ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ର ସାରଥି ‘ଦାରୁକ’

ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥର ସାରଥି ହେଉଛନ୍ତି ‘ଦାରୁକ’। ନନ୍ଦିଘୋଷର ରଥ ଆବରଣ ପୀତ-ଲୋହିତ। ଏଥିରେ ‘ପୀତ’ ହେଉଛି ହଳଦି ରଙ୍ଗ। ଏଣୁ ଶ୍ରୀଜଗନ୍ନାଥଙ୍କ ରଥର ରଙ୍ଗ ହଳଦି ଓ ଲାଲ। ଲାଲ ସବୁ ରଥର ସାଧାରଣ ରଙ୍ଗ। ଏଣୁ ଏହି ରଥରେ ହଳଦି ହିଁ ମୁଖ୍ୟ ରଙ୍ଗ। ସେଥିପାଇଁ ‘ନନ୍ଦିଘୋଷ’ ରଥର ସାରଥି ‘ଦାରୁକ’ ବି ହଳଦି ରଙ୍ଗର ପୋଷାକ ପରିଧାନ କରିଥାନ୍ତି।

‘ଶ୍ରୀମଦ୍‌ଭାଗବତ’ ଓ ‘ମହାଭାରତ’ ଅନୁସାରେ, ଶ୍ରୀକୃଷ୍ଣଙ୍କ ରଥର ସାରଥି ହେଉଛନ୍ତି ‘ଦାରୁକ’। ସେ ଅତ୍ୟନ୍ତ କୃଷ୍ଣଭକ୍ତ। ଯେତେବେଳେ ଅର୍ଜୁନ ଶ୍ରୀକୃଷ୍ଣଙ୍କର ଭଉଣୀ ସୁଭଦ୍ରାଙ୍କୁ ହରଣ କରିନେଲେ, ସେତେବେଳେ ସେ କହିଥିଲେ- ମୁଁ ଯାଦବଙ୍କ ବିରୋଧରେ ରଥ ଚାଳନା କରିବି ନାହିଁ। ଆପଣ ମୋତେ ବନ୍ଦୀ କରିଦେଇ, ନିଜର ଅଭୀଷ୍ଟ ପୂରଣ କରନ୍ତୁ। ମହାଭାରତ ଯୁଦ୍ଧରେ ମଧ୍ୟ, ସେ ଶ୍ରୀକୃଷ୍ଣଙ୍କ ଆଦେଶରେ ସାତ୍ୟକିଙ୍କ ରଥରେ ସାରଥି ହୋଇଥିଲେ। କାରଣ, ସେହି ଯୁଦ୍ଧରେ ଶ୍ରୀକୃଷ୍ଣ ହୋଇଥିଲେ ଅର୍ଜୁନଙ୍କ ରଥର ସାରଥି।
ଉଭୟ ‘ଭାଗବତ’ ଓ ‘ମହାଭାରତ’ରେ ଶ୍ରୀକୃଷ୍ଣଙ୍କ ଦେହାବସାନର ବର୍ଣ୍ଣନା ଅଛି। ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ‘ଭାଗବତ’ ଅନୁସାରେ- ଜାରା ଶବରର ତୀରରେ ଶ୍ରୀକୃଷ୍ଣ ଆହତ ହେବା ପରେ, ଶ୍ରୀକୃଷ୍ଣଙ୍କ ଆଜ୍ଞାରେ ଜାରା ଶବର ଦିବ୍ୟ ବିମାନରେ ସ୍ୱର୍ଗପୁରକୁ ଯାଇଥିଲା। ସେତେବେଳେ ଆହତ ଶ୍ରୀକୃଷ୍ଣଙ୍କ ପାଖରେ କେବଳ ତାଙ୍କର ସାରଥି ଦାରୁକ ଉପସ୍ଥିତ ଥିଲେ। ଗଭୀର ଶୋକରେ ସେ କ୍ରନ୍ଦନ କରିବାରେ ଶ୍ରୀକୃଷ୍ଣ ତାଙ୍କୁ ଅନେକ ପ୍ରବୋଧନା ଦେଇଥିଲେ। ତାହାପରେ ସାରଥି ଦାରୁକଙ୍କ ମାଧ୍ୟମରେ ହିଁ ଶ୍ରୀକୃଷ୍ଣ ଦ୍ୱାରକାକୁ ନିଜର ଶେଷବାର୍ତ୍ତା ପଠାଇଥିଲେ। ତ୍ରେତୟା ଯୁଗରେ ରଥରେ ଥିବା ରାବଣ ସହ ବିରଥ ରାମ ଯୁଦ୍ଧ କରିବା ଦେଖି ଇନ୍ଦ୍ର ରାମଙ୍କ ନିକଟକୁ ‘ନନ୍ଦିଘୋଷ’ ରଥ ପଠାଇଥିଲେ। ତେଣୁ କଳିଯୁଗରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥରେ ଶ୍ରୀକୃଷ୍ଣଙ୍କ ରଥର ସାରଥି ‘ଦାରୁକ’ ହିଁ ସାରଥି ହୋଇଥାନ୍ତି।

ସମ୍ବନ୍ଧିତ ଖବର