ଶ୍ରୀରାମଙ୍କ ଜୀବନର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ସମୟ ହେଉଛି ଚଉଦବର୍ଷର ବନବାସ। ଏହି ସମୟରେ ସେ ପ୍ରାୟ ଅରଣ୍ୟଭୂମି ଦେଇ ଯାତ୍ରା କରିଥିଲେ। ଭାରତରେ ତାଙ୍କର ଏହି ଯାତ୍ରା ଅଯୋଧ୍ୟାରୁ ଆରମ୍ଭ ହୋଇ ରାମେଶ୍ବରମ୍ରେ ଶେଷ ହୋଇଥିଲା। ଏହି ସମୟରେ ସେ ଯେଉଁ ଯେଉଁ ସ୍ଥାନ ଦେଇ ଯାତ୍ରା କରିଥିଲେ, ଯେଉଁଠି ବିଶ୍ରାମ ନେଇଥିଲେ, ସ୍ନାନ କରିଥିଲେ, ବା ତାଙ୍କ ଜୀବନର ମୁଖ୍ୟ ଘଟଣାମାନ ଘଟିଥିଲା- ସେସବୁର ସ୍ମୃତିରକ୍ଷା ପାଇଁ ଭାରତ ସରକାର ରାମ-ବନଗମନ-ପଥ ପରିଯୋଜନା ଆରମ୍ଭ କରିଛନ୍ତି। ଏହାର ଆରମ୍ଭ ଉତ୍ତରପ୍ରଦେଶରୁ ହୋଇଛି।
ଆଜିର ଉତ୍ତରପ୍ରଦେଶର ଏକ ବିରାଟ ଅଂଶ ଏକଦା ଉତ୍ତର-କୋଶଳ ନାମରେ ପରିଚିତ ଥିଲା। ଏହି ଉତ୍ତରକୋଶଳର ରାଜଧାନୀ ଥିଲା ଅଯୋଧ୍ୟା। ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ। ତାହାର ସ୍ମୃତିଚିହ୍ନ ସ୍ବରୂପ ସମଗ୍ର ଅଯୋଧ୍ୟା ମଧ୍ୟରେ ଅସଂଖ୍ୟ ଦେବସ୍ଥାନ ରହିଛି। ପୁରାଣବର୍ଣ୍ଣିତ ସରଯୂନଦୀ, ବ୍ରହ୍ମକୁଣ୍ଡ, ଋଣମୋଚନ ତୀର୍ଥ, ଧର୍ମହରି, ସୀତାକୁଣ୍ଡ, ଗୁପ୍ତହରିତୀର୍ଥ, ଚକ୍ରହାରୀତୀର୍ଥ ଆଦି ସହିତ ଦୃଶ୍ୟମାନ ହେଉଥିବା ମଣିପର୍ବତ, ଦଶରଥ ସମାଧି, ଜାନକୀ ଭବନ, ମୋତିମହଲ ଇତ୍ୟାଦି ଏଥିମଧ୍ୟରେ ପ୍ରମୁଖ। ଏସବୁକୁ ସଂପ୍ରତି ସ୍ମୃତିର ସ୍ମାରକୀ ଭାବରେ ‘ରାମ-ବନଗମନ-ପଥ ପରିକ୍ରମା’ ଯୋଜନାର ଅନ୍ତର୍ଭୁକ୍ତ କରାଯାଇଛି।
ଏହିପରି ଏକ ସ୍ଥାନ ହେଉଛି ସୁଲତାନପୁର। ଉତ୍ତରପ୍ରଦେଶର ଏହି ଜିଲାରେ ଏକ ହନୁମାନ ମନ୍ଦିର ରହିଛି। ଏହି ହନୁମାନ ମନ୍ଦିର ବିଜେଥୁଆ ହନୁମାନ ମନ୍ଦିର ଭାବରେ ପ୍ରସିଦ୍ଧ। ମନ୍ଦିରରେ ଥିବା ମୂର୍ତ୍ତିର ବିଶେଷତ୍ବ ହେଉଛି, ଏହାର ଗୋଟିଏ ଗୋଡ଼ ଭୂମି ଭିତରେ ପୋତି ହୋଇ ରହିଛି। ଅଯୋଧ୍ୟାଠାରୁ ୬୩ କିଲୋମିଟର ଦୂରରେ ଏହା ଅବସ୍ଥିତ।
କଥିତ ଅଛି, ଯେତେବେଳେ ହନୁମାନ ସଂଜୀବନୀ ବୁଟି ସନ୍ଧାନରେ ହିମାଳୟ ଯାତ୍ରା କରୁଥିଲେ, ଏଠାରେ ଏକ କୁଟୀର ଦେଖି ଓ ରାମନାମ ଜପ କରୁଥିବା ଜଣେ ସନ୍ନ୍ୟାସୀଙ୍କୁ ଦେଖି ସେ ଆନନ୍ଦରେ କିଛିକ୍ଷଣ ବିଶ୍ରାମ ନେବାପାଇଁ ଅଟକିଗଲେ। ସନ୍ନ୍ୟାସୀ ତାଙ୍କୁ ଦେଖି ପାଖରେ ଥିବା ଜଳାଶୟରେ ସ୍ନାନ କରିଆସି ବିଶ୍ରାମ ନେବାକୁ ଅନୁରୋଧ କଲେ। ହନୁମାନ ଜଳାଶୟ ମଧ୍ୟରେ ପ୍ରବେଶ କରି ଏକ ମକରୀର ଆକ୍ରମଣର ଶିକାର ହେଲେ। ହନୁମାନ ମକରୀକୁ ବଧ କରିବାରୁ ସେ ଏକ ଅପ୍ସରାରେ ପରିଣତ ହୋଇଗଲା। ସେ କହିଲା, ଏହି ସନ୍ନ୍ୟାସୀ ରାବଣ ପ୍ରେରିତ କାଳନେମି ନାମକ ରାକ୍ଷସ। ହନୁମାନଙ୍କୁ ହତ୍ୟା କରିବା ନିମିତ୍ତ ସେ ଛଦ୍ମବେଶରେ ରହିଛି। ମକରୀଠାରୁ ଏହା ଶୁଣି ହନୁମାନ ସନ୍ନ୍ୟାସୀରୂପୀ କାଳନେମୀକୁ ବଧ କରି ନିଜ ଗନ୍ତବ୍ୟ ପଥରେ ଚାଲିଯାଇଥିଲେ।
ସେହି ସ୍ମୃତିରେ ଏଠାରେ ଏକ ହନୁମାନ ମନ୍ଦିର ରହିଛି। ନିକଟରେ ଅଛି ମକରୀ କୁଣ୍ଡ। ଏହି କୁଣ୍ଡରେ ହନୁମାନ ସ୍ନାନ କରିଥିବାରୁ ଏହାର ଜଳକୁ ଅତି ପବିତ୍ର ବୋଲି ମନେ କରାଯାଏ। ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଏଠାକୁ ବହୁ ଦର୍ଶନାର୍ଥୀ ଆସନ୍ତି। ସଂକଟମୋଚନ ହନୁମାନ ଭକ୍ତର ମନସ୍କାମନା ପୂରଣ କରିଥାନ୍ତି। ମନସ୍କାମନା ପୂରଣ ହେଲେ ସେମାନେ ଆସି ଏଠାରେ ଘଣ୍ଟି ବାନ୍ଧିଥାଆନ୍ତି। ଏଣୁ ମନ୍ଦିରରେ ଅସଂଖ୍ୟ ଘଣ୍ଟି ଦେଖାଯାଏ। ପ୍ରତିବର୍ଷ ହନୁମାନ ଜୟନ୍ତୀ ଓ ଗଙ୍ଗାଦଶହରା ଏଠାରେ ମହାସମାରୋହରେ ପାଳିତ ହୁଏ।
-ଡକ୍ଟର ତୁଳସୀ ଓଝା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/07/shfshshfxbvbv-2025-11-07-01-06-54.jpg)