ଯୌନରୋଗ ସାଜୁଛି ପୁରୁଷ ବନ୍ଧ୍ୟାତ୍ବର କାରଣ

ଯୌନ ସମ୍ପର୍କ ଦ୍ବାରା ସଂକ୍ରମିତ ବିଭିନ୍ନ ପ୍ରକାର ରୋଗ ପୁରୁଷଙ୍କର ପ୍ରଜନନ କ୍ଷମତା କମାଇବା ସହ ପ୍ରୋଷ୍ଟେଟ୍ କର୍କଟ ଓ ଗଳା କର୍କଟ ସମେତ ଅନ୍ୟାନ୍ୟ ଚରମ ସ୍ବାସ୍ଥ୍ୟ ସଂକଟ ଆଣିଥାଏ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ବନ୍ଧ୍ୟାତ୍ବ ବା ପ୍ରଜନନହୀନତା ଏବେ ବିଶ୍ବବ୍ୟାପୀ ଏକ ପ୍ରମୁଖ ଜନସ୍ବାସ୍ଥ୍ୟ ସଂକଟ ଭାବେ ଉଭା ହୋଇଛି। ପ୍ରଜନନହୀନତା ପଛରେ ଅନେକ କାରଣ ରହିଥିବା ବେଳେ ଯୌନ ସଂକ୍ରମିତ ରୋଗ ବା ସେକ୍‌ସୁଆଲି ଟ୍ରାନ୍‌ସମିଟେଡ୍ ଡିଜିଜ୍ (ଏସ୍‌ଟିଡି) ଏହାର ଅନ୍ୟତମ ପ୍ରମୁଖ କାରଣ। ତେବେ ମହିଳାଙ୍କ ତୁଳନାରେ ପୁରୁଷମାନେ ଏହାର ବେଶୀ ଶିକାର ହେଉଥିବା ଜଣାଯାଏ। ଏଭଳି ଯୌନ ରୋଗ ମଧ୍ୟରେ ‘କ୍ଲେମିଡିଆ’ ଅନ୍ୟତମ। ଏହା ଏପରି ଏକ ଏସ୍‌ଟିଡି ଯାହା ଯୌନକ୍ରିୟା ବେଳେ ବୀଜାଣୁ ସଂକ୍ରମଣରୁ ହୋଇଥାଏ। ଏଥି ଯୋଗୁଁ ଅଣ୍ଡକୋଷ ଫୁଲିଯିବା ସହ ପରିସ୍ରା ଓ ଯୌନକ୍ରିୟା କଲା ବେଳେ ପୁରୁଷର ଗୁପ୍ତାଙ୍ଗରେ ଭୀଷଣ ଯନ୍ତ୍ରଣା ହୁଏ।

ସେହିପରି ଏକ ଏସ୍‌ଟିଡି ହେଉଛି ‘ଗନେରିଆ’, ଯାହା ମଳଦ୍ବାର, ତଣ୍ଟି ଓ ମୂତ୍ରାଶୟକୁ ପ୍ରଭାବିତ କରିବା ସହ କ୍ଲେମିଡିଆ ଅନୁରୂପ ଯନ୍ତ୍ରଣା ଦେଇଥାଏ। ଅନ୍ୟ ପକ୍ଷରେ ଅସୁରକ୍ଷିତ ଯୌନାଭ୍ୟାସ ଦ୍ବାରା ‘ହେପାଟାଇଟିସ ଏ’ ସଂକ୍ରମିତ ହୋଇଥାଏ, ଜ୍ବର ଓ କ୍ଳାନ୍ତି ଆଣିଥାଏ। ଶାରୀରିକ ସଂସର୍ଗ ଯୋଗୁଁ ଲାଳ, ଝାଳ ଓ ରକ୍ତ ପରି ତରଳ ପଦାର୍ଥ ଦ୍ବାରା ‘ହେପାଟାଇଟିସ ବି’ ଓ ‘ସିଫିଲିସ’ ପରି ରୋଗ ମଧ୍ୟ ସଂକ୍ରମିତ ହୋଇଥାଏ ଯଦ୍ଦ୍ବାରା ବାନ୍ତି ହେବା, ଓକାର ଆସିବା, ଭୋକ ନଲାଗିବା ଓ ଜଣ୍ଡିସ୍ ହେବା ଆଦି ଲକ୍ଷଣ ଦେଖାଦେଇଥାଏ। ତେବେ ନିୟମିତ ପରୀକ୍ଷା ଦ୍ବାରା ଆଗୁଆ ଯୌନ ରୋଗକୁ ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ବଳରେ ସ୍ବାଭାବିକ ଜୀବନ ବିତାଇହେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ କରିଛନ୍ତି।

ସମ୍ବନ୍ଧିତ ଖବର