ଯାଜପୁରସଦର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପରମ୍ପରା ଭିନ୍ନ ଓ ଅନନ୍ୟ। ଚଳିତ ବର୍ଷର ଦୁର୍ଗାପୂଜା ଅବସରରେ ଆସନ୍ତାକାଲିଠାରୁ ମା’ଙ୍କ ଶାରଦୀୟ ପୂଜା ଆରମ୍ଭ ହେବ। ସାରା ରାଜ୍ୟର ବିଭିନ୍ନ ଦେବୀପୀଠରେ ଆଜିଠାରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇସାରିଛି। କିନ୍ତୁ ଯାଜପୁରର ଶକ୍ତିପୀଠ ମା’ ବିରଜାଙ୍କ ପାଖରେ ଆସନ୍ତାକାଲିଠାରୁ ଷୋଡ଼ଶ ଉପଚାର ଉତ୍ସବ ଆରମ୍ଭ ହେବ। ଆସନ୍ତାକାଲି ମା’ଙ୍କର ନିତ୍ୟ ସ୍ନାନ, ବେଶ ଓ ନୀତି ପରେ ସନ୍ଧ୍ୟାରେ ମନ୍ଦିର ଗର୍ଭଗୃହରୁ ମୁଖ୍ୟ ପୂଜକ, ପୁରୋଧା, ଆର୍ଶା, ସମୀଧ, ଛତ୍ର, ତରାଶ, ଘଣ୍ଟ ବାଦ୍ୟ ସହିତ ସମସ୍ତେ ଶୋଭାଯାତ୍ରାରେ ବାହାରିବେ। ପରେ ବ୍ରହ୍ମାକୁଣ୍ଡରେ ଘଟ ନିମଜ୍ଜନ କରାଯିବ। ପରେପରେ ମା’ଙ୍କର ମହାସ୍ନାନ ଓ ବଡ଼ସିଂହାର ବେଶ କରାଯିବାକୁ ସ୍ଥିର ହୋଇଛି ଏବଂ ରାତି ତମାମ ଘଟ ପୂଜା ଓ ଯଜ୍ଞ କରାଯିବ।

Advertisment

ବ୍ରହ୍ମାକୁଣ୍ଡରୁ କଳସ ଯାତ୍ରା କରାଯାଇ ପରେ ମହାସ୍ନାନ କରାଯାଇ ଷୋଡ଼ଶୋପଚାର ପୂଜା ଆରମ୍ଭ ହେବ। ୨୬ ତାରିଖଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସିଂହାସନେ ଷୋଡ଼ଶ ଉପଚାରପୂଜା ଅନୁଷ୍ଠିତ ହେବ। ଅକ୍ଟୋବର ୨ ତାରିଖ ମହାଳୟା ଅବସରରେ ମା’ ବିରଜାଙ୍କ ରଥାଧିବାସ, ୩ ତାରିଖରେ ରଥ ପ୍ରତିଷ୍ଠା ସହ ଅପରାହ୍‌ଣରେ ମହାଷ୍ଟମୀ ପର୍ଯ୍ୟନ୍ତ ରଥ ଚାଳନା କରାଯିବ। ସେହିପରି ୭ ତାରିଖରେ  ସକାଳ ୭.୫୪ ମିନିଟ ସମୟରେ ମହାସ୍ନାନ କରାଯିବା ସହ ସୁନାବେଶ ଓ ଯଜ୍ଞ ଶୁଭାରମ୍ଭ କରାଯିବ। ୧୦ ତାରିଖରେ ସନ୍ଧ୍ୟା ୬.୧୦ରେ ମା’ଙ୍କ ମହାସ୍ନାନ ସହ ମହାବେଶ ଓ ଯଜ୍ଞ ପୂର୍ଣ୍ଣାହୂତି କର୍ମ ଅନୁଷ୍ଠିତ ହେବ। ୧୧ ତାରିଖରେ ମା’ଙ୍କର ରଥ‌ାବତାରଣ ପୂଜ‌ା ସହ ଲାଖବିନ୍ଧା ପ୍ରାନ୍ତରକୁ ଗମନ ଓ ଶିରୋପା ଅର୍ପଣ କରାଯିବ। ମା’ ବିରଜାଙ୍କ ସେବାୟତ ପରିଷଦ ମୁଖ୍ୟ ଦେବୀପ୍ରସାଦ ପାଣିଙ୍କ କହିବା ଅନୁସାରେ, ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଦୁର୍ଗାପୂଜା ଉତ୍ସବ ପରମ୍ପରା ସଂପୂର୍ଣ୍ଣ ଭିନ୍ନ। ମା’ଙ୍କ ଭିନ୍ନ ପଞ୍ଜିକା ରହୁଥିବାରୁ ରୀତିନୀତି ମଧ୍ୟ ଭିନ୍ନ ଭାବେ ପାଳନ କରାଯାଉଛି। ସମଗ୍ର ଓଡ଼ିଶାରେ ଦୁଇଟି ଜଗନ୍ନାଥ ପଞ୍ଜିକା ଓ ବିରଜା ପଞ୍ଜିକା ରହିଛି। ମା’ ଙ୍କ ପଞ୍ଜିକା ଅନୁସାରେ ଅନ୍ୟପୀଠର ଦିନକ ପରେ ମୂଳାଷ୍ଟମୀ ପାଳନ କରାଯାଇଥାଏ ବୋଲି ସେ କହିଛନ୍ତି।