ସ୍ବାଧୀନ ଭାରତର ପ୍ରଥମ ନାଗରିକ କହିଲେ ଆମେ ରାଷ୍ଟ୍ରର ସାମ୍ବିଧାନିକ ମୁଖ୍ୟ ମହାମାନ୍ୟ ରାଷ୍ଟ୍ରପତିଙ୍କୁ ବୁଝୁ। କିନ୍ତୁ ସ୍ବାଧୀନ ଭାରତର ପ୍ରଥମ ମତଦାତା!
ହଁ, ଭାରତୀୟ ନିର୍ବାଚନ କମିସନ୍‌ ବ୍ୟାପକ ଅନୁସନ୍ଧାନ ପରେ ଆନୁଷ୍ଠାନିକ ଭାବରେ ଏଭଳି ମାନ୍ୟତା ଦେଇଛନ୍ତି ହିମାଚଳ ପ୍ରଦେଶର ଶ୍ୟାମ ଶରଣ ନେଗିଙ୍କୁ। କିନ୍ନୌର ଜିଲ୍ଲାର କଳ୍ପା ଗ୍ରାମର ମତଦାତା ଶ୍ରୀ ନେଗି ବୃତ୍ତିରେ ଶିକ୍ଷକ ହୋଇଥିବାରୁ ଲୋକମୁଖରେ ତାଙ୍କର ନାଁ ଶ୍ୟାମମାଷ୍ଟ୍ରେ। ୨୦୧୦ ମସିହାରେ ଭାରତୀୟ ନିର୍ବାଚନ କମିସନର ହୀରକ ଜୟନ୍ତୀ ବର୍ଷ ପାଳନ ଅବସରରେ ତତ୍କାଳୀନ ମୁଖ୍ୟ ନିର୍ବାଚନ କମିସନର ନବୀନ ଚାୱଲା ଶ୍ୟାମମାଷ୍ଟ୍ରେଙ୍କ ଘରକୁ ଆସି ତାଙ୍କୁ ସ୍ବାଧୀନ ଭାରତର ପ୍ରଥମ ମତଦାତା ହିସାବରେ ସମ୍ମାନିତ କରିଥିଲେ। ୨୦୧୪ ମସିହାରେ ତାଙ୍କୁ ନିର୍ବାଚନ କମିସନ୍‌ ତରଫରୁ ମତଦାନ ସତେଚନତା କାର୍ଯ୍ୟକ୍ରମର ବ୍ରାଣ୍ଡ୍ ଆମ୍ବାସଡର୍ ଭାବେ ମଧ୍ୟ ନାମିତ କରାଯାଇଥିଲା।

Advertisment

ସେ କହନ୍ତି, ‘‘ସ୍ବାଧୀନ ତ ଆମେ ହେଲେ। ମାତ୍ର ସ୍ବାଧୀନତାର ସଜାଗ ପ୍ରହରୀ ରୂପେ ନିର୍ବାଚନରେ ଆମେ ଯଦି ମତଦାନ ଅଧିକାର ସାବ୍ୟସ୍ତ ନ କରିବା, ସେ ସ୍ବାଧୀନତାର କି ମୂଲ୍ୟ?’’

ଘଟଣାଟି ଏହିପରି। ସ୍ବାଧୀନ ଭାରତର ସମ୍ବିଧାନ ୧୯୫୦ ଜାନୁଆରି ୨୬ରେ ଲାଗୁହେବା ପରେ ଦେଶର ସମସ୍ତ ସାବାଳକ ନାଗରିକଙ୍କୁ ଭୋଟ୍‌ଦାନ ଅଧିକାର ମିଳିଲା। ମତଦାତା ସୂଚୀ ଓ ଅନ୍ୟାନ୍ୟ ବିଧିବ୍ୟବସ୍ଥା ପ୍ରସ୍ତୁତ ହେବାପରେ ସ୍ବାଧୀନ ଭାରତର ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ୧୯୫୨ ଜାନୁଆରି-ଫେବ୍ରୁଆରିରେ ପ୍ରଥମ ସାଧାରଣ ନିର୍ବାଚନ ହେବାର ସ୍ଥିର ହେଲା। ମାତ୍ର ସେ ସମୟରେ ପ୍ରଚଣ୍ଡ ଶୀତ ଓ ତୁଷାରପାତ କାରଣରୁ ହିମାଳୟର ବରଫାବୃତ ଅଞ୍ଚଳଗୁଡ଼ିକରେ ନିର୍ବାଚନ କରାଇବା ସମ୍ଭବ ନ ଥିଲା। ଏଣୁ ଏହିସବୁ ଅଞ୍ଚଳ ପାଇଁ ମତଦାନ ତାରିଖକୁ ପ୍ରାୟ ୪ ମାସ ଆଗେଇ ଦେଇ ୧୯୫୧ ଅକ୍‌ଟୋବର ମାସରେ କରିବା ପାଇଁ ନିଷ୍ପତ୍ତି ହେଲା। ସେହି ହିସାବରେ ହିମାଚଳ ପ୍ରଦେଶ‌ର କିନ୍ନୌର ଅଞ୍ଚଳରେ ସର୍ବପ୍ରଥ‌ମ ନିର୍ବାଚନ ହୋଇଥିଲା ୧୯୫୧ ମସିହା ଅକ୍ଟୋବର ମାସ ୨୫ ତାରିଖରେ। କଳ୍ପା ଗ୍ରାମ‌ର ଶ୍ୟାମ ଶରଣ ନେଗି (ଜନ୍ମ ୧୯୧୭)ଙ୍କୁ ସେତେବେଳେ ମାତ୍ର ୩୪ ବର୍ଷ ବୟସ। ସେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହୋଇଥିବାରୁ ତାଙ୍କର ନିର୍ବାଚନ ପରିଚାଳନା ଡ୍ୟୁଟି ପଡ଼ିଥାଏ। ଶ୍ୟାମମାଷ୍ଟ୍ରେ ମନେପକାଇ କହନ୍ତି ଯେ, ତାଙ୍କ ଟିମ୍‌କୁ ୧୦ ଦିନ ଧରି ହିମାଚଳର ବିଭିନ୍ନ ପାର୍ବତ୍ୟ ଅଞ୍ଚଳକୁ ଯାଇ ମତଦାନ କରାଇବାର ଥାଏ। ଭୋଟ୍‌ଦାନର ପ୍ରଥମ ଦିନ ସେ ସକାଳୁ ସକାଳୁ ସର୍ବପ୍ରଥମ ଭୋଟ୍‌ଟି ଦେଇଥିଲେ ସୋନଥଙ୍ଗ୍ ମତଦାନ କେନ୍ଦ୍ରରେ।

କିନ୍ନୌର ଜିଲ୍ଲାର କଳ୍ପା ଗ୍ରାମର ମତଦାତା ଶ୍ରୀ ନେଗି ବୃତ୍ତିରେ ଶିକ୍ଷକ ହୋଇଥିବାରୁ ଲୋକମୁଖରେ ତାଙ୍କର ନାଁ ଶ୍ୟାମମାଷ୍ଟ୍ରେ। ୨୦୧୦ ମସିହାରେ ଭାରତୀୟ ନିର୍ବାଚନ କମିସନର ହୀରକ ଜୟନ୍ତୀ ବର୍ଷ ପାଳନ ଅବସରରେ ତତ୍କାଳୀନ ମୁଖ୍ୟ ନିର୍ବାଚନ କମିସନର ନବୀନ ଚାୱଲା ଶ୍ୟାମମାଷ୍ଟ୍ରେଙ୍କ ଘରକୁ ଆସି ତାଙ୍କୁ ସ୍ବାଧୀନ ଭାରତର ପ୍ରଥମ ମତଦାତା ହିସାବରେ ସମ୍ମାନିତ କରିଥିଲେ।

publive-image

ହିମାଚଳ ପ୍ରଦେଶ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ କହନ୍ତି ଯେ, ନିର୍ବାଚନ କମିସନ୍‌ଙ୍କ ନିର୍ଦ୍ଦେଶରେ ୨୦୦୭ରୁ ସ୍ବାଧୀନ ଭାରତର ପ୍ରଥମ ମତଦାତାଙ୍କୁ ଚିହ୍ନଟ କରିବାର ଉଦ୍ୟମ ଆରମ୍ଭ ହୋଇଥିଲା ଏବଂ ଏହା ନିର୍ଦ୍ଦିଷ୍ଟ ଭାବେ ପ୍ରମାଣିତ ହେବାପରେ ୨୦୧୦ରେ ଦେଶର ତତ୍କାଳୀନ ମୁଖ୍ୟ ନିର୍ବାଚନ କମିସନର୍‌ ୯୪ ବର୍ଷ ବୟସ୍କ ନେଗିଙ୍କୁ ତାଙ୍କ ଘରେ ଭେଟି ସମ୍ମାନିତ କରିଥିଲେ।
ମଜାକଥାଟି ହେଲା ଯେ ଶ୍ରୀ ନେଗି ୧୯୫୧ ପରଠାରୁ ତାଙ୍କ ଅଞ୍ଚଳରେ ଲୋକସଭା, ବିଧାନସଭା ବା ପଞ୍ଚାୟତ ଆଦି ଯେ‌ତେ ବି ନିର୍ବାଚନ ହୋଇଛି, ସବୁଥର ମତଦାନ କରିଛନ୍ତି। ନିର୍ବାଚନ କମିସନ୍ ତାଙ୍କୁ ବ୍ରାଣ୍ଡ୍ ଆମ୍ବାସଡର୍‌ ରୂପେ ନିଯୁକ୍ତ କରିବା ପରେ ସେ ଅନେକ ସଚେତନତା ଭିଡିଓରେ ଅଭିନୟ ଓ କଣ୍ଠଦାନ କରିଛନ୍ତି। ତାଙ୍କୁ ନେଇ ଗୁଗୁଲ୍‌ ଦ୍ବାରା ‘ପ୍ଲେଜ୍ ଟୁ ଭୋଟ୍‌’ ନାମରେ ନିର୍ମିତ ଏକ ଭିଡିଓ ସିରିଜ୍ ଏବେ ବି ୟୁ-ଟ୍ୟୁବ୍‌ରେ ଉପଲବ୍ଧ।
ଏ ଏକ ବିରଳ ଗୌରବ। ଅତ୍ୟନ୍ତ ସରଳ ଗାଉଁଲି ଜୀବନ ଜିଇଁଥିବା ଶ୍ୟାମମାଷ୍ଟ୍ରେ ହୁଏତ କଳ୍ପନା ବି କରି ନ ଥିବେ ଯେ ପରିଣତ ବୟସରେ ତାଙ୍କୁ ଏଭଳି ଏକ ବିରଳ ମାନ୍ୟତା ମିଳିବ ବୋଲି। ୨୦୧୭ ହିମାଚଳ ବିଧାନସଭା ନିର୍ବାଚନ ଅବସରରେ ପ୍ରସ୍ତୁତ ଏକ ଭିଡ଼ିଓ ସାକ୍ଷାତ୍‌କାରରେ ସେ କହିଥିଲେ, ‘‘୧୦୦ ବର୍ଷ ବୟସରେ ଏଥର ଭୋଟ୍‌ ଦେଲି। ଏବେ କେଉଁ ମୁହୂର୍ତ୍ତରେ ଆରପାରିରୁ ଡାକରା ଆସିପାରେ। ହେଲେ ମୋର ଇଚ୍ଛା, ଆଉ ଥରେ ଭୋଟ୍‌ ଦେଇସାରି ଯାଆନ୍ତି।’’ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କର ଏଇ ଇଚ୍ଛାଟି ମଧ୍ୟ ପୂରଣ ହୋଇଥିଲା। ପ୍ରାକୃତିକ ପରିବେଶରେ ନିରଳସ ଜୀବନ ଜିଇଁଥିବା ଶ୍ୟାମମାଷ୍ଟ୍ରେ ବଞ୍ଚିଥିଲେ ୨୦୨୨ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ। ମୃତ୍ୟୁର ଠିକ୍ ତିନିଦିନ ପୂର୍ବରୁ ନଭେମ୍ବର ୨ ତାରିଖରେ ପାଖାପାଖି ୧୦୬ ବର୍ଷ ବୟସରେ ସେ ଶେଷଥର ପାଇଁ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନରେ ମତଦାନ କରିଥିଲେ ପୋଷ୍ଟାଲ୍‌ ବାଲଟ୍ ମାଧ୍ୟମରେ। ସେଦିନ କିନ୍ନୌର ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ ଆସିଥିଲେ ତାଙ୍କ ଘରକୁ ଏବଂ ରେଡ୍ କାର୍ପେଟ୍ ଅଭ୍ୟର୍ଥନା ମଧ୍ୟରେ ସ୍ବାଧୀନ ଭାରତର ପ୍ରଥମ ମତଦାତା ଶ୍ୟାମମାଷ୍ଟ୍ରେ ତାଙ୍କ ଜୀବନର ଶେଷ ମତଦାନ କରିଥିଲେ। ତାଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରାୟ ସମସ୍ତ ରାଜନୈତିକ ଦଳର ତୁଙ୍ଗ ନେତୃବୃନ୍ଦ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୁଖ୍ୟ ନିର୍ବାଚନ କମିସନର୍‌ ରାଜୀବ କୁମାର ମଧ୍ୟ ଅନ୍ତ୍ୟେଷ୍ଟିରେ ଯୋଗ ଦେଇଥିଲେ। କାରଣ ସେ ଥିଲେ ସ୍ବାଧୀନ ଭାରତର ପ୍ରଥମ ମୁକ୍ତ ଓ ଅବାଧ ନିର୍ବାଚନର ପ୍ରଥମ ମତଦାତା, ଯେ କି ତାଙ୍କ ଜୀବନକାଳ ମଧ୍ୟରେ ଗୋଟିଏ ବି ମତଦାନର ସୁଯୋଗ ହାତଛଡ଼ା ନ କରି ‌ମୋଟ୍‌ ୩୪ଥର ଭୋଟ୍ ଦେଇଛନ୍ତି। ସେ ହିଁ ଆମ ସମସ୍ତଙ୍କ ପାଇଁ ନାଗରିକ ଦାୟିତ୍ବବୋଧର ସର୍ବଶ୍ରେଷ୍ଠ ପ୍ରତୀକ।