ସୀତାହରଣରେ ବିବ୍ରତ ରାମ ଓ ଲକ୍ଷ୍ମଣ ଜଟାୟୁଠାରୁ ରାବଣର କର୍ତ୍ତୃତ୍ୱ ଶୁଣି ଆହୁରି ମ୍ରିୟମାଣ ହୋଇପଡ଼ିଲେ। ରାବଣ କେଉଁଠି ରହେ ତାହାର ନିର୍ଦ୍ଦିଷ୍ଟ ବିବରଣୀ ଯେହେତୁ ତାଙ୍କ ପାଖରେ ନଥିଲା, ଜଟାୟୁର ଶେଷକୃତ୍ୟ ସଂପାଦନ କଲାପରେ ସେମାନେ ସୀତାଙ୍କ ଅନ୍ୱେଷଣରେ ଜନସ୍ଥାନ ମଧ୍ୟ ଦେଇ କ୍ରୌଞ୍ଚ ନାମକ ଏକ ଗଭୀର ଅରଣ୍ୟ ମଧ୍ୟରେ ପ୍ରବେଶ କଲେ। ଏହି ସମୟରେ ସେମାନେ ଗ୍ରୀବା ଓ ମସ୍ତକହୀନ ଏକ ବିକଟାକୃତି ରାକ୍ଷସର ସମ୍ମୁଖୀନ ହେଲେ। ଏହି ରାକ୍ଷସର ରୂପ ଅତ୍ୟନ୍ତ ଭୟଙ୍କର ଥିଲା। ରାକ୍ଷସର ମୁଖ ତା’ର ଉଦରରେ ଥିଲା। ଏକମାତ୍ର ଚକ୍ଷୁ ଜ୍ୱଳନ୍ତ ଅଙ୍ଗାର ସ୍ୱରୂପ ହୋଇଥିଲା। ହସ୍ତ ଦୁଇଟି ଥିଲା ଅତ୍ୟନ୍ତ ଦୀର୍ଘ। ସେହି ଦୀର୍ଘ ଦୁଇହାତରେ ସେ ରାମଲକ୍ଷ୍ମଣଙ୍କୁ ଧରି ଭୋଜନ କରିବାକୁ ଉଦ୍ୟମ କରିବାରୁ ରାମ ଓ ଲକ୍ଷ୍ମଣ ତା’ର ଦୁଇବାହୁକୁ ଅସିଦ୍ୱାରା ଛେଦନ କଲେ। ହାତ କଟିଗଲା ପରେ ରାକ୍ଷସ ଭୟଙ୍କର ଗର୍ଜନ କରି ଭୂମିରେ ଲୋଟିପଡ଼ିଲା। ଯନ୍ତ୍ରଣାରେ କାତର ହୋଇ ଅତ୍ୟନ୍ତ ଦୀନ ଭାବରେ, ରାକ୍ଷସ ସେ ଦୁଇଭାଇଙ୍କର ପରିଚୟ ଜାଣିବାକୁ ଚାହିଁବାରୁ ଲକ୍ଷ୍ମଣ ତାକୁ ସେମାନଙ୍କର ପରିଚୟ ପ୍ରଦାନ କଲେ। ଏଥିରେ ହର୍ଷିତ ହୋଇ ଆତ୍ମପରିଚୟ ପ୍ରଦାନ ପୂର୍ବକ ସେ ରାମଲକ୍ଷ୍ମଣଙ୍କୁ ସ୍ତୁତି କରିବାକୁ ଆରମ୍ଭ କଲା।

Advertisment

ସେହି ରାକ୍ଷସର ନାମ ଥିଲା କବନ୍ଧ। ପୂର୍ବଜନ୍ମରେ ସେ ବିଶ୍ୱାବସୁ ନାମକ ଜଣେ ଗନ୍ଧର୍ବ ଥିଲା। ଏକଦା କଠୋର ତପସ୍ୟା କରି ସେ ବ୍ରହ୍ମାଙ୍କଠାରୁ ଦୀର୍ଘଜୀବନ ଲାଭର ବର ପାଇଥିଲା। ଏହି ବରଲାଭ କରି ସେ ଅହଂକାରଗ୍ରସ୍ତ ହୋଇ ଇନ୍ଦ୍ରଙ୍କ ସହିତ ଯୁଦ୍ଧରେ ପ୍ରବୃତ୍ତ ହେଲା। ଯୁଦ୍ଧରେ ଦେବରାଜ ଇନ୍ଦ୍ରଙ୍କ ବଜ୍ରାଘାତରେ ତାର ଶିର ବିନଷ୍ଟ ହୋଇଗଲା। କିନ୍ତୁ ବ୍ରହ୍ମାଙ୍କ ବର ଯୋଗୁଁ ତା’ର ମୃତ୍ୟୁ ହେଲା ନାହିଁ। ଏଥିରେ ଦୁଃଖିତ ହୋଇ ସେ ଇନ୍ଦ୍ରଙ୍କର ଶରଣାଗତ ହେବାରୁ ସେ ତାର ମୁଖ ଓ ଚକ୍ଷୁକୁ ଉଦର ମଧ୍ୟରେ ସ୍ଥାପିତ କରିଦେଲେ। ଏହିପରି ରୂପ ନେଇ ଭ୍ରମଣ କଲାବେଳେ ଏକ ବିକଟ ରାକ୍ଷସ ରୂପ ଧରି ସେ ମହର୍ଷି ସ୍ଥୂଳଶୀରଙ୍କୁ ଭୟ ପ୍ରଦର୍ଶନ କରିବାରୁ ମହର୍ଷି ତାକୁ ସେହି ରୂପରେ ରହିବାକୁ ଅଭିଶାପ ଦେଇଦେଲେ। ଏଥିରେ ବିଚଳିତ ହୋଇ କବନ୍ଧ ମହର୍ଷିଙ୍କୁ ପ୍ରାର୍ଥନା କରିବାରୁ ମହର୍ଷି କହିଲେ, “ଯେତେବେଳେ ରାମ ଓ ଲକ୍ଷ୍ମଣ ଏହି ପଥ ଦେଇ ଗମନ କରିବେ, ତୋର ହସ୍ତ କର୍ତ୍ତନ କରି ତତେ ସୂର୍ଯ୍ୟାସ୍ତ ପୂର୍ବରୁ ଦାହ କରିବେ, ତୁ ତୋର ପୂର୍ବରୂପ ଫେରି ପାଇବୁ।

ରାମଲକ୍ଷ୍ମଣ ସେହିପରି କରିବାରୁ କବନ୍ଧ ତା’ର ପୂର୍ବ ବିଶ୍ୱାବସୁ ରୂପ ଫେରିପାଇଲା। କିନ୍ତୁ ଅଭିଶାପ ଯୋଗୁଁ ସେ ତା’ର ଦିବ୍ୟସତ୍ତା ହରାଇଥିଲା। ସୀତାଙ୍କର ସନ୍ଧାନ ଦେଇ ନ ପାରିବାରୁ, ରାମଚନ୍ଦ୍ରଙ୍କୁ ଋଷ୍ୟମୁକ ପର୍ବତକୁ ଗମନ କରି ସେଠାରେ ଥିବା କିସ୍କିନ୍ଧ୍ୟାର ନିର୍ବାସିତ ରାଜକୁମାର ସୁଗ୍ରୀବଙ୍କ ସହିତ ବନ୍ଧୁତା କରିବାକୁ ସେ ପରାମର୍ଶ ଦେଇଥିଲା। କାରଣ ସ୍ୱରୂପ ସେ ରାମଚନ୍ଦ୍ରଙ୍କୁ କହିଥିଲା, ଆପଣଙ୍କ ପରି ସେ ମଧ୍ୟ ରାଜ୍ୟହରା ଓ ପତ୍ନୀହରା। କିନ୍ତୁ ବାନରରାଜ ସୁଗ୍ରୀବ ଏକାଧାରରେ ତେଜସ୍ୱୀ, କାନ୍ତିମାନ, ସତ୍ୟପ୍ରତିଜ୍ଞ, ବିନୟଶୀଳ, ଧୈର୍ଯ୍ୟବାନ, ବୁଦ୍ଧିମାନ ତଥା ପରାକ୍ରମଶାଳୀ। ଆପଣଙ୍କ ସହିତ ବନ୍ଧୁତା କରିବାପାଇଁ ସେ ଉପଯୁକ୍ତ। ଏହି ସୂର୍ଯ୍ୟପୁତ୍ର ଯେହେତୁ ସର୍ବଜ୍ଞାତା ତଥା ବହୁ ରାଜ୍ୟ ଭ୍ରମଣ କରିବାର ଅନୁଭବ ରଖିଛନ୍ତି, ସେ ନିଶ୍ଚିତ ଭାବରେ ତାଙ୍କର ବିଦ୍ୱାନ ମନ୍ତ୍ରୀମାନଙ୍କ ସହିତ ପରାମର୍ଶ କରି ସୀତା କେଉଁଠାରେ ଅଛନ୍ତି ତା’ର ସନ୍ଧାନ ଦେଇପାରିବେ। ଆପଣ ତାଙ୍କୁ ସାହାଯ୍ୟ କରିବେ ଏବଂ ସେ ଆପଣଙ୍କୁ ସାହାଯ୍ୟ କରିବେ।
-ଡକ୍ଟର ତୁଳସୀ ଓଝା