ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା- ଏ ବନ୍ଦନା କ’ଣ କେବଳ ଦେବୀଙ୍କ ଲାଗି ଉଦ୍ଦିଷ୍ଟ! ପ୍ରତିକୂଳ ପରିସ୍ଥିତି ସହ ଲଢ଼ି ଜୀବନର ରାସ୍ତା ତିଆରୁଥିବା, ଅନ୍ଧକାରର ବିନାଶ କରୁଥିବା ଏମିତି କିଛି ମହିଳା ଅଛନ୍ତି ଯେଉଁମାନଙ୍କୁ ଆମେ କହିପାରିବା ଶକ୍ତିସ୍ବରୂପା। ଦୁବୃର୍ତ୍ତଙ୍କୁ ସାବାଡ଼ କରିବାଠାରୁ ସବୁଜିମାର ସୁରକ୍ଷା ଯାଏଁ-ଅନେକ କ୍ଷେତ୍ରରେ ଏମାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ନେଇ ଚର୍ଚ୍ଚା ହୋଇଛି। ଏମିତି କିଛି ଓଡ଼ିଆ ମହିଳାଙ୍କ କାହାଣୀ ଏଥର
ପ୍ରଚ୍ଛଦ ପ୍ରସଙ୍ଗରେ...
ଉପସ୍ଥାପନା: ସସ୍ମିତା ସାହୁ
ଦେବୀ ଉପାସନାର ଶୁଭଶଙ୍ଖ ବାଜିସାରିଛି। ମନ୍ତ୍ରୋଚ୍ଚାରଣର ମଙ୍ଗଳ ଧ୍ବନି ସହ ଧୂପ, ଦୀପ, ଅଗୁରୁ, ଚନ୍ଦନ ବାସରେ ମହକି ଯାଉଛି ମାତୃପୀଠ। ପାର୍ବଣରେ ସର୍ବତ୍ର ପ୍ରତିଧ୍ବନିତ ହେଉଛି-‘ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା..ନମସ୍ତସୈ ନମସ୍ତସୈ ନମୋ ନମ’। ଆଉ ମନ୍ଦିରରେ ପୂଜିତା ଶକ୍ତିସ୍ବରୂପିଣୀ ଦେବୀଙ୍କର ପ୍ରତିଭୂ ହେଉଛି ନାରୀଟିଏ। କେବେ ସେ ଲକ୍ଷ୍ମୀଙ୍କ ରୂପରେ ଧନଦାତ୍ରୀ ତ କେବେ ବାଗ୍ଦେବୀଙ୍କ ରୂପରେ ବିଦ୍ୟାଦାତ୍ରୀ। ପୁଣି ପାପୀଙ୍କ ସଂହାର ପାଇଁ କେବେ ସେ ଖଡ୍ଗଧାରିଣୀ ଦୁର୍ଗା। ସେ ଯୁଗରେ କେବଳ ମହିଷାସୁର ବଧ ଲାଗି ନୁହେଁ, ସବୁ ଯୁଗରେ ଦୁର୍ଗାମାନେ ଆବିର୍ଭୂତ ହୁଅନ୍ତି। ନିଜ ଶକ୍ତି ଓ ସାମର୍ଥ୍ୟରେ ଘର, ପରିବାର ଓ ସମାଜକୁ ଉଦ୍ଧାର କରନ୍ତି। ଆମ ସମୟର ଏଭଳି କିଛି ନାରୀଙ୍କ କାହାଣୀ।
ସାହସିନୀ ଚିନ୍ମୟୀ
୨୦୧୬ ସେପ୍ଟେମ୍ବର ୨୫, ରାତି ୯ଟା। କ୍ଲାସ୍ ସାରି ଭୁବନେଶ୍ବର ୟୁନିଟ୍-୯ସ୍ଥିତ ଉତ୍କଳ କରାଟେ ସ୍କୁଲରୁ ବାହାରୁଥିଲେ ଚିନ୍ମୟୀ ଭୂୟାଁ। ମା’ଙ୍କ ସହ ଫୋନ୍ରେ କଥା ହୋଇ ଜଣାଉଥିଲେ ଯେ ଏବେ ବାହାରିଲେ, କିଛି ସମୟରେ ଘରେ ପହଞ୍ଚିବେ। ହଠାତ୍ ୩ ଜଣ ଲୁଟେରା ଏକ ବାଇକ୍ରେ ଆସି ତାଙ୍କ ହାତରୁ ଫୋନ୍ ଓ ବେକରୁ ସୁନାଚେନ୍ ଛଡ଼ାଇ ଦ୍ରୁତ ବେଗେର ପଳାଇଗଲେ। ଚିନ୍ମୟୀଙ୍କ ଭିତରେ ଥିଲା ଅଦମ୍ୟ ସାହସ। କାଳବିଳମ୍ବ ନ କରି ନିଜ ସ୍କୁଟିରେ ଲୁଟେରାଙ୍କ ପିଛା କଲେ ସେ। କରାଟେ ସ୍କୁଲ ସାମ୍ନାରୁ ଗୋଡ଼େଇ ଗୋଡ଼େଇ ମାର୍କେଟ୍ ବିଲ୍ଡିଙ୍ଗ୍ ପାଖ ଯାଏ ଯିବାପରେ ନିଜ ଗାଡ଼ିକୁ ଲୁଟେରାଙ୍କ ଗାଡ଼ିରେ ଧକ୍କା ଦେଲେ। ସେମାନେ ତଳେ ପଡ଼ିଯିବା ପରେ ତାଙ୍କ ଗାଡ଼ି ଚାବିକୁ ନିଜ ଅକ୍ତିଆରକୁ ଆଣି କରାଟେ ନିପୁଣା ଚିନ୍ମୟୀ ଲୁଟେରାଙ୍କୁ ନିସ୍ତୁକ ପିଟିଲେ। ଦେଖୁ ଦେଖୁ ସେଠାରେ ଭିଡ଼ ଜମିଗଲା ଏବଂ ଚିନ୍ମୟୀଙ୍କ ସାହସିକତାରେ ଉପସ୍ଥିତ ଜନତା ହତବାକ୍ ହୋଇଯାଇଥିଲେ। ଶେଷରେ ପୁଲିସ ଲୁଟେରାମାନଙ୍କୁ ଗିରଫ କରିଥିଲା। ଚିନ୍ମୟୀଙ୍କ ଏହି ସାହସିକତା ତାଙ୍କୁ ରାତାରାତି ସାରା ରାଜ୍ୟରେ ଚର୍ଚ୍ଚିତ କରିଦେଇଥିଲା। ନାରୀ ଯେତେ କୋମଳ ହେଲେ ବି ସମୟ ଆସିଲେ ଆତ୍ମରକ୍ଷା ଓ ସମ୍ମାନ ପାଇଁ ଯେ ଦୁର୍ଗା ସାଜିପାରେ, ଚିନ୍ମୟୀ ତାହାର ଏକ ଉଦାହରଣ ସୃଷ୍ଟି କରିଥିଲେ। ଏହି ଘଟଣା ପରେ ରୋଡ୍ ରୋମିଓଙ୍କୁ ସାବାଡ୍ କରିବାକୁ କମିସନ୍ରେଟ୍ ପୁଲିସ୍ ପକ୍ଷରୁ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଏକ ‘ସ୍ପେସାଲ୍ ପୁଲିସ୍ ଅଫିସର (ଏସ୍ପିଓ)’ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ରେ ଚିନ୍ମୟୀଙ୍କୁ ନିଯୁକ୍ତ କରାଯାଇଥିଲା।
ପିଲାଟି ଦିନୁ ଆକ୍ସନ୍ ଚଳଚ୍ଚିତ୍ର ଦେଖି ଫାଇଟିଂ ଶିଖିବାର ଇଚ୍ଛା ରଖିଥିବା ଚିନ୍ମୟୀ ୨୦୧୪ ମସିହାରୁ ଉତ୍କଳ କରାଟେ ସ୍କୁଲରେ ଆତ୍ମରକ୍ଷା କୌଶଳ ‘ରିଆକ୍ଟ’ ଶିଖିବା ଆରମ୍ଭ କରିଥିଲେ। ପରେ କରାଟେରେ ନିଜ ବୃତ୍ତିଗତ ଜୀବନ ଆଗକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ପାରଦର୍ଶିତା ଲାଗି ବହୁ ରାଜ୍ୟ ଓ ଜାତୀୟ ପ୍ରତିଯୋଗିତାରେ ସେ ପଦକ ଲାଭ କରିଛନ୍ତି। ତାଙ୍କୁ ଏବେ ଓଡ଼ିଶା ପୁଲିସ୍ କୋଚ୍ ଭାବେ ନିଯୁକ୍ତି ମିଳିଛି। ନିକଟ ଅତୀତରେ କାନାଡାରେ ଅନୁଷ୍ଠିତ ବିଶ୍ବ ପୁଲିସ କ୍ରୀଡ଼ାରେ ଚିନ୍ମୟୀ ୨ଟି ସ୍ବର୍ଣ୍ଣପଦକ ଜିତି ରାଜ୍ୟକୁ ଗୌରାବାନ୍ବିତ କରିଛନ୍ତି।
ଚିନ୍ମୟୀ କହନ୍ତି, ‘‘ମା’ ରୂପରେ ନାରୀ କରୁଣାମୟୀ। କିନ୍ତୁ ନିଜ ସମ୍ମାନ ଓ ଆତ୍ମରକ୍ଷା କଥା ଆସିଲେ, ଦେବୀ ଦୁର୍ଗାଙ୍କ ଭଳି ଶକ୍ତିସ୍ବରୂପା ହେବାରେ ନାରୀଙ୍କୁ ଅଧିକ ସମୟ ଲାଗେନାହିଁ। ଆଜିକାଲିର ଦୁନିଆ ଯାହା, ପ୍ରତିଟି ଝିଅକୁ ପିଲାଟି ଦିନୁ ହିଁ ଆତ୍ମରକ୍ଷା କୌଶଳ ଶିଖାଇବାକୁ ପଡ଼ିବ। ‘ସହିବା’ ନୁହେଁ ‘ଲଢ଼ିବା’ ଶିଖାଇବାକୁ ପଡ଼ିବ। ନିଜର ସାହସ ଓ ଶକ୍ତିକୁ ପ୍ରତିଟି ନାରୀକୁ ଚିହ୍ନିବାକୁ ପଡ଼ିବ।’’
ଜୀବନଦାୟିନୀ ଚନ୍ଦାବତୀ
ମା’ ଛାତି ଚିରି ନିଜ ଅମୃତଧାରାରେ ସନ୍ତାନକୁ ଜୀବନଦାନ ଦିଏ। ପୁଣି ଆବଶ୍ୟକ ସ୍ଥଳରେ ସେ ନିଜ ଧମନୀରୁ ରକ୍ତ ଦେଇ ବହୁମୂଲ୍ୟ ଜୀବନ ବଞ୍ଚାଏ। ଏଭଳି ଜଣେ ମହିଳା ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ନିକଟସ୍ଥ ଗଞ୍ଜରାଜ ଗାଁର ଚନ୍ଦାବତୀ ଗୁପ୍ତା । ୬୨ ବର୍ଷୀୟା ଚନ୍ଦାବତୀ ବର୍ତ୍ତମାନ ସୁଦ୍ଧା ୭୭ଥର ରକ୍ତଦାନ କରି ବହୁ ଜୀବନ ବଞ୍ଚାଇଛନ୍ତି। ୧୯୯୭ ମସିହାର କଥା। ଚନ୍ଦାବତୀ ସ୍ବାମୀ ବଜରଙ୍ଗଲାଲ୍ ଗୁପ୍ତା, ବଡ଼ପୁଅ ଦିନେଶ ଓ ସାନପୁଅ ଦେବାଶିଷଙ୍କ ସହ ଗାଡ଼ିରେ ଯାଉଥିବା ବେଳେ ବାମନଘାଟି ବ୍ଲକ୍ ବାଙ୍ଗିରିପୋଷି ନିକଟରେ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଲେ। ଚିକିତ୍ସା ଲାଗି ସେମାନଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଗଲା ଓ ସେଠାରେ ୯ ଦିନ ରହିବାକୁ ପଡ଼ିଲା। ଚନ୍ଦାବତୀଙ୍କ ପାଖ ବେଡ୍ରେ ପଡ଼ିଥିବା ଜଣେ ଦୁର୍ଘଟଣାଗ୍ରସ୍ତ ରୋଗୀ ରକ୍ତାଭାବ ଯୋଗୁ ସୁସ୍ଥ ହୋଇପାରୁ ନଥିଲେ, ଯନ୍ତ୍ରଣା ଭୋଗୁଥିଲେ । ଏହି ଘଟଣା ଚନ୍ଦାବତୀଙ୍କୁ ଅଧିକ ପ୍ରଭାବିତ କରିଥିଲା। ସୁସ୍ଥ ହେବା ପରେ ରକ୍ତଦାନ କରିବେ ବୋଲି ସେ ହସ୍ପିଟାଲ୍ରୁ ହିଁ ସଂକଳ୍ପ ନେଲେ। ସଂପୂର୍ଣ୍ଣ ସୁସ୍ଥ ହେବାକୁ ତାଙ୍କୁ ପାଖାପାଖି ୨ ବର୍ଷ ଲାଗିଯାଇଥିଲା। ୨୦୦୦ ମସିହା ଅକ୍ଟୋବର ମାସରୁ ଚନ୍ଦାବତୀ ଆରମ୍ଭ କରିଛନ୍ତି ରକ୍ତଦାନ ଅଭିଯାନ।
ଏବେ ବୟସ ୬୦ ଟପିଥିଲେ ବି ସେ ପ୍ରତି ୬ ମାସରେ ରକ୍ତ ଦେବାକୁ ଯାଉଛନ୍ତି। କେବଳ ସେ ନୁହନ୍ତି, ତାଙ୍କ ସାନପୁଅ ଦେବାଶିଷ ମଧ୍ୟ ବର୍ତ୍ତମାନ ସୁଦ୍ଧା ୧୬ ଥର ରକ୍ତଦାନ କଲେଣି। ଚନ୍ଦାବତୀ କହନ୍ତି, ‘‘ରକ୍ତ ମଣିଷ ଶରୀରରେ ଆପେ ତିଆରି ହୁଏ। ଏହା ଟଙ୍କାପଇସା ନୁହେଁ ଯେ ସରିଯିବ।
କିନ୍ତୁ ଏହି ଦାନ ଜଣେ ମଣିଷର ଜୀବନ ବଞ୍ଚାଇ ଦିଏ। ମୁଁ ହସ୍ପିଟାଲ୍ରେ ଯେତେବେଳେ ସେ ରୋଗୀର ଯନ୍ତ୍ରଣା ଦେଖିଥିଲି, ମୋ ହୃଦୟ କାନ୍ଦି ଉଠିଥିଲା। ସେତେବେଳେ ସଚେତନତା ଅଭାବରୁ ରକ୍ତଭଣ୍ଡାରରେ ଜରୁରି ବ୍ୟବହାର ପାଇଁ ରକ୍ତ ବି ରହୁ ନଥିଲା। ଏଣୁ ପ୍ରତିବର୍ଷ ଯେତେଥର ସମ୍ଭବ ସେତେଥର ରକ୍ତଦାନ କରିବାକୁ ନିଷ୍ପତ୍ତି ନେଇଥିଲି। ଏବେ ଡାକ୍ତରଙ୍କ ପରାମର୍ଶକ୍ରମେ ରକ୍ତ ଦେଉଛି। ସମସ୍ତଙ୍କୁ ଅନୁେରାଧ, ପ୍ରତି ୩/୪ ମାସରେ ଥରେ ରକ୍ତଦାନ କରି ଜୀବନ ବଞ୍ଚାନ୍ତୁ।’’ ଚନ୍ଦାବତୀ ୨୪ ବର୍ଷ ଧରି ଲଗାତାର ରକ୍ତଦାନ କରି ଏକ ବିରଳ ଉଦାହରଣ ସୃଷ୍ଟି କରିବା ସହ ଅଭୟପ୍ରଦାୟିନୀ ମା’ଟିଏ ହୋଇପାରିଛନ୍ତି।
ଅନ୍ନପୂର୍ଣ୍ଣା ରାମବାଈ
ମାତ୍ର ୧୪ ବର୍ଷ ହୋଇଥିବା ବେଳେ ପାଳିତ ବାପା ଓ ମା’ ଜଞ୍ଜାଳ ତୁଟାଇବା ପାଇଁ ତାଙ୍କ ବିବାହ କରିଦେଲେ। ବିବାହର ବର୍ଷକ ପରେ କୋଳକୁ ଆସିଲା କନ୍ୟା ସନ୍ତାନଟିଏ। ଝିଅଟିଏ ହୋଇଛି ବୋଲି ଶାଶୂଘର ଲୋକେ ଓ ସ୍ବାମୀ ତାଙ୍କୁ କି ଝିଅକୁ ଦେଖିବାକୁ ଆସିଲେ ନାହିଁ। ବହୁ ବାଦବିବାଦ ପରେ ସ୍ବାମୀସ୍ତ୍ରୀ ଏକାଠି ହେଲେ। ପୁଣି ଏକ କନ୍ୟା ସନ୍ତାନ କୋଳମଣ୍ଡନ କଲା। ଏଥର କିନ୍ତୁ କନ୍ୟା ସନ୍ତାନକୁ ଦେଖିବାର ଧୈର୍ଯ୍ୟ ଶାଶୂଘର ଲୋକ ବା ସ୍ବାମୀଙ୍କର ନଥିଲା। ଏଣୁ ଦୁଇ କନ୍ୟା ସନ୍ତାନଙ୍କ ସହ ରାମବାଈ ଦାସଙ୍କୁ ସେମାନେ ଘରୁ ତଡ଼ିଦେଲେ। ପାଳିତ ବାପା ବି ଏତେ ଜଞ୍ଜାଳ ନିଜ କାନ୍ଧରେ ନେବାକୁ ଚାହିଁ ନଥିଲେ। ଦିନେ ସେ ବି ଘର ଛାଡ଼ି ଚାଲିଗଲେ। ଏମିତି ପରିସ୍ଥିତିେର ତାଙ୍କ କାନ୍ଧକୁ ଆସିଗଲା ଦୁଇ ଛୋଟ ଝିଅ ଓ ରୋଗୀଣା ମା’ର ଗୁରୁଦାୟିତ୍ବ। ଭାଙ୍ଗିପଡ଼ିଥିଲେ ସେ। ଚାରିଆଡ଼ ଅନ୍ଧାର ଦିଶିଲା ତାଙ୍କୁ। କିନ୍ତୁ ଜନ୍ମ କଲା ମା’ ଓ ଦୁଇ ଶିଶୁକନ୍ୟାଙ୍କ ମୁହଁ ତାଙ୍କୁ ସାହସ ଯୋଗାଇଲା। ଉଠି ଠିଆ ହେଲେ, କଠିନ ପରିଶ୍ରମ କଲେ। ଆଉ ଆଜି ସେ ରାଜ୍ୟର ଜଣେ ସଫଳ ଚାଷୀ । ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ସ୍ବାବଲମ୍ବୀ ହୋଇପାରିଛନ୍ତି ବରଗଡ଼ ଜିଲ୍ଲା ଜମୁର୍ଡ଼ା ଗାଁର ସଫଳ ଚାଷୀ ୪୮ ବର୍ଷୀୟା ରାମବାଈ।
ମା’ କୃଷି ଶ୍ରମିକ ଭାବେ କାମ କରୁଥିବାରୁ ବିଲରୁ ଘାସ ବାଛିବା କାମ ରାମବାଈଙ୍କୁ ଜଣାଥିଲା। ସେହି କାମରୁ ହିଁ ସେ କୃଷିକ୍ଷେତ୍ରକୁ ପାଦ ଦେଇଥିଲେ। ଧୀରେ ଧୀରେ ହାତରେ କୋଡ଼ି ଧରି ଚାଷ କାମ ଆରମ୍ଭ କଲେ। ନିଜର ଜମି ନଥିଲେ ବି ଅନ୍ୟର ଜମି ଭାଗ ନେଇ ପନିପରିବା ଚାଷ କଲେ। ଜମିରେ ହଳ ଚଲାଇବାଠାରୁ ଆରମ୍ଭ କରି ପମ୍ପ୍ ଚଲାଇ ପାଣି ମଡ଼ାଇବା, ୱିଡର୍ ଚଲାଇବା, ପନିପରିବା ବଜାରରେ ବିକ୍ରି କରିବା ପର୍ଯ୍ୟନ୍ତ ସବୁ କାମ ନିଜେ କଲେ। ଅଢ଼େଇ ଏକର ଭାଗ ଜମିରେ କୋବି, ବାଇଗଣ, ଲଙ୍କା, ପୋଟଳ, ଟମାଟୋ ଆଦି ପନିପରିବା ଚାଷ କରି ଏବେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସେ। ଅନ୍ୟର ଗୋଦାମ ଘରେ ଆଶ୍ରୟ ନେଇଥିବା ରାମବାଈ ନିଜ ପରିଶ୍ରମ ବଳରେ ଘର ଖଣ୍ଡିଏ କରି ପାରିଛନ୍ତି। ପିଲାଟି ଦିନୁ ପାଠ ପଢ଼ିବାର ଇଚ୍ଛା ରଖିଥିବା ରାମବାଈ ଅର୍ଥାଭାବରୁ ପାଠ ପଢ଼ି ନଥିବା ବେଳେ ନିଜ ଦୁଇ ଝିଅଙ୍କୁ ପାଠ ପଢ଼ାଇବାକୁ ଚାହିଁଥିଲେ। ହେଲେ ଦୁର୍ଭାଗ୍ୟବଶତଃ ବଡ଼ଝିଅ ଟାଇଫଏଡ୍ରେ ପୀଡ଼ିତ ହୋଇ ଆରପାରିକୁ ଚାଲିଗଲା। ସାନ ଝିଅକୁ କିନ୍ତୁ ସେ ଉଚ୍ଚଶିକ୍ଷିତା କରିଛନ୍ତି। ନର୍ସିଂ ଟ୍ରେନିଂ ପରେ ସେ ହସ୍ପିଟାଲ୍ରେ ନର୍ସ ଚାକିରି କରିଛନ୍ତି। ଗତ ବର୍ଷ ନିଆରା ଢଙ୍ଗରେ ଝିଅ ବାହାଘର କରି ପୁଣି ଚର୍ଚ୍ଚାକୁ ଆସିଥିଲେ ରାମବାଈ।
ଚାଷ ସେ ପାଇଁ କେବେ ଋଣ କରି ନାହାନ୍ତି। ଆରମ୍ଭରୁ ପନିପରିବାରେ ରାସାୟନିକ ସାର ଓ କୀଟନାଶକ ଦେଉଥିବା ବେଳେ ଏବେ ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ପଦ୍ଧତିରେ ଚାଷ କରୁଛନ୍ତି। ଜଣେ ସଫଳ ମହିଳା ଚାଷୀ ଭାବରେ ବିଭିନ୍ନ ଅନୁଷ୍ଠାନରୁ ସେ ସମ୍ମାନିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରଗଡ଼ ଆସିଥିବା ବେଳେ ରାମବାଈ ତାଙ୍କୁ ନିଜ ଉତ୍ପାଦିତ ପନିପରିବା ଉପହାର ଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସେ ସମ୍ମାନିତ ହୋଇଛନ୍ତି। ରାମବାଈ କହନ୍ତି, ‘‘ଯେତେବେଳେ ମୁଁ ଘରୁ ଗୋଡ଼ କାଢ଼ିଥିଲି, ଲୋକେ ନାନା କଥା କହୁଥିଲେ। ସେଗୁଡ଼ା ଶୁଣିବାକୁ ନା ମୋର ସମୟ ଥିଲା ନା ଆବଶ୍ୟକତା। ମୋତେ ପରିବାରର ଦାୟିତ୍ବ ନେବାର ଥିଲା, ପେଟକୁ ଦାନା ଯୋଗାଡ଼ କରିବାର ଥିଲା। ଏଣୁ ବିଲର ସବୁ କାମ ନିଜେ କରିବା ସହ ଉତ୍ପାଦିତ ପନିପରିବା ବି ମୁଁ ସାଇକେଲରେ ଧରି ବିକିବାକୁ ଯାଉଥିଲି। ଝିଅଟିଏ ବା ମା’ଟିଏ ଏତେ ଦୁର୍ବଳ ନୁହେଁ। ଆବଶ୍ୟକ ପଡ଼ିଲେ ସେ ନିଜ ପରିବାର ପାଇଁ ଅନ୍ନଦାତ୍ରୀ ମା’ ଲକ୍ଷ୍ମୀ ବି ହୋଇପାରେ ଅାଉ ରକ୍ଷାକାରିଣୀ ମା’ କାଳୀ ବି।’’
ସବୁଜ ପ୍ରହରିଣୀ
‘‘ହୁସିଆର...! ଜଙ୍ଗଲରେ କିଏ ପଶିଛ କି? ଗଛ କାଟନି। ଆମେ ଜଗିଛୁ...।’’
ରେଢ଼ାଖୋଲ ବନଖଣ୍ଡ ବଡ଼ମାଲ୍ ରେଞ୍ଜ୍ ସୁନାମୁଦି ଗାଁର ନିଘଞ୍ଚ ଜଙ୍ଗଲ ଭିତରେ ହାତରେ ଠେଙ୍ଗାଧରି ଜଗି ରହିଛନ୍ତି ୧୦ ଜଣ ମହିଳା। ଜଙ୍ଗଲକୁ କାଠ ମାଫିଆଙ୍କ ଦାଉରୁ ରକ୍ଷା କରିବାକୁ ପଣ କରିଛି ଏ ମହିଳା ବାହିନୀ। ୨୦ ବର୍ଷରୁ ଅଧିକ ସମୟ ଧରି ଗାଁ ପାଖ ଜଙ୍ଗଲକୁ ସୁରକ୍ଷା ଦେଇଆସୁଛନ୍ତି ଏମାନେ। ବିନା ସରକାରୀ ସାହାଯ୍ୟ ଓ ପ୍ରୋତ୍ସାହନରେ ଗଛ ଲଗାଇ ଟାଙ୍ଗରା ଭୂଇଁରେ ସୃଷ୍ଟି କରିପାରିଛନ୍ତି ସବୁଜ ଜଙ୍ଗଲ। ପୁଣି ଗାଁକୁ ଗାଁ ବୁଲି ଜଙ୍ଗଲ ସୃଷ୍ଟି କରିବା ଲାଗି ପ୍ରେରଣା ଦେଉଛନ୍ତି। ଯେଉଁଠି ବନବିଭାଗ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ କରି ବିଫଳ ହେଉଛି, ସେଠି ଏଭଳି ଗାଁ ମହିଳାଙ୍କ ସଫଳତା ବାସ୍ତବିକ ପ୍ରଶଂସନୀୟ। ବଡ଼ପାଟିରେ ଡାକ ଦେଇ ପ୍ରତିଦିନ ଠେଙ୍ଗାପାଳି କରି ପହରା ଦେଉଛନ୍ତି ‘ଶିବଶକ୍ତି ମହିଳା ସଂଘ’ର ସଦସ୍ୟା। ପାଳି କରି ଦୁଇଜଣ ଲେଖାଏଁ ହାତରେ ଠେଙ୍ଗା ଧରି ଜଗୁଛନ୍ତି ଜଙ୍ଗଲ। କେବଳ ଜଗୁନାହାନ୍ତି, ଏଥିସହ ପ୍ରତିଟି ଗଛର ଯତ୍ନ ନେଉଛନ୍ତି। ଗଛରେ ଉଇ ଲାଗିଲେ ଛଡ଼େଇ ଦେଉଛନ୍ତି, ଅନାବନା ଗଛଡାଳ କାଟି ସଫା ବି କରୁଛନ୍ତି। ଗଛମୂଳ ପରିଷ୍କାର କରିବା ସହ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଶୁଖିିଲା ପତ୍ର ସଫା କରୁଛନ୍ତି।
ଏବେ ତାପମାତ୍ରା ବଢ଼ିଲେ ଜଙ୍ଗଲରେ ନିଆଁ ଲାଗୁଛି। ତେବେ ଆଜକୁ ୧୫ ବର୍ଷ ହେବ ଏଠାରେ ନିଆଁ ଲାଗିନାହିଁ। ସୁନାମୁଦି ଗାଁର ଏହି ଗ୍ରାମ୍ୟ ଜଙ୍ଗଲଟି ୨୦ ବର୍ଷ ପୂର୍ବରୁ ଏକ ଟାଙ୍ଗର ଭୂଇଁ ଥିଲା। ଶିବଶକ୍ତି ମହିଳା ସଂଘର ମହିଳାମାନେ ବୈଠକ କରି ଏଠାରେ ଜଙ୍ଗଲ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଲେ। ପ୍ରତି ସଭ୍ୟ ମାସିକ ୩୦ଟଙ୍କା ସହ ମାଣେ ଚାଉଳ ସଂଗ୍ରହ କରି ସେଥିରେ ଗଛ ଲଗାଇବା ଓ ଗଛ ବଢ଼ାଇବା କାମ ଆରମ୍ଭ କଲେ। ଏହି ମହିଳାମାନେ ପ୍ରାୟ ୪ ହେକ୍ଟର ଅଞ୍ଚଳରେ ସବୁଜ ସୁନା ଫଳାଇଛନ୍ତି । ସଂଗଠନର ସଭାନେତ୍ରୀ ଆହ୍ଲାଦିନୀ ବାଘ କହନ୍ତି, ‘‘ଜଙ୍ଗଲ ହେଉଛି ଆମ ପ୍ରାଣ। ଲୋକେ ଚାକଚକ୍ୟଭରା ଜୀବନଶୈଳୀ ପାଇଁ ଗଛ କାଟି ଖଟ, ସୋଫା ଓ କେତେ କ’ଣ ବିଳାସବ୍ୟସନ ସାମଗ୍ରୀ ତିଆରି କରୁଛନ୍ତି। ପୁଣି ତାପମାତ୍ରା ବଢୁଛି କହି ବର୍ଷାଦିନ ଆସିଲେ ଦୁଇ ତିନିଟି ଫୁଲ କି ଫଳଗଛ ଲଗାଇ ନିଜ ଦାୟିତ୍ବ ସରିଗଲା ବୋଲି ଭାବୁଛନ୍ତି। ପ୍ରକୃତି ମା’ର ସବୁଠାରୁ ବଡ଼ ଧନ ଆମ ଗାଁ ଜଙ୍ଗଲକୁ ଜଗି ରହିବାକୁ ଆମେ ପଣ କରିଛୁ।’’
ମମତାମୟୀ ମନସ୍ବିନୀ
କୁନି କୁନି ପିଲାମାନେ ରାସ୍ତାରେ ଭିକ୍ଷାବୃତ୍ତି କରୁଛନ୍ତି। କିଏ କଲମ କିଛି ଧରି ଦୁଇ ପଇସା ମାଗୁଛି ତ ପୁଣି କିଏ ନିଶାଗ୍ରସ୍ତ ଅବସ୍ଥାରେ ଟଳମଳ ହେଉଛି। ଶିକ୍ଷା, ସ୍ବାଧୀନତା ଓ ମୌଳିକ ଅଧିକାରରୁ ବଞ୍ଚିତ ଏ ପିଲାମାନଙ୍କୁ ଦେଖିଲେ ଶିକ୍ଷିତ, ସଭ୍ୟ ମଣିଷ ବ୍ୟତିବ୍ୟସ୍ତ ହୁଏ। କିନ୍ତୁ ଟଙ୍କା ୧୦ଟା ଧରାଇ ଦେଇ ନିଜ କର୍ତ୍ତବ୍ୟ ସାରିଦେଇଛି ବୋଲି ଭାବିନିଏ। ହେଲେ ଏମାନଙ୍କ ପାଇଁ ହୃଦୟ କାନ୍ଦି ଉଠେ ତାଙ୍କର। ରାସ୍ତାରେ ବୁଲୁଥିବା ଏଭଳି ପିଲାଙ୍କୁ ପାଠ ପଢ଼ାଇବା, ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା, ସେମାନଙ୍କ ନିଶା ଛଡ଼ାଇବା ସହ ସେମାନଙ୍କୁ ଉଚିତ ସଂସ୍କାର ଦେବା ଦିଗରେ ୧୧ ବର୍ଷ ହେଲା କାମ କରିଆସୁଛନ୍ତି କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍ର ରିସର୍ଚ୍ଚ ଆସୋସିଏଟ୍ ମନସ୍ବିନୀ ପରିଡ଼ା। ଏଥିପାଇଁ ସ୍ବେଚ୍ଛାସେବୀ ସଂଗଠନ ‘ଆଶାଏଁ’ ସହ ଯୋଡ଼ି ହୋଇଛନ୍ତି ସେ। ବସ୍ତି ତଥା ରାସ୍ତାରେ ବୁଲୁଥିବା ପିଲାମାନଙ୍କୁ ବୁଝାଇବା, ଝିଅମାନେ କିଶୋରାବସ୍ଥାକୁ ଗଲେ ସେମାନଙ୍କର ଶାରୀରିକ ପରିବର୍ତ୍ତନ, ବ୍ୟକ୍ତିଗତ ପରିଚ୍ଛନ୍ନତା ଆଦି ସମ୍ପର୍କରେ ସଚେତନ କରିବା, ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ଶିକ୍ଷାର ମହତ୍ତ୍ବ ବୁଝାଇ ତାଙ୍କୁ ପୁଣି ସ୍କୁଲ ପଠାଇବା, ପିଲାମାନଙ୍କୁ ଡେନ୍ଡ୍ରାଇଟ୍ ଓ ଡ୍ରଗ୍ସ୍ ଭଳି ନିଶାଠାରୁ ଦୂରେଇ ରହିବାକୁ ପ୍ରବର୍ତ୍ତାଇ ଥାଆନ୍ତି ମନସ୍ବିନୀ। ଏବେ ଭୁବନେଶ୍ବରରେ ‘ଆଶାଏଁ’ର ୫ଟି କେନ୍ଦ୍ର ଖୋଲାଯାଇଥିବା ବେଳେ ଏଥିରେ ୨୩୦ ପିଲା ରହି ପାଠ ପଢୁଛନ୍ତି। ଏଣୁ ଏହି ପିଲାଙ୍କୁ କିଭଳି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ ସେ କାମରେ ମନସ୍ବିନୀ ସମ୍ପୂର୍ଣ୍ଣ ଜଡ଼ିତ ରହିଛନ୍ତି।
ଖାଲି ସେତିକି ନୁହେଁ, ବୃତ୍ତିରେ ସେ ଜଣେ କାଉନ୍ସିଲର୍ ବା ପରାମର୍ଶଦାତା। କର୍କଟରୋଗୀ, କର୍କଟରୁ ବଞ୍ଚିଥିବା ବ୍ୟକ୍ତି ତଥା ସେମାନଙ୍କ ସମ୍ପର୍କୀୟଙ୍କୁ ପରାମର୍ଶ ଦେଇ ସେମାନଙ୍କ ମନସ୍ତତ୍ତ୍ବକୁ ସକରାତ୍ମକ କରିବା ଦିଗରେ ସେ କାମ କରିଥା’ନ୍ତି। ଏହା ଦିନେ ତାଙ୍କ ପେସା ଥିବା ବେଳେ ଏବେ ନିଶା ପାଲଟିଯାଇଛି। ଏ ନେଇ ମନସ୍ବିନୀ କହନ୍ତି, ‘‘ରାସ୍ତାରେ ଭିକ ମାଗୁଥିବା ପିଲାଙ୍କୁ ଦେଖିଲେ କେହି କେହି ସେମାନଙ୍କୁ ଚୋର, ବଦ୍ମାସ୍ କହି ଭର୍ସନା କରିଥାଆନ୍ତି। କିନ୍ତୁ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ ସେମାନଙ୍କ ଅଧିକାର ସମ୍ପର୍କରେ ଚିନ୍ତାକଲେ ଆମେ ଏକ ସୁସ୍ଥ ସମାଜ ଗଠନ କରିପାରନ୍ତେ। ଗତ ୧୧ ବର୍ଷ ଧରି ଏହି ପିଲାମାନଙ୍କ ସହ ମୁଁ ଜଡ଼ିତ ରହିଥିବା ବେଳେ ଏ ଭିତରେ ଅନେକ ପିଲା ସ୍କୁଲରେ ଭଲ ପାଠପଢ଼ି କଲେଜ ଗଲେଣି। କେହି କେହି ଚାକିରି ବି କଲେଣି। ସେମାନଙ୍କୁ ଦେଖିଲେ, ଜୀବନଟା ସାର୍ଥକ ହେବା ଭଳି ଲାଗେ। ଯଦି ଆମର କିଛି ଉଦ୍ୟମ କାହାକୁ ଭଲ ଜୀବନଟିଏ ଦେଇପାରୁଛି, ତା’ଠାରୁ ବଳି ଆତ୍ମତୃପ୍ତି ଆଉ କ’ଣ ବା ହୋଇପାରେ।’’