ସେକ୍ସି ଇଜ୍‌ ନଟ୍‌ ଏ ସାଇଜ୍‌:୩ ଫୁଟ୍‌ ୪ ଇଞ୍ଚ୍‌ର ମଡେଲ୍‌

ମଡେଲିଂ ଦୁନିଆରେ ସଫଳ ହେବାକୁ ହେଲେ ଦେଖିବାକୁ ସୁନ୍ଦର ହୋଇଥିବା ନିହାତି ଦରକାର ବୋଲି ସମସ୍ତେ ଜାଣନ୍ତି। ଏବଂ କେଉଁମାନେ ଦେଖିବାକୁ ଭଲ, ସେ ମାମଲାରେ ବି ପ୍ରାୟ ସମସ୍ତଙ୍କର ଗୋଟିଏ ପ୍ରକାର ଧାରଣା ରହି ଆସିଛି। ତା’ ହେଉଛି ‘ସାଇଜ୍‌’ ବା ଉଚ୍ଚତା। ଅର୍ଥାତ୍‌ ମଡେଲିଂରେ ସଫଳ ହେବାକୁ ହେଲେ ଡେଙ୍ଗା ହୋଇଥିବା ଅତ୍ୟାବଶ୍ୟକ ବୋଲି ଅଧିକାଂଶ ଲୋକ ଭାବନ୍ତି। ସେଥିପାଇଁ ମଡେଲ୍‌ ହେବାଲାଗି ସ୍ୱପ୍ନ ଥିଲେ ମଧ୍ୟ ଅନେକ ଲୋକ, ବିଶେଷକରି ଝିଅମାନେ ଅଳ୍ପ ଉଚ୍ଚତା କାରଣରୁ ମନର ଇଚ୍ଛାକୁ ମନରେ ଚାପି ମନମାରି ରହି ଯାଆନ୍ତି।
କିନ୍ତୁ ସେମାନଙ୍କର ସେଇ ଧାରଣଟି କେତେ ଭୁଲ୍‌, ଆପଣ ଦ୍ରୁ ପ୍ରେସ୍ତାଙ୍କୁ ଭେଟିଲେ ଜାଣି ପାରିବେ। ଆପଣ ଜାଣି ଚମକି ପଡ଼ିବେ ଯେ ୨୧ ବର୍ଷ ବୟସ୍କା ପ୍ରେସ୍ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ୍‌ ୪ ଇଞ୍ଚ୍‌। ଏଇ ଉଚ୍ଚତାର ଲୋକଙ୍କୁ ସମସ୍ତେ ବାମନ ଭାବେ ଚିହ୍ନନ୍ତି ଏବଂ ପରିହାସ ବି କରନ୍ତି ଅନେକ ସମୟରେ। କିନ୍ତୁ ଦ୍ରୁ ଏତିକି ଉଚ୍ଚତାକୁ ନେଇ ଦୃଢ଼ ଇଚ୍ଛାଶକ୍ତି ବଳରେ ହଲିଉଡ୍‌ ସହର ଲସ୍‌ଆଞ୍ଜେଲ୍‌ସ୍‌ରେ ଫ୍ୟାସନ୍‌ ମଡେଲିଂ କରୁଛନ୍ତି। ବିଭିନ୍ନ ଫେସନ୍‌ ଡିଜାଇନର୍‌ଙ୍କ ଫେସନେବଲ୍‌ ପୋଷାକ ସହିତ ବିକିନି ପିନ୍ଧି ବି ମଡେଲିଂ କରୁଛନ୍ତି- ସେ ପୁଣି ବିଶ୍ୱ ଫେସନ୍‌ ଦୁନିଆର ନାମକରା ଓ ପ୍ରସିଦ୍ଧ ମଡେଲ୍‌ମାନଙ୍କ ସହ।


ନେଭାଦାର ରେନୋରେ ଜନ୍ମିତ ଦ୍ରୁଙ୍କର ପିଲାଟି ଦିନରୁ ସ୍ୱପ୍ନ ଥିଲା ମଡେଲିଂ କରିବାଲାଗି। କିନ୍ତୁ ବୟସ ବଢ଼ିଲା ସିନା ଉଚ୍ଚତା ବଢ଼ିଲା ନାହିଁ। ପରିବାରର ଅନ୍ୟମାନେ ଥିଲେ ସାଧାରଣ ଉଚ୍ଚତାର, ସେ କିନ୍ତୁ ବାମନଙ୍କ ଭଳି ହୋଇଗଲେ। ତେଣୁ ପରିବାର ଆଦର ପାଉଥିଲେ ବି ତାଙ୍କ ପିଲାଦିନ ବିତିଥିଲା ବାହାର ଲୋକଙ୍କ ପରିହାସ ଶୁଣି ଶୁଣି। କିନ୍ତୁ ମନ ଭିତରେ ସେ ଦୃଢ଼ ଥିଲେ, ନିଜ ସ୍ୱପ୍ନକୁ ସାକାର କରିବାଲାଗି ଚେଷ୍ଟା ଚଳାଇଥିଲେ।
ସେ ଫେସନ୍‌ ମାର୍କେଟିଂ ପଢ଼ିଲେ। ଗ୍ରାଜୁଏସନ୍‌ ପରେ ମଡେଲ୍‌ ହେବାର ସ୍ୱପ୍ନ ନେଇ ଆସିଲେ ସ୍ୱପ୍ନର ସହର ଲସ୍‌ଆଞ୍ଜେଲ୍‌ସ୍‌କୁ। ସେଠି ଆରମ୍ଭରେ ତାଙ୍କୁ କେହି ଗ୍ରହଣ କରି ନ ଥିଲେ। କିନ୍ତୁ ତାଙ୍କ ଭିତରର ଆତ୍ମବିଶ୍ୱାସ କିଛି ଲୋକଙ୍କୁ ଚମତ୍କତ କଲା ଏବଂ ସେ ମଡେଲିଂ କରିବାର ସୁଯୋଗ ପାଇବାରେ ଲାଗିଲେ ଧୀରେ ଧୀରେ। ଏବେ ସେ ଜଣେ ନିୟମିତ ଓ ବ୍ୟସ୍ତ ମଡେଲ୍‌। ଏକଦା ଯୋଉ ଝିଅଟିକୁ ତା’ ନିଜ ସହରର ଲୋକେ ବାମନ କହି ଥଟ୍ଟା କରୁଥିଲେ, ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ତା’ର ଦଶ ହଜାରରୁ ଅଧିକ ଫଲୋୟର୍ସ। ଏ ସଂଖ୍ୟା କ୍ରମଶଃ ବଢ଼ିବାରେ ବି ଲାଗିଛି।
ଦ୍ରୁ କହନ୍ତି, ଏବେ ସେ କ୍ୟାମେରା ଆଗରେ ଠିଆହେଲେ ନିଜକୁ ଆହୁରି ସୁନ୍ଦର ମନେ କରନ୍ତି। ଶରୀର ଯେମିତି ଓ ଯେଉଁ ଆକାରର ହୋଇଥାଉ ନା କାହିଁକି, ତା’କୁ ନେଇ ଆତ୍ମବିଶ୍ୱାସ ରଖିବାଲାଗି ସେ ଲୋକଙ୍କୁ ପ୍ରେରଣା ଦେଇ ପାରିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ।

ସମ୍ବନ୍ଧିତ ଖବର