‘ଶ୍ରୀ’ ବା ଲକ୍ଷ୍ମୀଙ୍କ ସ୍ୱରୂପ ସଂପର୍କରେ ଭିନ୍ନ ଭିନ୍ନ ପୁରାଣରେ ଭିନ୍ନ ଭିନ୍ନ ବର୍ଣ୍ଣନା ଅଛି। ଓଡ଼ିଆ ‘ଶ୍ରୀ ବିଷ୍ଣୁ ପୁରାଣ’ ଅନୁସାରେ, କ୍ଷୀରସିନ୍ଧୁ ମନ୍ଥନରୁ ଯେଉଁ ଲକ୍ଷ୍ମୀ ଜାତ ହୋଇଥିଲେ, ତାଙ୍କ ଶରୀରର ବର୍ଣ୍ଣ ଥିଲା ‘ଦାହଜାମ୍ବୁନଦ’ ବା ତପ୍ତସୁବର୍ଣ୍ଣ ତୁଲ୍ୟ। ଲକ୍ଷ୍ମୀ ହେଉଛନ୍ତି ଶ୍ରୀଦେବୀ। ସେ ପୃଥିବୀର ସୌନ୍ଦର୍ଯ୍ୟ, ଶୋଭା, ଧନ, ଐଶ୍ୱର୍ଯ୍ୟ ଓ ସୌଭାଗ୍ୟର ଦେବୀ। ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁସାରେ- ତାଙ୍କର ବର୍ଣ୍ଣ ଶ୍ୱେତ। ସେହି ବର୍ଣ୍ଣ ଶ୍ୱେତଚମ୍ପକ, କଞ୍ଚନପୁଷ୍ପ ବା ହସ୍ତୀଦନ୍ତ ସମ। ତାଙ୍କର କଟି ଶୀର୍ଣ୍ଣ ଓ ନିତମ୍ବ ବିଶାଳ। ସେ ଅସାମାନ୍ୟା ରୂପବତୀ ଓ ଚିର ଯୁବତୀ।

Advertisment

ଲକ୍ଷ୍ମୀପୂଜା ପ୍ରକରଣରେ ଦେବୀ ଲକ୍ଷ୍ମୀଙ୍କର ଶ୍ରୀଅଙ୍ଗ ପୂଜନର ବିଧାନ ଅଛି। ତାହା ଅନୁସାରେ, ଲକ୍ଷ୍ମୀଙ୍କର ବିଭିନ୍ନ ନାମରେ ତାଙ୍କର ଭିନ୍ନ ଭିନ୍ନ ଅଙ୍ଗର ପୂଜନ କରାଯାଏ। କୁଙ୍କୁମ ମିଶ୍ରିତ ଅକ୍ଷତ ବା ଗୋଟା ଅରୁଆ ଚାଉଳରେ ତାଙ୍କର ଗୋଟିଏ ଗୋଟିଏ ନାମରେ ଗୋଟିଏ ଗୋଟିଏ ଗୋଟିଏ ଅଙ୍ଗର ପୂଜା କରାଯାଏ।
‘ଶ୍ରୀ’ଙ୍କର ସେହି ନାମ ଓ ନାମସଂପୃକ୍ତ ଶ୍ରୀଅଙ୍ଗମାନ ଏହିପରି-

“ଓଁ ଚପଳାୟୈ ନମଃ: ପାଦୌ ପୂଜୟାମି”, ଅର୍ଥାତ୍‌- “ହେ ଚପଳା- ତୁମ୍ଭର ପାଦଯୁଗଳକୁ ମୁଁ ପୂଜା କରୁଛି” କହି ତାଙ୍କର ଦୁଇ ପାଦର ପୂଜା କରାଯାଏ। ସେହିପରି- ‘ଚଞ୍ଚଳା’ ନାମରେ ତାଙ୍କର ଜାନୁପୂଜା, ‘କମଳା’ ନାମରେ କଟି ପୂଜା, ‘କାତ୍ୟାୟନୀ’ ନାମରେ ନାଭିପୂଜା, ‘ଜଗନ୍ମାତା’ ନାମରେ ଜଠର ପୂଜା, ‘ବିଶ୍ୱବଲ୍ଲଭା’ ନାମରେ ବକ୍ଷସ୍ଥଳ ପୂଜା ଏବଂ ‘କମଳବାସିନୀ’ ନାମରେ ହସ୍ତଦ୍ୱୟର ପୂଜା କରାଯାଏ।

ଏହା ପରେ କରାଯାଏ ମୁଖ, ନେତ୍ର ଓ ମସ୍ତକର ପୂଜା। ‘ପଦ୍ମାନନା’ ନାମରେ ତାଙ୍କ ମୁଖର ପୂଜା, ‘କମଳପତ୍ରାକ୍ଷ’ ନାମରେ ଦୁଇ (ବା ତିନି) ନେତ୍ରର ପୂଜା ଏବଂ ‘ଶ୍ରୀ’ ନାମରେ ଶିରର ପୂଜା କରାଯାଏ। ପରିଶେଷରେ “ଓଁ ମହାଲକ୍ଷ୍ମୀ ନମଃ, ସର୍ବାଙ୍ଗ ପୂଜୟାମି”, ଅର୍ଥାତ୍‌, “ହେ ମହାଲକ୍ଷ୍ମୀ, ତୁମ୍ଭର ସର୍ବାଙ୍ଗକୁ ପୂଜା କରୁଛି” କହି ତାଙ୍କୁ ପୂଜା କରାଯାଇ ଥାଏ।