ମାର୍ଗଶିର ମାସ ମା’ ଲକ୍ଷ୍ମୀଙ୍କର ମାସ। ମା’ ଲକ୍ଷ୍ମୀଙ୍କର ଅନ୍ୟନାମ ‘ଶ୍ରୀ’। ଏଣୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ଅନ୍ୟନାମ ‘ଶ୍ରୀକ୍ଷେତ୍ର’। ଏହି ନାମର ଅନେକ ଶାସ୍ତ୍ରୀୟ ଭିତ୍ତି ରହିଛି। ‘ପଦ୍ମ ପୁରାଣ’ରେ ଥିବା ବର୍ଣ୍ଣନା ଅନୁସାରେ- କଳିଯୁଗରେ ବୈଷ୍ଣବମାନେ ଚାରିଟି ସଂପ୍ରଦାୟରେ ବିଭକ୍ତ। ସେହି ଚାରି ସଂପ୍ରଦାୟ ହେଉଛନ୍ତି- ଶ୍ରୀ, ବ୍ରହ୍ମ, ସନକ ଓ ରୁଦ୍ର। ‘ଶ୍ରୀ’ ବୁଝାଏ ଲକ୍ଷ୍ମୀଙ୍କୁ। ‘ବ୍ରହ୍ମ’ ବୁଝାଏ ବ୍ରହ୍ମାଙ୍କୁ, ‘ସନକ’ ବୁଝାଏ ଚାରି ‘ସନ’ଙ୍କୁ୍୍୍୍୍୍୍୍- ଅର୍ଥାତ୍, ସନକ, ସନାତନ, ସନନ୍ଦନ ଓ ସନତ୍ କୁମାରଙ୍କୁ। ଏବଂ ‘ରୁଦ୍ର’ ବୁଝାଏ ମହାଦେବଙ୍କୁ।
ଭଗବାନ ନାରାୟଣଙ୍କଠାରୁ ପ୍ରଥମ ମନ୍ତ୍ର ଉପଦେଶ ଲାଭ କରିଥିଲେ ଏହି ଚାରି ସଂପ୍ରଦାୟର ମୁଖ୍ୟ; ଅର୍ଥାତ୍ ଶ୍ରୀ, ବ୍ରହ୍ମ, ସନକାଦି ଓ ରୁଦ୍ର। ତାହା ପରେ ସେମାନେ ତାଙ୍କର ଶିଷ୍ୟମାନଙ୍କୁ ସେହି ମନ୍ତ୍ର ଉପଦେଶ ପ୍ରଦାନ କରିଥିଲେ।
ସଂପ୍ରଦାୟର ଅର୍ଥ ସଂପ୍ରଦାନ। ଭଗବାନ ନାରାୟଣଙ୍କଠାରୁ ପ୍ରଥମ ମନ୍ତ୍ର ଉପଦେଶ ଲାଭ କରିଥିଲେ ଏହି ଚାରି ସଂପ୍ରଦାୟର ମୁଖ୍ୟ; ଅର୍ଥାତ୍ ଶ୍ରୀ, ବ୍ରହ୍ମା, ସନକାଦି ଓ ରୁଦ୍ର। ତାହା ପରେ ସେମାନେ ତାଙ୍କର ଶିଷ୍ୟମାନଙ୍କୁ ସେହି ମନ୍ତ୍ର ଉପଦେଶ ପ୍ରଦାନ କରିଥିଲେ। ଶାସ୍ତ୍ରୋକ୍ତି ରହିଛି ଯେ ସଂପ୍ରଦାୟହୀନ ହେଲେ ପରମ୍ପରା ରକ୍ଷା ହୁଏ ନାହିଁ; ମନ୍ତ୍ର ମଧ୍ୟ ନିଷ୍ଫଳ ହୋଇଯାଏ। କୋଟିକଳ୍ପର ସାଧନା ଦ୍ବାରା ମଧ୍ୟ ତାହା ସିଦ୍ଧ ହୁଏ ନାହିଁ।
ଭଗବାନ ବିଷ୍ଣୁ ଚତୁର୍ଭୁଜ। ତାଙ୍କର ଚତୁର୍ଭୁଜର ଆୟୁଧ- ଶଙ୍ଖ, ଚକ୍ର, ଗଦା ଓ ପଦ୍ମ। ଭଗବାନଙ୍କର ଏହି ଚାରିଗୋଟି ଆୟୁଧରେ ଉପରୋକ୍ତ ଚାରି ସଂପ୍ରଦାୟଙ୍କର ବିଶେଷ ଅଧିକାର ଥାଏ। ସେଥିପାଇଁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀ ସଂପ୍ରଦାୟର ବିଶେଷ ଅଧିକାର ରହିଛି। ଏବଂ ଏହା ଶଙ୍ଖକ୍ଷେତ୍ର। ସେହିପରି, ବଦ୍ରିକା ବଦ୍ରିନାରାୟଣ କ୍ଷେତ୍ରରେ ବ୍ରହ୍ମ ସଂପ୍ରଦାୟର ବିଶେଷ ଅଧିକାର ଥାଏ ଏବଂ ତାହା ପଦ୍ମକ୍ଷେତ୍ର। ବାକି ଦୁଇଟି କ୍ଷେତ୍ର ହେଉଛି- ଚକ୍ରକ୍ଷେତ୍ର ଓ ଗଦାକ୍ଷେତ୍ର। ଦ୍ବାରକା କ୍ଷେତ୍ରରେ ସନକ ସଂପ୍ରଦାୟର ବିଶେଷ ଅଧିକାର ଥାଏ ଏବଂ ତାହା ଚକ୍ରକ୍ଷେତ୍ର। ସେହିପରି, ରାମେଶ୍ବରଠାରେ ରୁଦ୍ର ସଂପ୍ରଦାୟର ବିଶେଷ ଅଧିକାର ଥାଏ ଏବଂ ତାହା ଗଦାକ୍ଷେତ୍ର। ଏହି ଚାରିକ୍ଷେତ୍ର ମଧ୍ୟରୁ, ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଅବସ୍ଥାନ କରୁଥିବାରୁ ଏକ ବିଶେଷ କ୍ଷେତ୍ର ହେଉଛି ଶ୍ରୀପୁରୁଷୋତ୍ତମ କ୍ଷେତ୍ର ବା ଶ୍ରୀକ୍ଷେତ୍ର। ଏହା ମଧ୍ୟ ଶଙ୍ଖକ୍ଷେତ୍ର।