ଗୋଡ଼ ଆଙ୍ଗୁଠିରୁ ଚିହ୍ନିଲେ ସ୍ବାମୀଙ୍କ ଶବ

ଖଣ୍ଡଗିରି : ବର୍ଷକର ଝିଅକୁ କାଖରେ ଧରି କଣ୍ଟେନର୍‌ରେ ଥିବା ମୃତଦେହ ଭିତରୁ ସ୍ବାମୀଙ୍କ ଶବ ଚିହ୍ନଟ କଲା ବେଳେ ଭୋ ଭୋ ହୋଇ କାନ୍ଦି ଉଠିଲେ ମହିଳା। ଗୋଡ଼ର ଏକ ଅସ୍ବାଭାବିକ ଆଙ୍ଗୁଠିକୁ ଦେଖି ମହିଳାଜଣଙ୍କ ସ୍ବାମୀଙ୍କ ଶବ ଚିହ୍ନଟ କରିବା ପରେ ତାଙ୍କ କାନ୍ଦ ସେଠାରେ ଆଜି ଏକ ବିକଳ ପରିବେଶ ସୃଷ୍ଟି କରିଥିଲା। ତଥାପି ତାଙ୍କୁ ଶବ ହସ୍ତାନ୍ତର କରାଯାଇନଥିଲା। ଡିଏନ୍‌ଏ ଯାଞ୍ଚ ପରେ ଶବ ହସ୍ତାନ୍ତର କରାଯିବ ବୋଲି କୁହାଯାଇଥିଲା। ପ୍ରଶାସନର ଏଭଳି ନିଷ୍ପତ୍ତି ମହିଳାଙ୍କ ପାଇଁ ବଡ଼ ବେଦନାଦାୟକ ହୋଇଥିଲେ ବି ଏତେ ଦିନ ପରେ ସ୍ବାମୀଙ୍କ ଶବ ମିଳିଯିବା ତାଙ୍କ ପାଇଁ ବଡ଼ ଆଶ୍ବସ୍ତି ବୋଲି ସେ କୋହ କୋହ ହୋଇ କହୁଥିଲେ। ଆଜି ବାଲେଶ୍ବରର ରମାମଣି ବେହେରାଙ୍କ ଏହି ଅବସ୍ଥା ଭୁବନେଶ୍ବର ଏମ୍‌ସରେ ବେଶ୍‌ ଚହଳ ପକାଇଥିଲା।

ରମାମଣିଙ୍କ ସ୍ବାମୀ କାର୍ତ୍ତିକ ବେହେରା(୩୭) କଟକରେ ଏକ ହୋଟେଲ୍‌ରେ କାମ କରନ୍ତି। ସବୁଦିନ ଭଳି ଶୁକ୍ରବାର ସନ୍ଧ୍ୟାରେ ସେ ଯଶୋବନ୍ତପୁର-ହାୱାଡା ଏକ୍ସପ୍ରେସ୍‌ରେ କଟକରୁ ବାଲେଶ୍ବର ଯାଉଥିଲେ। ବାହାନଗା ଷ୍ଟେସନ ପରେ ମାତ୍ର ୧୫ ମିନିଟ୍‌ରେ ସେ ବାଲେଶ୍ବରରେ ଟ୍ରେନ୍‌ରୁ ଓହ୍ଲାଇଥା‌ଆନ୍ତେ। ମାତ୍ର ବାହାନଗା ହୋଇଗଲା ତାଙ୍କ ଶେଷଯାତ୍ରାର ‌ଅନ୍ତିମଘାଟ। ସ୍ବାମୀଙ୍କୁ ଦେଖିବା ପାଇଁ ରମାମଣି ତାଙ୍କ ବାପା, ଭିଣୋଇ ଓ ଭଉଣୀକୁ ଧରି ସେଦିନ ରାତିରୁ ଘୂରିବୁଲିଲେ ସବୁ ହସ୍ପିଟାଲ୍‌। ମାତ୍ର ଚିକିତ୍ସାଧୀନ ଆହତମାନଙ୍କ ଭିତରେ କାର୍ତ୍ତିକଙ୍କୁ ନ ପାଇ ସେ ଶବାଗାର ସବୁ ଖୋଜିବୁଲିଲେ। ବାଲେଶ୍ବରରୁ ଭଦ୍ରକ, ଭଦ୍ରକରୁ କଟକ ଓ ଶେଷରେ ଆଜି ପହଞ୍ଚିଥିଲେ ଭୁବନେଶ୍ବର ଏମ୍‌ସରେ। ଖଣ୍ଡବିଖଣ୍ଡିତ ଓ କଳା ପଡ଼ିଯାଇଥିବା ମୃତଦେହ ଭିତରୁ କାର୍ତ୍ତିକଙ୍କ ଶବ ଚିହ୍ନିବା ତାଙ୍କ ପାଇଁ ବଡ଼ କଷ୍ଟକର ଥିଲା। ତେବେ ଶେଷକୁ ରମାମଣି ସ୍ବାମୀ କାର୍ତ୍ତିକଙ୍କ ଗୋଡ଼ର ଆଙ୍ଗୁଠି ଦେଖି ଚିହ୍ନିପାରିଲେ। ଏବେ ବି ସେ ଶବ ପାଇଁ ଅପେକ୍ଷା କରିଛନ୍ତି ଏବଂ ଡିଏନ୍‌ଏ ରିପୋର୍ଟ ମିଳିବା ପର୍ଯ୍ୟନ୍ତ ଅପେକ୍ଷା କରିବେ ବୋଲି କହିଛନ୍ତି। ସ୍ବାମୀଙ୍କ ଅନ୍ତିମ ସଂସ୍କାର ଏବେ ତାଙ୍କ ପାଇଁ ବଡ଼କଥା ବୋଲି ବାଷ୍ପରୁଦ୍ଧ କଣ୍ଠରେ ରମାମଣି କହିଛନ୍ତି।

ସମ୍ବନ୍ଧିତ ଖବର