ସିଆରପିଏଫର କ୍ଷତାକ୍ତ ସିଂହ: ଦୁଇଟି ଗୁଳି ବାଜିଥିଲେ ବି ଆତଙ୍କବାଦୀଙ୍କୁ ନିପାତ କରିଥିଲେ

ଶ୍ରୀନଗର: ଦେହରେ ଗୁଳି ବାଜିବା ସତ୍ତ୍ୱେ ପଛକୁ ହଟିନଥିଲେ ଯବାନ ବରଂ ଆତଙ୍କବାଦୀଙ୍କ ଜୀବନ ନେଇଥିଲେ | ଏବେ ସିଆରପିଏଫର ଏହି ଯବାନଙ୍କୁ ନେଇ ଜୋରଦାର ଚର୍ଚ୍ଚା | କାରଣ ଆତଙ୍କବାଦୀଙ୍କ ଦ୍ୱାରା ଗୁଳିମାଡ଼ର ଶିକାର ହେବା ପରେ ବି ଦେଶ ପ୍ରତି ଥିବା ଭଲ ପାଇବା ଯୋଗୁଁ ଶତ୍ରୁଙ୍କୁ ନିପାତ କରିଥିଲେ | ଏହି ଯବାନ ଜଣକ ହେଉଛନ୍ତି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ଡେପୁଟି କମାଣ୍ଡାଣ୍ଟ ରାହୁଲ ମାଥୁର |

ଶ୍ରୀନଗରର ମିଲିଟାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ରାହୁଲଙ୍କ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ | ଗୁରୁବାର ଦିନ ଜାମ୍ମୁ କାଶ୍ମୀରରେ ଵାତମଲୁର ଫିରୋଦାବାଦରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା | ଏହା ପରେ ରାହୁଲ ମାଥୁରଙ୍କ ନେତୃତ୍ୱରେ ସିଆରପିଏଫ ଏବଂ ଜାମ୍ମୁ କାଶ୍ମୀର ପୁଲିସର ଏକ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ। ରାହୁଲ ଓ ତାଙ୍କ ଟିମ ଉକ୍ତ ଘରକୁ ଘେରିଯାଇଥିଲେ | ଆତଙ୍କବାଦୀମାନେ ଏହା ଜାଣିପାରି ଆଖିବୁଜା ଗୁଳିଚାଳନା କରିଥିଲେ |


ରାହୁଲଙ୍କ ଛାତିରେ ଓ ପେଟରେ ଗୁଳି ବାଜିଥିଲା। ତେବେ ଗୁରୁତର ଅବସ୍ଥାରେ ବି ରାହୁଲ ଗୁଳି ଚଳାଇଥିଲେ | ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା | ଏହା ପରେ ସର୍ଚ୍ଚ ଅପରେସନ ପରେ ଆଉ ଦୁଇଜଣ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା | ସେମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ଅପରେସନ ପରେ ଗୁରୁତର ଆହତ ଅବସ୍ଥାରେ ରାହୁଲଙ୍କୁ ଶ୍ରୀନଗରର ଆର୍ମି ହସ୍ପିଟାଲକୁ ଅଣାଯାଇଥିଲା। ଆଉ ଏବେ ଚିକିତ୍ସା ଜାରି ରହିଛି |

ସମ୍ବନ୍ଧିତ ଖବର