ଶ୍ରାବଣ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଥିବା ବୈଦିକ ପର୍ବର ନାମ ‘ଶ୍ରାବଣୀ ଉପାକର୍ମ’ ଉତ୍ସବ। ଏହି ପର୍ବ ଋଷି ପରମ୍ପରାକ୍ରମେ ହଜାର ହଜାର ବର୍ଷ ଧରି ଭାରତବର୍ଷରେ ଅନୁଷ୍ଠିତ ହୋଇ ଆସୁଛି। ସନ୍ନ୍ୟାସୀ, ବ୍ରହ୍ମଚାରୀମାନେ ଚତୁର୍ମାସ୍ୟା ବ୍ରତ ପାଳନ ସମୟରେ ଦୀର୍ଘ ଦୁଇମାସ ଧରି ଆଶ୍ରମ ବାହାରକୁ ବାହାରିନଥାନ୍ତି। ଶ୍ରାବଣ ପୂର୍ଣ୍ଣିମା ଦିନ ପ୍ରାତଃ କାଳରେ ଯଜ୍ଞ ଆଦି ବୈଦିକ କର୍ମ ସାରିବା ସହ ନୂତନ ଯଜ୍ଞ ଉପବୀତ ଧାରଣ କରି ଗ୍ରାମ ଜନପଦକୁ ବେଦ ଓ ବୈଦିକ ବିଚାରର ପ୍ରଚାର ପ୍ରସାର ପାଇଁ ବାହାରିଥାନ୍ତି। ସେମାନେ ସାଧାରଣ ଜନତାଙ୍କୁ ଆର୍ଯ୍ୟ ସଂସ୍କୃତି ଓ ପରମ୍ପରା ବିଷୟରେ ଉପଦେଶ ଦେବା ସହ ସମାଜର ଦେବଋଣ, ପିତୃଋଣ, ରଷିଋଣ ପରିଶୋଧର ସଂକଳ୍ପକୁ ପୁନଃ ସ୍ମରଣ କରାଇଥାନ୍ତି।

Advertisment

ଶ୍ରାବଣ ପୂର୍ଣ୍ଣିମା ତିଥିରେ ଏହି ବୈଦିକ ପର୍ବ ସହିତ ରକ୍ଷା ବନ୍ଧନ ମଧ୍ୟ ପାଳନ କରାଯାଏ। ରକ୍ଷା ବନ୍ଧନକୁ ନେଇ ଅନେକ କିଂବଦନ୍ତି ରହିଛି। ସେଥି ମଧ୍ୟରୁ ଗୋଟିଏ କଥାବସ୍ତୁ ହେଉଛି ରାଣୀ କର୍ଣ୍ଣାବତୀ ଓ ସମ୍ରାଟ ହୁମାୟୁନଙ୍କୁ ନେଇ। ଚିତ୍ତୋରର ରାଣୀ କର୍ଣ୍ଣାବତୀ ନିଜ ରାଜ୍ୟର ସୁରକ୍ଷା ପାଇଁ ଦିଲ୍ଲୀ ସମ୍ରାଟ ହୁମାୟୁନଙ୍କ ପାଖକୁ ଏକ ରକ୍ଷାସୂତ୍ର ପଠାଇଥିଲେ ଓ ସମ୍ରାଟ ହୁମାୟୁନ କର୍ଣ୍ଣାବତୀଙ୍କୁ ଭଉଣୀର ମର୍ଯ୍ୟାଦା ଦେଇ ଚିତ୍ତୋର ରାଜ୍ୟକୁ ସୁରକ୍ଷା ଦେଇଥିଲେ। ସେହି ଦିବସକୁ ସ୍ମରଣ କରି ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବାର ପରମ୍ପରା ସୃଷ୍ଟି ହୋଇଛି ବୋଲି ବିଶ୍ବାସ କରାଯାଏ। ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ସେହ୍ନ, ଶ୍ରଦ୍ଧା ଓ ପ୍ରେମର ପ୍ରତୀକ ଭାବେ ଭାଇ ହାତରେ ରକ୍ଷାସୂତ୍ର ବା ରାକ୍ଷୀଟିଏ ବାନ୍ଧି ଉତ୍ସାହିତ ଓ ପ୍ରଫୁଲ୍ଲିତ ହୋଇଥାଏ। ଏହା କେବଳ ରକ୍ତ ସମ୍ପର୍କରେ ସୀମିତ ନୁହେଁ। ଝିଅମାନେ ଅନ୍ୟ ସଂପ୍ରଦାୟର ଲୋକମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ଭାଇର ମର୍ଯ୍ୟାଦା ପ୍ରଦାନ କରିଥାନ୍ତି।

- ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର
ମୋ: ୯୩୩୭୧୧୭୪୨୯