ପ୍ରାୟ ସମସ୍ତେ ଏଭଳି ଏକ ଜୀବନ ସାଥୀ କାମନା କରିଥା’ନ୍ତି, ଯିଏ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଶ୍ରଦ୍ଧା ଓ ଆନ୍ତରିକତା ବଜାୟ ରଖିପାରିବ। ଏ ପରିପ୍ରେକ୍ଷୀରେ ଯୁବ ପ୍ରେମୀଯୁଗଳଙ୍କ ମଧ୍ୟରେ କ୍ରିୟାଶୀଳ ବିଭିନ୍ନ ପ୍ରେମର ନିଦର୍ଶନ ଏକ ସାଧାରଣ ଘଟଣା ହୋଇଥିବା ବେଳେ ନିକଟରେ ଜଣେ ୧୦୨ ବର୍ଷ ବୟସ୍କ ବ୍ୟକ୍ତି ଡାକ୍ତରଖାନାରେ ଶଯ୍ୟାଶାୟୀ ଥିବା ତାଙ୍କ ପତ୍ନୀଙ୍କ ପ୍ରତି ସ୍ନେହ ପ୍ରଦର୍ଶନ କରି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛନ୍ତି। ଖୁବ୍ ପ୍ରସାରିତ ହୋଇଥିବା ଏହି ମର୍ମସ୍ପର୍ଶୀ ଭିଡିଓ କ୍ଳିପିଂରେ ଶତାୟୁ ଜଣକ ତାଙ୍କ ଶଯ୍ୟାଶାୟୀ ପତ୍ନୀଙ୍କୁ ଦେଖା କରିବା ଏବଂ ଆରୋଗ୍ୟ କାମନା କରି ଫୁଲତୋଡ଼ା ପ୍ରଦାନ କରିବାର ମୁହୂର୍ତ୍ତ ଦୃଶ୍ୟାୟିତ ହୋଇଛି।
ଉକ୍ତ ଭିଡିଓ କ୍ଳିପିଂରେ ପ୍ରଥମେ ଶତାୟୁ ଜଣକ ଫୁଲତୋଡ଼ାଟିଏ ଧରି ଡାକ୍ତରଖାନା ଭିତରେ ପଶୁଥିବା ଦେଖାଯାଇଛି। ତାଙ୍କ ପତ୍ନୀ ଶଯ୍ୟା ଉପରେ ବସି ଆକୁଳ ନୟନରେ ଚାହିଁ ରହିଛନ୍ତି। ତା’ପରେ ବୃଦ୍ଧ ଜଣକ ତାଙ୍କ ପାଖକୁ ଯାଇ ଫୁଲ ତୋଡ଼ାଟିକୁ ପାଖରେ ରଖି ତାଙ୍କ କପାଳରେ ଚୁମା ଦେଉଛନ୍ତି। ‘ଗୁଡ୍ ନ୍ୟୁଜ୍ ମୁଭମେଣ୍ଟ୍’ ପକ୍ଷରୁ ଏହି ଭିଡିଓଟି ଛଡ଼ାଯିବାର କିଛି ସମୟ ଭିତରେ ୧୪,୦୦୦ରୁ ଅଧିକ ସକାରାତ୍ମକ ଟିପ୍ପଣୀ ମିଳିପାରିଛି। ‘ଏହାକୁ ହିଁ ପ୍ରକୃତ ଜୀବନସାଥୀ କହନ୍ତି’ ବୋଲି କେହି କେହି ମନ୍ତବ୍ୟ ରଖିଥିବା ବେଳେ ‘ପରିଣତ ବୟସରେ କେବଳ ଜଣେ ହିଁ ପାଖରେ ଥାଆନ୍ତି’ ବୋଲି କେହି କେହି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/5g6d465g4g6j54j65.jpg)