉପରକୁ ଆସିଯାଏ। ମୋର ବାସ୍‌ ଏତିକି ଚେଷ୍ଟା ଥିଲା କି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୁଁ କିପରି ମୋର ‌ଶହେ ପ୍ରତିଶତ ଦେଇପାରିବି।

ଆପଣ ଜଣେ ଡାକ୍ତରୀ ଛାତ୍ରୀ। କେବଳ ନିଜର ଶିକ୍ଷାଗତ ଯୋଗ୍ୟତା ପାଇଁ ବିଡିଏସ୍‌ କରିଛନ୍ତି ନା ଏହାକୁ ନେଇ ଭବିଷ୍ୟତରେ କ୍ୟାରିୟର୍‌ ଗଢ଼ିବାର ଯୋଜନା ରହିଛି?
ଯଦି କେବଳ ଡିଗ୍ରି ପାଇଁ କରିବାର ଥାଆନ୍ତା ତ ମୁଁ କେବେ ବି ଏହି ବୃତ୍ତିଗତ ବିଷୟ ଚୟନ କରି ଏ‌ତେ କଷ୍ଟଦାୟକ ରାସ୍ତା ବାଛି ନଥାନ୍ତି। ମୋର କେଉଁଠି ନା କେଉଁଠି ଇଚ୍ଛା ଥିଲା, ଏବେ ବି ଅଛି। ଏତେ କଷ୍ଟ କରି ଯେଉଁ ଡିଗ୍ରି ହାସଲ କରିଛି ତାହାକୁ ଆଗାମୀ ଭବିଷ୍ୟତରେ କାମରେ ଲଗାଇବି। ଭବିଷ୍ୟତରେ ମୋର ଏମ୍‌ଡିଏସ୍‌ କରିବାର ବି ଯୋଜନା ଅଛି।

ଜଣେ ନାୟିକା ଭାବେ ଦର୍ଶକଙ୍କ ମନୋରଞ୍ଜନ କରାଇବା ବେଶି ସନ୍ତୋଷଜନକ ନା ଡାକ୍ତର ଭାବେ ରୋଗୀଙ୍କ ସେବା କରିବା?

ସେଇଟା ମୁଁ ଠିକ୍‌ ଭାବ‌ରେ କହିପାରିବିନି କି ଅଭିନେତ୍ରୀ ହିସାବରେ ବେଶି ଆତ୍ମସନ୍ତୋଷ ପାଇବି କି ଡାକ୍ତର ଭାବେ। ମୋର ଏହି ବୃତ୍ତି ଚୟନ କରିବାର ଏକମାତ୍ର ଲକ୍ଷ୍ୟ ଥିଲା କେବଳ ଲୋକଙ୍କ ସେବା କରିବ‌ା। ଡାକ୍ତରୀ କ୍ଷେତ୍ରରେ ଲୋକଙ୍କ ସେବା କରିବାର ସମ୍ମାନ ହିଁ ଅଲଗା। ବାକି ଅଭିନୟକୁ ନେଇ ମୋର କେବେ କିଛି ଯୋଜନା ନଥିଲା। ଭଗବାନଙ୍କ ଇଚ୍ଛାରୁ ମୁଁ ଅଡିସନ୍‌ ଦେଲି, ସିଲେକ୍ଟ‌ ହେଲି। ଦର୍ଶକମାନେ ମୋତେ ଭଲପାଇବା ଦେଲେ। ମୁଁ କାର୍ଯ୍ୟବ୍ୟସ୍ତତା ହେତୁ ଅଭିନୟକୁ ବେଶି ସମୟ ଦେଇପାରୁନି। ବର୍ଷକ ଭିତରେ ଗୋଟାଏ ହିଁ ପ୍ରୋଜେକ୍ଟ କରୁଛି। ରୋଗୀଙ୍କ ସେବା ମୋର ମୁଖ୍ୟ ଲକ୍ଷ୍ୟ ।

ଯଦି ସୁଯୋଗ ମିଳେ ବଲିଉଡ୍‌ର କେଉଁ ଅଭିନେତାଙ୍କ ବିପକ୍ଷରେ ନାୟିକା ହେବାକୁ ଚାହିଁବେ?
ବଲିଉଡ୍‌ରେ କାମ କରିବାର ସ୍ବପ୍ନ କି ଆଗ୍ରହ ମୋର ନାହିଁ। ଯଦି ସୁଯୋଗ ଆସେ ତ ଯାହାଙ୍କଠାରୁ କିଛି ଶିଖିବାକୁ ମିଳିବ ମୁଁ କରିବି। ବି‌ଶେଷ କରି ଶାହରୁଖ୍‌ ଖାନ୍ ମୋର ପ୍ରିୟ ଅଭିନେତା ତାଙ୍କ ସହ କାମ କରିବାକୁ ଚାହିଁବି।

ଭୂମିକା ପ୍ରେମ ବିବାହ କରିବେ ନା ବ୍ୟବସ୍ଥିତ? ଯାହାଙ୍କୁ ବି ବିବାହ କରିବେ ସେ ଯୁବକ ଜଣକ କିପରି ହୋଇଥିବା ଦରକାର?
ମୁଁ ବର୍ତ୍ତମାନରେ ବିଶ୍ବାସ କରେ। ଭବିଷ୍ୟତ କଥା ମୁଁ ଏବେଠାରୁ କିଛି କହିପାରିବିନି। ଯାହା ବି ହେବ ବାପାମାଆଙ୍କ ଆଶୀର୍ବାଦର ସହ ହେବ। ବାପାମାଆଙ୍କ ଗ୍ରହଣୀୟତା ବିନା କିଛି ବି ହବନି। ମୋତେ ସମର୍ଥନ କରିପାରୁଥିବା, ବୁଝିପାରୁଥିବା, ସମ୍ମାନ ଦେଉଥିବା ଓ ମୋର ଯତ୍ନ ନେଇ ପାରୁଥିବା ମଣିଷ ଯଦି କେବେ ମିଳନ୍ତି ତେବେ ମୁଁ ମୋ ବାପାମାଆଙ୍କ ସହ ଆଲୋଚନା କରିବି।

ଓଲିଉଡ୍‌ରେ ଆପଣଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀ କିଏ?
ଅନେକ ଅଛନ୍ତି। ରଚନା ବାନାର୍ଜୀ ମୋର ସବୁବେଳେ ପ୍ରିୟ। ଅଭିନେତାଙ୍କ ଭିତରୁ ମିହିର ଦାସ ଭଲ ଲାଗନ୍ତି।