ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ମାୟାମୃଗ ମାରୀଚ

ଶ୍ରୀରାମ ଅନେକ ରାକ୍ଷସ ଓ ରାକ୍ଷସୀଙ୍କୁ ବଧ କଲେ ମଧ୍ୟ ମାରୀଚକୁ କାହିଁକି ବଧ କରି ନ ଥିଲେ– ଏ ପ୍ରଶ୍ନ ମାରୀଚ ମନକୁ ସର୍ବଦା ଆଚ୍ଛନ୍ନ କରି ରଖିଥିଲା। ସତ୍‌ମାର୍ଗରେ ଜୀବନ ଅତିବାହିତ କରିବାପାଇଁ ଏହା ତାକୁ ପ୍ରେରିତ କରିଥିବାରୁ ସେ ଆଶ୍ରମଜୀବନ ଆପଣେଇ ନେଇଥିଲା।
ମାୟାମୃଗ ରୂପ ଧାରଣ କରିବାରେ ମାରୀଚ ଥିଲା ସିଦ୍ଧହସ୍ତ। ତାହା ଜାଣିଥିବାରୁ ନିଜ ଯୋଜନା ଅନୁସାରେ ସୀତାଙ୍କୁ ହରଣ କରିବା ନିମିତ୍ତ ରାବଣ ଆସି ମାରୀଚ ପାଖରେ ପହଞ୍ଚିଥିଲା। ମାରୀଚ ରାବଣ ପାଖରୁ ତା’ର ଯୋଜନା ସଂପର୍କରେ ଅବଗତ ହେବା ପରେ, ରାମଙ୍କର ବୀରତ୍ୱ ଓ ବିକ୍ରମ ସଂପର୍କରେ ସମ୍ୟକ ସୂଚନା ଦେଲା ଏବଂ ପର ସ୍ତ୍ରୀ ହରଣ ପରି ପାପକାର୍ଯ୍ୟରୁ ନିବୃତ୍ତ ହେବାପାଇଁ ଅନେକ ଉପଦେଶ ଦେଇ ରାବଣକୁ ଫେରାଇଦେଲା।

ମାରୀଚର ପୂର୍ବ ଅନୁଭବ ଓ ଉପଦେଶ ରାବଣକୁ ଚିନ୍ତିତ କରିବାରୁ ସେ ସମଗ୍ର ରାକ୍ଷସକୁଳର ହିତ ଚିନ୍ତା କରି ଲଙ୍କାକୁ ଫେରିଗଲା। କିନ୍ତୁ ଲଙ୍କାକୁ ଫେରିଯିବା ପରେ ସେଠାରେ ସୂର୍ପଣଖା ତାକୁ ଉତ୍ତେଜିତ କରିବାକୁ ଲାଗିଲା। ସୂର୍ପଣଖା ମନ ଭିତରେ ପତିହନ୍ତା ଭ୍ରାତା ଉପରେ ପ୍ରତିଶୋଧ ନେବାର ବାସନା ନେଇ ଅପେକ୍ଷାରତ ଥିଲା। ନିଜର ଉଦ୍ଦେଶ୍ୟକୁ ଗୋପନ ରଖି ରାବଣର ବୀରତ୍ୱକୁ ସେ ତିରସ୍କାର କରି ନାନା ଉତ୍ତେଜନାପୂର୍ଣ୍ଣ ବାକ୍ୟ ପ୍ରୟୋଗ କରିବାରେ ଲାଗିଲା। ଏଥିରେ ରାବଣ ନିଜର ହିତାହିତ ଜ୍ଞାନ ଭୁଲି ପୁନଶ୍ଚ ମାରୀଚ ପାଖକୁ ଫେରିଆସି, ତାକୁ ତା’ର ମାୟାବୁଦ୍ଧି ନିମିତ୍ତ ପ୍ରଶଂସା କଲା ଏବଂ ରାମଙ୍କ ଆଶ୍ରମକୁ ଯିବାକୁ ପ୍ରବର୍ତ୍ତାଇଲା। ରାବଣର ପ୍ରସ୍ତାବରେ ମାରୀଚ ଭୀତତ୍ରସ୍ତ ହେବା ସହିତ ନିଜର ତପସ୍ୟାଲବ୍‌ଧ ଜ୍ଞାନ ଅବଲମ୍ବନରେ ରାବଣକୁ ଯେପରି ବୁଝାଇଥିଲା, ତାହା ମାରୀଚ ଚରିତ୍ରର ଏକ ବିଶେଷ ଦିଗ ଉନ୍ମୋଚନ କରେ।

ମାରୀଚ କହିଥିଲା, “ହେ ରାଜନ୍‌! ଏ ଜଗତରେ ପ୍ରିୟଭାଷୀ ଲୋକଙ୍କର ଅଭାବ ନାହିଁ। କିନ୍ତୁ ଅପ୍ରିୟ ଅଥଚ ହିତକର ବାକ୍ୟର ବକ୍ତା ଓ ଶ୍ରୋତା ଦୁର୍ଲଭ। ମୁଁ ଶ୍ରୀରାମଙ୍କର ଶୌର୍ଯ୍ୟ ବୀର୍ଯ୍ୟ ସଂପର୍କରେ ସଂପୂର୍ଣ୍ଣ ଅବଗତ। ଆପଣ ଯେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି, ସେଥିରେ ଆପଣଙ୍କ ସହିତ ଆପଣଙ୍କର ସ୍ୱର୍ଣ୍ଣଲଙ୍କାର ସଂପୂର୍ଣ୍ଣ ବିନାଶ ହେବ। ସୂର୍ପଣଖାର ଦୁର୍ବୁଦ୍ଧି ହେତୁ ସମଗ୍ର ଜନସ୍ଥାନ ରାକ୍ଷସଶୂନ୍ୟ ହୋଇଯାଇଛି। ଏବେ ଆପଣଙ୍କର ପାଳି।’’ ମାତ୍ର ଦାମ୍ଭିକ ରାବଣ ତାହା ଶୁଣି ମାରୀଚକୁ କର୍କଶ ଭାଷାରେ ତିରସ୍କାର କରିବା ସହିତ ତାକୁ ହତ୍ୟା କରିବାକୁ ଉଦ୍ୟତ ହେଲା। ରାବଣ ହସ୍ତରେ ମୃତ୍ୟୁବରଣ କରିବାଠାରୁ ରାମଙ୍କ ହସ୍ତରେ ମୃତ୍ୟୁବରଣ କରିବା ଶ୍ରେୟସ୍କର ଭାବି ମାରୀଚ ମାୟାମୃଗ ରୂପ ଧାରଣ କରି ପଞ୍ଚବଟୀ ଗମନ କଲା। କିନ୍ତୁ ଶ୍ରୀରାମ ମାରୀଚକୁ ବଧ କରି ନଥିଲେ। ଶ୍ରୀରାମ ଜାଣିଥିଲେ ମାରୀଚ ହିଁ ରାବଣର ମୃତ୍ୟୁଦୂତ ହୋଇ ପ୍ରଥମେ ଆସିବ। ମାୟା ମାରୀଚ ସୀତାଙ୍କୁ ଆକୃଷ୍ଟ କରିବାରେ ସଫଳ ହେଲା ଏବଂ ରାମଙ୍କ ସ୍ୱରକୁ ଅନୁକରଣ କରି ସୀତାଙ୍କୁ ଭ୍ରମିତ କଲା। ଲକ୍ଷ୍ମଣଙ୍କୁ ସେଠାରୁ ଅପସାରିତ କରିବା ସହିତ ଦେବକାର୍ଯ୍ୟ ସଂପାଦନ କରି ସେ ରାମଙ୍କ ହସ୍ତରେ ରାକ୍ଷସଜନ୍ମରୁ ମୁକ୍ତି ପାଇଥିଲା।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର