ଶାନ୍ତନୁଙ୍କ ବିୟୋଗ ଓଡ଼ିଶା ମାଟିର ସବୁଠାରୁ ବଡ଼ କ୍ଷତି

ଶାନ୍ତନୁ ମହାପାତ୍ର ଜଣେ ଉଦାର, ଦୟାଳୁ ଓ ପ୍ରଜ୍ଞାବାନ ବ୍ୟକ୍ତି ଥିଲେ। ମୁଁ ବି ଓକିଲାତି କରିଥିଲି, କିନ୍ତୁ ଓକିଲାତି ସହ ସଙ୍ଗୀତ ସମ୍ଭବ ହେଲାନି। କିନ୍ତୁ ସଙ୍ଗୀତ ସହ ଚାକିରିକୁ ସେ ବେଶ୍‌ ସୁନ୍ଦର ଭାବେ ସମ୍ଭାଳି ପାରିଥିଲେ। ତାଙ୍କର ସାହିତ୍ୟ ଜ୍ଞାନ, ପାଣ୍ଡିତ୍ୟ ଓ ଦାନୀଗୁଣ ଦେଖିଲେ ସତରେ ଆଶ୍ଚର୍ଯ୍ୟ ଲାଗେ। ଜୀବନସାରା ସେ କେବଳ ସାଧନା କରିଛନ୍ତି। ନିଜ ପରିବାର, ଚାକିରି ଓ ସାହିତ୍ୟକୁ ନିଜର ଶତପ୍ରତିଶତ ଦେଇ ନିଜ କର୍ତ୍ତବ୍ୟ ସମ୍ପାଦିକ କରିଛନ୍ତି। ହାର୍‌ମୋନିୟମ୍‌ରେ ତାଙ୍କର ଅଦ୍ଭୁତପୂର୍ବ ସଙ୍ଗୀତ ସଂଯୋଜନାରେ ଯେ କେହି ବି ସମ୍ମୋହିତ ହୋଇଯିବ। ତାଙ୍କ ବିୟୋଗ ଓଡ଼ିଶା ମାଟିର ସବୁଠାରୁ ବଡ଼ କ୍ଷତି
ପ୍ରଫୁଲ୍ଲ କର, ବିଶିଷ୍ଟ ସଙ୍ଗୀତଜ୍ଞ

ଯୁଗର ଅବସାନ ଘଟିଛି
ଶାନ୍ତନୁ ବା ବାବନା ନା’ ଓ ମୋ ସମ୍ପର୍କ ସମସ୍ତଙ୍କୁ ଜଣା। ତାଙ୍କର ଅଧିକାଂଶ ଚଳଚ୍ଚିତ୍ରରେ ମୁଁ ହିଁ ଗୀତ ଗାଇଛି। ଆମେ ସମାନ ବୟସର ହୋଇଥିଲେ ବି ସେ ମୋତେ ସାନ ଭାଇ ଭଳି ବ୍ୟବହାର କରନ୍ତି। ସେ ନିଜେ ଶିକ୍ଷିତ ସଂଭ୍ରମ ଏଥିସହ ନିଜ ଭାଇ, ଭଉଣୀ ଓ ସନ୍ତାନମାନଙ୍କୁ ବି ଉଚ୍ଚ ଶିକ୍ଷିତ କରିଛନ୍ତି। ତାଙ୍କ ବିୟୋଗ ମୋ ପାଇଁ ଅତ୍ୟନ୍ତ କଷ୍ଟଦାୟକ। ଏକାବେଳେ ସଙ୍ଗୀତ ଜୀବନରେ ପାଦ ଥାପିଥିବା ଆମେ ଦୁଇ ଜଣ ଯେମିତି ପରସ୍ପରର ପରିପୂରକ। ତାଙ୍କ ମୃତ୍ୟୁରେ ଆଜି ଗୋଟିଏ ଯୁଗର ଅବସାନ ଘଟିଛି।
ପ୍ରଣବ ପଟ୍ଟନାୟକ, ସଙ୍ଗୀତଜ୍ଞ

ଗୋଟିଏ
ଶାନ୍ତୁନ୍ତ ମହାପାତ୍ର ଏମିତି ଜଣେ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଯିଏ କି ଜଣେ ଉଚ୍ଚପଦସ୍ଥ ଅଧିକାରୀ ହୋଇ ମଧ୍ୟ ସମାନ୍ତରାଳ ଭାବେ ସଙ୍ଗୀତ ଓ ଚାକିରିକୁ ସମ୍ଭାଳିଛନ୍ତି। ସେ କେବେ ଓଡ଼ିଶାବାସୀଙ୍କୁ ନିଜ ଚାକିରିର ଦ୍ବାହି ଦେଇ ସଙ୍ଗୀତ ସହ ଛଳନା କରିନାହାନ୍ତି। ଉଭୟରେ ସେ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି। ‌ମୋର ତାଙ୍କ ସହ ଏକ ଅନୁଭୂତି ମନେ ପଡ଼ୁଛି, ବାରପଦାରେ ଏକ ସମ୍ବର୍ଦ୍ଧନା ଉତ୍ସବକୁ ମୁଁ ଯାଉଥାଏ। ସମ୍ବର୍ଦ୍ଧନା ନେଇ ଫେରିଲା ବେଳେ ସେ ମୋତେ କହିଥିଲେ, ପ୍ରେମ୍‌ ତୁମେ ସବୁବେଳେ ସଙ୍ଗୀତରେ ତୁମର ଏହି ଶୈଳୀ ବଜାୟ ରଖିବ। ଏହା ଭିନ୍ନ ସ୍ବାଦର। ଏଣୁ ଶ୍ରୋତାଙ୍କ ସହ ତୁମେ ତୁମ ପ୍ରତିଭାକୁ ବି ନ୍ୟାୟ ଦେଇପାରିବ। ଏହି କଥା ତାଙ୍କର ମୋର ଆଜି ଯାଏ ମନେ ରହିଛି। ତାଙ୍କ ଆଶୀର୍ବାଦ ଓ ପ୍ରେରଣାରୁ ମୁଁ ଆଜି ଓଡ଼ିଶାବାସୀଙ୍କ ଶ୍ରଦ୍ଧା ସାଉଁଟିପାରିଛି।
ପ୍ରେମ ଆନନ୍ଦ, ସଙ୍ଗୀତ ନିର୍ଦ୍ଦେଶକ

‘ଗୋଲାମଗିରି’ର ୬ଟି ଯାକ ଗୀତ ’ ୩ଘଣ୍ଟାରେ ସାରିଥିଲେ
ସଙ୍ଗୀତ ସାଧକ ଶାନ୍ତନୁ ମହାପାତ୍ର ‘ଗୋଲାମଗିରି’ ଚଳଚ୍ଚିତ୍ରର ୬ଟି ଯାକ ଗୀତ ମାତ୍ର ୩ ଘଣ୍ଟାରେ ସାରିଥିଲେ। ଆଉ ୬ଟି ଯାକ ଗୀତ ସୁପରହିଟ୍‌ ହୋଇଥିଲା ଓ ଆଜି ଯାଏ ଲୋକ ଏହାକୁ ଗାଉଛନ୍ତି। ଏମିତି ପ୍ରତିଭାବା‌ନ ଥିଲେ ଶାନ୍ତନୁ ମହାପାତ୍ର। ତାଙ୍କ ସହ ମୋର ଅନେକ ଚଳଚ୍ଚିତ୍ର ରହିଛି ଓ ସବୁ ମ୍ୟୁଜିକାଲି ସୁପରହିଟ୍‌ ବି ହୋଇଛି। ଡୋରା, ଜଗାବଳିଆ ଓ ଗୋଲାମଗିରି ସେ ସବୁ ଭିତରୁ ଅନ୍ୟତମ। ସେ ମୋତେ ଉପଦେଶ ଦେଇଥିଲେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ। ଆଉ ଆଜି ତାଙ୍କ ପ୍ରେରଣାରେ ମୁଁ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ସଫଳ ‌ହୋଇପାରିଛି। ସବୁଠାରୁ ବଡ଼ କଥା ହେଉଛି ତାଙ୍କ ଭଳି ହାର୍‌ମୋନିୟମ୍‌ ବାଦକ ସେ ସମୟରେ ନଥିଲେ। ତାଙ୍କ ହାର୍‌ମୋନିୟମ୍‌ର ଧୁନ୍‌ରେ ଯେକୌଣସି ଲୋକ ସମ୍ମୋହିତ ହୋଇଯିବ ନିଶ୍ଚୟ।
ପ୍ରଶାନ୍ତ ନନ୍ଦ, ବରିଷ୍ଠ ଅଭିନେତା

ସାଂସ୍କୃତିକ ଦୁନିଆରେ ଶୋକର ଛାୟା
ବରିଷ୍ଠ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କ ପରଲୋକରେ ଓଡ଼ିଶାର ସାଂସ୍କୃତିକ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି। ‘ସୃଜନ’ର ମୁଖ୍ୟ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ରତିକାନ୍ତ କାନୁନ୍‌ଗୋ, ଓଡ଼ିଶା ଡ୍ୟାନ୍ସ ଏକାଡେମିର ନି‌େର୍ଦ୍ଦଶିକା ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ‘ସଂସ୍କୃତି ଓ ସଂସ୍କୃତି’ର ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସମ୍ପାଦକ ଦିଲ୍ଲୀପ ହାଲି, ପ୍ରଫୁଲ୍ଲ କର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଦାଶ ବେନହୁର, ‘ସମାଜ ଓ ସଂସ୍କୃତି’ର ସଭାପତି ନିଶିକାନ୍ତ ମିଶ୍ର ଓ ସମ୍ପାଦକ ଗିରିଜା ଶଙ୍କର ଦାଶ, ‘ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌’ର ଅଧ୍ୟକ୍ଷ ଜେ କେ ମହାନ୍ତି ଓ ଉପାଧ୍ୟକ୍ଷ ଡ. ଜେନାମଣି ସଞ୍ଜୀବ କୁମାର ପ୍ରମୁଖ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର