ଜୈବ ବିବର୍ତ୍ତନ ପ୍ରକ୍ରିୟାର ଅଂଶ ବିଶେଷ ଭୂପୃଷ୍ଠରେ ବିଭିନ୍ନ କାଳଖଣ୍ଡରେ ଭିନ୍ନ ଭିନ୍ନ ପ୍ରାଣୀ ଦେଖାଦେବା ସହ କିଛି ମଧ୍ୟ ବିଲୁପ୍ତ ହୋଇଯାଇଥା’ନ୍ତି। କୌଣସି ପ୍ରାକୃତିକ ଦୁର୍ବିପାକ ଅଥବା ପରିବର୍ତ୍ତିତ ପ୍ରତିକୂଳ ପରିସ୍ଥିତିରେ ପ୍ରାଣୀମାନେ ପରିବେଶ ସହ ଖାପ ଖୁଆଇ ନ ରହିପାରିବା ହେତୁ ସେମାନଙ୍କର ବିଲୋପନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ତେବେ ସାମୁଦ୍ରିକ ଜୀବ ସାର୍କ ଏପରି ଏକ ଜୀବ ଯାହା ପାଞ୍ଚ ପାଞ୍ଚଟି ଗଣବିଲୁପ୍ତିରୁ ମଧ୍ୟ ବର୍ତ୍ତିଯାଇଛି। ଏପରିକି ଗୋଟିଏ ନିର୍ଦ୍ଦିଷ୍ଟ ଗଣବିଲୁପ୍ତିରେ ପାଖାପାଖି ୯୬ ପ୍ରତିଶତ ସାମୁଦ୍ରିକ ଜୀବଙ୍କର ଗଣବିଲୁପ୍ତି ଘଟିଥିବା ବେଳେ ସାର୍କ କୌଣସିମତେ ମୁକୁଳି ରହିପାରିଛି। ଜୀବଜଗତରେ ଏହାର ଏକ ତୁଳନାତ୍ମକ ସ୍ଥିତି ଦେଖିଲେ ସାର୍କମାନେ ପ୍ରାୟ ୪୫ କୋଟି ବର୍ଷ ତଳେ ଆସ୍ଥାନ ଜମାଇଥିବାର ପ୍ରମାଣ ବିଭିନ୍ନ ଜୀବାଶ୍ମ ଅନୁଧ୍ୟାନରୁ ଜଣାଯାଏ। ଅର୍ଥାତ୍ ଏହା ଭୂପୃଷ୍ଠରୁ ବିଲୁପ୍ତ ହୋଇ ଯାଇଥିବା ଡାଇନୋସର ଠାରୁ ୧୯ କୋଟି ବର୍ଷ ପୁରୁଣା ଓ ବୃକ୍ଷରାଜି ଉତ୍ପନ୍ନ ହେବାର ୯ କୋଟି ବର୍ଷ ପୂର୍ବରୁ ସେମାନଙ୍କର ସୃଷ୍ଟି ହୋଇଥିଲା ବୋଲି ଆକଳନ କରାଯାଏ।
ଆମ ପାପୁଲି ଠାରୁ ଛୋଟ ଆକାରର ଡ୍ବାର୍ଫ ଲାଣ୍ଟର୍ଣ୍ଣ ସାର୍କ ଠାରୁ ଆରମ୍ଭ କରି ଏକ ସ୍କୁଲ ବସ୍ ପରି ବିରାଟ ହ୍ବେଲ୍ ସାର୍କ ଯାଏ ସମ୍ପ୍ରତି ୫୦୦ ପ୍ରଜାତିର ସାର୍କ ବଞ୍ଚି ରହିଛନ୍ତି। ସେମାନଙ୍କ ସଂପର୍କରେ ମଧ୍ୟ ଅନେକ ରୋଚକ ତଥ୍ୟ ରହିଛି। ସେଥିରୁ ଗୋଟିଏ ହେଲା, ଅନ୍ୟ ପ୍ରାଣୀଙ୍କ ତୁଳନାରେ ସାର୍କମାନଙ୍କର ଜୀବନଧାରଣ କ୍ଷମତା ଯଥେଷ୍ଟ ଅଧିକ। ଉତ୍ତର ଆଟ୍ଲାଣ୍ଟିକ୍ ପ୍ରଜାତି ସାର୍କଗୁଡ଼ିକ ହାରାହାରି ୨୭୨ ବର୍ଷ ଯାଏ ବଞ୍ଚିପାରୁଥିବା ଅନୁମାନ କରାଯାଏ। ଏପରିକି ସେମାନେ ୧୫୦ ବର୍ଷ ବୟସର ହେଲା ଯାଏ ମଧ୍ୟ ପ୍ରାପ୍ତବୟସ୍କ ହୋଇନଥା’ନ୍ତି। ସେହିପରି ଗ୍ରିନଲାଣ୍ଡ୍ ପ୍ରଜାତି ସାର୍କମାନେ ଅତିକମ୍ରେ ୪୦୦ ବର୍ଷ ଯାଏ ବଞ୍ଚିଥା’ନ୍ତି। ସାର୍କମାନଙ୍କ ବଂଶବୃଦ୍ଧି ପାଇଁ କିଛି ପ୍ରଜାତି ଅଣ୍ଡା ଦେଉଥିବା ବେଳେ କିଛି ମଧ୍ୟ ଛୁଆ ଜନ୍ମ କରିଥା’ନ୍ତି। ଖାଲି ସେତିକି ନୁହେଁ, ଫ୍ରିଲଡ ସାର୍କ ବା ବାସ୍କିଂ ସାର୍କ ଆଦି ପ୍ରଜାତିର ଗର୍ଭଧାରଣ ଅବଧି ତିନି ବର୍ଷରୁ ବି ଅଧିକ ହୋଇଥାଏ। ସେମାନେ ଏକ ରକମର ନିରବ ପ୍ରାଣୀ। କାରଣ ଶବ୍ଦ ସୃଷ୍ଟି କରିବାର ଶାରୀରିକ ବ୍ୟବସ୍ଥା ସେମାନଙ୍କ ଠାରେ ନାହିଁ। ତେବେ ନିଜ ମନର ଭାଷାକୁ ସେମାନେ ଅଙ୍ଗଭଙ୍ଗୀ ଦ୍ବାରା ବ୍ୟକ୍ତ କରିଥା’ନ୍ତି। ସେମାନେ କ୍ଷୀଣ ବିଦ୍ୟୁତ୍ ସ୍ରୋତକୁ ଠଉରେଇପାରନ୍ତି ଏବଂ ତାହା ସେମାନଙ୍କୁ ଦିଗ ନିର୍ଣ୍ଣୟ କରି ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ।