ଯଦିଓ ବାଲ୍ଲୀକି ରାମାୟଣରେ ମକରଧ୍ବଜ ନାମକ କୌଣସି ଚରିତ୍ରର ଉଲ୍ଲେଖ ନାହିଁ, ତଥାପି ବିଭିନ୍ନ ପ୍ରାନ୍ତୀୟ ରାମାୟଣରେ ଏହା ଏକ ମହତ୍ତ୍ବପୂର୍ଣ୍ଣ ଚରିତ୍ର। ମକରଧ୍ବଜ ବାଳବ୍ରହ୍ମଚାରୀ; ମହାବୀର ହନୁମାନଙ୍କର ମହାବଳୀପୁତ୍ର। ଏ ସଂପର୍କରେ କୁହାଯାଇଛି- ଯେତେବେଳେ ସୀତାଙ୍କ ଅନୁସନ୍ଧାନରେ ଯାଇ ହନୁମାନ ଅଶୋକ ବନରେ ପହଞ୍ଚିଛନ୍ତି ଏବଂ ରାବଣପୁତ୍ର ଅକ୍ଷୟକୁମାରକୁ ବଧ କରିଛନ୍ତି, ରାବଣର ଜ୍ୟେଷ୍ଠପୁତ୍ର ଇନ୍ଦ୍ରଜିତ ତାଙ୍କୁ ବ୍ରହ୍ମପାଶରେ ବନ୍ଦୀ କରି ଆଣିଛି। ରାବଣର ନିର୍ଦ୍ଦେଶରେ ରାକ୍ଷସମାନେ ହନୁମାନଙ୍କର ଲାଙ୍ଗୁଡ଼ରେ ଅଗ୍ନି ସଂଯୋଗ କରିଛନ୍ତି। ସେହି ଅଗ୍ନିରେ ହନୁମାନ ସମଗ୍ର ଲଙ୍କାକୁ ‌େପାଡ଼ି ଛାରଖାର କରିଛନ୍ତି। ସେହି ସମୟରେ ହନୁମାନଙ୍କ ଶରୀରରୁ ପ୍ରବଳ ସ୍ବେଦ ନିର୍ଗତ ହୋଇଛି। ଉତ୍ତାପ ଓ ଶ୍ରମଝାଳକୁ ଶାନ୍ତ କରିବା ନିମିତ୍ତ ହନୁମାନ ସମୁଦ୍ରରେ ବୁଡ଼ି ସ୍ନାନ କରିଛନ୍ତି। ଏହି ସମୟରେ ସେହି ସ୍ବେଦବିନ୍ଦୁକୁ ଖାଦ୍ୟ ମନେକରି ଏକ ମକରୀ ତାହାକୁ ଗ୍ରାସ କରିଛି। ତାଙ୍କର ସ୍ବେ‌ଦ ମକରୀ ଗର୍ଭରେ ଏକ ଶିଶୁପୁତ୍ରରେ ପରିଣତ ହୋଇଛି; ଯାହାର ରୂପ ଅର୍ଦ୍ଧେକ ବାନର ଓ ଅର୍ଦ୍ଧେକ ମକର। 
ଏହି ଶିଶୁର ବଳବିକ୍ରମ ଦେଖି ପାତାଳରାଜ ମହୀରାବଣ ତାହାକୁ ଗଡ଼ରକ୍ଷକ ଭାବରେ ନିଯୁକ୍ତ କରିଛି। ମହୀରାବଣ ପଦ୍ମବ୍ୟୂହ ରଚନା କରି ରାମ ଓ ଲକ୍ଷ୍ମଣଙ୍କୁ ପାତାଳଲୋକକୁ ନେଇ ମହାମାୟାଙ୍କ ମନ୍ଦିରରେ ବଳି ଦେବାପାଇଁ ରଖିଛି। ହନୁମାନ ଏହା ଜାଣି ସୂକ୍ଷ୍ମ ରୂପରେ ଯାଇ ପାତାଳଲୋକରେ ପହଞ୍ଚିଛନ୍ତି ଏବଂ ଏହି ସମୟରେ ତାଙ୍କର ମକରଧ୍ବଜ ସହିତ ସାକ୍ଷାତ ହୋଇଛି। ପାତାଳର ଗଡ଼ଦ୍ବାରରେ ଏପରି ଏକ ବିଚିତ୍ର ପ୍ରାଣୀ ଦେଖି ହନୁମାନ ବିସ୍ମିତ ହୋଇ  ତ‌ାହାର ପରିଚୟ ଜାଣିବାକୁ ଚାହିଁଛନ୍ତି। ମକରଧ୍ବଜ ନିଜର ପରିଚୟ ଦେଇ ଗର୍ବର ସହିତ କହିଛି, ସେ ମହାବଳୀ ହନୁମାନଙ୍କର ପୁତ୍ର। ଏହା ହନୁମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାକୁ ମିଥ୍ୟା ଭାବି ହନୁମାନ ତାକୁ ପ୍ରଶ୍ନ କରନ୍ତେ, ସେ ତାର ସଂପୂର୍ଣ୍ଣ ଜନ୍ମବୃତ୍ତାନ୍ତ କହିଛି। ତାହା ଶୁଣି ହନୁମାନ ଯେତେବେଳେ ନିଜର ପରିଚୟ ଦେଇଛନ୍ତି, ମକରଧ୍ବଜ ହନୁମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରିଛି। କିନ୍ତୁ ପାତାଳକୁ ହନୁମାନଙ୍କର ଆସିବାର କାରଣ ଜାଣି‌ ସେ ତାଙ୍କର ପଥରୋଧ କରିଛି।

Advertisment

ଜଣେ ପ୍ରଭୁଭକ୍ତ ବିଶ୍ବସ୍ତ ଅନୁଚର ଭାବରେ ସେ ତା’ର କର୍ତ୍ତବ୍ୟ ସଂପାଦନ କରୁଥିବାରୁ, ହନୁମାନ ତା’ ଉପରେ ପ୍ରସନ୍ନ ହେଲେ ମଧ୍ୟ, ତାକୁ ବାଟ ଛାଡ଼ିଦେବାପାଇଁ ଆଦେଶ ଦେଇଛନ୍ତି। ମକରଧ୍ବଜ ପିତାଙ୍କର ପରିଚୟ ତଥା ସୁମହତ୍‌ କାର୍ଯ୍ୟ ସଂପର୍କରେ ଜାଣି ମଧ୍ୟ ତାଙ୍କୁ ବିରୋଧ କରିଛି। ଫଳରେ ଦୁହିଙ୍କ ମଧ୍ୟରେ ଯୁଦ୍ଧ ହୋଇଛି।  ହନୁମାନ ମକରଧ୍ବଜକୁ ପରାଜିତ କରି ତାକୁ ଲାଞ୍ଜରେ ବାନ୍ଧି ମହୀରାବଣ ନିକଟକୁ ଯାଇଛନ୍ତି। ମହୀରାବଣକୁ ପରାସ୍ତ କରି ଏବଂ ରାମଙ୍କୁ ଉଦ୍ଧାର କରି ଫେରିବା ବେଳେ ସେ ମକରଧ୍ବଜକୁ ରାମଙ୍କ ସହିତ ପରିଚିତ କରାଇଛନ୍ତି। ରାମ ମକରଧ୍ବଜର ଗୁଣଗରିମା ଜାଣି ତାକୁ ପାତାଳପୁରର ରାଜା ଭାବରେ ଅଭିଷିକ୍ତ କରିଛନ୍ତି।

ମକରଧ୍ବଜ ରାଜସ୍ଥାନର ଜାଠ ସଂପ୍ରଦାୟର ଲୋକପ୍ରିୟ ଇଷ୍ଟଦେବତା। ସେମାନଙ୍କର ଧାରଣା, ମକରଧ୍ବଜ ଅତ୍ୟନ୍ତ ରାମଭକ୍ତ ଏବଂ ସେ ତାଙ୍କ ଭକ୍ତମାନଙ୍କୁ ସମସ୍ତ ବିପଦରୁ ରକ୍ଷା କରନ୍ତି। ରାଜସ୍ଥାନର ବାଲାଜୀ ମକରଧ୍ବଜ ମନ୍ଦିରରେ ବାଲାଜୀ ହନୁମାନ ଓ ମକରଧ୍ବଜ ରୂପରେ ପୂଜିତ। ଗୁଜୁରାଟର ସମୁଦ୍ର ତଟଦେଶରେ ଦ୍ବାରକାଧୀଶ ମନ୍ଦିରର ଅନତିଦୂରରେ ରହିଛି ହନୁମାନ ଦାଣ୍ଡି ମନ୍ଦିର। ଏହି ମନ୍ଦିର ପ୍ରାୟ ୫୦୦ ବର୍ଷର ପୁରାତନ। ଗୁଜୁରାଟର ମାଣ୍ଡବୀ ଓ ପୋରବନ୍ଦରଠାରେ, ମହାରାଷ୍ଟ୍ରର ଚିଂଚୱନ୍‌ ଓ ମଧ୍ୟପ୍ରଦେଶର ଗୋୱାଲିଅରରେ ମଧ୍ୟ ମକରଧ୍ବଜଙ୍କର ମନ୍ଦିର ରହିଛି। ପୁରୀର ଅଲାମଚଣ୍ଡୀ ମନ୍ଦିର ସମ୍ମୁଖରେ ଥିବା ପଥର ପୋଖରୀ ନିକଟରେ ମଧ୍ୟ ରହିଛି ଏକ ମକରଧ୍ବଜ ହନୁମାନ ମନ୍ଦିର।  
-ଡକ୍ଟର ତୁଳସୀ ଓଝା