ଏମିତି ଗାଁ ଯେଉଁଠି କାହାରି ଘରେ କବାଟ ନାହିଁ, ଦୋକାନରେ ତାଲା ନାହିଁ, ବ୍ୟାଙ୍କ୍‌ ପଡ଼ିଛି ଖୋଲା; ଟଙ୍କାଟିଏ ବି ହୁଏ ନାହିଁ ଚୋରି

ମୁମ୍ବାଇ: ‘ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର’। ଯେଉଁଠି ବିଶ୍ୱାସ ଅଛି ସେଠି ତର୍କର ଆବଶ୍ୟକତା ପଡ଼େ ନାହିଁ। ଯେଉଁଠି ତର୍କ ଥାଏ ସେଠି ବିଶ୍ୱାସ ଦୁର୍ବଳ ହୋଇଯାଏ। ଏମିତି ଏକ କଥାର ଜ୍ୱଳନ୍ତ ଉଦାହରଣ ବି ରହିଛି।

ମହାରାଷ୍ଟ୍ରର ଅହମ୍ମେଦନଗର ଜିଲ୍ଲାରେ ସନି ସିଙ୍ଗ୍‌ନାପୁର ନାମରେ ଏକ ଗ୍ରାମ ରହିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେହି ଗ୍ରାମର ଗୋଟାଏ ବି ଘର ଦୁଆରେ କବାଟ ନାହିଁ। ଗ୍ରାମଟି ସନି ଦେବ ତଥା ଗ୍ରହମାନଙ୍କ ଭିତରୁ ସବୁଠାରୁ ଶକ୍ତିଶାଳୀ ଗ୍ରହ ସନିଙ୍କ ପାଇଁ ପ୍ରସିଦ୍ଧ। ଏହି ସିଙ୍ଗ୍‌ନାପୁର ଗ୍ରାମଟି ଅହମ୍ମେଦନଗର ଜିଲ୍ଲାଠାରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ। ଏହି ଗ୍ରାମର ଲୋକେ ପାଣି ପାଇଁ ମୁଖ୍ୟତଃ କୁଅ ଉପରେ ନିର୍ଭର କରନ୍ତି।

ଗ୍ରାମବାସୀଙ୍କର ବିଶ୍ୱାସ ରହିଛି ଯେ ଯଦି କେହି ଚୋର ଚୋରି କରନ୍ତି ତେବେ ତାଙ୍କୁ ସନି ଦେବ ଦଣ୍ଡ ଦେବେ। ସେହି ବିଶ୍ୱାସରେ ସେମାନେ ପ୍ରାଚୀନ କାଳରୁ ନେଇ ଏଯାବତ୍‌ କବାଟ ବ୍ୟବହାର କରନ୍ତି ନାହିଁ। ପୂରା ଗାଁଟା ଯାକ ଲୋକଙ୍କ ଘର ଏକଦମ ମୁକୁଳା। ଖାଲି ବ୍ୟକ୍ତିଗତ ଘର ନୁହେଁ, ଦୋକାନଗୁଡ଼ିକୁ ମଧ୍ୟ ସେହି ବିଶ୍ୱାସରେ ଫୁଙ୍ଗୁଳା ରଖାଯାଏ।

ପୂର୍ବରୁ କେତେକ ଚୋର ଚୋରି କରିବା ପରେ ଝାଡ଼ାବାନ୍ତିର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି ବୋଲି ଗ୍ରାମର ବୟସ୍କ ବ୍ୟକ୍ତିଙ୍କ ମୁହଁରୁ ଶୁଣିବାକୁ ମିଳେ। ଅନେକ ଚୋର ଶନି ଦେବଙ୍କ ଦ୍ୱାରା ଦଣ୍ଡିତ ହେବା ପରେ ସେହି ଗ୍ରାମରୁ ଚୋରି ପୂରାପୂରି ଭାବେ ଲୋପ ପାଇଯାଇଛି।

ବିଶ୍ୱାସ କରାଯାଏ ଯେ କଳିଯୁଗ ଆରମ୍ଭରୁ ସନି ଦେବଙ୍କ ଏକ ମୂର୍ତ୍ତି ସାହି ଗ୍ରାମରୁ ମିଳିବା ପରେ ଲୋକେ ତାହାକୁ ସ୍ଥାପନ କରି ପୂଜାର୍ଚ୍ଚନା କରି ଆସୁଛନ୍ତି। ଜଣେ ମେଷ ଚାଳକ ଦିନେ ଲୁହା ରଡ ସାହାଯ୍ୟରେ ମାଟିକୁ ରାମ୍ପୁଡ଼ିବା ବେଳେ ତାଙ୍କ ରଡ୍‌ରେ ରକ୍ତ ଦିଶିଲା। ଦେ ସେହି ସ୍ଥାନକୁ ଖୋଳିବାରୁ ମିଳିଲା ସନି ଦେବଙ୍କ ମୂର୍ତ୍ତି। ପଥର ମୂର୍ତ୍ତିରୁ ରକ୍ତ ଝରୁଥିବାର ଦେଖି ଲୋକଙ୍କ ବିଶ୍ୱାସ ଦୃଢ଼ିଭୂତ ହେବା ପରେ ସେହି ଦିନଠାରୁ ସେ ଗ୍ରାମର ନାମ ସନି ସିଙ୍ଗ୍‌ନାପୁର ହେବା ସହ ସେହି ଗ୍ରାମର ରକ୍ଷକ ପାଲଟି ଯାଆନ୍ତି ସ୍ୱୟଂ ସନି ଦେବ। ଖାଲି ସେତିକି ନୁହେଁ, ଦିନେ ରାତିରେ ସନି ଦେବ ଗ୍ରାମର ଜଣେ ବୟସ୍କ ଲୋକଙ୍କୁ ତାଙ୍କ ଉପସ୍ଥିତ ସଂପର୍କରେ ସ୍ୱପ୍ନରେ ଆସି ସୂଚନା ବି ଦେଇଥିଲେ।

ସନି ଦେବ ସ୍ୱପ୍ନରେ ଗ୍ରାମର ସେହି ବୃଦ୍ଧ ବ୍ୟକ୍ତିଙ୍କୁ କହିଥିଲେ କି ତାଙ୍କୁ କୌଣସି ମନ୍ଦିର ମଧ୍ୟରେ ନ ରଖି ଖୋଲା ଛାତ ତଳେ ରଖିବା ପାଇଁ। ଆପଣ ଜାଣିଥିବେ ନିଶ୍ଚୟ ସୂର୍ଯ୍ୟୋ ଦେବତା ଓ ଛାୟା ଦେବୀଙ୍କ ପୁତ୍ର ହେଉଛନ୍ତି ସନି ଦେବ। ସେ ବାହାରେ ରହିଲେ ହିଁ ନିଜ ବାପାମାଆଙ୍କ ଉପସ୍ଥିତକୁ ଅନୁଭବ କରିବେ ବୋଲି ସୂଚନା ଦେଇ ମନ୍ଦିର ନିର୍ମାଣ ପାଇଁ ବାରଣ କରିଥିଲେ। ଆପଣ ସେହି ସ୍ଥାନକୁ ଗଲେ ନିଶ୍ଚୟ ଜାଣିପାରିବେ ଯେ ସନି ଦେବ ଗୋଟାଏ ଦିନ ମଧ୍ୟରେ ନିଜ ବାପାମାଆଙ୍କ ଉପସ୍ଥିତକୁ ଏକାକାଳୀନ ଅନୁଭବ କରନ୍ତି। ଗୋଟାେଏ ସମୟରେ ସେହି ମୂର୍ତ୍ତି ଉପରେ ସୂର୍ଯ୍ୟୋକିରଣ ପଡୁଥିବା ବେଳେ ଅନ୍ୟ ସମୟରେ ଛାଇ(ଛାୟାଦେବୀ) ପଡ଼ିଥାନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨୦୧୦ ଓ ୨୦୧୧ ମସିହାରେ ସେହି ଗ୍ରାମରେ ଚୋରି ହୋଇଛି ବୋଲି ୨ଟି ରିପୋର୍ଟ ଲେଖା ଯାଇଥିଲେ ବି ତାହାର ସତ୍ୟାସତ୍ୟ ଏଯାବତ୍‌ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର