ମହର୍ଷି ଭରଦ୍ୱାଜଙ୍କ ଆଶ୍ରମରୁ ବାହାରି ଶ୍ରୀରାମ ବନପଥରେ ଯାତ୍ରା କଲେ। ତମସା ନଦୀତଟରେ ପହଞ୍ଚି, ସମ୍ମୁଖରେ ଏକ ସୁନ୍ଦର ଉପବନ ଦେଖି ସେ ଆଶ୍ଚର୍ଯ୍ୟ ଚକିତ ହେଲେ। ନିଘଞ୍ଚ ଅରଣ୍ୟ ମଧ୍ୟରେ ଥିବା ସେହି ସୁନ୍ଦର ଉପବନର ପ୍ରତ୍ୟେକ ବୃକ୍ଷ ସବୁଜପତ୍ରରାଜି ଓ ଫଳପୁଷ୍ପରେ ସୁଶୋଭିତ ଥିଲା। ପକ୍ଷୀମାନଙ୍କର କାକଳି ସହିତ ସୁଲଳିତ କଣ୍ଠରୁ ନିସୃତ ରାମନାମ ତଥା ସିଂହ, ଭଲ୍ଲୁକ ଆଦି ହିଂସ୍ର ପଶୁମାନଙ୍କ ସହିତ ମୃଗଶିଶୁମାନଙ୍କର କ୍ରୀଡ଼ା କୌତୁକ ପରି ମହାର୍ଘ ଦୃଶ୍ୟ ଦେଖି ରାମ, ଲକ୍ଷ୍ମଣ ଓ ସୀତା ସେହି ଉପବନ ମଧ୍ୟରେ ପ୍ରବେଶ କଲେ। ସେହି ଉପବନ ଥିଲା ମହର୍ଷି ବାଲ୍ମୀକିଙ୍କର ତପୋବନ। ସମ୍ମୁଖରେ ରାମ, ସୀତା ଓ ଲକ୍ଷ୍ମଣଙ୍କୁ ଦେଖି ଆନନ୍ଦ ଆତିଶଯ୍ୟରେ ମହର୍ଷି ବାଲ୍ମୀକିଙ୍କର ଚକ୍ଷୁ ଲୋତକାପ୍ଳୁତ ହୋଇ ଗଲା। ଆବେଗରେ ସେ ରାମଙ୍କୁ କୁଣ୍ଢାଇ ଧରିଲେ। ରାମ, ଲକ୍ଷ୍ମଣ, ସୀତାଙ୍କୁ ସେ ଆଶ୍ରମ ମଧ୍ୟକୁ ପାଛୋଟି ନେଲେ।

Advertisment

ମହର୍ଷି ବାଲ୍ମୀକି ‘ରାମାୟଣ’ର ଏକ ଚରିତ୍ର। ତେଣୁ ରାମାୟଣରେ ସେ ନିଜ ସଂପର୍କରେ କିଛି ଉଲ୍ଲେଖ କରି ନାହାନ୍ତି। କିନ୍ତୁ ଅନ୍ୟାନ୍ୟ ଗ୍ରନ୍ଥମାନଙ୍କରେ ତାଙ୍କ ଆଶ୍ଚର୍ଯ୍ୟ ସୁନ୍ଦର ଜୀବନର ଉଲ୍ଲେଖ ଦେଖାଯାଏ। ଯେଉଁପରି ରାମନାମ ଜପ କରି ମହର୍ଷି ବାଲ୍ମୀକି ବ୍ୟାଧରୁ ପ୍ରବୁଦ୍ଧରେ ପରିଣତ ହୋଇଥିଲେ। ସେହିପରି, ଏକ ବ୍ୟାଧର ଶରାଘାତରେ ନିହତ ମିଥୁନରତ କ୍ରୌଞ୍ଚପକ୍ଷୀଙ୍କ ମଧ୍ୟରୁ ଗୋଟିଏ ତାଙ୍କୁ ଋଷିରୁ ଆଦିକବିରେ ପରିଣତ କରି ଦେଇଥିଲା। ମହର୍ଷି ବାଲ୍ମୀକି ଥିଲେ ମନୁଷ୍ୟ ଚେତନାର ଉଦ୍‌ବର୍ତ୍ତନର ସର୍ବଶ୍ରେଷ୍ଠ ଉଦାହରଣ। ରାମ ଓ ବାଲ୍ମୀକିଙ୍କର ଏହି ପ୍ରଥମ ସାକ୍ଷାତ୍ ଯେପରି ହୃଦୟଗ୍ରାହୀ, ସେହିପରି ମଧ୍ୟ ସ୍ମରଣୀୟ। ବାଲ୍ମୀକି ଆଶ୍ରମରେ ଏକ ରାତ୍ରି ଅତିବାହିତ କଲା ପରେ, ଶ୍ରୀରାମ ଯେତେବେଳେ ସେଠାରୁ ଯିବାକୁ ବାହାରିଲେ, ବନବାସର ଏହି ଚଉଦବର୍ଷ ସେ କେଉଁଠାରେ ଆଶ୍ରୟ ନେବେ ତାହା ବାଲ୍ମୀକିଙ୍କୁ ପଚାରିଲେ। ବାଲ୍ମୀକି ତାଙ୍କୁ କହିଲେ- ପ୍ରଭୁ, କେଉଁ ସ୍ଥାନରେ ଆପଣ ନାହାନ୍ତି ସେପରିସ୍ଥାନ ପୃଥିବୀରେ ଅଛି କି? ତଥାପି ମହର୍ଷି ଅତ୍ରି ଆଦି ମୁନିମାନେ ବାସ କରୁଥିବା ‘ଚିତ୍ରକୂଟ’ ଆପଣଙ୍କ ନିବାସ ପାଇଁ ଉପଯୁକ୍ତ ସ୍ଥାନ।

ତେବେ, ସେହି ସମୟରୁ ସୀତାଙ୍କ ପ୍ରାଣରେ ରହିଗଲା ବାଲ୍ମୀକି ଆଶ୍ରମର ଅପରୂପ ସ୍ମୃତି। ହୁଏତ ସେଥିପାଇଁ, ଅନ୍ତଃସତ୍ତ୍ୱା ହେବା ସମୟରେ ବାଲ୍ମୀକି ଆଶ୍ରମ ଯିବାପାଇଁ ସେ ରାମଙ୍କୁ ଅନୁରୋଧ କରିଥିଲେ। ଅଥଚ ବିଡ଼ମ୍ବିତ ଭାଗ୍ୟ ଫଳରେ, ପରବର୍ତ୍ତୀ କାଳରେ, ତାଙ୍କୁ ସମଗ୍ର ଜୀବନ ବାଲ୍ଲୀକି ଆଶ୍ରମରେ ବିତାଇବାକୁ ହୋଇଥିଲା। ଆଶ୍ୱିନପୂର୍ଣ୍ଣିମାକୁ ବାଲ୍ମୀକିଙ୍କର ପରାଗତ ଦିବସ (ଜନ୍ମଦିନ) ଭାବରେ ପାଳନ କରାଯାଏ। ତେବେ ବାଲ୍ମୀକି ନଥିଲେ ରାମ ନଥାନ୍ତେ କି ରାମ ନଥିଲେ ରତ୍ନାକର ବାଲ୍ମୀକି ହୋଇପାରି ନଥାନ୍ତେ।
-ଡକ୍ଟର ତୁଳସୀ ଓଝା