କେତେବେଳେ ଅନ୍ଲାଇନ୍ ତ’ ଆଉ କେବେ ଅଫ୍ଲାଇନ୍ରେ ପଢ଼ିଲେ। ବିନା ପରୀକ୍ଷାରେ ପାସ୍ କଲେ। ଆଉ ପାସ୍ହାର ବି ରେକର୍ଡ ଭାଙ୍ଗିଲା। ତେବେ କରୋନା ଥମିବା ପରେ କ୍ୟାମ୍ପସରେ ପାଦ ଥାପିଛନ୍ତି ଛାତ୍ରଛାତ୍ରୀ। ଲଗାତାର ଦୁଇବର୍ଷ ଧରି ପାଠପଢ଼ା ପ୍ରଭାବିତ ହେବାରୁ ଶିକ୍ଷା ବ୍ୟବସ୍ଥାରେ ଶିରିପା ବାନ୍ଧିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲାଗିପଡ଼ିଛନ୍ତି। ସଂସ୍କାର ମଧ୍ୟ ଆସିଛି। ବିପର୍ଯ୍ୟୟରୁ ଶିକ୍ଷା ଲାଭ କରିବା ପରେ ପରୀକ୍ଷା ପଦ୍ଧତି ବଦଳା ଯାଇଛି। ନୂଆ ରୂପ ନେଇଛି ସରକାରୀ ବିଦ୍ୟାଳୟ, ପିଲା ବି ପାଇଛନ୍ତି ନୂଆ ଗୁରୁ। ବିଶ୍ବବିଦ୍ୟାଳୟକୁ ମିଳିଛନ୍ତି ନୂଆ ମୁଖିଆ। ୱାର୍ଲ୍ଡ ସ୍କିଲ୍ ସେଣ୍ଟର ସୃଷ୍ଟି କରିଛି ନୂଆ ସମ୍ଭାବନା। ହେଲେ ବର୍ଷ ସରିଯିବାକୁ ବସିଥିଲେ ମଧ୍ୟ ସ୍କୁଲ ମାଟି ମାଡ଼ିପାରି ନାହାନ୍ତି ପ୍ରଥମରୁ ୫ମ ଶ୍ରେଣୀ ପିଲା। ସମସ୍ତଙ୍କ ପାଖରେ ପହଞ୍ଚିପାରି ନାହିଁ ଅନ୍ଲାଇନ୍ ଶିକ୍ଷା। ଅଧାରୁ ପାଠ ଛାଡ଼ିଛନ୍ତି ଲକ୍ଷାଧିକ ମାଟ୍ରିକ୍ ପିଲା। ଛାତ୍ର ଅଶାନ୍ତିରେ କ୍ୟାମ୍ପସ ଥରିଛି। ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗୁରୁ। ସ୍ବାର୍ଥ ସାଧନ ପାଇଁ ଗୁରୁଙ୍କୁ ବଳି ଦିଆଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏମିତି ଉତ୍ଥାନ ପତ୍ତନ ମଧ୍ୟରେ ଗତି କରିଛି ୨୦୨୧ର ଶିକ୍ଷା ବ୍ୟବସ୍ଥା।
ଉପସ୍ଥାପନା: କେଶବ ପାଣି
ଅଳଙ୍କରଣ: ରବିନାରାୟଣ ସାହୁ
ପିଲାଙ୍କୁ ମିଳିଲେ ଗୁରୁ
ଓଡ଼ିଶା ଇତିହାସରେ ପ୍ରଥମ ଥର ଲାଗି ଏକାଥରେ ୬୧୩୧ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି। ବହୁ ବର୍ଷ ବ୍ୟବଧାନ ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲରେ ଖାଲିପଡ଼ିଥିବା ବିଷୟଭିତ୍ତିକ ୧୧ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପଦବି ପୂରଣ ଲାଗି ଅଗଷ୍ଟରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ମାତ୍ର ୪୭ ଦିନ ମଧ୍ୟରେ ୬୧୩୧ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି। ୨୨୩୬ ଜଣ ଆର୍ଟସ୍, ୧୭୭୯ ଜଣ ବିଜ୍ଞାନ, ୮୨୯ ଜଣ ହିନ୍ଦୀ, ୭୯୬ ଜଣ ସଂସ୍କୃତ, ୪୮୮ ଜଣ ପିଇଟି ଓ ୩ ଜଣ ତେଲୁଗୁ ଶିକ୍ଷକ ରହିଛନ୍ତି। ଡିସେମ୍ବର ୧୬ରେ କଳିଙ୍ଗ ଷ୍ଟାଡିୟମ୍ରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଆସନ୍ତା ମାସକ ମଧ୍ୟରେ ଆଉ ୧୧ ହଜାର ପଦବି ପୂରଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି।
ବିଦ୍ୟାଳୟ ରୂପ ବଦଳିଲା
୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍କୁଲର ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି। ପ୍ରାଥମିକତା ଭିତ୍ତିରେ ରାଜ୍ୟର ୧୦୭୫ଟି ହାଇସ୍କୁଲର ରୂପାନ୍ତରଣ କରାଯାଇ ଛାତ୍ରଛାତ୍ରୀଙ୍କ ଲାଗି ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରି, ଆଧୁନିକ ପରୀକ୍ଷାଗାର, ଉନ୍ନତ ପରିମଳ ବ୍ୟବସ୍ଥା, ଖେଳପଡ଼ିଆ ହୋଇଛି। ଅଗଷ୍ଟ ମାସରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇଥିବା ସ୍କୁଲ ରୂପାନ୍ତରଣ ପ୍ରକ୍ରିୟା ନଭେମ୍ବରରେ ଶେଷ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଆଉ ୩୩୬୫ଟି ହାଇସ୍କୁଲର ରୂପାନ୍ତରୀଣ କାର୍ଯ୍ୟ ଆରମ୍ଭ ହୋଇଛି, ଯାହାକି ୨୦୨୨ ମାର୍ଚ୍ଚ ସୁଦ୍ଧା ସରିବ। ଏଥିସହ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ଶିକ୍ଷା କ୍ଷେତ୍ରରେ ଏକ ମାଇଲ୍ଖୁଣ୍ଟ ହୋଇଛି।
ବର୍ଷକରେ ଦୁଇଟି ବୋର୍ଡ ପରୀକ୍ଷା
ଏବର୍ଷ ବି କରୋନା ବିଗାଡ଼ିଛି ଶିକ୍ଷା ବ୍ୟବସ୍ଥା। ପାଠପଢ଼ା ଯେ କେବଳ ପ୍ରଭାବିତ ହୋଇଛି ତାହା ନୁହେଁ; ପରୀକ୍ଷା ବି ହୋଇପାରିନି। ଏକାଧିକ ଥର ପ୍ରୟାସ କରାଯିବା ପରେ ମଧ୍ୟ ସ୍ଥିତିରେ ସୁଧାର ନ ଆସିବାରୁ ବିନା ପରୀକ୍ଷାରେ ଏବଂ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଗଲା। ସିବିଏସ୍ଇ, ଆଇସିଏସ୍ଇ ଢାଞ୍ଚାକୁ ଆପଣାଇ ଥିଲେ ରାଜ୍ୟ ବୋର୍ଡ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଯାଇଥିଲା। ଲଗାତାର ଦୁଇ ବର୍ଷ ଧରି ସୃଷ୍ଟି ହୋଇଥିବା ସମସ୍ୟାକୁ ଅଙ୍ଗେ ଲିଭାଇବା ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିଛନ୍ତି। ଗୋଟିଏ ଶିକ୍ଷାବର୍ଷରେ ଦୁଇଟି ବୋର୍ଡ ପରୀକ୍ଷା ସାଙ୍ଗକୁ ଛାତ୍ରଛାତ୍ରୀଙ୍କର ଏକାଧିକ ଆସେସ୍ମେଣ୍ଟ କରାଯାଉଛି। ଭବିଷ୍ୟତରେ ଏଭଳି ବିପର୍ଯ୍ୟୟ ହେଲେ ଯେପରି ମୂଲ୍ୟାୟନରେ ସମସ୍ୟା ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି।
ଶ୍ରେଣୀଗୃହରେ ନବୀନ
ସ୍ମାର୍ଟ ସ୍କୁଲର କ୍ଲାସରୁମ୍ରେ ପିଲାଙ୍କ ଗହଣରେ ବସି ପାଠ ପଢ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମ ଗସ୍ତରେ ଯାଇଥିବା ବେଳେ ହିଞ୍ଜିଳକାଟୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ସିଧାସଳଖ ଶ୍ରେଣୀଗୃହକୁ ପ୍ରବେଶ କରି ବେଞ୍ଚରେ ବସି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏକ ଫଟୋଚିତ୍ର ଉପହାର ଦେଇଥିଲେ। ସ୍କୁଲରେ ପ୍ରତିଷ୍ଠା ହୋଇଥିବା ଅତ୍ୟାଧୁନିକ ଲାବୋରେଟୋରି ଓ ଲାଇବ୍ରେରିକୁ ବୁଲି ଦେଖିଥିଲେ। ଭିଜିଟର୍ସ ବୁକରେ ସେ ନିଜର ବାର୍ତା ମଧ୍ୟ ଦେଇଥିଲେ।
ନୂଆ ସମ୍ଭାବନା ୱାର୍ଲ୍ଡ ସ୍କିଲ୍ ସେଣ୍ଟର
ଭୁବନେଶ୍ବରରେ ପ୍ରତିଷ୍ଠା ହୋଇଥିବା ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଆଇଟିଆଇ ଛାତ୍ରଛାତ୍ରୀଙ୍କ ଲାଗି ନୂଆ ସମ୍ଭାବନା ସୃଷ୍ଟି କରିଛି। ୧୩୪୨.୨ କୋଟି ଟଙ୍କାରେ ନିର୍ମିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ସମସ୍ତ ସରକାରୀ ଆଇଟିଆଇ ପାଇଁ ହବ୍ ଭାବେ କାର୍ଯ୍ୟ କରିବ। ଏଠାରେ ଦେଢ଼ ଲକ୍ଷ ଯୁବକଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରଖାଯାଇଛି।
କ୍ୟାମ୍ପସରେ ଛାତ୍ର ଅଶାନ୍ତି
ଛାତ୍ର ସଂସଦ ନିର୍ବାଚନ ନ ଥିଲେ ବି ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଛାତ୍ର ଅଶନ୍ତି କମ୍ ନ ଥିଲା। ଅଫ୍ଲାଇନ ପରୀକ୍ଷା ବାତିଲ୍ ଦାବିରେ ଅଧାରୁ ଅଧିକ ବିଶ୍ବବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ ତେଜିଥିଲା। ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଥିଲେ। ହଷ୍ଟେଲ ଫି’ ବୃଦ୍ଧି ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଥିଲା। ରମାଦେବୀ, ଓୟୁଏଟି, ଫକୀର ମୋହନ, ବ୍ରହ୍ମପୁର, ରେଭେନ୍ସା, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବର୍ଷର ବିଭିନ୍ନ ସମୟରେ ଅଶାନ୍ତି ଲାଗିରହିଥିଲା।
ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ
ବର୍ଷ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ସମ୍ବଲପୁର ଆଇଆଇଏମ୍ର ସ୍ଥାୟୀ କ୍ୟାମ୍ପସ୍ ସ୍ଥାପନ ନିମନ୍ତେ ଶିଳାନ୍ୟାସ କରିଥିଲେ। ସମ୍ବଲପୁରରେ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଥିବାରୁ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟରେ ଅଧିକରୁ ଅଧିକ କେନ୍ଦ୍ରୀୟ ଅନୁଷ୍ଠାନ ପ୍ରତିଷ୍ଠା ଲାଗି ନିବେଦନ କରିଥିଲେ।