ଦେବ ଦେବ ମହାଦେବ ହେଉଛନ୍ତି ସୃଷ୍ଟିର ପ୍ରଥମ ନର୍ତ୍ତକ। ନଟରାଜ ରୂପରେ ସେ ସଂସାରର ଅାଦିନର୍ତ୍ତକ। ଯେହେତୁ ସେ ଆଦିନର୍ତ୍ତକ ତେଣୁ ସେ ହିଁ ନୃତ୍ୟ ଓ ସଂଗୀତର ଅାଧାର। ସେ ହିଁ ସପ୍ତତାଣ୍ଡବର ସଂରଚକ। ତେବେ ସବୁ ତାଣ୍ଡବ ପ୍ରଳୟଙ୍କରୀ ନୁହେଁ, ଆନନ୍ଦର ଅବସରରେ ବି ତାଣ୍ଡବ ପରିବେଷିତ ହୋଇଥାଏ। ନାଟ୍ୟଶାସ୍ତ୍ର ନୃତ୍ୟକୁ ତାଣ୍ଡବ ଓ ଲାସ୍ୟ ଆଦି ଦୁଇ ଭାଗରେ ବିଭକ୍ତ କରିଥିବା ବେଳେ ତାଣ୍ଡବକୁ ପୁରୁଷାଙ୍ଗ ଏବଂ ଲାସ୍ୟକୁ ସ୍ତ୍ରୀଅଙ୍ଗ ଭାବେ ଅଭିହିତ କରାଯାଇଛି । ଯେହେତୁ ମହାଦେବ ଅର୍ଦ୍ଧନାରୀଶ୍ବର, ତେଣୁ ସେ ଉଭୟ ତାଣ୍ଡବ ଓ ଲାସ୍ୟ ନୃତ୍ୟ କରିଥାନ୍ତି। ତାଣ୍ଡବ ନୃତ୍ୟ ପରିବେଷଣ ନର୍ତ୍ତକକୁ  ଦକ୍ଷତା ଦିଏ, ଚିରଜାଗ୍ରତ କରାଏ ଏବଂ ତା’ର ଏକାଗ୍ରତା ପରିବର୍ଦ୍ଧନ କରେ। ପବିତ୍ର ମହାଶିବରାତ୍ରି ଅବସରରେ ତାଣ୍ଡବ ନୃତ୍ୟର ବିଭିନ୍ନ ଦିଗକୁ ଏବଂ ରାବଣକୃତ ଶିବ ତାଣ୍ଡବ ସ୍ତୋତ୍ରମ୍‌କୁ ନେଇ ପ୍ରଗତି ସାହୁଙ୍କ ବିଶେଷ ଉପସ୍ଥାପନା।

Advertisment

ଭଗବାନ୍‌ ଶିବ ପ୍ରଥମେ କେବେ ତାଣ୍ଡବ ନାଚିଥିଲେ? ଏ ପ୍ରଶ୍ନର ବିଭିନ୍ନ ଉତ୍ତର ଥିଲେ ବି ‘ଶିବପୁରାଣ’ରେ ବର୍ଣ୍ଣିତ ଆଖ୍ୟାନ ବେଶ୍‌ ଲୋକପ୍ରିୟ ଏବଂ ସର୍ବଜନ ବିଦିତ। ‘ଶିବପୁରାଣ’ ଅନୁଯାୟୀ, ନିମନ୍ତ୍ରଣ ନମିଳିବା ସତ୍ତ୍ବେ ଶିବଙ୍କ ପତ୍ନୀ ସତୀ ପିତା ଦକ୍ଷ ପ୍ରଜାପତିଙ୍କ ମହାଯଜ୍ଞାନୁଷ୍ଠାନରେ ଯୋଗଦାନ କରିବାର ଆଗ୍ରହ ସମ୍ବରଣ କରିପାରି ନଥିଲେ। ସେ ଏକାକିନୀ ପିତ୍ରାଳୟ ଗମନ କରିଥିଲେ। କିନ୍ତୁ ଯଜ୍ଞସ୍ଥଳୀରେ ତାଙ୍କ ପତି ମହାଦେବଙ୍କ ଲାଗି ଆସନ ରଖାଯାଇ ନଥିବା ଦେଖି ଘୋର ଅପମାନ ବୋଧକଲେ। ଏଥିଲାଗି ସେ ପିତାଙ୍କ ପ୍ରଦତ୍ତ ଶରୀରକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଯଜ୍ଞକୁଣ୍ଡରେ ଆତ୍ମଦାହ କଲେ। ଏହି ଘଟଣା ପରେ ଭଗବାନ ଶିବ ଅତ୍ୟନ୍ତ କ୍ରୋଧିତ ହୋଇ ସତୀଙ୍କ ମୃତଶରୀରକୁ କାନ୍ଧରେ ରଖି ଡମ୍ବରୁ ବଜାଇ ନୃତ୍ୟ ଆରମ୍ଭ କଲେ। ଏହି ନୃତ୍ୟ ସମୟରେ ତାଙ୍କର ପଦପାତ ପ୍ରକୋପରେ ସମଗ୍ର ପୃଥିବୀ ଥରହର ହେଲା। ମନେହେଉଥିଲା, ସତେ ଯେମିତି ପୃଥିବୀ ଧ୍ବଂସ ହୋଇଯିବ! ଶେଷରେ ଦେବତାମାନଙ୍କର ଅନୁରୋଧକ୍ରମେ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର ପେଷି ସତୀଙ୍କ ଶରୀରକୁ ଖଣ୍ଡବିଖଣ୍ଡ କରି ପକାଇଲେ। ଏହାପରେ ଶିବଙ୍କର କ୍ରୋଧ ପ୍ରଶମିତ ହେଲା ଏବଂ ସେ ନୃତ୍ୟରୁ କ୍ଷାନ୍ତହେଲେ। କେବଳ ‘ଶିବପୁରାଣ’ ନୁହେଁ, ଏହି ଘଟଣାର ବର୍ଣ୍ଣନା ‘ବାୟୁପୁରାଣ’, ‘ସ୍କନ୍ଦପୁରାଣ’, ‘କୁର୍ମପୁରାଣ’, ‘ପଦ୍ମପୁରାଣ’, ‘ମତ୍ସ୍ୟପୁରାଣ’ ଓ ‘ଲିଙ୍ଗପୁରାଣ’ରେ ମଧ୍ୟ ରହିଛି। ଏହାକୁ ଶିବଙ୍କର ‘ରୌଦ୍ରତାଣ୍ଡବ’ ଭାବେ ଉଲ୍ଲେଖ କରାଯାଇଛି। କେତେକ ପୁରାଣ ଗବେଷକଙ୍କ ମତରେ, ଏହା ଶିବଙ୍କର ପ୍ରଥମ ତାଣ୍ଡବ। ତେବେ ଏହାର ପ୍ରାମଣିକତା ଦୃଷ୍ଟିଗୋଚର ହୁଏନାହିଁ। କିନ୍ତୁ ‘ରାମାୟଣ’ ଓ ‘ମହାଭାରତ’ରେ ଉପରୋକ୍ତ ଘଟଣାବଳିର ଉଲ୍ଲେଖ ଏହାର ପ୍ରାଚୀନତାକୁ ଦର୍ଶାଏ।

‘ତାଣ୍ଡବ’ର ତାତ୍ପର୍ଯ୍ୟ
ବିଭିନ୍ନ ପୌରାଣିକ ତଥ୍ୟ ମତରେ ତାଣ୍ଡବ ନୃତ୍ୟ ସୃଷ୍ଟି, ସ୍ଥିତି ଓ ସଂହାର ଚକ୍ରକୁ ପ୍ରତିନିଧିତ୍ୱ କରେ। ଶିବ ବ୍ରହ୍ମାଣ୍ଡର ସଂହାର ସମୟରେ ପ୍ରଥମେ ତାଣ୍ଡବ ନାଚିଥିଲେ, ଯେତେବେଳେ ପୁନର୍ଜନ୍ମ ପାଇଁ ସମଗ୍ର ସୃଷ୍ଟିକୁ ଧ୍ୱଂସ କରିବାକୁ ପଡ଼ିଥିଲା। ମତାନ୍ତରେ, ଶିବ ପାର୍ବତୀଙ୍କ ସହିତ ଆନନ୍ଦରେ ପ୍ରଥମେ ତାଣ୍ଡବ ନାଚିଥିଲେ, ଯାହାକୁ ସୃଷ୍ଟିର ଅୟମାରମ୍ଭର ପ୍ରତୀକ ଭାବେ ବିବେଚନା କରାଯାଏ। ଆଉ କେତେକ ପୁରାଣରେ ଉଲ୍ଲେଖ ଅଛି ଯେ, ଶିବ ପ୍ରତିଦିନ ସନ୍ଧ୍ୟାବେଳେ ତାଣ୍ଡବ ନାଚନ୍ତି, ଯାହା ସମୟର ପରିବର୍ତ୍ତନକୁ ପ୍ରତୀକୀକୃତ କରେ। ତେଣେ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ ତାଣ୍ଡବର ବିଶେଷ ବିବରଣୀ ରହିଛି। ଏହାକୁ ନୃତ୍ୟର ଏକ ମୂଳଭୂତ ଆଧାର ଭାବେ ଗ୍ରହଣ କରାଯାଇଛି। ତାଣ୍ଡବରେ ଶକ୍ତି, ଲୟ, ଭାବ ଓ ଅଭିନୟର ସମନ୍ୱୟ ପ୍ରତିପାଦିତ ହୋଇଛି। ନାଟ୍ୟଶାସ୍ତ୍ରରେ ଆନନ୍ଦ, ତ୍ରିପୁର, ସନ୍ଧ୍ୟା, ସଂହାର, କାଳୀ, ଉମା, ଶିବ, କୃଷ୍ଣ ଓ ଗୌରୀ ତାଣ୍ଡବ ବିଷୟ ଉଲ୍ଲେଖ ରହିଛି। ଏହାକୁ ଶକ୍ତିଶାଳୀ, ଉତ୍ସାହଭରା, ତୀବ୍ର ଗତିର ନୃତ୍ୟ ଭାବେ ବର୍ଣ୍ଣନା କରାଯାଇଛି। ତେବେ ଏହା କେବଳ ଶିବଙ୍କ ଦିବ୍ୟନୃତ୍ୟ ନୁହେଁ, ବରଂ ସମସ୍ତ ନୃତ୍ୟକଳାରେ ଶକ୍ତି, ଲୟ, ଭାବ ଓ ଦାର୍ଶନିକତାର ପ୍ରତୀକ। ଭରତଙ୍କ ନାଟ୍ୟଶାସ୍ତ୍ରରେ ତାଣ୍ଡବ ନୃତ୍ୟର ମୁଦ୍ରା (ହାତର ଭଙ୍ଗୀ) ଓ ଭଙ୍ଗୀ (ଶାରୀରିକ ଅଙ୍ଗବିନ୍ୟାସ)ର ବିସ୍ତୃତ ବିବରଣୀ ରହିଛି। ତାଣ୍ଡବରେ ୨୪ଟି ଅସମ୍ୟୁକ୍ତ (ଏକହାତୀୟ) ଓ ୧୩ଟି ସମ୍ୟୁକ୍ତ (ଦୁଇହାତୀୟ) ହସ୍ତମୁଦ୍ରା ବ୍ୟବହାର ହୋଇଥାଏ। ତନ୍ମଧ୍ୟରୁ ତ୍ରିପତାକ (ଅଗ୍ନି, ବାୟୁ, ଯୁଦ୍ଧର ପ୍ରତୀକ), କର୍ତରୀମୁଖ (ସଂହାର, ବିଚ୍ଛେଦର ପ୍ରତୀକ), ଶିଖର (ଶକ୍ତି, ଅସ୍ତ୍ରଧାରଣର ପ୍ରତୀକ) ଓ ପତାକା (ସୃଷ୍ଟି, ପ୍ରକୃତିର ପ୍ରତୀକ) ଆଦି ହେଉଛି କେତେକ ବିଶେଷ ମୁଦ୍ରା।

ସୃଷ୍ଟି ଠାରୁ ବିନାଶ ପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ବିଭିନ୍ନ ଦିଗକୁ ପ୍ରତିନିଧିତ୍ୱ କରୁଥିବା ତାଣ୍ଡବ ନୃତ୍ୟ ବିଭିନ୍ନ ରୂପରେ ପ୍ରକାଶିତ ହୁଏ। ପୌରାଣିକ ଓ ଶାସ୍ତ୍ରୀୟ ବର୍ଣ୍ଣନା ମତରେ ତାଣ୍ଡବ ସପ୍ତରୂପରେ ପ୍ରଦର୍ଶିତ ହୋଇଥାଏ। ସେଗୁଡ଼ିକ ହେଲା ଆନନ୍ଦ ତାଣ୍ଡବ, ରୌଦ୍ର/ରୁଦ୍ର ତାଣ୍ଡବ, ସନ୍ଧ୍ୟା ତାଣ୍ଡବ, କାଳିକା ତାଣ୍ଡବ, ତ୍ରିପୁରା ତାଣ୍ଡବ, ସଂହାର ତାଣ୍ଡବ ଓ ଊର୍ଦ୍ଧ୍ବ ତାଣ୍ଡବ। ଆନନ୍ଦ ତାଣ୍ଡବରେ ସୃଷ୍ଟି, ସ୍ଥିତି, ସଂହାର, ତିରୋଭାବ ଓ ଅନୁଗ୍ରହ ଆଦି ପଞ୍ଚକାର୍ଯ୍ୟ ସମନ୍ବିତ ହୋଇଥାଏ। ସେହିପରି ବ୍ରହ୍ମାଣ୍ଡ ଧ୍ୱଂସ ସମୟରେ ଶିବଙ୍କ ରୌଦ୍ର ରୂପ ଆଧାରିତ ରୁଦ୍ର ତାଣ୍ଡବ। କାଳିକା ତାଣ୍ଡବ ମା’ କାଳୀଙ୍କ ସହିତ ସଂପୃକ୍ତ ଏବଂ ସୃଷ୍ଟିର ଶକ୍ତିକୁ ପ୍ରକାଶ କରେ। ସୃଷ୍ଟିର ଶେଷ ସମୟର ନୃତ୍ୟ ସଂହାର ତାଣ୍ଡବ। ପାର୍ବତୀଙ୍କ ସହିତ ନୃତ୍ୟ ପ୍ରତିଯୋଗିତା ସମୟରେ ଶିବ ଊର୍ଦ୍ଧ୍ୱ ତାଣ୍ଡବ ନୃତ୍ୟ କରିଥାଆନ୍ତି। ପ୍ରାଚୀନ ମନ୍ଦିର ଗାତ୍ରରେ ଖୋଦିତ ମୂର୍ତ୍ତି ଓ ପ୍ରାଚୀନ ଚିତ୍ରପଟ୍ଟରେ ଅଙ୍କିତ ନଟରାଜ ମୁଦ୍ରା ହିଁ ତାଣ୍ଡବ ନୃତ୍ୟ ସମୟର ଦୃଶ୍ୟ ବୋଲି ଅଧିକାଂଶ ଗବେଷକ ସ୍ବୀକାର କରନ୍ତି।

ଶିବ ତାଣ୍ଡବ ସ୍ତୋତ୍ରମ୍‌ର ଅର୍ଥ ଓ ଉପକାରିତା  
ଶିବଙ୍କ ତାଣ୍ଡବ ନୃତ୍ୟ ଯେପରି ମହିମାମୟ, ଠିକ୍‌ ସେହିପରି ଗରିମାମୟ ଏହି ନୃତ୍ୟ ସମୟରେ ଗାନ କରାଯାଉଥିବା ଶିବ ତାଣ୍ଡବ ସ୍ତୋତ୍ରମ୍। ଏହା ହେଉଛି ଲଙ୍କେଶ ରାବଣ ଦ୍ୱାରା ରଚିତ ୧୫ଟି ସଂସ୍କୃତ ଶ୍ଳୋକର ସମାହାର। ଏହାର ପ୍ରତ୍ୟେକ ଶ୍ଳୋକରେ ଶିବଙ୍କ ରୂପ, ତାଙ୍କର ଅଳଙ୍କାର, ତାଙ୍କର ଡମ୍ବରୁ ନାଦ, ତୃତୀୟ ନୟନ ଓ ବ୍ରହ୍ମାଣ୍ଡରେ ତାଙ୍କର ଶକ୍ତିର ବର୍ଣ୍ଣନା ରହିଛି। ଉଦାହରଣ ସ୍ବରୂପ ଶ୍ଳୋକରେ ଥିବା ‘ଜଟାଟବୀଗଳଜ୍ଜଳ...’ ପଦଟି ଶିବଙ୍କ ଜଟାରୁ ଗଙ୍ଗା ପ୍ରବାହିତ ହେବା, ସେ ଗଳାରେ ସର୍ପମାଳା ଧାରଣ କରିବା ଏବଂ ତାଙ୍କ ଡମ୍ବରୁ ଧ୍ୱନିରେ ବ୍ରହ୍ମାଣ୍ଡ କମ୍ପିତ ହେବାକୁ ଉପସ୍ଥାପିତ କରେ। ସେହିପରି ‘ଧଗଦ୍ଘଗଦ୍ଘ ଗଜ୍ଜ୍ୱଳ...’ ପଦ ଶିବଙ୍କ ତୃତୀୟ ନୟନରୁ ଅଗ୍ନିବର୍ଷଣ ହେତୁ ଧ୍ବଂସଲୀଳା ବର୍ଣ୍ଣନା କରେ। କର୍ଣ୍ଣରେ କୁଣ୍ଡଳ, ଗଳାରେ ସର୍ପ, ମୁଣ୍ଡରେ ଚନ୍ଦ୍ର ଧାରଣ କରିଥିବା ଶିବଙ୍କ ନୃତ୍ୟରେ ସମସ୍ତ ବ୍ରହ୍ମାଣ୍ଡ କମ୍ପିତ ହେଉଥିବା ବିଷୟ ‘ଚଳତ୍କୁଣ୍ଡଳ...’ ପଦରେ ନିହିତ ଅଛି। ପୁରାଣ କହେ, ଅହଂକାର ଓ ଶକ୍ତିରେ ମତ୍ତ ହୋଇ ରାବଣ ଭଗବାନ ଶିବଙ୍କ ବାସସ୍ଥାନ କୈଳାସ ପର୍ବତକୁ ଉଠାଇ ନେବା ଭଳି ଦୁଃସାହସ କରିଥିଲା। ଶିବ ପର୍ବତ ଉପରେ ତାଙ୍କର ପାଦର ଆଙ୍ଗୁଠି ଚାପି ରାବଣକୁ ଶକ୍ତିହୀନ ପ୍ରମାଣିତ କରି ତା’ର ଗର୍ବ ଭାଙ୍ଗିଦେଇଥିଲେ। ଅପପ୍ରୟାସରେ ବିଫଳ ରାବଣର ଅହଙ୍କାର ଭାଙ୍ଗିବା ପରେ ସେ ଶିବଙ୍କୁ ତୁଷ୍ଟ କରିବାକୁ ତାଣ୍ଡବ ସ୍ତୋତ୍ର ରଚନା କରିଥିଲା। ରାବଣକୃତ ଶିବ ତାଣ୍ଡବ ସ୍ତୋତ୍ରମ୍‌ରେ ଶିବଙ୍କ ବିଭିନ୍ନ ଗୁଣର ପ୍ରଶଂସା କରାଯାଇଛି।

dgadggdzcv

ପୁରାଣ ଆହୁରି ମଧ୍ୟ କହେ, ରାବଣ ଥିଲା ଶିବଙ୍କର ପରମ ଭକ୍ତ। ଏଣୁ ରାବଣ ଦ୍ୱାରା ରଚିତ ଶିବ ତାଣ୍ଡବ ସ୍ତୋତ୍ର ଆଜି ବି ଭକ୍ତଶ୍ରଦ୍ଧାଳୁ ପରମଭକ୍ତିରେ ପାଠକରନ୍ତି। ଛନ୍ଦ-ତାଳ-ଲୟ ସହ ଅତ୍ୟନ୍ତ ଉଚ୍ଚକୋଟୀର ଭାଷାରେ ଲିଖିତ ଏହି ସ୍ତୋତ୍ରକୁ ପାଠକଲେ ବହୁ ସୁଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ତାଣ୍ଡବର ଅର୍ଥ ଉଛୁଳିବା। ଅର୍ଥାତ୍‌ ଶିବ ତାଣ୍ଡବ ପାଠକଲେ ମନ ଓ ଶରୀରରେ ଅଫୁରନ୍ତ ଶକ୍ତି ଜାତହୁଏ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ କିମ୍ବା ଶତ୍ରୁଦ୍ୱାରା ହଇରାଣ ହରକତ ହେଉଥିଲେ ଅଥବା ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ଶିବ ତାଣ୍ଡବ ପାଠ କରିବା ଦ୍ୱାରା ସେସବୁର ନିରାକରଣ ସମ୍ଭବ ହୋଇଥାଏ। ଶ୍ବାସରୋଗ ଥିବା ଲୋକେ ଶିବ ତାଣ୍ଡବ ଗାନକଲେ ଉପଶମ ଲାଭ କରିଥାଆନ୍ତି। ପୁଣି ଗ୍ରହଦଶା ଦୂର କରିବା ଲାଗି ଶିବ ତାଣ୍ଡବ ସ୍ତୋତ୍ର ପାଠ କରିବାକୁ ଜ୍ୟୋତିଷୀ ପରାମର୍ଶ ଦେଇଥାଆନ୍ତି। ଯଦି ଆପଣ କାଳସର୍ପ ଦୋଷ କିମ୍ବା ପିତୃଦୋଷରେ ପୀଡ଼ିତ, ଦୈନିକ ଶିବ ତାଣ୍ଡବ ସ୍ତୋତ୍ର ପାଠକଲେ ସେଥିରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି। ଏହାଦ୍ବାରା ମାନସିକ ଶାନ୍ତି, ଆଧ୍ୟାତ୍ମିକ ଜାଗରଣ ଓ ନକାରାତ୍ମକ ଶକ୍ତିରୁ ସୁରକ୍ଷା ମିଳିଥାଏ।

ଶିବ ତାଣ୍ଡବର ବିଭିନ୍ନ ମୁଦ୍ରା ନଟରାଜ ମୂର୍ତ୍ତିରେ ପ୍ରଦର୍ଶିତ ହୋଇଛି। ଭିନ୍ନ ଭିନ୍ନ ତାଣ୍ଡବରେ ହସ୍ତସଂଖ୍ୟା ଭିନ୍ନ ହୋଇଥିବା ବେଳେ ହାତ ଓ ପାଦର ମୁଦ୍ରା ମଧ୍ୟ ଭିନ୍ନ ରହିଛି। ପୁଣି ଭିନ୍ନ ଭିନ୍ନ ଅସ୍ତ୍ର ମଧ୍ୟ ତାଣ୍ଡବ ଅନୁସାରେ ଶିବ ଧାରଣ କରିଛନ୍ତି।  ନିମ୍ନରେ ଏ ସଂପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଛି। ଆନନ୍ଦ ତାଣ୍ଡବ ନୃତ୍ୟରେ ଶିବଙ୍କୁ ୪ଟି ବାହୁ ସହିତ ଦର୍ଶାଯାଇଛି। ତାଙ୍କ ପଛ ଡାହାଣ ହାତରେ ରହିଛି ଡମ୍ବରୁ, ଯାହା ସୃଷ୍ଟିର ପ୍ରତୀକ। ସେହିପରି ବାମ ହାତରେ ଅଛି ବିନାଶର ପ୍ରତୀକ ଅଗ୍ନି। ତାଙ୍କର ଆଗ ଡାହାଣ ହାତ ଅଭୟ ମୁଦ୍ରାରେ ରହିଛି, ଯାହା ସୁରକ୍ଷା ଓ ମୋକ୍ଷର ପ୍ରତୀକ ଏବଂ ତାଙ୍କ ଆଗ ବାମ ହାତ ଉଠାଯାଇଥିବା ପାଦକୁ ଇଙ୍ଗିତ କରୁଛି, ଯାହା ମୋକ୍ଷ ମାର୍ଗର ସଙ୍କେତ।

ସନ୍ଧ୍ୟା ତାଣ୍ଡବରେ ଭଗବାନ ଶିବଙ୍କୁ ଏକ ନିର୍ଦ୍ଦିଷ୍ଟ ନୃତ୍ୟ ମୁଦ୍ରାରେ ଦେଖିବାକୁ ମିଳେ। ତାଙ୍କର ଗୋଟିଏ ପାଦ ଉପରକୁ ଉଠାଇ ଅନ୍ୟଟିକୁ ଦୃଢ଼ ଭାବରେ ଲଗାଯାଇଛି। ସେ ପଛ ବାମ ହାତରେ ବିସ୍ମୟ ମୁଦ୍ରାରେ ଏକ ମୟୂରପୁଚ୍ଛ ଧାରଣ କରିଛନ୍ତି ଏବଂ ତାଙ୍କ ଆଗ ଡାହାଣ ହାତରେ ରହିଛି ଡମ୍ବରୁ। ତାଙ୍କର ଆଗ ବାମ ହାତ ଭାରଦ ମୁଦ୍ରାରେ ଓ ଆଗ ଡାହାଣ ହାତ ବାମ ହାତ ତଳକୁ ବକ୍ରାକାର‌େର ରହିଛି।
ଉମା ତାଣ୍ଡବରେ ଶିବଙ୍କର ୬ଟି ହାତ ଥିବା ବେଳେ ସାଥିରେ ଦେବୀ ଉମା ମଧ୍ୟ ଅବସ୍ଥାନ କରିଛନ୍ତି। ଶିବ ଦୁଇଟି ହାତରେ ତ୍ରିଶୂଳ ଧରିଛନ୍ତି। ତାଙ୍କର ଡାହାଣ ଗୋଡ଼ ଡାହାଣକୁ ବୁଲିଛି ଏବଂ ତାଙ୍କ ବାମ ଗୋଡ଼ ଏକ ବାମନ ରାକ୍ଷସ ଉପରେ ରଖାଯାଇଛି।

ପୌରାଣିକ କଥା ମତରେ, ତ୍ରିପୁରାସୁର ରାକ୍ଷସ ଆକାଶରେ ତିନୋଟି ନଗର ନିର୍ମାଣ କରିଥିଲା। ଶିବ ତାଣ୍ଡବ ନୃତ୍ୟ କରିବା ସମୟରେ ଏହି ନଗରଗୁଡ଼ିକୁ ଧ୍ୱଂସ କରିଥିଲେ, ଏଣୁ ଏହା ତ୍ରିପୁରା ତାଣ୍ଡବ ଭାବେ ନାମିତ। ତ୍ରିପୁରା ତାଣ୍ଡବ ନଟରାଜ ମୂର୍ତ୍ତିରେ ଶିବଙ୍କର ୧୬ଟି ହାତ ଅଛି। ବାମ ପାର୍ଶ୍ୱରେ ଦେବୀମାତା ଓ ଦକ୍ଷିଣରେ ଶିଶୁ କାର୍ତ୍ତିକ ଅଛନ୍ତି। କିଂବଦନ୍ତି କହେ- ଦାରୁକ ରାକ୍ଷସକୁ ବଧ କରିବା ପରେ କାଳୀ ଅତ୍ୟନ୍ତ କ୍ରୋଧିତ ହୋଇ ବିନାଶକାରୀ ନୃତ୍ୟ କରିଥିଲେ। ତାଙ୍କୁ ଶାନ୍ତ କରିବା ପାଇଁ ଭଗବାନ ଶିବ ତାଣ୍ଡବ ପ୍ରଦର୍ଶନ କରିଥିଲେ। ନୃତ୍ୟରେ ତାଙ୍କର ଶ୍ରେଷ୍ଠତା ଏବଂ ବ୍ରହ୍ମାଣ୍ଡ ଉପରେ ନିୟନ୍ତ୍ରଣକୁ  ପ୍ରଦର୍ଶନ କରିଥିଲେ। ଊର୍ଦ୍ଧ୍ବ ତାଣ୍ଡବ ମୂର୍ତ୍ତିରେ ଶିବଙ୍କର ଗୋଟିଏ ପାଦ ଉଚ୍ଚରେ ରହିଛି, ଯାହା ଊର୍ଦ୍ଧ୍ୱ ଗତିକୁ ଇଙ୍ଗିତ କରିଥାଏ।