କବନ୍ଧର ନିର୍ଦ୍ଦେଶାନୁସାରେ ଶ୍ରୀରାମ ଓ ଲକ୍ଷ୍ମଣ ବାନର ସୁଗ୍ରୀବଙ୍କ ସହିତ ସଖ୍ୟ ସ୍ଥାପନ କରିବା ପାଇଁ ଋଷ୍ୟମୁକ ପର୍ବତ ଅଭିମୁଖେ ଯାତ୍ରା କଲେ। ଏଠାରେ ପ୍ରଶ୍ନ ଉଠେ, ଏପରି ଏକ ଉପଦେଶ କବନ୍ଧ କାହିଁକି ଦେଇଥିଲା? ଏହାର ଯଥାଯଥ ଉତ୍ତର ବାନର ସଭ୍ୟତା ଉପରେ ଦୃଷ୍ଟିପାତ କଲେ ମିଳିଥାଏ। ରାମ ଥିଲେ ବନବାସୀ। ବାନର ସଭ୍ୟତାର ବିକାଶଭୂମି ଥିଲା ଭାରତର ବନାଞ୍ଚଳ। ‘ରାମାୟଣ’ର ତଥ୍ୟ ଅନୁଯାୟୀ ବାନରମାନେ ସାଧାରଣତଃ ପର୍ବତ ଓ ବନାଞ୍ଚଳର ଅଧିବାସୀ। ବିଶେଷ କରି ହିମାଳୟ, ମହେନ୍ଦ୍ର, ବିନ୍ଧ୍ୟ, କୈଳାସ ଓ ମନ୍ଦର ସହିତ ଦକ୍ଷିଣ ଭାରତର ସୁମେରୁ, କିସ୍କିନ୍ଧ୍ୟା ଆଦି ଅଞ୍ଚଳ ଥିଲା ସେମାନଙ୍କର ବାସଭୂମି। ଭିନ୍ନଭିନ୍ନ ଅଞ୍ଚଳରେ ବାସ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଏକ ଅତୁଟ ବନ୍ଧନ ଥିଲା। ବାନରମାନେ ଯେପରି ବଳଶାଳୀ ଥିଲେ ସେହିପରି ସୁସଂସ୍କୃତ ଓ ବେଦବେଦାନ୍ତ ନିପୁଣ ଏବଂ ଶାସ୍ତ୍ରଜ୍ଞ, ବୁଦ୍ଧିମାନ ଓ କଳାକୁଶଳୀ ଥିଲେ। ସେହିପରି ଜଣେ ବାନର ହେଉଛନ୍ତି ହନୁମାନଙ୍କ ପିତା କେଶ୍ରୀ। ସେ ଥିଲେ ସୁମେରୁ ପ୍ରଦେଶର ରାଜା। ଏକ ମତ୍ତହସ୍ତୀ ଦଳ ଋଷିମାନଙ୍କୁ ପୀଡ଼ା ଦେଉଥିବାରୁ ସେମାନଙ୍କୁ ବଧକରି ଋଷିମାନଙ୍କୁ ରକ୍ଷା କରିଥିବାରୁ ତାଙ୍କ ନାମ ହୋଇଥିଲା କେଶ୍ରୀ, କେଶରୀ ଓ କୁଞ୍ଜର ସୁଦାନ। ଅପ୍‌ସରା ପୁଞ୍ଜିକସ୍ଥଳା (ଅଞ୍ଜନା) ଥିଲେ ତାଙ୍କର ପତ୍ନୀ। କିସ୍କିନ୍ଧ୍ୟାରାଜ ବାଳୀର ବଳବିକ୍ରମରେ ଆନନ୍ଦିତ ହୋଇ ସମୁଦ୍ର ମନ୍ଥନରୁ ବାହାରିଥିବା ଅପସରା ତାରାଙ୍କୁ ଇନ୍ଦ୍ର କିସ୍କିନ୍ଧ୍ୟାରାଜ ବାଳିକୁ ବିବାହ ଦେଇଥିଲେ। ଗନ୍ଧର୍ବକନ୍ୟା ରୁମା ମଧ୍ୟ ସୁଗ୍ରୀବଙ୍କ ରୂପରେ ଆକୃଷ୍ଟ ହୋଇ ତାଙ୍କୁ ବିବାହ କରିଥିଲେ।

Advertisment

ଶାସ୍ତ୍ରାନୁସାରେ ‘ରାମାୟଣ’ରେ ବର୍ଣ୍ଣିତ ବାନରମାନଙ୍କ ମଧ୍ୟରୁ ଅନେକ ଥିଲେ ଦିବ୍ୟଜନ୍ମା ତଥା ବିଶେଷ ଗୁଣର ଅଧିକାରୀ। ମହାରାଜ କେଶ୍ରୀ ଥିଲେ ପାର୍ବତୀଙ୍କର ପୁତ୍ର। ହନୁମାନ ଥିଲେ ପବନପୁତ୍ର। ଋକ୍ଷରାଜ ଥିଲେ ବ୍ରହ୍ମାପୁତ୍ର। ବାଳୀ ଥିଲେ ଇନ୍ଦ୍ରଙ୍କ ପୁତ୍ର। ସୁଗ୍ରୀବ ଥିଲେ ସୂର୍ଯ୍ୟଙ୍କ ପୁତ୍ର। ନଳ ନୀଳ ଥିଲେ ବିଶ୍ୱକର୍ମାଙ୍କ ପୁତ୍ର। ଅତଏବ ସେମାନେ ଏପରି ଏକ ଜନଜାତି ଥିଲେ ଯେଉଁମାନେ ଆର୍ଯ୍ୟ, ଅନାର୍ଯ୍ୟ, ଦୈତ୍ୟ ଓ ଦାନବମାନଙ୍କର ସମକକ୍ଷ ଏକ ସଭ୍ୟତା ଓ ସଂସ୍କୃତିର ଅଧିକାରୀ। ରାବଣ ସହିତ ଯୁଦ୍ଧ ନିମନ୍ତେ ସମକକ୍ଷ ଏକ ସେନା କେବଳ ବାନରମାନଙ୍କ ଦ୍ୱାରା ସମ୍ଭବ ହୋଇପାରିବ; କବନ୍ଧଙ୍କ ଦୂରଦୃଷ୍ଟି ଏହି ସଂକେତ ଦେଇଥିଲା। ରାମଙ୍କ ସହିତ ସୁଗ୍ରୀବଙ୍କ ମିଳନ ଫଳରେ ତାହା ସମ୍ଭବ ହୋଇଥିଲା। ନଳ ନୀଳଙ୍କ ପରି ବୁଦ୍ଧିମାନ ସ୍ଥପତି, ବଳଶାଳୀ ବାନର ସେନା, ନିର୍ଭୀକ ଦଳପତି, ପ୍ରାଜ୍ଞ ଜାମ୍ବବାନ, ଭକ୍ତ ହନୁମାନ, ଚିକିତ୍ସାବିଜ୍ଞାନୀ ସୁଶେଣ ଆଦି ବାନରସଭ୍ୟତାସଂପନ୍ନ ବ୍ୟକ୍ତିତ୍ୱମାନଙ୍କ ସହଯୋଗ ହିଁ ରାମଙ୍କର ରାବଣବଧ ପଥ ସୁଗମ କରିଥିଲା।

ଏହା ବ୍ୟତୀତ ପୁରାଣର ବର୍ଣ୍ଣନା ଅନୁସାରେ, ଯେତେବେଳେ ରାବଣ ବଧ ନିମିତ୍ତ ଶ୍ରୀବିଷ୍ଣୁ ରାମାବତାର ହୋଇ ମର୍ତ୍ତ୍ୟରେ ଜନ୍ମ ନେବାପାଇଁ ନିଶ୍ଚୟ କଲେ, ସେତେବେଳେ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଦେବତାମାନେ ଅପସରାମାନଙ୍କ ସହଯୋଗରେ ବୀର ବାନରପୁତ୍ର ଉତ୍ପାଦନ କରିଥିଲେ। ସେମାନଙ୍କ ମଧ୍ୟରୁ ହନୁମାନ ଚିରଞ୍ଜୀବୀ ହେବା ସହିତ, ସୁଗ୍ରୀବ ରାମଙ୍କ ସହିତ ଦିବ୍ୟଧାମ ଗମନ କରିଥିଲେ। ଅଙ୍ଗଦ ପିତୃଋଣ ପରିଶୋଧ କରିବା ନିମିତ୍ତ ଜାରା ଶବର ରୂପେ ଜନ୍ମଗ୍ରହଣ କରିଥିଲେ। ଏ ମହାନ ସଭ୍ୟତାର ଇତିକଥା ଏହିପରି ଭାବରେ ବର୍ଣ୍ଣିତ।
-ଡକ୍ଟର ତୁଳସୀ ଓଝା