ଭାରତୀୟ ମହିଳା ଉଦ୍ୟୋଗୀ ଶ୍ରଦ୍ଧା ଶର୍ମା ‘‌ୟୋର୍‌ ଷ୍ଟୋରି’ ଡିଜିଟାଲ ପ୍ଲାଟ୍‌ଫର୍ମର ପ୍ରତିଷ୍ଠାତା, ସିଇଓ ଏବଂ ମୁଖ୍ୟ ସମ୍ପାଦକ। ଜଣେ ସଫଳ ଷ୍ଟୋରି ଟେଲର୍‌ ଭାବେ ନିଜର ପରିଚୟ ମଧ୍ୟ ସେ ସୃଷ୍ଟି କରିପାରିଛନ୍ତି। ଏହି ପ୍ଲାଟ୍‌ଫର୍ମରେ ସଫଳତା ହାସଲ କରିଥିବା ଯୁବ ଉଦ୍ୟୋଗୀମାନଙ୍କର ସଫଳତାର କାହାଣୀ ପ୍ରଦର୍ଶିତ ହୋଇଥାଏ। ସେମାନଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ ଦର୍ଶକମାନଙ୍କ ପାଇଁ ପ୍ରେରଣାଦାୟୀ। ଶ୍ରଦ୍ଧାଙ୍କ ଏହି ସଫଳତା ମଧ୍ୟ ଅନେକ ଉତ୍‌ଥାନ ପତନ ଦେଇ ଗତି କରିଛି। ସେ ଉଦ୍ୟୋଗୀମାନଙ୍କ ସହିତ ଯୋଗାଯୋଗ କରୁଥିଲେ ଏବଂ ଲୋକମାନଙ୍କୁ ସେମାନଙ୍କ ସଫଳତା ବିଷୟରେ ଜଣାଇବାକୁ ଚାହୁଥିଲେ। ପ୍ରଥମେ ଯେତେବେଳେ ଏକ ଟିଭି ଚ୍ୟାନେଲ୍‌ ପାଇଁ ଏଭଳି ପ୍ରସ୍ତାବଟିଏ ସେ ଦେଇଥିଲେ ତାଙ୍କର ସହଯୋଗୀମାନେ ଏଥିରେ ରାଜି ହୋଇ ନ ଥିଲେ। ତେଣୁ ସେ ଉଦ୍ୟୋଗୀମାନଙ୍କ ଏହି କାହାଣୀଗୁଡ଼ିକୁ ଏକ ପ୍ଲାଟ୍‌ଫର୍ମ ଦ୍ବାରା ସାମ୍ନାକୁ ଆଣିବାକୁ ସ୍ଥିର କରିଥିଲେ।

Advertisment

ଶ୍ରଦ୍ଧା ଶର୍ମା ୧୯୮୦ ଜୁଲାଇ ୬ ତାରିଖରେ ବିହାରର ପାଟଣା ସହରରେ ଜନ୍ମଗ୍ରହଣ କରିଥିଲେ। ସେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ ମହାବିଦ୍ୟାଳୟରୁ ଇତିହାସରେ ସ୍ନାତକ ଓ ସ୍ନାତକୋତ୍ତର ହାସଲ କରିଥିଲେ। ପରେ ଅହମ୍ମବାଦରେ ଏମ୍.ଆଇ.ସି.ଏରୁ ଏମ୍.ବି.ଏ କରିଥିଲେ। ସେ ପ୍ରଥମେ ଏକ ଇଂରାଜି ଖବରକାଗଜର ବ୍ରାଣ୍ଡ୍‌ ପରାମର୍ଶଦାତା ଭାବରେ କାମ କରିବା ସହ ପରେ ମୁମ୍ବାଇ ସିଏନ୍‌ବିସି ନ୍ୟୁଜ୍ ଚ୍ୟାନେଲ୍‌ରେ କାମ କରିଥିଲେ। ସେ ଅନୁଭବ କରିଥିଲେ ଭାରତର ନୂଆ ଉଦ୍ୟୋଗୀମାନଙ୍କୁ ସାମ୍ନାକୁ ଅଣାଯିବା ଦରକାର। କ‌ାରଣ ବଡ଼ ବଡ଼ ଉଦ୍ୟୋଗୀମାନଙ୍କର କାହାଣୀ ଅନ୍ୟମାନେ ତ ଶୁଣାଉଛନ୍ତି। ତେଣୁ ଶ୍ରଦ୍ଧା ‘‌ୟୋର ଷ୍ଟୋରି’ ନ୍ୟୁଜ୍‌ ପୋର୍ଟାଲ୍‌ ଆରମ୍ଭ କରିଥିଲେ। ସେ ଏହି ପୋର୍ଟାଲ୍‌କୁ ଭାରତର ଅଗ୍ରଣୀ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ପରିଣତ କରିବାକୁ ସ୍ଥିର କରିଥିଲେ। ଏହାର ମୂଳ ଲକ୍ଷ୍ୟ ‌‌ହେଉଛି ପ୍ରେରଣାଦାୟୀ କାହାଣୀ ନୂତନ ଉଦ୍ୟୋଗୀଙ୍କୁ ଜଣାଇବା। ୨୦୦୮ରେ ସେ ଏହା ପ୍ରତିଷ୍ଠା କରିଥିଲେ।

publive-image LegalWiz.in

ଶ୍ରଦ୍ଧା ତାଙ୍କର ଅତୀତକୁ ମନେ ପକାଇ କହନ୍ତି, ‘ୟୋର୍‌ ଷ୍ଟୋରି ଡିଜିଟାଲ୍‌ ପ୍ଲାଟ୍‌ଫର୍ମର ପ୍ରଥମ ଉଦ୍ୟୋଗୀ ଜଣେ ଖେଳାଳି ଥିଲେ, ଯିଏକି ତାଙ୍କର ସାକ୍ଷାତକାର ଦେବାକୁ ମୋତେ ଘରକୁ ଡାକି ତାଙ୍କ ବିଷୟରେ ତଥ୍ୟ ଦେବାକୁ ମନାକଲେ କାରଣ ମୁଁ ସେତେବେଳେ କୌଣସି ବଡ଼ ନ୍ୟୁଜ୍ ଚ୍ୟାନେଲ୍‌ରେ କାମ କରୁ ନ ଥିଲି।’’ ବର୍ତ୍ତମାନ ସମୟରେ ଶ୍ରଦ୍ଧାଙ୍କ ‘‌ୟୋର ଷ୍ଟୋରି’ ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ୧ ଲକ୍ଷରୁ ଅଧିକ କାହାଣୀ ପ୍ରକାଶିତ ହୋଇଛି। ଏହାର ମାସକୁ ୧୦ ନିୟୁତରୁ ଅଧିକ ସକ୍ରିୟ ବ୍ୟବହାରକାରୀ ଏବଂ ୫ ନିୟୁତରୁ ଅଧିକ ସକ୍ରିୟ ଗ୍ରାହକ ରହିଛନ୍ତି। ‘‌ୟୋର ଷ୍ଟୋରି’ ୧୨ଟି ଭାଷାରେ ଉପଲବ୍ଧ।

କୌଣସି ଜିନି‌ଷର ଆରମ୍ଭ କିଛି ସମସ୍ୟା ଆଣିଥାଏ। ଶ୍ରଦ୍ଧା ମଧ୍ୟ କେତେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଆରମ୍ଭର ଦୁଇବର୍ଷ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା ତାଙ୍କ ପାଇଁ। ତେବେ ଶ୍ରଦ୍ଧାଙ୍କର ନିଜର ବିଚାରଧାରା ଏବଂ ସ୍ବପ୍ନ ଉପରେ ପୂରା ଭରସା ଥିଲା। ଦୁଇ ବର୍ଷ ପରେ ଧୀରେ ଧୀରେ ୟୋର୍‌ ଷ୍ଟୋରିକୁ ସଫଳତା ମିଳିବା ଆରମ୍ଭ କଲା। ୨୦୧୦ରେ ‘ଭିଲ୍‌ଗ୍ରୋ ଜର୍ଣ୍ଣାଲିଷ୍ଟ ଅଫ୍‌ ଦ ଇୟର୍‌’ ଏବଂ ‘ନାସ୍‌କମ ଇକୋସିଷ୍ଟମ୍‌ ଇଭାଞ୍ଜେଲିଷ୍ଟ ଆୱ‌ାର୍ଡ’ ତାଙ୍କୁ ମିଳିଥିଲା। ବିଫଳତାର ସେହି ତିକ୍ତ ସ୍ବାଦ ପରବର୍ତ୍ତୀ ସମୟରେ ସଫଳତାର ମଧୁର ସ୍ବାଦରେ ପରିଣତ ହୋଇଥିଲା। କ୍ରମାଗତ ତିନି ବର୍ଷ ଧରି ଭାରତର ଶ୍ରେଷ୍ଠ ଉଦ୍ୟୋଗୀମାନଙ୍କ ତାଲିକାରେ ଶ୍ରଦ୍ଧାଙ୍କ ନାମକୁ ସ୍ଥାନୀତ କରାଯାଇଛି। ୨୦୧୫ରେ ୫୦୦ ଲିଙ୍କ୍‌ଡଇନ୍‌ର ଯୁବ ଉଦ୍ୟୋଗୀ ତାଲିକାରେ ମଧ୍ୟରେ ତାଙ୍କର ନାମ ପ୍ରକାଶ ପାଇଥିଲା। ସେହିବର୍ଷ ଅନ୍‌ଲାଇନ୍‌ର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ହୋଇଥିବାରୁ ତାଙ୍କୁ ଲୋରିଆଲ୍‌ ପାରିସ୍ ଫେମିନା ପୁରସ୍କାର ମିଳିଥିଲା। ୨୦୧୬ରେ ପେଟ୍‌ ମେମୋରିଆଲ୍ ଆଉଟ୍‌ଷ୍ଟାଣ୍ଡିଙ୍ଗ୍‌ ଆଲୁମିନି ପୁରସ୍କାର ସେ ଲାଭ କରିଛନ୍ତି।

- ସୁଜ୍ୟୋତ୍ସ୍ନା ରାଣୀ ସାହୁ