‘‘ଗଣ୍ଡକ୍ୟାମେବ ଦେଶେତୁ ଶାଳଗ୍ରାମ ସ୍ଥଳଂ ମହତ୍
ପାଷାଣସ୍ତଭବଂ ଦତ୍ତୁ ଶାଳଗ୍ରାମମିତି ସ୍ଥିତମ୍।’’

Advertisment

‘ପଦ୍ମ ପୁରାଣ’ର ଉତ୍ତର ଖଣ୍ଡ ଏକାଦଶ ଅଧ୍ୟାୟରେ ସଂଯୋଜିତ ଏହି ଶ୍ଲେ‌ାକରେ ପ୍ରକାଶ କରାଯାଇଛି କି ଗଣ୍ଡକୀ ନଦୀଶଯ୍ୟାରୁ ଶାଳଗ୍ରାମ ଶିଳା ପ୍ରାପ୍ତ ହୋଇଥାଏ। ପୁରାଣ ବର୍ଣ୍ଣିତ ଏହି ଗଣ୍ଡକୀ ନଦୀ ନେପାଳରେ ପ୍ରବାହିତ। ସ୍ଥାନୀୟ ଅଞ୍ଚଳରେ ଏହା କାଳୀ ଗଣ୍ଡକୀ ଭାବେ ପରିଚିତ। ସମଗ୍ର ବିଶ୍ବରେ କେବଳ ଏହି ନଦୀଶଯ୍ୟାରୁ ହିଁ ଦୁର୍ଲଭ ଶାଳଗ୍ରାମ ଶିଳା ମିଳିଥାଏ। ଅନ୍ୟପକ୍ଷରେ ନୃତତ୍ତ୍ବବିତ୍‌ଙ୍କ ମତାନୁସାରେ ଏହି ଶିଳା ଏକ ବିଲୁପ୍ତ ସାମୁଦ୍ରିକ ଜୀବର ଜୀବାଶ୍ମ ବା ଫସିଲ୍‌। ଅକ୍ଟୋପସ୍‌ ସହ ସାଦୃଶ୍ୟ ଥିବା ଜଳଚର ଜୀବର ଏହା ଜୀବାଶ୍ମ ବୋଲି ଗବେଷକ ମତ ପ୍ରକାଶ କରୁଥିବା ବେଳେ ଏ ନେଇ ଭିନ୍ନ ମତ ମଧ୍ୟ ରହିଛି। ତେବେ ଏହା ଅତ୍ୟନ୍ତ ସ୍ପଷ୍ଟ ଯେ ଶାଳଗ୍ରାମ ମନୁଷ୍ୟକୃତ ନୁହେଁ, ନିର୍ଦ୍ଦିଷ୍ଟ ପ୍ରାକୃତିକ ପ୍ରକ୍ରିୟାରୁ ଏହାର ସୃଷ୍ଟି ହୋଇଛି।
ପୁଣି ଭାରତୀୟ ଧର୍ମଧାରାରେ ଶାଳଗ୍ରାମର ମାହାତ୍ମ୍ୟ ଅନନ୍ୟ। ‌ଐତିହାସିକ ତଥ୍ୟାନୁସାରେ, ବିଗତ ୨୦୦୦ ବର୍ଷରୁ ଅଧିକ ସମୟ ଧରି ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀ ଏହାକୁ ଈଶ୍ବରଙ୍କ ପ୍ରତିଭୂ ବିବେଚନା କରି ପୂଜା କରି ଆସୁଛନ୍ତି। ପ୍ରାଚୀନ ଧର୍ମଗ୍ରନ୍ଥ ଓ ପୁରାଣଗୁଡ଼ିକରେ ଶାଳଗ୍ରାମକୁ ‘ବିଷ୍ଣୁଶିଳା’ ଭାବେ ଅଭିହିତ କରାଯାଇଛି। ପଦ୍ମ ପୁରାଣ, ବରାହ ପୁରାଣ ଓ ବ୍ରହ୍ମ‌ବୈବର୍ତ୍ତ ପୁରାଣରେ ଏ ସଂପର୍କିତ ଉଲ୍ଲେଖ ରହିଛି। ସେହିପରି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ୧ ଲକ୍ଷ ୮ ହଜାର ଶାଳଗ୍ରାମ ସନ୍ନିବେଶିତ ରତ୍ନ ସିଂହାସନରେ ବିରାଜମାନ କରୁଛନ୍ତି ବୋଲି ଧର୍ମୀୟ ବିଶ୍ବାସ ରହିଛି। କେବଳ ସେତିକି ନୁହେଁ, ଶାଳଗ୍ରାମ ଶିଳା ଜୀବନ୍ତ ବୋଲି ମତବାଦ ରହିଛି। ଶାଳଗ୍ରାମ ଗର୍ଭରେ ବଜ୍ରକୀଟ ଅବସ୍ଥାନ କରିଥାଏ ଏବଂ ତାହାର ଗତିଶୀଳତା ରହିଛି ବୋଲି ହିନ୍ଦୁଧର୍ମାବଲମ୍ବୀଙ୍କ ଦୃଢ଼ ବିଶ୍ବାସ।

ଉଲ୍ଲେଖଯୋଗ୍ୟ, ରାମଜନ୍ମ ଭୂମି ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ପ୍ରତିମା ନିର୍ମାଣ ଲାଗି ନେପାଳରୁ ଯଥାକ୍ରମେ ୩୧ ଟନ୍‌ ଓ ୧୫ ଟନ୍‌ ଓଜନର ଦୁଇଟି ବିଶାଳ ଶାଳଗ୍ରାମ ଶିଳା ଅଣାଯାଇଥିଲା। ଏହି ଶିଳା ୧୪୦ ନିୟୁତ ବର୍ଷ ପ୍ରାଚୀନ ବୋଲି ବି‌େଶଷଜ୍ଞମାନେ ପ୍ରକାଶ କରିଥିଲେ। କିନ୍ତୁ ପରିତାପର ବିଷୟ ହେଉଛି, ଭବିଷ୍ୟତରେ ଏହି ଦୁର୍ଲଭ ଶିଳା ଗଣ୍ଡକୀ ନଦୀଶଯ୍ୟାରେ ଉପଲବ୍ଧ ହେବନାହିଁ ବୋଲି ଗବେଷକ ଓ ନୃତତ୍ତ୍ବବିତ୍‌ମାନେ ଆଶଙ୍କା ପ୍ରକାଶ କଲେଣି। ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଏବେ ସେଠାରେ ପ୍ରକୃଷ୍ଟ ଶାଳଗ୍ରାମ ମିଳିବା କଷ୍ଟସାଧ୍ୟ ହେଉଛି।

ବହୁଚର୍ଚ୍ଚିତ ୱାଲଟର୍ ରିପୋର୍ଟ

publive-image

ଏକ ଦଶକରୁ ଊର୍ଦ୍ଧ୍ବ ସମୟ ଧରି ଶାଳଗ୍ରାମ ଶିଳା ଉପରେ ଗବେଷଣା କରୁଥିବା ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ନୃତତ୍ତ୍ବବିତ୍‌ ହୋଲି ୱାଲ୍‌ଟର୍ସ ସଂପ୍ରତି ଏକ ଆଲେଖ୍ୟରେ ଚିନ୍ତାପ୍ରକଟ କରିଛନ୍ତି, ହୁଏତ ନିକଟ ଭବିଷ୍ୟତରେ ଶାଳଗ୍ରାମ ଶିଳାଟିଏ ପାଇବା ସହଜ ହେବନାହିଁ। ଉତ୍ତର ନେପାଳର ଦୁର୍ଗମ ଅଞ୍ଚଳ ମୁସ୍ତାଙ୍ଗରେ ପ୍ରବାହିତ କାଳୀ ଗଣ୍ଡକୀର କୂଳେ କୂଳେ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୩୦୦୦ ଫୁଟ୍‌ ଉପରେ ଅବସ୍ଥିତ ମୁକ୍ତିନାଥ ମନ୍ଦିର ପର୍ଯ୍ୟନ୍ତ ଆରୋହଣ କରିବା ପରେ ସେ ଏପରି ତଥ୍ୟ ବିଶ୍ବବାସୀଙ୍କ ସାମ୍ନାକୁ ଆଣିଛନ୍ତି। ନିଜ ଅନୁଭୂତି ବଖାଣି ସେ ଲେଖିଛନ୍ତି, ‘‘ହଜାର ହଜାର ମିଟର ଉଚ୍ଚରେ ଗିରିଶୃଙ୍ଗ ମଧ୍ୟଦେଇ ପ୍ରବାହିତ ହେଉଥିବା ଗଣ୍ଡକୀ ନଦୀର ଧାରେ ଧାରେ ଗଲାବେଳେ ମୁଁ ଦ୍ରୁତ ପ୍ରବହମାନ ଜଳସ୍ରୋତ ଭିତରେ ଶାଳଗ୍ରାମ ଖୋଜୁଥିଲି। କଦବା କ୍ବଚିତ୍‌ ତାହା ହାତରେ ପଡୁଥିଲା। ଗଭୀର ଅନୁଧ୍ୟାନ ପରେ ମୁଁ ନିଶ୍ଚିତ ହେଲି, ଜଳବାୟୁ ପରିବର୍ତ୍ତନ କାରଣରୁ ନଦୀଶଯ୍ୟା ପରିବର୍ତ୍ତିତ ହେଉଛି। ଏଥିସହ ବ୍ୟାପକ ବାଲି ଓ ପଥର ସଂଗ୍ରହ ନଦୀର ଗତିପଥକୁ ବଦଳାଇ ଦେଉଥିବାରୁ ବର୍ତ୍ତମାନ ଶାଳଗ୍ରାମ ଶିଳା ମିଳିବା ଅତ୍ୟନ୍ତ କଷ୍ଟକର।’’

ସେ ଆହୁରି ମଧ୍ୟ କହିଛନ୍ତି,“ଦକ୍ଷିଣ ତିବ୍ବତୀୟ ଉପତ୍ୟକାରେ ଥିବା ହିମବାହରୁ ବହି ଆସୁଥିବା ପାଣି ଗଣ୍ଡକୀ ନଦୀରେ ପ୍ରବାହିତ ହୋଇଥାଏ। ବିଶ୍ବତାପନ ଓ ଉତ୍ତପ୍ତୀକରଣ ଯୋଗୁ ଧୀରେ ଧୀରେ ହିମବାହଗୁଡ଼ିକ ବିଲୁପ୍ତ ହୋଇଯାଉଥିବା କାରଣରୁ ଗଣ୍ଡକୀ ନଦୀ କ୍ଷୀଣ ହୋଇଯାଉଛି। ନଦୀଶଯ୍ୟା ସଂକୁଚିତ ହେବାରୁ ଶାଳଗ୍ରାମ ରୂପାନ୍ତରଣ ପ୍ରକ୍ରିୟା ସଂଘଠିତ ହୋଇପାରୁନାହିଁ। ବର୍ଷ ବର୍ଷ ଧରି ଗତିଶୀଳ ଶୀତଳ ଜଳସ୍ରୋତ ସଂସ୍ପର୍ଶରେ ଆସିବା ପରେ ଆମୋନାଇଟ୍ ଜୀବାଶ୍ମ ଶାଳଗ୍ରାମରେ ରୂପାନ୍ତରିତ ହୋଇଥାଏ। ବର୍ତ୍ତମାନ ଜଳସ୍ରୋତ ଦୂରେଇ ଗଲାଣି। ଏଣୁ ପ୍ରତିବର୍ଷ ପବିତ୍ର ଶାଳଗ୍ରାମ ଶିଳା ପାଇବା କଠିନରୁ କଠିନତର ହୋଇଚାଲିଛି। ସଙ୍କଟଜନକ ସ୍ଥିତିକୁ ଠେଲି ହୋଇଯାଉଛି ଶାଳଗ୍ରାମ।”
କେବଳ ଗଣ୍ଡକୀ ନୁହେଁ, ଦାମୋଦର କୁଣ୍ଡ ବି କେବଳ ଜଳବାୟୁ ପରିବର୍ତ୍ତନ ଭଳି ପ୍ରାକୃତିକ ସଂକଟ ନୁହେଁ, ମନୁଷ୍ୟକୃତ କାରଣରୁ ମଧ୍ୟ ଗଣ୍ଡକୀ ନଦୀଶଯ୍ୟା ବଦଳିବା ସହ ସଂକୁଚିତ ହେଉଛି। ଏ ପ୍ରସଙ୍ଗରେ ନେପାଳ ଜଳସଂପଦ ଗବେଷକ ଗୋରେଲ ଥାମାଙ୍ଗ କହନ୍ତି, “ଗଣ୍ଡକୀ ନଦୀର ଶୋଷଣ ଅବାରିତ ଭାବରେ ଜାରି ରହିଛି। ଏହି ନଦୀର ସୁରକ୍ଷା ସକାଶେ ଗଣ୍ଡକୀ ପ୍ରାଦେଶିକ ସରକାର ନଦୀ ଆଧାରିତ ପଦାର୍ଥଗୁଡ଼ିକର ଖନନ ଓ ଆହରଣକୁ ପ୍ରତିହତ କରିବାକୁ ମାର୍ଗଦର୍ଶିକାମାନ ଜାରି କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନାହିଁ। ମାଫିଆମାନେ ନାମକୁମାତ୍ର ଟେଣ୍ଡର୍‌ ନେଇ ସ୍ପଷ୍ଟ ଦିବାଲୋକରେ ନଦୀ ଶଯ୍ୟାରେ ମିଳୁଥିବା ବାଲି, ପଥର ଭଳି ବିଭିନ୍ନ ସାମଗ୍ରୀର ବେଆଇନ ଆହରଣ ଜାରି ରଖିଛନ୍ତି। ଗଣ୍ଡକୀ ଶୋଷଣର ମୂକ ଦର୍ଶକ ସାଜିଛନ୍ତି ସରକାର। ଦୁର୍ଭାଗ୍ୟର ବିଷୟ ଯେ ବାଗ୍‌ଲୁଙ୍ଗ ଓ ଅନ୍ୟ ପାର୍ବତ୍ୟ ଜିଲ୍ଲାଗୁଡ଼ିକୁ ଯୋଡ଼ିବା ସକାଶେ ନିର୍ମାଣ କରାଯାଇଥିବା ସେତୁ ନିକଟରୁ ବ୍ୟାପକ ପଥର ଖନନ କରାଯାଉଛି। ଯଦି ଏହି ଧାରା ଲାଗିରହେ ତେବେ ଗଣ୍ଡକୀ ଓ ଶାଳଗ୍ରାମ କେବଳ ପୋଥିପୁରାଣରେ ଆଉ କିଛି ବର୍ଷ ମଧ୍ୟରେ ସୀମିତ ରହିଯିବେ।”

କେବଳ ଗଣ୍ଡକୀ ନଦୀଶଯ୍ୟା ନୁହେଁ, ନେପାଳର ଉପର ମୁସ୍ତାଙ୍ଗରେ ଥିବା ଦାମୋଦର କୁଣ୍ଡ ହ୍ରଦ ନିକଟରୁ ମଧ୍ୟ ଶାଳଗ୍ରାମ ମିଳିଥାଏ। ସମୁଦ୍ର ପତ୍ତନଠାରୁ ୪୮୯୦ ମିଟର ଉଚ୍ଚରେ ଥିବା ଏହି ହ୍ରଦ ହିମବାହରୁ ପ୍ରବାହିତ ଜଳରୁ ସୃଷ୍ଟ। ଅନ୍ୟପକ୍ଷରେ ଦାମୋଦର କୁଣ୍ଡ ହ୍ରଦରୁ ନିମ୍ନଗାମୀ ପ୍ରବାହରେ ବହି ଯାଉଥିବା ଜଳ ଗଣ୍ଡକୀରେ ମିଶିଥାଏ। ଏହା ଗଣ୍ଡକୀ ଓ କାଳୀ ଗଣ୍ଡକୀର ମୁଖ୍ୟ ଜଳଉତ୍ସ ଭାବେ ପରିଗଣିତ। ନୃତତ୍ତ୍ବବିତ୍‌ ହୋଲି ୱାଲ୍‌ଟର୍‌ଙ୍କ ତଥ୍ୟ ଅନୁସାରେ ଦାମୋଦର କୁଣ୍ଡର ଶଯ୍ୟା ଆମୋନାଇଟ୍ ଜୀବାଶ୍ମରେ ଗଠିତ। ତେଣୁ ସେଠାରୁ ମଧ୍ୟ ଶାଳଗ୍ରାମ ମିଳିଥାଏ। ଏହି ହ୍ରଦରେ ସ୍ନାନ କଲେ ମଣିଷ ପାପମୁକ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେଣୁ ଅତୀତରେ ବହୁ ତୀର୍ଥଯାତ୍ରୀ ପର୍ବତାରୋହଣ କରି ସେଠାକୁ ଯାଉଥିଲେ। ମାତ୍ର ବର୍ତ୍ତମାନ ନେପାଳ ସରକାର ଏହାକୁ ‘ନିଷିଦ୍ଧାଞ୍ଚଳ’ ଘୋଷଣା କରିଛନ୍ତି। ଚୀନ୍‌ ତିବ୍ବତକୁ ଅକ୍ତିଆର କରିବା ପରେ ଉପର ମୁସ୍ତାଙ୍ଗ ଏକ ସ୍ପର୍ଶକାତର ଅଞ୍ଚଳ ଭାବେ ପରିଗଣିତ ହେଉଛି। ୧୯୫୦ ମସିହାରେ ସଂପୂର୍ଣ୍ଣ ମୁସ୍ତାଙ୍ଗକୁ ଯାତ୍ରା ନିଷିଦ୍ଧ ହେବା ପରେ ୧୯୯୨ରେ ତଳ ମୁସ୍ତାଙ୍ଗ ତୀର୍ଥଯାତ୍ରୀଙ୍କ ଲାଗି ଉନ୍ମୁକ୍ତ ହୋଇଥିଲା।

ଶେ‌ଷ ଆଶା ମୁକ୍ତିନାଥ
ଶାଳଗ୍ରାମ ଶିଳା ପ୍ରାପ୍ତି ଆଶାରେ ତୀର୍ଥଯାତ୍ରା କରୁଥିବା ଲୋକଙ୍କ ଶେଷ ଲକ୍ଷ୍ୟସ୍ଥଳ ମୁକ୍ତିନାଥ ମନ୍ଦିର। ଏଠାରେ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀମାନଙ୍କର ପୂଜାସ୍ଥଳୀ ରହିଛି । ୧୦୮ଟି ପ୍ରାକୃତିକ ଜଳଫୁଆରା ଥିବା ମୁକ୍ତିନାଥରେ ଯଦି କେହି ତୀର୍ଥଯାତ୍ରୀ ଶାଳଗ୍ରାମ ପାଇଥାନ୍ତି ତେବେ ସେଠାରେ ବୁଡ଼ ପକାଇ ସ୍ନାନ କରିବା ପରମ୍ପରା ରହିଛି। ଏଠାରେ ଭଗବାନ ବିଷ୍ଣୁ ପୂଜିତ ଏବଂ ଶାଳଗ୍ରାମ ଚତୁର୍ଥୀ ତତ୍ତ୍ବ ରୂପେ ପୂଜା ପାଇଥାନ୍ତି ବୋଲି ସ୍ଥାନୀୟ ପର୍ଯ୍ୟଟନ ଗାଇଡ୍‌ ଆଦିନାଥ ପୋଖରଲ କହନ୍ତି। ବର୍ତ୍ତମାନ ସେଠାରେ ନେପାଳ ସରକାର ବିଶ୍ବର ସର୍ବବୃହତ୍‌ ବୁଦ୍ଧମୂର୍ତ୍ତି ସ୍ଥାପନ କରିଛନ୍ତି ଏବଂ ମୁକ୍ତିନାଥ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ ହେଉଛି। ଏହି କାରଣରୁ ମୁକ୍ତିନାଥ ଚଉହଦିରେ ଶାଳଗ୍ରାମ ମଳିବାର ଆଶା ପ୍ରାୟତଃ ମଉଳି ଯାଇଛି।