ଅସ୍ତ ହେଲେ ଶଶି

ଶଶି କପୁର। ନିଜ ନାଁକୁ ସାର୍ଥକ କରି ଏକଦା ବଲିଉଡ୍‌ ଆକାଶରେ ଝଟକୁଥିଲେ ପୂର୍ଣ୍ଣ ଚନ୍ଦ୍ର ଭଳି। ସେ ଥିଲେ ହିନ୍ଦୀ ସିନେମାର ପ୍ରଥମ ଲଭର୍‌ ବୟ। ରୋମାଣ୍ଟିକ ହିରୋ। ନନ୍ଦା, ଜିନତ୍‌ ଅମନ୍‌, ହେମାମାଳିନୀ, ରେଖା, ଆଶା ପାରେଖ, ରାକ୍ଷୀ, ଶବାନା ଆଜମୀ, ଶର୍ମିଳା ଟାଗୋର, ସାଧନାଙ୍କଠାରୁ ଆରମ୍ଭ କରି ସିମି ଗରେଓ୍ଵାଲଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ସହ ସିନେ ପରଦା ଉପରେ ତାଙ୍କ ରୋମାନ୍ସ ଦର୍ଶକଙ୍କୁ ବିଭୋର କରିଥିଲା। ତାଙ୍କ ଅଭିନୀତ ଜବ୍‌ ଜବ୍‌ ଫୁଲ୍‌ ଖିଲେ, ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌, ଦିଓ୍ଵାର, ଶର୍ମିଲି, ଫକୀରା, ରୋଟି କପଡ଼ା ଔର ମକାନ, ସୁହାଗ, କଭି କଭି, ଓ୍ଵକ୍ତ ଓ ନମକ ହଲାଲ ଆଦି ସିନେମା ଏବେ ବି ଦର୍ଶକଙ୍କ ମନରେ ତାଜା ହୋଇ ରହିଛି। ୧୯୭୩ ମସିହାରେ ସିମି ଗ୍ରିଓ୍ଵାଲଙ୍କ ସହ ସିଦ୍ଧାର୍ଥ ସିନେମାରେ ତାଙ୍କର ସୁପର ବୋଲ୍ଡ୍‌ ସିନ୍‌ ପାଇଁ ସେ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ପ୍ରଥମ ଥର ପାଇଁ ଏହି ସିନେମାରେ ହିରୋଇନ୍‌ ସଂପୂର୍ଣ୍ଣ ନିର୍ବସ୍ତ୍ର ହୋଇ ଅଭିନୟ କରିଥିଲେ। ସେନ୍‌ସର ବୋର୍ଡ ଏହି ସିନେମାକୁ ଭାରତରେ ରିଲିଜ୍‌ ପାଇଁ ଅନୁମତି ଦେଇ ନଥିଲେ ମଧ୍ୟ ସେତେବେଳେ ଏହା ବିଦେଶରେ ମୁକ୍ତିଲାଭ କରିଥିଲା। ହଲିଉଡ୍‌ ସିନେମାରେ ବି ସେ ଅଭିନୟ କରିଥିଲେ। ତାଙ୍କ ଅବର୍ତ୍ତମାନରେ ତାଙ୍କ ଅଭିନୀତ ସିନେମାର କିଛି କାଳଜୟୀ ଚିତ୍ର।

ସ୍ମୃତିରେ ସ୍ମୃତିରେ…

ନିଜ ସମୟରେ ବଲିଉଡର ସବୁଠୁ ବ୍ୟସ୍ତତମ ଅଭିନେତା ଭାବେ ପରିଚିତି ଲାଭ କରିଥିବା ଶଶି କପୁର ୧୯୩୮ ମାର୍ଚ୍ଚ ୧୮ରେ ପଶ୍ଚିମବଙ୍ଗର କୋଲକାତାରେ ଜନ୍ମଗ୍ରହଣ କରିଥିଲେ । ଅଭିନେତା, ନିର୍ଦ୍ଦେଶକ ପୃଥ୍ଵୀରାଜ କପୁର ଏବଂ ରାମସରଣୀ ରାମା ମେହେରା କପୁରଙ୍କ କନିଷ୍ଠ ପୁଅ ତଥା ଅଭିନେତା ରାଜ୍‌ କପୁର ଓ ସମି କପୁରଙ୍କ କନିଷ୍ଠ ଭାଇ ଶଶିକପୁର ମୁମ୍ବାଇର ଡନ୍‌ ବୋସ୍କୋ ସ୍କୁଲରୁ ପଢ଼ା ଆରମ୍ଭ କରିଥିଲେ। ମାତ୍ର ୪ ବର୍ଷ ବୟସରୁ ଶିଶୁ କଳାକାର ଭାବେ ତାଙ୍କର ଅଭିନୟ ଜୀବନ ଗଢ଼ିଉଠିଥିଲା। ସେ ଅଭିନୟ କରିଥିବା ୧୯୫୦ ମସିହାର ‘ସଂଗ୍ରାମ ’ଓ ‘ସମାଧି’ ପରି ଦୁଇଟି ଚଳଚ୍ଚିତ୍ର ଆଶାତୀତ ବ୍ୟାବସାୟିକ ସଫଳତା ହାସଲ କରିବା ପରେ ତାଙ୍କୁ ଅଭିନୟରେ ଅଧିକରୁ ଅଧିକ ସୁଯୋଗ ମିଳିଥିଲା। ସେହିପରି ୧୮ ବର୍ଷ ବୟସରେ ହଲିଉଡ୍‌ ଅଭିନେତା ଜିଓଫେରି କେଣ୍ଡାଲଙ୍କ ସହ ମିଶି ‘ସେକ୍ସପିୟରଓ୍ଵାଲା’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

‘ସେକ୍ସପିୟରଓ୍ଵାଲା’ ପ୍ରଦର୍ଶନ ସମୟରେ ଜିଓଫେରି କେଣ୍ଡାଲଙ୍କ ଝିଅ ଜେନିଫରଙ୍କ ସହ ଶଶିଙ୍କର ଭେଟ ହୁଏ। ସେତେବେଳେ ପିତାଙ୍କ ପୃଥ୍ଵୀ ଥିଏଟରରେ ଅଭିନେତା ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରୁଥିବା ଶଶିଙ୍କର ଜେନିଫରଙ୍କ ସହ ପ୍ରେମ ହୁଏ। ପରେ ୧୯୫୮ ମସିହା ଜୁନ୍‌ରେ ଜିଓଫେରିଙ୍କ ଅନିଚ୍ଛା ସତ୍ତ୍ୱେ ପ୍ରେମୀଯୁୁଗଳ ଭାରତୀୟ ରୀତିନୀତି ଅନୁସାରେ ମୁମ୍ବାଇରେ ବିବାହ କରିଥିଲେ। ଅନେକ ଚଳଚ୍ଚିତ୍ରରେ ଉଭୟ ଏକାଠି ମଧ୍ୟ ଅଭିନୟ କରିଛନ୍ତି। ସେମାନଙ୍କର କୁନାଲ, କରଣ ଏବଂ ସଞ୍ଜନା ପରି ତିନିଟି ସନ୍ତାନ ହୋଇଥିଲେ। କୁୁନାଲ ଜଣେ ଅଭିନେତା ଓ ନିର୍ଦ୍ଦେଶକ ଭାବେ ପରିଚିତି ଲାଭ କରିଥିବା ବେଳେ କରଣ ଜଣେ ଫଟୋଗ୍ରାଫର ଏବଂ ଝିଅ ସଞ୍ଜନା ୧୯୯୩ ମସିହାରୁ ଜେଜେଙ୍କର ପୃଥ୍ଵୀ ଥିଏଟରର ସମସ୍ତ ଦାୟିତ୍ୱଭାର ହାତକୁ ନେଇଛନ୍ତି।

୧୯୬୧ ମସିହାରେ ୟଶ୍‌ ଚୋପ୍ରାଙ୍କ ସହ ମିଶି ‘ଧର୍ମପୁତ୍ର’ଚଳଚ୍ଚିତ୍ର ମାଧ୍ୟମରେ ଶଶି ବଲିଉଡରେ ପାଦ ଥାପିଥିଲେ। ୧୯୬୫ରୁ ୭୫ ମସିହା ଯାଏଁ ତାଙ୍କର ସବୁ ଚଳଚ୍ଚିତ୍ର ସୁପରହିଟ୍‌ ହେବା ସହ ସେ ତତ୍କାଳୀନ ଶ୍ରେଷ୍ଠ ଅଭିନେତାର ଖ୍ୟାତି ମଧ୍ୟ ଅର୍ଜନ କରିଥିଲେ। ସେହିପରି ୧୯୭୦-୮୦ ଦଶକରେ ହିନ୍ଦୀ ସିନେମା ଜଗତର ଦ୍ୱିତୀୟ ସର୍ବାଧିକ ଦାମୀ ଅଭିନେତାର ମାନ୍ୟତା ହାସଲ କରିିଥିଲେ। ଜୀବନକାଳ ଭିତରେ ୧୬୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ସେ ନିଜର ଅପ୍ରତିଦ୍ୱନ୍ଦ୍ୱୀ କଳାନିପୁଣତାର ଛାପ ଛାଡ଼ିିଯାଇଛନ୍ତି। ସେଗୁଡ଼ିକ ମଧ୍ୟରେ ଚାର୍‌ ଦିଓ୍ଵାରି(୧୯୬୧), ମୋହବତ୍‌ ଇସ୍‌କୋ କହେତେ ହେଁ(୧୯୬୫), ଜବ୍‌ ଜବ୍‌ ଫୁଲ ଖିଲେ(୧୯୬୫), କନ୍ୟାଦାନ(୧୯୬୮), ଦିଓ୍ଵାର(୧୯୭୫), ସତ୍ୟମ ଶିବମ୍‌ ସୁନ୍ଦରମ୍‌(୧୯୭୫), ତ୍ରିଶୂଲ(୧୯୭୮), ନମକହଲାଲ(୧୯୮୨), ଜୁଆରି(୧୯୯୪) ଏବଂ ସୁହାଗ(୧୯୯୪) ପରି ଅନେକ ଚଳଚ୍ଚିତ୍ର ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଯାଇଛି। ‘ଶଙ୍କର ଦାଦା’ ଓ ‘ହସିନା ମାନ୍‌ ଯାଏଗି’ ପରି ଦୁଇଟି ସିନେମାରେ ତାଙ୍କର ଦ୍ୱେତ ଅଭିନୟ ବେଶ୍‌ ମନମୁଗ୍‌ଧର ହୋଇଥିଲା।

ସେ ମଧ୍ୟ ଦ ହାଉସ୍‌ ହୋଲ୍ଡର, ସେକ୍ସପିୟରଓ୍ଵାଲା, ବମ୍ବେ ଟକିଜ୍‌, ହିଟ୍‌ ଆଣ୍ଡ୍‌ ଡଷ୍ଟ୍‌ ପରି ଇଂରାଜୀ ସିନେମାରେ ବେଶ୍‌ ପ୍ରଭାବୀ ଅଭିନୟ କରିଛନ୍ତି। ତେବେ ୧୯୮୪ ମସିହାରେ ଅଭିନେତ୍ରୀ ଜେନିଫରଙ୍କର କର୍କଟ ରୋଗରେ ମୃତ୍ୟୁ ହେବା ପରେ ଶଶି ବିଷାଦଗ୍ରସ୍ତ ହୋଇପଡ଼ିିଥିଲେ। ସେ ଆଉ ସିଧାସଳଖ ଅଭିନୟ ନକରି ନିର୍ଦ୍ଦେଶନା ଦେବା ପସନ୍ଦ କରିଥିଲେ। ତେବେ ୧୯୯୮ ମସିହାରେ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ବାୟୋପିକ୍‌ ‘ଜିନ୍ନା’ ସିନେମାରେ ଶଶିଙ୍କୁ ଶେଷଥର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବଡ଼ପରଦାରେ ଦେଖିବାକୁ ମିଳିଥିଲା।

ଶଶିଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ଵିଟ କରି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ କରି ତାଙ୍କ ଅଭିନୟର ଛାପକୁ ଆଗାମୀ ପିଢ଼ି ମଧ୍ୟ ମନେ ପକାଇବେ ବୋଲି କହିଛନ୍ତ। ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଟ୍ଵିଟ କରି ନିଜର ଅଭୂତପୂର୍ବ ଅଭିନୟ ଦ୍ୱାରା ଗୋଟିଏ ପିଢ଼ିକୁ ନିଜ ଆଡ଼କୁ ଆକୃଷ୍ଟ କରିବାର ବିରଳ କଳା ଶଶିଙ୍କ ଠାରେ ଭରପୁର ଥିଲା ବୋଲି କହିଛନ୍ତି। ସେ ଯେ କେବଳ ଜଣେ ଭଲ ଅଭିନେତା ନୁହେଁ, ବରଂ ଜଣେ ଭଲ ମଣିଷ ଥିଲେ ବୋଲି ରାଜନାଥ କହିଛନ୍ତି। ସେହିପରି କଂଗ୍ରେସ ନେତା ଶଶି ଥରୁର ସମେତ ଗାୟିକା ଲତା ମଙ୍ଗେସ୍କର, ଅଭିନେତ୍ରୀ ସବାନା ଆଜମି, ସିମି ଗ୍ରିଓ୍ଵାଲ୍‌, ଶ୍ରୀଦେବୀ, ଦିୟା ମିର୍ଜା, ଅଭିନେତା ଆମିର ଖାନ୍‌, ଅଜୟ ଦେବଗନ୍‌ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ କ୍ରିକେଟର ବୀରେନ୍ଦ୍ର ସେହ୍ଵାଗ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ଥିଏଟରରୁ ସିନେମା

ନିଜ ପିତା ପୃଥ୍ଵୀରାଜ କପୁରଙ୍କ ଥିଏଟରରୁ ଅଭିନୟ ଜୀବନ ଆରମ୍ଭ କରିଥିବା ଶଶି ଅଭିନୟରେ ମାହିର୍‌ ରହିବା ସହ ମଝିରେ ମଝିରେ ଚଳଚ୍ଚିତ୍ର ନିର୍ମାଣରେ ମଧ୍ୟ ମନୋନିବେଶ କରିଥିଲେ। ଜଣେ ପ୍ରଯୋଜକ, ସହନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶକ ଭାବେ ମଧ୍ୟ ସେ ନିଜପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କକରିପାରିଥିଲେ। ସେ ଜୁନୁନ୍‌(୧୯୭୮), କଲିୟୁଗ(୧୯୮୦), ୩୬ ଚୌରଙ୍ଗି ଲେନ୍‌(୧୯୮୧), ବିଜେତା(୧୯୮୨), ଉତ୍ସବ(୧୯୮୪) ଏବଂ ଅଜୁବା(୧୯୯୧) ଆଦି ସିନେମାର ପ୍ରଯୋଜକ ସାଜିବା ସହ ପୋଷ୍ଟ ବକ୍ସ ୯୯୯(୧୯୫୮), ଗେଷ୍ଟ ହାଉସ୍‌(୧୯୫୯), ଶ୍ରୀମାନ୍‌ ସତ୍ୟବାଦୀ(୧୯୬୦), ଦୁଲ୍‌ହା ଦୁଲ୍‌ହନ(୧୯୬୪), ମନୋରଞ୍ଜନ(୧୯୭୪) ଏବଂ ଅଜୁବା(୧୯୯୧) ଚଳଚ୍ଚିତ୍ରରେ ମଧ୍ୟ ସହନିର୍ଦ୍ଦେଶନା ଦେଇଥିଲେ। ସେହିପରି ହିନ୍ଦୀ ଚଳଚ୍ଚିତ୍ର ଅଜୁବା ଏବଂ ଋଷୀୟ ଚଳଚ୍ଚିତ୍ର ଭୋଜଭ୍ରାଶ୍ଚନିୟେ ବାଗଦାଦକ୍ସୋଗୋ ଭୋରା(୧୯୮୮)ରେ ନିର୍ଦ୍ଦେଶନା ଦେଇଥିଲେ।

ଅଭୁଲା ସଂଳାପ

ପ୍ରାୟ ୫୦ ବର୍ଷର ଅଭିନୟ କ୍ୟାରିୟରରେ ଶଶିକପୁର ନିଜର ନିଆରା କହିବା ଶୈଳୀରେ ଦର୍ଶକଙ୍କ ହୃଦୟ ଜିଣିବାକୁ ବେଶ୍‌ ସକ୍ଷମ ହୋଇପାରିଥିଲେ। ଅନେକ ଛବିରେ ସେ ଦେଇଥିବା ଭାବପୂର୍ଣ୍ଣ ସଂଳାପ ସବୁ ସମୟ ପାଇଁ ଅଭୁଲା ହୋଇ ରହିବ। ସେଥି ମଧ୍ୟରୁ କିଛି….
ୟେ ମତ୍‌ ସୋଚୋ କି ଦେଶ୍‌ ତୁମେହେ କ୍ୟା ଦେତା ହୈ,ସୋଚୋ ୟେ କି ତୁମ୍‌ ଦେଶ୍‌ କୋ କ୍ୟା ଦେ ସକ୍‌ତେ ହୋ (୧୯୭୪-ରୋଟି କପଡ଼ା ଔର ମକାନ)
ମେରେ ପାସ୍‌ ମା’ ହୈ (୧୯୭୫-ଦିଓ୍ଵାର)
ଜ୍ୟାଦା ପୈସା ଆୟା ତୋ ନିନ୍ଦ ନେହିଁ ଆତି, ଔର ନିନ୍ଦ ଆୟା ତୋ ଜ୍ୟାଦା ପୈସା ନେହିଁ ଆତା (୧୯୭୫-ଦିଓ୍ଵାର)
ଇସ୍‌ ଦୁନିଆଁ ମେଁ ଆଦ୍‌ମୀ ଇନ୍ସାନ ବନଯାଏ ତୋ ବହତ୍‌ ବଡ଼ି ବାତ୍‌ ହୈ (୧୯୭୬-କଭିକଭି)
ଅପ୍‌ନା ତୋ ଏକ୍‌ ହି ଉସୁଲ ହୈ, ଜିୟୋ ତୋ ଅପ୍‌ନେ ଲିୟେ, ସୋଚୋ ତୋ ଦୁସ୍‌ରୋଁ କେ ଲିଏ (୧୯୮୧-ଏକ୍‌ ଔର ଏକ ଗ୍ୟାରହ)
ୟେ ପ୍ରେମ ରୋଗ୍‌ ହୈ, ସୁରୁ ମେଁ ଦୁଃଖ ଦେତା ହୈ… ବାଦ୍‌ ମେଁ ବହତ୍‌ ଦୁଃଖ ଦେତା ହୈ… (୧୯୮୨-ନମକ ହଲାଲ୍‌)

ସମ୍ମାନ ଓ ପୁରସ୍କାର

ନିଖୁଣ କଳା ପ୍ରଦର୍ଶନ ପାଇଁ ଶଶି ମଧ୍ୟ ଅନେକ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇଥିଲେ। ସେଗୁଡ଼ିକ ମଧ୍ୟରେ…
୧୯୬୫-ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ ଆଓ୍ଵାର୍ଡ
୧୯୭୬-ଫିଲ୍ମଫେୟାର ଆଓ୍ଵାର୍ଡ(ଦିଓ୍ଵାର, ଶ୍ରେଷ୍ଠ ସହଅଭିନେତା)
୧୯୭୭-ଫିଲ୍ମଫେୟାର ଆଓ୍ଵାର୍ଡ(କଭିକଭି, ଶ୍ରେଷ୍ଠ ସହଅଭିନେତା)
୧୯୭୯-ଜାତୀୟ ଚଳଚ୍ଚିତ୍ର ପୁରସ୍କାର(ଜୁନୁନ୍‌, ଶ୍ରେଷ୍ଠ ପ୍ରଯୋଜକ)
୧୯୮୦-ଫିଲ୍ମଫେୟାର ଆଓ୍ଵାର୍ଡ(ଜୁନୁୁନ, ଶ୍ରେଷ୍ଠ ପ୍ରଯୋଜକ)
୧୯୮୨-ଫିଲ୍ମଫେୟାର ଆଓ୍ଵାର୍ଡ(କଲିୟୁଗ)
୧୯୮୨-ଜାତୀୟ ଚଳଚ୍ଚିତ୍ର ପୁରସ୍କାର
୧୯୮୬-ଜାତୀୟ ଚଳଚ୍ଚିତ୍ର ପୁରସ୍କାର (ନିଉ ଦିଲ୍ଲୀ ଟାଇମ୍‌ସ, ଶ୍ରେଷ୍ଠ ଅଭିନେତା)
୧୯୯୪-ଜାତୀୟ ଚଳଚ୍ଚିତ୍ର ପୁରସ୍କାର
୨୦୧୦-ଫିଲ୍ମଫେୟାର ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ୍‌ ପୁରସ୍କାର
୨୦୧୧-ମହମ୍ମଦ ରଫି ସମ୍ମାନ
୨୦୧୧-ପଦ୍ମ ଭୂଷଣ
୨୦୧୫-ଦାଦା ସାହେବ ଫାଲକେ ପୁରସ୍କାର

ସମ୍ବନ୍ଧିତ ଖବର