ପ୍ରଭୁ ଶ୍ରୀରାମ ମିତ୍ର ସୁଗ୍ରୀବଙ୍କର ବାନରସେନା ନେଇ ଯେତେବେଳେ ଦକ୍ଷିଣ ସାଗର ତୀରରେ ଶିବିର ସ୍ଥାପନ କଲେ, ସମ୍ମୁଖରେ ବିଶାଳ ସମୁଦ୍ର ଦେଖି ଚିନ୍ତିତ ହୋଇ ପଡ଼ିଲେ। ଏହି ସମୟରେ ବିଭୀଷଣ ଶ୍ରୀରାମଙ୍କୁ କହିଲେ, “ପ୍ରଭୁ! ସମୁଦ୍ର ଆପଣଙ୍କ ପୂର୍ବପୁରୁଷଙ୍କର ଅବଦାନ। ଏ ଦୃଷ୍ଟିରୁ ବରୁଣଦେବ ଆପଣଙ୍କ ନିକଟରେ ଋଣୀ। ଏଣୁ ଆପଣ ବରୁଣଦେବଙ୍କୁ ପଥ ଦେବାପାଇଁ ଆଦେଶ କରନ୍ତୁ। ସେ ଆପଣଙ୍କ କଥା ରଖିବେ।”
ଶ୍ରୀରାମ ମର୍ଯ୍ୟାଦାପୁରୁଷୋତ୍ତମ। ସ୍ୱୟଂ ନାରାୟଣ ହେଲେ ମଧ୍ୟ ମନୁଷ୍ୟ ଭାବରେ ସେ ଅବତାର ଗ୍ରହଣ କରିଛନ୍ତି। ଏଣୁ ବରୁଣଙ୍କୁ ଆଦେଶ ଦେବାର ଅଧିକାର ତାଙ୍କର ନାହିଁ। ଏହା ଚିନ୍ତାକରି ଏକ କୁଶଶଯ୍ୟା ବିଛାଇ ବସି, ସେ ସମୁଦ୍ର ମଧ୍ୟରେ ପଥ ଦେବା ନିମିତ୍ତ ବରୁଣଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ। ଉପବାସ ରହି ତିନି ଦିନ ପ୍ରାର୍ଥନା କଲେ ମଧ୍ୟ ବରୁଣଦେବ ସଦୟ ହେଲେ ନାହିଁ। ଏହି ଉପେକ୍ଷା ଶ୍ରୀରାମଙ୍କୁ ଆହତ କଲା। ତାଙ୍କର ଅହଂକାର ଚୂର୍ଣ୍ଣ କରିବା ନିମିତ୍ତ ସେ କ୍ରୋଧିତ ହୋଇ, ଧନୁରେ ଶର ସଂଯୋଗ କରି, ଜଳ ମଧ୍ୟରେ ପଥ ନିର୍ମାଣ ନିମିତ୍ତ ନିକ୍ଷେପ କଲେ। 
ଏହି ଶରାଘାତରେ ସମଗ୍ର ସମୁଦ୍ର ବିକ୍ଷୁବ୍ଧ ହୋଇ ଉଠିଲା। ଜଳଚର ପ୍ରାଣୀମାନେ ହାହାକାର କରି ଉଠିଲେ। ସମୁଦ୍ରକୁ ସଂପୂର୍ଣ୍ଣ ଶୁଖାଇଦେବା ନିମିତ୍ତ ଯେତେବେଳେ ଶ୍ରୀରାମ ଧନୁରେ ଦ୍ୱିତୀୟ ଶର ସଂଯୋଗ କଲେ, ସ୍ୱୟଂ ବରୁଣଦେବ ଜଳ ମଧ୍ୟରୁ ବାହାରି ତାଙ୍କୁ ପ୍ରଣାମ କରି କୋମଳ କଣ୍ଠରେ କହିଲେ, “ହେ ତିନି ଭୁବନର କର୍ତ୍ତା- ହେ ମର୍ଯ୍ୟାଦାପୁରୁଷୋତ୍ତମ! ଆପଣଙ୍କ ଦ୍ୱାରା ସୃଷ୍ଟ କ୍ଷିତି, ଅପ୍‌, ତେଜ, ମରୁତ ଓ ବ୍ୟୋମ ନିଜ ନିଜ ସ୍ୱାଭାବିକଗୁଣ ଦ୍ୱାରା ଅନୁବନ୍ଧିତ। ମୁଁ ମଧ୍ୟ ସେହିପରି। ଆପଣ ଜାଣନ୍ତି, ମୁଁ ମଧ୍ୟ ମୋର ମର୍ଯ୍ୟାଦା କେବେ ଲଂଘନ କରେ ନାହିଁ। ମୋର ଅଗାଧ ଜଳରାଶିକୁ କେହି ବିଭକ୍ତ କରିପାରନ୍ତି ନାହିଁ। ଏହା ମୋର ସ୍ୱଭାବ ବିରୁଦ୍ଧ। ଏହା ମୋର ଅହଂକାର ନୁହେଁ, ଆପଣଙ୍କ ପ୍ରଦତ୍ତ ଗୁଣ। ଏଣୁ ହେ ପ୍ରଭୁ, କୋପ ତ୍ୟାଗ କରି ମୋ କଥା ଶୁଣନ୍ତୁ। ମୋ ଗର୍ଭରେ ଅଂସଖ୍ୟ ଜଳଜୀବ ଓ ପ୍ରବାଳ ଆଦି ରହିଛନ୍ତି। ଆପଣ ଏ ଶର ନିକ୍ଷେପ କଲେ ସମସ୍ତ ଜୀବ ଧ୍ୱଂସ ପାଇଯିବେ। ଆପଣ ମୋ ଜଳରାଶିର ଉପରିଭାଗରେ ସେତୁ ନିର୍ମାଣ କରି ସସୈନ୍ୟ ଲଙ୍କାକୁ ଯାଆନ୍ତୁ। ଆପଣଙ୍କ ବାନରସେନାରେ ବିଶ୍ୱକର୍ମାଙ୍କର ଦୁଇ ପୁତ୍ର ନଳ ଓ ନୀଳ ଅଛନ୍ତି। ଶିଳ୍ପକର୍ମରେ ସେମାନେ ବିଶ୍ୱକର୍ମା ତୁଲ୍ୟ। ସେମାନେ ଏହି ସେତୁ ନିର୍ମାଣ କରିପାରିବେ।’’ 
ଶ୍ରୀରାମ କହିଲେ, “ମୋର ଏ ଶର କିନ୍ତୁ ଅମୋଘ। ମୁଁ ଏହାକୁ ଗୁଣରେ ଚଢ଼ାଇ ସାରିଛି। ଏବେ କ’ଣ କରିବି?”
ବରୁଣଦେବ କହିଲେ, “ପ୍ରଭୁ, ଦ୍ରୁମକୁଲ୍ୟ ବୋଲି ଏକ ସ୍ଥାନ ଅଛି। ସେଠାରେ ଆଭୀର ଜନଜାତି ବାସ କରୁଛନ୍ତି। ସେମାନେ ସର୍ବଦା ପାପକର୍ମରେ ଲିପ୍ତ ରହି ମୋ ଜଳକୁ ପ୍ରଦୂଷିତ କରୁଛନ୍ତି। ମୋର କଷ୍ଟ ନିବାରଣ ନିମିତ୍ତ ଏହି ଶର ସେଠାକୁ ନିକ୍ଷେପ କରନ୍ତୁ। 
ଶ୍ରୀରାମ ସେପରି କଲେ। ଶର ଯେଉଁ ସ୍ଥାନରେ ପଡ଼ିଲା, ସେହି ସ୍ଥାନ ମରୁକାନ୍ତାର ନାମରେ ପ୍ରସିଦ୍ଧ ହେଲା। ଶରାଘାତରେ ଧରିତ୍ରୀର ଯେଉଁ ସ୍ଥାନ ବିଦୀର୍ଣ୍ଣ ହେଲା ସେଥିରୁ ଜଳ ସଂଚାରିତ ହୋଇ ପ୍ରସ୍ରବଣ ସୃଷ୍ଟି ହେଲା। ତାହା ହେଲା ମରୁଦ୍ୟାନ। ମରୁକାନ୍ତାର ଶୁଷ୍କ ହେଲେ ମଧ୍ୟ ଶ୍ରୀରାମଙ୍କ ଆଶୀର୍ବାଦରୁ ପଶୁପକ୍ଷୀମାନଙ୍କ ନିମିତ୍ତ ସେଠାରେ ଖାଦ୍ୟର ଅଭାବ ରହିଲା ନାହିଁ। 
-ଡକ୍ଟର ତୁଳସୀ ଓଝା